ନୂଆଦିଲ୍ଲୀ: ସୋମବାର ଫୋର୍ବସ୍ ଦୁନିଆର ସବୁଠାରୁ ଧନୀ କୋଟିପତିଙ୍କ ତାଲିକା ପ୍ରକାଶ କରିଥିଲା। ଭାରତୀୟ ଧନୀମାନଙ୍କ ମଧ୍ୟରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀଙ୍କୁ ଏକ ନମ୍ବର ସ୍ଥାନରେ ରଖାଯାଇଥିଲା। ତେବେ ଏହି ତାଲିକାରେ ସାମିଲ ହୋଇ ସବୁଠାରୁ ବଡ ସଫଳତା ହାସଲ କରିଛନ୍ତି ବ୍ରୋକିଂ ଫାର୍ମ ଜେରୋଧାର ସହ-ପ୍ରତିଷ୍ଠାତା ନିଖିଲ କାମଥ। ଫୋର୍ବସ୍ ତାଲିକାରେ ସେ ସର୍ବକନିଷ୍ଠ ଅରବପତି ଭାବରେ ଉଭା ହୋଇଛନ୍ତି। ନିଖିଲ କଲ୍ ସେଣ୍ଟରରେ ୮୦୦୦ ଟଙ୍କା ପାଇଁ ଚାକିରି କରୁଥିବା ବେଳେ ଆଜି ସେ ସର୍ବକନିଷ୍ଠ ଅରବପତି ହେବା ନିଶ୍ଚିତ ଭାବେ ଗର୍ବର ବିଷୟ।

Advertisment

ହ୍ୟୁମାନ୍ସ ଅଫ୍ ବମ୍ବେକୁ ଦେଇଥିବା ଏକ ସାକ୍ଷାତକାରରେ ତାଙ୍କ ଯାତ୍ରା ବିଷୟରେ ନିଖିଲ କାମଥ କହିଥିଲେ ଯେ ସେ ୧୭ବର୍ଷ ବୟସରେ କାମ କରିବା ଆରମ୍ଭ କରିଥିଲେ। ତାଙ୍କର ପ୍ରଥମ କାମ ଏକ କଲ ସେଣ୍ଟରରେ ଥିଲା, ଯେଉଁଠାରେ ସେ ମାତ୍ର ୮ହଜାର ଟଙ୍କା ଦରମା ପାଉଥିଲେ। ଏହା ପରେ ତାଙ୍କର ଧନୀ ହେବାର ଯାତ୍ରା ସେୟାର ମାର୍କେଟ ଟ୍ରେଡିଂରୁ ଆରମ୍ଭ ହୋଇଥିଲା। ନିଖିଲ କାମଥଙ୍କ ଅନୁଯାୟୀ, ଯେତେବେଳେ ସେ ସେୟାର ବଜାରରେ କାରବାର ଆରମ୍ଭ କରିଥିଲେ, ସେତେବେଳେ ସେ ଏହାକୁ ଗୁରୁତର ସହ ନେଇ ନଥିଲେ। ତେବେ ଗୋଟିଏ ବର୍ଷ ମଧ୍ୟରେ ସେ ବଜାରର ମୂଲ୍ୟ ଜାଣିବାକୁ ପାଇବା ପରେ ଏହା ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେଇଥିଲେ। ଏହା ପରେ ଆଉ ସେ ପଛକୁ ଚାହିଁ ନଥିଲେ। ତାଙ୍କ ସମ୍ପତ୍ତି ଏତେ ବେଗରେ ବୃଦ୍ଧି ପାଇଲା ଯେ ଆଜି ସେ ଦେଶର ସର୍ବକନିଷ୍ଠ ଅରବପତି ଭାବରେ ଉଭା ହୋଇଛନ୍ତି।