ଗତ ବୁଧବାର ଏକ ବିରାଟ ହିମବାହ ଧସି ସ୍ୱିଜରଲାଣ୍ଡ୍ର ବ୍ଲାଟେନ୍ ଗାଁର ଅଧିକାଂଶ ଅଂଶ ଲୁପ୍ତ ହୋଇଯାଇଛି। ଏହି ପ୍ରାକୃତିକ ବିପର୍ଯ୍ୟୟ ହେତୁ ସମଗ୍ର ଗାଁ ନଷ୍ଟ ହୋଇଯାଇଥିବା ବିବିସି ରିପୋର୍ଟ କରିଛି। ବିଗତ ୧୨୫ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଏପରି ହିମଶୈଳ ଧସିବା ଫଳରେ ଏକ ଗାଁ ଲୁପ୍ତ ହୋଇଯିବା ଘଟଣା ବିଶ୍ୱର ଉଷ୍ମତା ବୃଦ୍ଧି ଆଶଙ୍କା ନେଇ ସତର୍କ ଘଣ୍ଟି ବାଜିଛି। ସୂଚନାଯୋଗ୍ୟ, ହରିୟାଣା ରାଜ୍ୟ ଆକାର ସହ ତୁଳନୀୟ ସ୍ୱିଜରଲ୍ୟାଣ୍ଡରେ ୧,୮୦୦ରୁ ଅଧିକ ହିମଶୈଳ ରହିଛି, ଯାହା ୟୁରୋପରେ ସର୍ବାଧିକ। ଏହି ହିମଶୈଳଗୁଡ଼ିକ କେବଳ ପରିବେଶ ପାଇଁ ଗୁରୁତ୍ୱପୂର୍ଣ୍ଣ ନୁହେଁ, ବରଂ ସ୍ୱିଜରଲ୍ୟାଣ୍ଡର ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ମଧ୍ୟ। ତେବେ ୨୦୦୦ ମସିହା ପରଠାରୁ ସ୍ୱିସ୍ ହିମଶୈଳଗୁଡ଼ିକ ମୂଳ ଆୟତନର ୪୦ ପ୍ରତିଶତ ହରାଇସାରିଛନ୍ତି। ବ୍ଲାଟେନ୍ ଗାଁ ବିର୍ଚ ହିମଶୈଳର ପାଦଦେଶରେ ଅବସ୍ଥିତ।
ହିମଶୈଳ ଧସିବା ଫଳରେ ସ୍ୱିଜରଲାଣ୍ଡ୍ର ବ୍ଲାଟେନ୍ ଗାଁ ଲୁପ୍ତ ହୋଇଯିବା ଘଟଣା ବିଶ୍ୱର ଉଷ୍ମତା ବୃଦ୍ଧିର କୁପରିମାଣ ନେଇ ସତର୍କ ଘଣ୍ଟି ବଜାଇଛି
ବିର୍ଚ ହିମଶୈଳ ଭାଙ୍ଗିଯିବା ଆଶଙ୍କାରେ ଗ୍ରାମର ପ୍ରାୟ ୩୦୦ ବାସିନ୍ଦାଙ୍କୁ ପୂର୍ବ ସପ୍ତାହରେ ସ୍ଥାନାନ୍ତର କରାଯାଇଥିଲା। ବ୍ଲାଟେନ୍ର କ୍ଷତିର ପରିମାଣ ଚଳିତ କିମ୍ବା ପୂର୍ବ ଶତାବ୍ଦୀରେ ସ୍ୱିସ୍ ଆଲପ୍ସରେ କୌଣସି ପୂର୍ବ ନଜିର ନଥିଲା ବୋଲି ଜଣାଯାଇଛି। ବ୍ଲାଟେନ୍ର ପ୍ରାୟ ୯୦ ପ୍ରତିଶତ ନଷ୍ଟ ହୋଇଯାଇଛି ଏବଂ ଆଉ ଏକ ଭୂସ୍ଖଳନ ସମେତ ଅଧିକ କ୍ଷତି ହେବାର ଆଶଙ୍କା ରହିଛି। ୨୦୦୬ ମସିହାରୁ ସ୍ୱିସ୍ ଏକାଡେମି ଅଫ୍ ସାଇନ୍ସେସ୍ ଭଳି ସ୍ୱିସ୍ ଜଳବାୟୁ କର୍ତ୍ତୃପକ୍ଷ ୟୁରୋପୀୟ ଦେଶରେ ହିମବାହ ଦ୍ରୁତ ତରଳିବା ବାବଦରେ ବାରମ୍ବାର ଚେତାବନୀ ଦେଇ ଆସୁଛନ୍ତି। ଗ୍ରୀଷ୍ମଋତୁରେ ଅତ୍ୟନ୍ତ ଉଚ୍ଚ ତାପମାତ୍ରା ଏବଂ ଶୀତଋତୁରେ କମ୍ ତୁଷାର ଜମା ହେବା ଯୋଗୁଁ ୨୦୨୨ରୁ ୨୦୨୩ ମଧ୍ୟରେ ଦେଶର ହିମବାହର ୧୦ ପ୍ରତିଶତ ତରଳି ଯାଇଥିଲା। ହିମଶୈଳ ତରଳିବା ଯୋଗୁଁ ବନ୍ୟା ଏବଂ ଭୂସ୍ଖଳନ ଭଳି ପ୍ରାକୃତିକ ବିପଦ ସୃଷ୍ଟି ହୁଏ, କିନ୍ତୁ ଏହାର ଦୀର୍ଘମିଆଦୀ ପ୍ରଭାବ ଭାବରେ ଜଳାଭାବ ଓ ଜଳବିଦ୍ୟୁତ୍ ଶକ୍ତି ସମସ୍ୟା ମଧ୍ୟ ସୃଷ୍ଟି ହୋଇଥାଏ। ସ୍ୱିସ୍ ସରକାର ୨୦୦୬ ମସିହାରୁ ହିମଶୈଳକୁ ଧଳା ଜିଓଟେକ୍ସଟାଇଲ୍ରେ ଆଚ୍ଛାଦିତ କରିବାର ପ୍ରକ୍ରିୟା ବ୍ୟବହାର କରିଆସୁଛନ୍ତି। ଏହି କୃତ୍ରିମ ପ୍ରକ୍ରିୟା ଉପଯୋଗୀ ହୋଇଥିଲେ ହେଁ ଏହାର ପ୍ରଭାବ ସୀମିତ ରହିଛି।