ଥରେ ଜଣେ ଧନୀଲୋକଙ୍କର କ୍ଷେତରେ ପ୍ରଚୁର ଅମଳ ହେଲା। ସେ ମନେ ମନେ ବିଚାର କରିବାକୁ ଲାଗିଲେ, ‘‘ମୁଁ ଏବେ କରିବି କ’ଣ? ଏତେ ଅଧିକ ପରିମାଣର ଶସ୍ୟ ଅମଳ ହୋଇଛି, କିନ୍ତୁ ମୋ ପାଖରେ ଏହାକୁ ରଖିବା ପାଇଁ ବଡ଼ ଅମାର ନାହିଁ।’’ 
ସେ ପୁଣି ଭାବିଲେ, ‘‘ଯାଉଛି, ମୋ ପୁରୁଣା ଅମାର ଘରଟିକୁ  ଭାଙ୍ଗିଦେବି। ସେହି ସ୍ଥାନରେ ନୂଆ ଓ ବଡ଼ ଅମାର ତିଆରି କରିବି; ଆଉ ସେଥିରେ ମୋର ସବୁ ଅମଳ ଓ ଅନ୍ୟ ଜିନିଷପତ୍ର ରଖିବି।’’ ଏହା ପରେ ସେ ମନକୁ ମନ କହିଲେ, ‘‘ଏବେ ମୁଁ ମୋ ଅନ୍ତରାତ୍ମାକୁ କହିବି, ଅନେକ ବର୍ଷ ବଞ୍ଚିବାପାଇଁ ମୋର ସଞ୍ଚୟ ଅଛି। ଚାଲ ଖାଇବା, ପିଇବା ଓ ମଉଜମସ୍ତି କରିବା!’’
କିନ୍ତୁ ଠିକ୍‌ ସେତିକିବେଳେ ପରମାତ୍ମା ସେହି ଧନୀବ୍ୟକ୍ତିକୁ ଚେତାଇ ଦେଲେ, ‘‘ଯଦି ଆଜି ରାତିରେ ତୋ’ର ପ୍ରାଣ ଛାଡ଼ିଯାଏ, ଯାହା କିଛି ତୁ ସଞ୍ଚୟ କରିଛୁ, ତାହା କାହାର ହେବ?’’ 
ଏହି ଆଖ୍ୟାନଟି ପ୍ରଭୁ ଯୀଶୁଙ୍କ ମୁଖନିଃସୃତ। ଏହାର ସାଧାରଣ ଅର୍ଥ ଖୁବ୍‌ ସହ‌ଜରେ ବୁଝିହୁଏ। କିନ୍ତୁ ପ୍ରଭୁ ଯୀଶୁଙ୍କ ଭଳି ସର୍ବବ୍ୟାପକ ଦିବ୍ୟଚେତନାଙ୍କର ପ୍ରତ୍ୟେକ ବାକ୍ୟରେ ଅଛି ଆଧ୍ୟାତ୍ମିକତାର ଗୂଢ଼ ରହସ୍ୟ। 
ଜୀବନକ୍ଷେତରେ ବିଶ୍ବାସ, ସାଧନା, ଉପାସନା, ପ୍ରାର୍ଥନା ଦ୍ବାରା ଅମଳ ହୁଏ ସୃଷ୍ଟିର ସବୁଠାରୁ ମୂଲ୍ୟବାନ ସମ୍ପତ୍ତି- ‘ପ୍ରେମ’। ଏହି ସମ୍ପତ୍ତି ପାଇଥିବା ବ୍ୟକ୍ତି ବି ଲୋଭୀ ହୋଇପାରନ୍ତି। ‘ପ୍ରେମ’ ରୂପୀ ପରମ ଧନକୁ କେବଳ ନିଜ ପାଇଁ ଏବଂ ନିଜ ପରିବାର, ଗୋଷ୍ଠୀ, ଜାତି ଓ ସଂପ୍ରଦାୟ ଆଦି ପାଇଁ ସଞ୍ଚୟ କରିବାର ବୃଥା ପ୍ରୟାସ କରନ୍ତି। କିନ୍ତୁ ପ୍ରଭୁ ଯୀଶୁ ନିଜ ଜୀବନଚର୍ଯ୍ୟା ମାଧ୍ୟମରେ ଦର୍ଶାଇଛନ୍ତି ଯେ ପ୍ରତି ମୁହୂର୍ତ୍ତରେ, ସବୁ ଅବସ୍ଥାରେ, ପ୍ରେମରୂପୀ ଧନକୁ ବିତରଣ କରିବା ଉଚିତ। ଏହାକୁ କେବଳ ନିଜ ପାଇଁ କିମ୍ବା ନିଜଲୋକମାନଙ୍କ ପାଇଁ ସଞ୍ଚୟ କରିବା ଅନୁଚିତ। 
‘ଗୁଡ଼୍‌ ଫ୍ରାଇଡ଼େ’ ଦିନ ପ୍ରଭୁ ଯୀଶୁଙ୍କୁ କୃଶବିଦ୍ଧ କରାଯାଇଥିଲା। ସେହି ଅବସ୍ଥାରେ ମଧ୍ୟ ସେ ବିତରଣ କରି ଚାଲିଥିଲେ ତାଙ୍କର ଅର୍ଜିତ ପରମଧନ- ପ୍ରେମ ଓ କରୁଣା। ପବିତ୍ର ‘ଗୁଡ଼୍‌ ଫ୍ରାଇଡ଼େ’ ଆମକୁ ମନେ ପକାଇ ଦେଉଛି ପ୍ରଭୁ ଯୀଶୁଙ୍କର ସେହି ଦିବ୍ୟ ଜୀବନ ଦର୍ଶନ। 
ଈଶ୍ବରଙ୍କ କୃପାରୁ ହିଁ ଜାତହୁଏ ପ୍ରଚୁର ପ୍ରେମ। ଏହାକୁ ଅହଂକାର ଓ ଲୋଭର ଅମାରରେ ତାଲା ନ ପକାଇ ସର୍ବବ୍ୟାପକ କରିବା ଆମର ଲକ୍ଷ୍ୟ ହେଉ। ପ୍ରଭୁ ଯୀଶୁଙ୍କ ଦ୍ବାରା ପ୍ରଦତ୍ତ ଏହି ଜୀବନ ମନ୍ତ୍ର ଆମ ସମସ୍ତଙ୍କ ମନରେ ନିର୍ଘୋଷିତ ହେଉ; ପବିତ୍ର ‘ଗୁଡ଼୍‌ ଫ୍ରାଇଡ଼େ’ରେ ଏତିକି ପ୍ରାର୍ଥନା।