ଭଗବାନ ବିଷ୍ଣୁଙ୍କର ବିଭିନ୍ନ ଅବତାରରେ ପାଦକୁ ନେଇ ରହିଛି ଅନେକ ଉପାଖ୍ୟାନ। ସତ୍ୟଯୁଗର ବାମନ ଅବତାରରେ ତ୍ରିପାଦ ମେଦିନୀ ଦାନରେ ନେଇ ବଟୁବାମନବେଶରେ ଭଗବାନ ବଳିକୁ ପାତାଳକୁ ଚାପିଥିଲେ। ତ୍ରେତୟା ଯୁଗରେ ତାଙ୍କର ପଦସ୍ପର୍ଶରେ ପାଷାଣୀ ଅହଲ୍ୟା ପୁନଶ୍ଚ ନାରୀ ରୂପ ଲାଭ କରିଥିଲେ ଏବଂ ‘ବିଜ୍ଞାନୀକୈବର୍ତ୍ତ’ ଶ୍ରୀରାମଙ୍କୁ ଗଙ୍ଗା ପାରି କରାଇବା ବେଳେ ତାଙ୍କର ଦୁର୍ଲଭ ପାଦକୁ ଧୋଇଦେବାର ସୌଭାଗ୍ୟ ଲାଭ କରିଥିଲା। ସେହିପରି, ଦ୍ବାପର ଯୁଗରେ, କାଳୀୟଦଳନ କାଳରେ କାଳୀୟର ମଥାରେ ନିଜର ପଦଚିହ୍ନ ଦେଇ କୃଷ୍ଣ ତାହାକୁ ଧନ୍ୟ କରିଥିଲେ। ପୁଣି, ଅଶରଣ କାଳରେ ସେ ଗଧପାଦ ଧରନ୍ତି ବୋଲି ଲୋକପ୍ରିୟ ପୌରାଣିକ ଉପାଖ୍ୟାନ ମଧ୍ୟ ରହିଛି।
ଭଗବାନଙ୍କର ପାଦକୁ ନେଇ ଆହୁରି ଅନେକ ସୁନ୍ଦର ଉପାଖ୍ୟାନ ମଧ୍ୟ ଆମ ପୁରାଣରେ ଅଛି। ସେଥିରୁ ଗୋଟିଏ ହେଉଛି–ଭଗବାନ ବିଷ୍ଣୁଙ୍କର ପାଦ ଆଙ୍ଗୁଠିର କୋଣରେ ଗଙ୍ଗାମାତାଙ୍କର ନିବାସ। ସେହି ନଖକୋଣରୁ ହିଁ ‘ସୁରଧୁନୀ’ ବା ସ୍ବର୍ଗଗଙ୍ଗା ଭଗୀରଥଙ୍କ ତପସ୍ୟା ଫଳରେ ମର୍ତ୍ତ୍ୟାବରଣ କରିଥିଲେ। ପୁଣି ଭଗବାନ ବିଷ୍ଣୁ ନିଜର ବକ୍ଷସ୍ଥଳରେ ଶ୍ରୀବତ୍ସ ବ୍ରାହ୍ମଣଙ୍କ ଲାଞ୍ଛନ (ପଦଚିହ୍ନ)କୁ ଶ୍ରଦ୍ଧାପୂର୍ବକ ଧାରଣ କରିଛନ୍ତି। ଏହିପରି ପାଦକୁ ନେଇ ଅନେକ କାହାଣୀ ଭଗବାନ ବିଷ୍ଣୁଙ୍କ ସହିତ ଜଡ଼ିତ। କିନ୍ତୁ ତାଙ୍କର କୃଷ୍ଣାବତାର କାଳର ଏକ ପଦଚିହ୍ନ ତାଙ୍କର ପ୍ରିୟଭୂମି ବ୍ରଜରେ ରହିଛି ବୋଲି କଥିତ ହୋଇଆସିଛି। ଯେଉଁ ପର୍ବତରେ ରହିଛି ସେହି ପଦଚିହ୍ନ, ତାହା ‘ଚରଣପର୍ବତ’ ନାମରେ ଖ୍ୟାତ। ବ୍ରଜଭୂମି ଶ୍ରୀକୃଷ୍ଣଙ୍କର ଲୀଳାଭୂମି ଭାବରେ ପୁରାଣ-ପ୍ରସିଦ୍ଧ। ଏହା ସଂପ୍ରତି ଉତ୍ତରପ୍ରଦେଶରେ ଅବସ୍ଥିତ।
ଶ୍ରୀକୃଷ୍ଣ ଯେ ସତରେ ଦିନେ ସେଠାରେ ଲୀଳାଖେଳା କରୁଥିଲେ, ତାହାର ଅନେକ ସ୍ମାରକୀ ସେଠାରେ ରହିଛି ଏବଂ ତାହା କୃଷ୍ଣଭକ୍ତମାନଙ୍କର ଅତ୍ୟନ୍ତ ପ୍ରିୟ ହୋଇଛି। ଚରଣପର୍ବତ ସେଥିମଧ୍ୟରୁ ଅନ୍ୟତମ। ଏହି ପର୍ବତର ଅବସ୍ଥିତି ବ୍ରଜଭୂମିର ନନ୍ଦଗ୍ରାମରେ ଏବଂ ତାହା ନନ୍ଦୀଶ୍ବର ପର୍ବତ ନାମରେ ମଧ୍ୟ ପ୍ରସିଦ୍ଧ। କଥିତ ଅଛି, ସେଠାରେ ତ୍ରିଭଙ୍ଗ ଠାଣିରେ ଠିଆ ହୋଇ ବଂଶୀବାଦନ କରୁଥିବା ବେଳେ, ଶ୍ରୀକୃଷ୍ଣଙ୍କର ପାଦତଳର ପଥର ତରଳିଯାଇ ସେହି ପଦଚିହ୍ନ ଅଙ୍କିତ ହୋଇଯାଇଛି। ତେଣୁ କୃଷ୍ଣଭକ୍ତ ବୈଷ୍ଣବମାନଙ୍କର ତାହା ଅତ୍ୟନ୍ତ ପ୍ରିୟସ୍ଥଳ। ପ୍ରତିଦିନ ବହୁ ସଂଖ୍ୟକ ବୈଷ୍ଣବ ଭକ୍ତ ତାହା ପରିଦର୍ଶନ କରି ଅପାର ଆନନ୍ଦ ଲାଭ କରିଥାଆନ୍ତି।
-ଅସିତ ମହାନ୍ତି