ସବୁବେଳେ ଗଠନମୂଳକ ରାଜନୈତିକ ଚିନ୍ତାଧାରାରେ ବିଶ୍ୱାସ ରଖୁଥିବା ପ୍ରଭାତୀ ପରିଡ଼ା ଆଜି ନିଜର ନିଷ୍ଠାପର ଓ କଠିନ ସଂଘର୍ଷ ପରେ ସଫଳତା ହାସଲ କରି ସେ ଓଡ଼ିଶାର ସର୍ବପ୍ରଥମ ମହିଳା ଉପ-ମୁଖ୍ୟମନ୍ତ୍ରୀ ହେବାର ସୌଭାଗ୍ୟ ହାସଲ କରିଛନ୍ତି। ଜାତୀୟସ୍ତରରୁ ନେଇ ରାଜ୍ୟ ବିଜେପି ଦଳରେ ପ୍ରଭାତୀ ପରିଡ଼ା ଜଣେ ସ୍ପଷ୍ଟବାଦୀ, ସୁଦକ୍ଷ ଓ ବିଚକ୍ଷଣ ବାଗ୍ମୀ ନେତ୍ରୀ ଭାବେ ଜଣାଶୁଣା। ରାଜନୀତିରେ ସେ ସବୁବେଳେ ସବୁଠାରେ ବିଜେଡି ଦଳ ପାଇଁ ଅନେକ ଆହ୍ବାନ ସୃଷ୍ଟି କରନ୍ତି। ପରିବାରରୁ ଓକିଲାତି ଏବଂ ପୁଣି ରାଜନୀତିରେ ତାଙ୍କର ସଂଘର୍ଷମୟ ଯାତ୍ରା ପ୍ରତ୍ୟେକ ନାରୀ ସମାଜର ସଫଳତା ପାଇଁ ପ୍ରେରଣାର ପଥ କହିଲେ ଅତ୍ୟୁକ୍ତି ହେବନାହିଁ। ସେ ରାଜ୍ୟ ବିଜେପି ସରକାରର ବହୁ ଚର୍ଚ୍ଚିତ ସୁଭଦ୍ରା ଯୋଜନାର ମୁଖ୍ୟ ଅଟନ୍ତି। ସେ ରାଜନୀତିକୁ ଆସିଲେ କିପରି ଏବଂ ରାଜନୈତିକ ସଂଘର୍ଷର ସଫଳ ଯାତ୍ରା, ତାଙ୍କ ସରକାରକୁ ବିଜେଡିର ସମାଲୋଚନା ପ୍ରସଙ୍ଗ ସହିତ ସୁଭଦ୍ରା ଯୋଜନାର ହିତାଧିକାରୀଙ୍କ ମନରେ ଉଙ୍କି ମାରୁଥିବା ସବୁ ପ୍ରଶ୍ନର ଉତ୍ତର ରଖିଛନ୍ତି ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।
ସାକ୍ଷାତ୍‌କାର: ବିଭୂତି ପତି, ଫଟୋ: ବିଭୂତି ସାହୁ

Advertisment

ଓକିଲାତିରୁ ରାଜନୀତିକୁ ଆପଣ କାହିଁକି ଆସିଲେ?
ମୋ ପରିବାରରେ ମୋ ଦାଦା ଶଶୁର ବ୍ରହ୍ମାନନ୍ଦ ନାୟକ ରାଜନୀତିରେ ଥିଲେ। ଓକିଲାତିରେ ସାଧାରଣ ଲୋକଙ୍କ ପାଇଁ ଚାହିଁଲେ ମଧ୍ୟ କିଛି ସେବା କରିବା ସବୁବେଳେ ସମ୍ଭବପର ନୁହେଁ ବୋଲି ମୁଁ ଅନୁଭବ କଲି। କିନ୍ତୁ ରାଜନୀତିରେ ସମାଜର ସର୍ବନିମ୍ନ ସ୍ତରରୁ ନେଇ ସର୍ବୋଚ୍ଚ ସ୍ତର ପର୍ଯ୍ୟନ୍ତ ଅନେକ କିଛି ସେବା କରିବାର ସୁଯୋଗ ରହିଛି। ଅବଶ୍ୟ ଏଭଳି ସେବା ମନୋବୃତ୍ତି ମୋତେ ମୋର ଓକିଲାତି ପେସା ହିଁ ଶିକ୍ଷା ଦେଇଥିଲା। ପରବର୍ତ୍ତୀ ସମୟରେ ରାଜନୀତିକୁ ଆସିବାକୁ ଏହା ମୋତେ ଅନୁପ୍ରାଣୀତ କରିଥିଲା।
କିନ୍ତୁ ମୁଁ ଜାଣିଛି, ଆପଣଙ୍କ ସ୍ବାମୀ ଶ୍ୟାମସୁନ୍ଦର ନାୟକ ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ ଏବଂ ସେ ଚାକିରି ଛାଡ଼ି ରାଜନୀତିରେ ଯୋଗଦେବେ ବୋଲି ଆପଣଙ୍କୁ କହୁଥିଲେ। ସେଇ ଡରରେ ଆପଣ ରାଜନୀତିରେ ପ୍ରବେଶ କଲେ?
(ଖୁବ୍ ଜୋର୍‌ରେ ହସି ହସି) ମୁଁ ଭାବି ନଥିଲି ଆପଣ ଏତେ ଗୁଢ଼ ରହସ୍ୟକୁ ଜାଣିଛନ୍ତି। ଆପଣ ଯାହା କହିଲେ ତାହା ହିଁ ନିରାଟ ସତ୍ୟ। ଘରେ ଆମର ୨ ଝିଅ। ମୋର ମନରେ ଡର ଥିଲା ଯଦି ସେ ସରକାରୀ ପଦବିରୁ ଇସ୍ତଫା ଦେବେ ତେବେ ହୁଏତ ଘରେ ଆର୍ଥିକ ସମସ୍ୟା ଦେଖାଦେବ। ତେଣୁ ଭାବିଲି ଯଦି ମୁଁ ରାଜନୀତିରେ ଆଗ ଯୋଗଦିଏ ତେବେ ହୁଏତ ସେ ଚାକିରି ଛାଡ଼ିବେନି। ମୋର ଅନୁମାନ ସତ ହେଲା। କିନ୍ତୁ ଏ ଦିଗରେ ମୋ ସ୍ବାମୀ ସବୁବେଳେ ମୋତେ ଉତ୍ସାହ ଦେଇଥିଲେ ଏବଂ ଖୁସି ଥିଲେ।

ଆପଣ ବିଜେପିରେ କାହିଁକି ଯୋଗଦେଲେ?
ରାଜନୀତିରେ ଯୋଗଦେବା ବେଳେ କ୍ଷମତା ହାସଲ କରିବାର ମୋହମାୟା କଥା ମୁଁ କେବେ ଭାବିନାହିଁ। ଦେଶସେବାର ବିଚାରଧାରା, ରାଜନୈତିକ ସ୍ପଷ୍ଟ ଆଦର୍ଶ ଓ ନୀତି, ଦେଶର ବିକାଶକୁ ନେଇ ବାସ୍ତବ ଲକ୍ଷ୍ୟ ସ୍ଥିର କରୁଥିବା ଏକ ରାଜନୈତିକ ଦଳରେ ସାମିଲ ହୋଇ ମୁଁ ରାଜନୀତିକୁ ଆସିଥିଲି। ସୁଷମା ସ୍ବରାଜ, ଲାଲକୃଷ୍ଣ ଆଡ୍‌ଭାନି ଓ ଅଟଳ ବିହାରୀ ବାଜପେୟୀଙ୍କ ବିଚାରଧାରା, ନୀତି ଆଦର୍ଶ ଓ ସେମାନଙ୍କ ବ୍ୟକ୍ତିତ୍ବ ମୋତେ ରାଜନୀତି ଆଡ଼କୁ ଆକର୍ଷିତ କରିଥିଲା। ଅନ୍ୟପଟେ ନାରୀ ସୁରକ୍ଷା ଓ ସଶକ୍ତୀକରଣ ପାଇଁ ମହିଳାଙ୍କ ବିକାଶରେ ତଥା ସେମାନଙ୍କୁ ରାଜନୀତିରେ ଆଗକୁ ବଢ଼ାଇବାରେ ଶ୍ରେଷ୍ଠ ଦଳ ବିଜେପି ଅଟେ। ସେତେବେଳେ ସୁଷମା ସ୍ୱରାଜଙ୍କ ବ୍ୟକ୍ତିତ୍ୱ ଓ ପ୍ରେରଣାଦାୟୀ କଥା ‘ସଂଘର୍ଷରୁ ହିଁ ସଫଳତା ଆସିଥାଏ’ ମୋତେ ଖୁବ୍‌ ପ୍ରଭାବିତ କରିଥିଲା। ସୁଷମାଜୀଙ୍କ ଗୋଟିଏ ବୈଠକରେ ଏକ କୋର୍ଟ କେସ୍‌ ଶୁଣାଣି ହେଉଥିବାରୁ ମୁଁ ଆସିବାରେ ବିଳମ୍ବ ହୋଇଥିଲା ଏବଂ ସେ ମୋତେ ଜଣେ କର୍ମୀଙ୍କୁ ପଠାଇ ଡାକିଥିଲେ। ମୋ ରାଜନୈତିକ ଜୀବନର ଏହା ଏକ ଅଭୁଲା ଘଟଣା। ଯେତେବେଳେ ଓ ଯେଉଁଠାକୁ ଓଡ଼ିଶା ଗସ୍ତରେ ସୁଷମାଜୀ ଆସନ୍ତୁ ମୁଁ ସବୁବେଳେ ତାଙ୍କ ନିକଟକୁ ଯାଇଥାଏ। ଏଥିପାଇଁ ମୁଁ ବିଜେପିରେ ଯୋଗଦେଲି।ଅନେକ ଥର ଆପଣ କହିଛନ୍ତି ରାଜନୀତି ହେଉଛି ବିଶେଷତଃ ମହିଳାମାନଙ୍କ ପାଇଁ ସବୁଠାରୁ କଠିନ କାର୍ଯ୍ୟ!
ଏବେ ବି କହୁଛି, ଯଦି ଜଣେ ମହିଳା ନୀତି ଆଦର୍ଶ ଓ ସଚ୍ଚୋଟ ହୋଇ କାର୍ଯ୍ୟ କରିବ ତା’ ପାଇଁ ରାଜନୀତି ହେଉଛି ସବୁଠାରୁ କଠିନ କାର୍ଯ୍ୟ। ମହିଳାମାନଙ୍କ ପାଇଁ ଏହା ସବୁଠାରୁ ଆହ୍ବାନପୂର୍ଣ୍ଣ କାମ ଅଟେ। ଏପରିକି କ୍ଷମତାକୁ ଆସିବା ପୂର୍ବରୁ ଏବଂ କ୍ଷମତାରେ ଥିବା ସମୟରେ ରାଜନୀତି ଅତ୍ୟନ୍ତ କଷ୍ଟଦାୟକ। ମୁଁ ଅନୁଭବ କରୁଛି ଜନସାଧାରଣଙ୍କର ଏତେ ମାତ୍ରାରେ ଆଶା, ଆକାଂକ୍ଷା ଓ ବିଶ୍ବାସକୁ ସତ୍ୟପଥରେ ପରିଚାଳିତ ହୋଇ ଆପଣ ପୂରଣ କରିପାରିବେ ନାହିଁ। ଏଭଳି କ୍ଷେତ୍ରରେ ଏକାନ୍ତ ଅନୁଗାମୀ ମଧ୍ୟ ଅସନ୍ତୋଷ ହୋଇଥା’ନ୍ତି। ତେଣୁ ଏହା ଏକ କଷ୍ଟଦାୟକ କାର୍ଯ୍ୟ ନୁହେଁ ତ ଆଉ କ’ଣ? ତେଣୁ ମୁଁ ଭାବେ ମୋର ରାଜନୀତିକୁ ଆସିବା ଭୁଲ ହୋଇଗଲା।

ବିଜେଡିକୁ ୨୪ ବର୍ଷର କଥା ପଚାରିଲେ ଏତେ ବାଧୁଛି କାହିଁକି? ସୁଷମା ସ୍ୱରାଜଙ୍କ ବ୍ୟକ୍ତିତ୍ୱ ମୋତେ ବିଜେପିରେ ଯୋଗଦେବାକୁ ପ୍ରଭାବିତ କରିଥିଲା। ମହିଳାଙ୍କ ପାଇଁ ରାଜନୀତି ହେଉଛି ସବୁଠାରୁ କଠିନ କାର୍ଯ୍ୟ ଏବଂ ଏହା ଅତ୍ୟନ୍ତ ଆହ୍ବାନପୂର୍ଣ୍ଣ। ବିଜେଡିର ଦମନଲୀଳା ଓ ଆଇନ ଶୃଙ୍ଖଳାର ଦୃଷ୍ଟାନ୍ତ ଦେଖିବାକୁ ଆପଣ ସେଦିନର ଗଣମାଧ୍ୟମ ପୃଷ୍ଠା ଓଲଟାନ୍ତୁ। ସୁଭଦ୍ରା ଯୋଜନା, ବିଜେଡି ସରକାରର ଋଣ ଦିଆନିଆ ମିଶନ ଶକ୍ତି କାର୍ଯ୍ୟକ୍ରମ ନୁହେଁ କିମ୍ବା ରାଜନୈତିକ ଫାଇଦା ପାଇଁ ସୁଧଛାଡ଼ ଘୋଷଣା ନୁହେଁ। ସୁଭଦ୍ରା ଯୋଜନା ମହିଳାଙ୍କ ବିକାଶର ମିଶନ।

ଆଇନଶୃଙ୍ଖଳା ସୁରକ୍ଷାରେ ବିଫଳ ହେବା ସହିତ ୨୪ ବର୍ଷର ବିଜେଡି ସରକାର କଥା ନକହି ବିକାଶରେ ଧ୍ୟାନ ଦେବାକୁ ନବୀନ ପଟ୍ଟନାୟକ ଆପଣଙ୍କ ସରକାରଙ୍କୁ ଜବାବ ଦେଉଛନ୍ତି। ଏହାକୁ ନେଇ କି ଉତ୍ତର ଦେବେ?
ବିଜେଡିକୁ ୨୪ ବର୍ଷର କଥା କହିଲେ ବାଧୁଛି କାହିଁକି? କଳିଙ୍ଗନଗରରୁ କାଶୀପୁରସ୍ଥିତ ମାଇକଞ୍ଚ ଏବଂ ପୋସ୍କୋରୁ ନିୟମଗିରି ପର୍ଯ୍ୟନ୍ତ ତତ୍କାଳୀନ ବିଜେଡି ସରକାର କେତେ ନିରୀହ ଆଦିବାସୀଙ୍କ ରକ୍ତରେ ହାତ ଧୋଇଛି ପ୍ରଥମେ ଏହାର ଉତ୍ତର ଦିଅନ୍ତୁ। ଏସବୁ ଅଞ୍ଚଳରେ ଆଇନଶୃଙ୍ଖଳା ନାଁରେ ପୁଲିସର ବର୍ବର ଦମନଲୀଳାର ଦୃଷ୍ଟାନ୍ତ ଦେଖିବାକୁ ଆପଣ ସେଦିନର ଗଣମାଧ୍ୟମ ପୃଷ୍ଠା ଓଲଟାନ୍ତୁ। କୁନ୍ଦୁଲିର ୯ମ ଶ୍ରେଣୀ ଛାତ୍ରୀ, ବେବିନା, ପରୀ, ମମିତା ଓ ମାହାଙ୍ଗା ଡବଲ୍‌ ମର୍ଡର୍‌ ଭଳି ଅମାନୁଷିକ ବର୍ବର ଅପରାଧ ଓ ଅପରାଧୀଙ୍କ କଥା ମନେପକାନ୍ତୁ। ଏସବୁ ଆଇନଶୃଙ୍ଖଳା ସୁରକ୍ଷା? ୨୪ ବର୍ଷରେ ବିଜେଡି ମୁଖିଆ କାଶୀପୁରକୁ ବିଶୁଦ୍ଧ ଟ୍ୟାଙ୍କର୍‌ ଯୋଜନାରେ ପାଣି ଯୋଗାଇବାର ପ୍ରତିଶ୍ରୁତି ଦେଇ କିପରି ସେସବୁ ଅଞ୍ଚଳକୁ ହଇଜାମୁକ୍ତ କରିଛନ୍ତି ତା’ ଉପରେ ଟିକିଏ ନଜର ପକାଇ ଗତ ୨୦୨୩ରେ ସମଗ୍ର ଓଡ଼ିଶାରେ ହୋଇଥିବା ହଇଜା ମହାମାରୀ ତଥ୍ୟ ଦେଖନ୍ତୁ। ଏହା ହିଁ କ’ଣ ବିଶ୍ୱସ୍ତରୀୟ ସ୍ୱାସ୍ଥ୍ୟ ସେବା ଓ ବିକାଶ? ଏତେସବୁ କଥାକୁ ଭୁଲିଯାଇ ଗୋଟିଏ ୩ ମାସର ନୂଆ ସରକାରକୁ ମିଛ ସମାଲୋଚନା କରିବା ହାସ୍ୟାସ୍ପଦ।
ବହୁଚର୍ଚ୍ଚିତ ସୁଭଦ୍ରା ଯୋଜନାକୁ ନେଇ ବିଜେଡିର କେତେକ ନେତା ପ୍ରଶ୍ନ ଉଠାଉଛନ୍ତି? ଆପଣଙ୍କ ଜବାବ କ’ଣ ରହିବ?  
ସୁଭଦ୍ରା ଯୋଜନାକୁ ନେଇ ଯେଉଁମାନେ ବିତର୍କ ଓ ସମାଲୋଚନା କରୁଛନ୍ତି ସେମାନେ ୨୪ ବର୍ଷର ବିଜେଡି ସରକାର ଅମଳର ୧୭ଟି ମିଛ ଧୂଆଁବାଣ ଯୋଜନା ବିଷୟରେ କେବେ ଅନୁଧ୍ୟାନ କରିଛନ୍ତି? ମୁଁ ଗୋଟିଏ କଥା ଆପଣଙ୍କୁ କହିବି, କାରଣ ଅଧିକ କହିଲେ ଆପଣ କାଗଜରେ ଛାପିବା ପାଇଁ ଜାଗା ପାଇବେ ନାହିଁ। କୁନିକୁନି ଝିଅଙ୍କ ପାଇଁ ତତ୍କାଳୀନ ବିଜେଡି ସରକାର ଘୋଷଣା କରିଥିଲା ‘ଖୁସି’ ଯୋଜନା। ନିର୍ବାଚନ ଭେଳିକିରେ ଏହି ଯୋଜନାକୁ ନେଇ ଭୁଆଁ ବୁଲାଇଥିଲା ବିଜେଡି। ବିଜେଡି ସରକାର ଅମଳରେ ଖୁସି ଯୋଜନାକୁ ନେଇ ତାଙ୍କ ଦଳ ନେତା ପ୍ରଥମେ ସ୍ପଷ୍ଟୀକରଣ ଦିଅନ୍ତୁ। ଏଭଳି ଏକାଧିକ ପ୍ରଚାରସର୍ବସ୍ବ ପ୍ରହେଳିକା ଯୋଜନା ବିଜେଡି କରୁଥିଲା। ବିଜେଡିର ଅନେକ ଯୋଜନା ପାଇଁ ବଜେଟ କିମ୍ବା ଅତିରିକ୍ତ ବଜେଟରେ ଅର୍ଥ ବରାଦ ହୋଇନଥାଏ ଏବଂ ଏହାକୁ ନେଇ ବିଧାନସଭାର ପ୍ରଶ୍ନରେ ତାଙ୍କ ନେତା ମନ୍ତ୍ରୀ ସ୍ପଷ୍ଟୀକରଣ ନଦେଇ ଗୋଳାଇ ଦିଅନ୍ତି। କିନ୍ତୁ ସୁଭଦ୍ରା ଯୋଜନା କେତେ ସଫଳ ତାହା ସମୟ କହିବ। ମାତ୍ର ଏହାକୁ ସମାଜର ପ୍ରତ୍ୟେକସ୍ତରର ମହିଳା ଅତ୍ୟନ୍ତ ସଫଳ ଯୋଜନା ବୋଲି ଗ୍ରହଣ କରିଛନ୍ତି। ସୁଭଦ୍ରା ଯୋଜନା ଶତପ୍ରତିଶତ ମହିଳାଙ୍କ ବିକାଶର ଯୋଜନା। ଏହା ବିଗତ ବିଜେଡି ସରକାରର ଋଣ ଦିଆନିଆ ମିଶନ ଶକ୍ତି ଯୋଜନା ନୁହେଁ କିମ୍ବା ରାଜନୈତିକ ଫାଇଦା ପାଇଁ ସୁଧଛାଡ଼ ଘୋଷଣା ନୁହେଁ।

କେଉଁ ସବୁ ଯୋଗ୍ୟତା ଆଧାରରେ ଜଣେ ମହିଳା ସୁଭଦ୍ରା ଯୋଜନା ହିତାଧିକାରୀ ହୋଇପାରିବ? ଦୟାକରି ହିତାଧିକାରୀଙ୍କ ହିତ ପାଇଁ ଏହାର ସ୍ପଷ୍ଟ ଉତ୍ତର ଦେବେ?  
ସୁଭଦ୍ରା ଯୋଜନାକୁ ନେଇ କୌଣସି ସନ୍ଦେହ କିମ୍ବା ମୋ ସରକାରଙ୍କର କୌଣସି ଲୁଚାଛପା ଉଦ୍ଦେଶ୍ୟ ନାହିଁ। ଓଡ଼ିଶାର ପ୍ରତ୍ୟେକ ମହିଳା ୨୧ରୁ ୬୦ ଆୟୁବର୍ଗରେ ରହିଥିବେ, ତାଙ୍କର ବାର୍ଷିକ ରୋଜଗାର ୨ଲକ୍ଷ ୫୦ହଜାର ଟଙ୍କାରୁ କମ୍ ହୋଇଥିବ, ଆର୍ଥିକ ସ୍ବଚ୍ଛଳ ବର୍ଗର ହୋଇ ନ ଥିବେ, ସରକାରୀ ଚାକିରି କରି ନ ଥିବେ ତେବେ ସେମାନେ ସୁଭଦ୍ରା ଯୋଜନାର ହିତାଧିକାରୀ ହୋଇପାରିବେ। ଗୋଟିଏ ପରିବାରର ଏକାଧିକ ସଦସ୍ୟା ସୁଭଦ୍ରା ଯୋଜନାରେ ସାମିଲ ହୋଇପାରିବେ। ଏଠାରେ ମୁଁ ସ୍ପଷ୍ଟ ଭାବେ କହିବାକୁ ଚାହେଁ, ଯଦି ଜଣେ ୨୧ ବର୍ଷ ଝିଅ ସୁଭଦ୍ରା ଯୋଜନା ହିତାଧିକାରୀ ଏବଂ ପରେ ସେ ସରକାରୀ ଚାକିରିରେ ନିଯୁକ୍ତି ପାଇବେ ତେବେ ସେ ଏହି ଯୋଜନାରୁ ବଞ୍ଚିତ ହେବେ। ୧କୋଟି ୮ଲକ୍ଷରୁ ଉର୍ଦ୍ଧ୍ବ ମହିଳା ଏହି ଯୋଜନାରେ ସାମିଲ ହେଉଛନ୍ତି। ଓଡ଼ିଶାରେ ମହିଳାଙ୍କ ପାଇଁ ଏତେବଡ଼ ଯୋଜନା କୌଣସି ବିଗତ ସରକାର କରିନାହାନ୍ତି। ବାର୍ଷିକ ୨ଟି କିସ୍ତିରେ ୧୦ ହଜାର ଟଙ୍କା (ପ୍ରତ୍ୟେକ କିସ୍ତିରେ ୫ ହଜାର) ଦିଆଯିବ। ପ୍ରତ୍ୟେକ ବର୍ଷ ରକ୍ଷାବନ୍ଧନରେ ପ୍ରଥମ ଏବଂ ମାର୍ଚ୍ଚ ୮ ତାରିଖ ଆନ୍ତର୍ଜାତିକ ମହିଳା ଦିବସ ଦିନ ଦ୍ବିତୀୟ କିସ୍ତି ଦିଆଯିବ। ଏହିପରି ୫ ବର୍ଷରେ ୫୦ ହଜାର ଟଙ୍କା ପ୍ରତ୍ୟେକ ମହିଳାଙ୍କୁ ମିଳିବ। ସେପ୍ଟେମ୍ବର ୧୭ରୁ ସୁଭଦ୍ରା ଯୋଜନାର ପ୍ରଥମ କିସ୍ତି ଦେବା ଆରମ୍ଭ ହେବ।