ଫେବ୍ରୁଆରିରୁ ମାର୍ଚ୍ଚ ୧୨ ମଧ୍ୟରେ ଓଡ଼ିଶା ଆସିଛନ୍ତି ୫୦୭୮ ପର୍ଯ୍ୟଟକ: କେତେ ଫେରିଛନ୍ତି, କେତେ ଅଛନ୍ତି? ତଥ୍ୟ ଖୋଜା ଆରମ୍ଭ ହେଲା

ଇଟାଲିରୁ ଆସିଥିଲେ ୨ଶହ, କେତେ ଫେରିଛନ୍ତି ହିସାବ ନାହିଁ
କେତେକ ଦେଶକୁ ଫ୍ଲାଇଟ୍‌ ନଥିବାରୁ ବିଦେଶୀ ପର୍ଯ୍ୟଟକ ଫେରିବାରେ ସମସ୍ୟା

ଭୁବନେଶ୍ବର : ମହାମାରୀ କରୋନାର ମୁକାବିଲା ପାଇଁ ସଜାଗ ହୋଇଉଠିଛି ପର୍ଯ୍ୟଟନ ବିଭାଗ। ବିଦେଶୀ ପର୍ଯ୍ୟଟକମାନେ ଓଡ଼ିଶା ଆସିଥିବାରୁ ସେମାନଙ୍କୁ ଖୋଜିବା ଆରମ୍ଭ କରିଛି। ମିଳିଥିବା ସୂଚନା ମୁତାବକ, ଓଡ଼ିଶାକୁ ଫେବ୍ରୁଆରି ୧ରୁ ମାର୍ଚ ୧୨ ମଧ୍ୟରେ ୫ ହଜାର ୭୮ଜଣ ବିଦେଶୀ ପର୍ଯ୍ୟଟକ ଆସିଛନ୍ତି। ଅଧିକାଂଶ ପର୍ଯ୍ୟଟକ ଆମେରିକା, ଇଂଲଣ୍ଡ, ଜର୍ମାନୀ ଓ ଅନ୍ୟ ୟୁରୋପୀୟ ଦେଶରୁ ଆସିଛନ୍ତି। ଏହି ବିଦେଶୀ ପର୍ଯ୍ୟଟକଙ୍କ ମଧ୍ୟରୁ ଇଟାଲିରୁ ପ୍ରାୟ ୨ଶହ ପର୍ଯ୍ୟଟକ ଓଡ଼ିଶା ଆସିଛନ୍ତି। କରୋନା ଆକ୍ରାନ୍ତ ଦେଶ ତାଲିକା‌ରେ ଚୀନ୍‌ ତଳକୁ ଇଟାଲି ରହିଥିବାରୁ ଏହି ୨ଶହ ପର୍ଯ୍ୟଟକଙ୍କ ମଧ୍ୟରୁ କେତେ ଜଣ ଏବେ ବି ଓଡ଼ିଶାରେ ଅଛନ୍ତି, ସେନେଇ ଚିନ୍ତା ପ୍ରକଟ କରିଛି ରାଜ୍ୟ ପର୍ଯ୍ୟଟନ ବିଭାଗ।

ମିଳିଥିବା ସୂଚନା ମୁତାବକ, ଖୋର୍ଧା ଜିଲ୍ଲାକୁ ସର୍ବାଧିକ ବିଦେଶୀ ପର୍ଯ୍ୟଟକ ଆସିଛନ୍ତି। ଫେବ୍ରୁଆରିରେ ସର୍ବାଧିକ ୨୨୬୯ ଜଣ ପର୍ଯ୍ୟଟକ ଆସିଥିବା ବେଳେ ମାର୍ଚ୍ଚରେ ଆସିଛନ୍ତି ୨୫୬ଜଣ। ପୁରୀକୁ ଫେବ୍ରୁଆରିରେ ୧୨୦୪ଜଣ ଓ ମାର୍ଚ୍ଚ ୧୨ ସୁଦ୍ଧା ୨୩୧ଜଣ ପର୍ଯ୍ୟଟକ ଆସିଥିବା ରେକର୍ଡ କରାଯାଇଛି। ପାଖାପାଖି ୬୩୦ଜଣ ପର୍ଯ୍ୟଟକ କୋଣାର୍କ ଯାଇଥିବା ବ‌େଳେ ପ୍ରାୟ ୨ଶହ ପର୍ଯ୍ୟଟକ କୋରାପୁଟ, କନ୍ଧମାଳ ଭଳି ଆଦିବାସୀ ଅଞ୍ଚଳ ଭ୍ରମଣ କରିଛନ୍ତି। କରୋନା ଭୟାବହତା ପରେ ବିଦେଶୀ ପର୍ଯ୍ୟଟକଙ୍କ ଗତିବିଧି ଓ ସେମାନେ କେଉଁ ଦେଶର ମୂଳ ବାସିନ୍ଦା, ସେ ସମ୍ପର୍କରେ ତଥ୍ୟ ସଂଗ୍ରହ କରାଯାଉଛି ବୋଲି ପର୍ଯ୍ୟଟନ ନିର୍ଦେଶକ ସଚ୍ଚିନ ରାମଚନ୍ଦ୍ର ଯାଦବ କହିଛନ୍ତି। ଶ୍ରୀ ଯାଦବଙ୍କ ସୂଚନା ଅନୁଯାୟୀ, ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ କେତେ ବିଦେଶୀ ପର୍ଯ୍ୟଟକ ଏପର୍ଯ୍ୟନ୍ତ ଅଛନ୍ତି ଏବଂ କେତେଜଣ ନିଜ ଦେଶକୁ ଫେରିଗଲେଣି, ସେ ସମ୍ପର୍କରେ ଖବର ଦେବା ପାଇଁ ସ୍ଥାନୀୟ ପର୍ଯ୍ୟଟନ ଅଧିକାରୀ ଓ ସ୍ଥାନୀୟ ପୁଲିସଙ୍କୁ ନିର୍ଦେଶ ଦିଆଯାଇଛି। ତଥ୍ୟ ଏକାଠି ହୋଇପାରିଲେ ବିଦେଶୀ ପର୍ଯ୍ୟଟକଙ୍କୁ ଠାବ କରିବା ସହଜ ହେବ।

ପୁରୀ, କୋଣାର୍କ, ଚିଲିକା, ସାତପଡ଼ା ଭଳି ପ୍ରମୁଖ ପର୍ଯ୍ୟଟନସ୍ଥଳୀକୁ ଭ୍ରମଣରେ ପ୍ରତିବନ୍ଧକ ଲାଗିଛି। ଟୁରିଷ୍ଟ ବସ୍‌ଗୁଡ଼ିକ ବାତିଲ କରାଯାଇଛି। ଯେଉଁ ବିଦେଶୀ ପର୍ଯ୍ୟଟକମାନେ ଅଛନ୍ତି, ସେମାନଙ୍କୁ ପର୍ଯ୍ୟଟନସ୍ଥଳୀକୁ ନଯିବାକୁ କୁହାଯିବା ସହିତ ଭିଡ଼କୁ ନଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ପର୍ଯ୍ୟଟନ ବିଭାଗ ସମସ୍ତ ହୋଟେଲ ଓ ଆତିଥ୍ୟ ସଂସ୍ଥାକୁ ପର୍ଯ୍ୟଟକଙ୍କ ସମ୍ପୂର୍ଣ୍ଣ ଯାତାୟାତ ତଥ୍ୟ ସଂଗ୍ରହ କରିବାକୁ ନିର୍ଦ୍ଦେଶ ଦେଇଛି। ଯଦି ସେମାନେ କୌଣସି କରୋନା ଆକ୍ରାନ୍ତ ଦେଶରୁ ଆସିଛନ୍ତି, ତେବେ ସେମାନଙ୍କ ସମ୍ପର୍କରେ ସ୍ଥାନୀୟ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଜଣାଇବାକୁ କୁହାଯାଇଛି। ଜିଲ୍ଲାପାଳଙ୍କ ସହ ଭିଡିଓ କନଫରେନ୍ସ ମାଧ୍ୟମରେ ବିଦେଶୀ ପର୍ଯ୍ୟଟକଙ୍କ ଯାତାୟାତ ଇତିହାସ ସଂଗ୍ରହ ପାଇଁ ନିର୍ଦେଶ ମଧ୍ୟ ଦିଆଯାଇଛି। ତେଣୁ ଏ ସମ୍ପର୍କରେ ଯଥେଷ୍ଟ ଯତ୍ନବାନ ଭାବେ କାମ ଚାଲୁଥିବାରୁ ଲୋକେ ଆତଙ୍କିତ ନହୋଇ ଆବଶ୍ୟକ ସାବଧାନତା ଅବଲମ୍ବନ କରିବାକୁ ଶ୍ରୀ ଯାଦବ କହିଛନ୍ତି।

ମିଳିଥିବା ସୂଚନା ମୁତାବକ, ପର୍ଯ୍ୟଟକମାନେ ସେମାନଙ୍କ ଟୁର୍‌ ବାତିଲ କରି ସ୍ବତଃ ନିଜ ଦେଶକୁ ଫେରି ଯାଉଛନ୍ତି। କିଛି ଡାନିସ୍‌ ପର୍ଯ୍ୟଟକ ମାର୍ଚ୍ଚ ୧୯ରେ ଫେରିବାର ଧାର୍ଯ୍ୟ ହୋଇଥିବା ବେଳେ ସେମାନେ ମାର୍ଚ୍ଚ ୧୭ ତାରିଖରେ ଫେରିବେ ବୋଲି ଜଣାପଡ଼ିଛି। ମାତ୍ର କେତେକ କରୋନା ଆକ୍ରାନ୍ତ ଦେଶକୁ ଫ୍ଲାଇଟ୍‌ ବାତିଲ ହୋଇଯାଇଥିବାରୁ ସେଇ ଦେଶମାନଙ୍କୁ ପର୍ଯ୍ୟଟକମାନେ ଯିବା ପାଇଁ ବିମାନର ବନ୍ଦୋବସ୍ତ କରିବାରେ ସମସ୍ୟା ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର