ରୋମ୍ରୁ ଆରମ୍ଭ ହୋଇ ସାରା ପୃଥିବୀରେ ବେଶ୍ ଲୋକପ୍ରିୟ ହେଲାଣି ଫେବ୍ରୁଆରି ମାସର ଦ୍ବିତୀୟ ସପ୍ତାହ ବା ‘ଭାଲେଣ୍ଟାଇନ୍ ଉଇକ୍’। କେବଳ ପ୍ରେମିକପ୍ରେମିକା ନୁହନ୍ତି, ବୟସ ନିର୍ବିଶେଷରେ ନାରୀପୁରୁଷ ଏହାକୁ ଆଗ୍ରହରେ ପାଳନ କରୁଛନ୍ତି। ଗୋଲାପ ଫୁଲ, ଚକୋଲେଟ୍, ଟେଡି ବିଅର୍, ଭଳିକି ଭଳି ଉପହାର, ପର୍ଯ୍ୟଟନ ଇତ୍ୟାଦିକୁ ନେଇ ଏକ ବିପୁଳ ସମ୍ଭାବନାର ବାଣିଜ୍ୟେକ୍ଷତ୍ର ମଧ୍ୟ ସୃଷ୍ଟି ହେଲାଣି। ତେବେ ଏହି ହଟଚମଟରୁ ଦୂରେଇ ଯାଇ ସୁଶ୍ରୀ ପୃଷ୍ଠାରେ ଆସନ୍ତୁ ଭେଟିବା କେତେଜଣ ବିଦେଶିନୀଙ୍କୁ ଯେଉଁମାନେ ଭାରତୀୟ ପୁରୁଷଙ୍କ ପ୍ରେମରେ ପଡ଼ିଥିଲେ। ସେହି କ୍ରମରେ ଏଥର ଇଂଲଣ୍ଡର ରାଣୀ ଭିକ୍ଟୋରିଆ ଓ ଭୃତ୍ୟ ଅବ୍ଦୁଲ୍ କରିମ୍ଙ୍କ ମଧ୍ୟରେ ଥିବା ଆକର୍ଷଣର ବିରଳ କାହାଣୀ...
ଉପସ୍ଥାପନା ଓ ତଥ୍ୟ- ପ୍ରଦୀପ କୁମାର ରାୟ
୧୮୮୭ ମସିହାର କଥା, ଯେଉଁବର୍ଷ ଇଂଲଣ୍ଡର ରାଣୀ ଭିକ୍ଟୋରିଆ ତାଙ୍କ ଶାସନର ସୁବର୍ଣ୍ଣ ଜୟନ୍ତୀ ପାଳନ କରୁଥିଲେ। ପୃଥିବୀର ପାଞ୍ଚ ଭାଗରୁ ଏକ ଭାଗରେ ବିସ୍ତୃତ ତାଙ୍କ ସାମ୍ରାଜ୍ୟ ଥିଲା ଖ୍ୟାତି ଓ ସମୃଦ୍ଧିର ଶୀର୍ଷରେ। ଏହି ଉତ୍ସବରେ କିଛି ଭାରତୀୟ ‘ପ୍ରିନ୍ସ’ଙ୍କୁ ଆମନ୍ତ୍ରଣ ଜଣାଇଲେ ଭଲହେବ ବୋଲି ବ୍ରିଟିସ୍ କର୍ତ୍ତୃପକ୍ଷ ଭାବିଥିଲେ। ତେବେ ରାଣୀ କିଛି ଭାରତୀୟ ଭୃତ୍ୟଙ୍କୁ ପାଖରେ ରଖିବା ପାଇଁ ଇଚ୍ଛାପ୍ରକାଶ କରିଥିଲେ। ଏଣୁ ଆଗ୍ରା ସହରରୁ ଅବଦୁଲ୍ କରିମ୍ ଓ ମହମ୍ମଦ ବକ୍ସ ନାମକ ଦୁଇଜଣ ତରୁଣଙ୍କୁ ‘ଜୁବ୍ଲି ଉପହାର’ ଭାବେ ରାଣୀଙ୍କ ପାଖକୁ ପଠା ଯାଇଥିଲା। ସେମାନଙ୍କର କାମ ଥିଲା ଡାଇନିଂ ଟେବୁଲ୍ରେ ରାଣୀଙ୍କ ପଛରେ ଛିଡ଼ାହୋଇ ରହିବା ଏବଂ ପ୍ରୟୋଜନ ଅନୁସାରେ କାମଦାମ କରିବା। ଲାଲ୍ ପୋଷାକ ଓ ପଗଡ଼ିପିନ୍ଧା ତରୁଣ ସୁଦର୍ଶନ କରିମ୍କୁ ଷାଠିଏ ବର୍ଷ ବୟସ୍କା ରାଣୀଙ୍କର ଭୀଷଣ ପସନ୍ଦ ହୋଇଥିଲା। ପ୍ରଥା ଅନୁସାରେ ପ୍ରଥମ ସାକ୍ଷାତ କାଳରେ କରିମ୍ ରାଣୀଙ୍କୁ ଗୋଟିଏ ସୁନା ମୋହର ନଜରାନା ପେସ୍ କରିଥିଲେ। ରାଣୀ ଶୁଣିଥିଲେ ଯେ ଏହି ଚବିଶ ବର୍ଷର ଯୁବକଟି ଆସିଛନ୍ତି ଆଗ୍ରା ଅର୍ଥାତ୍ ତାଜମହଲର ଦେଶରୁ। ତେଣୁ ତାଜମହଲ ଓ ଭାରତ ସମ୍ପର୍କରେ ଅଧିକ ଜାଣିବା ପାଇଁ ଆଗ୍ରହୀ ରାଣୀ କରିମ୍କୁ ଇଂରାଜୀ ଶିଖାଇବା ଲାଗି ଆଦେଶ ଦିଅନ୍ତି, ସୁତରାଂ ସେ କରିମ୍ ପାଖରୁ ସିଧାସଳଖ ସବୁକିଛି ଶୁଣିପାରିବେ। ସେହିଠାରୁ ଆରମ୍ଭ ସେମାନଙ୍କ କାହାଣୀ।
ଇଂରାଜୀ ଶିଖିବା ପରେ କରିମ୍ ରାଣୀଙ୍କୁ ଘଣ୍ଟା ଘଣ୍ଟା ଧରି ଆଗ୍ରା, ତାଜମହଲ ତଥା ଭାରତୀୟ ପ୍ରଥା, ଚଳଣି, ଉତ୍ସବ ଆଦିର କଥା ଶୁଣାଉଥିଲେ। ଧୀରେ ଧୀରେ କରିମ୍ ରାଣୀଙ୍କୁ ତାଙ୍କର ଚିଠି ଲେଖିବାରେ ସାହାଯ୍ୟ କରିବାକୁ ଲାଗିଲେ ଏବଂ ପରେ ରାଣୀଙ୍କ ଇଚ୍ଛାନୁସାରେ ହିନ୍ଦୁସ୍ତାନୀ ଭାଷା ଶିଖାଇଲେ। ଏହାପରେ ଦିନେ ରାଣୀଙ୍କ ପାକଶାଳାରେ କରିମ୍ ରାଣୀଙ୍କ ପାଇଁ ଚିକେନ୍ ତରକାରି ରୋଷେଇ କଲେ, ଯାହା ରାଣୀଙ୍କର ମନକ ଜିଣିନେଲା। ରାଣୀଙ୍କ ଆଦେଶ ଥିଲା, ପ୍ରତିଦିନ ତାଙ୍କ ଲଞ୍ଚ୍ରେ କରିମ୍ ହାତରନ୍ଧା ଚିକେନ୍ ତରକାରି ନିଶ୍ଚୟ ରହିବ। ଡାଲି ଓ ଚିକେନ୍ ତରକାରି ଥିଲା ରାଣୀଙ୍କର ଖୁବ୍ ପ୍ରିୟ ଖାଦ୍ୟ।
କରିମ୍ ପାଖରୁ ଆଗ୍ରା, ତାଜମହଲ ଏବଂ ଶାହାଜାହାନ୍ ଓ ମୁମ୍ତାଜ୍ଙ୍କ ପ୍ରେମକାହାଣୀ ଶୁଣୁ ଶୁଣୁ ତନ୍ମୟ ହୋଇ ପଡୁଥିଲେ ରାଣୀ। ବୟସରେ ୪୦ ବର୍ଷ ସାନ କରିମ୍ କିନ୍ତୁ ତାଙ୍କର ଅତିପ୍ରିୟ ହୋଇଯାଇଥିଲେ। ମାତ୍ର ଗୋଟିଏ ବର୍ଷ ଭିତରେ ହିଁ ରାଣୀ ତାଙ୍କୁ ‘ଇଣ୍ଡିଆନ୍ ସେକ୍ରେଟାରି’ ଭାବେ ପଦୋନ୍ନତି ଦେଇ ‘ମୁନ୍ସୀ’ ଉପାଧି ଦେଲେ। ତାଙ୍କୁ ‘ମୁନ୍ସୀ’ ସମ୍ବୋଧନ କରିବା ପାଇଁ ଆଦେଶ ମଧ୍ୟ ଦେଲେ। ଏହାସହ ଡାଇନିଂ ଟେବୁଲ୍ରେ ତାଙ୍କ ପଛରେ ଭୃତ୍ୟ ଭାବେ ଛିଡ଼ା ହୋଇ ରହିଥିବା କରିମ୍ଙ୍କ ସବୁ ଫଟୋ ନଷ୍ଟ କରିଦେବା ପାଇଁ କହିଲେ। ବଙ୍କିଙ୍ଗ୍ହାମ୍ ପ୍ୟାଲେସ୍ରେ ଜଣେ କଳା ଭାରତୀୟଙ୍କର ଏହି ଉତ୍ଥାନକୁ କେହି ବରଦାସ୍ତ କରି ପାରୁନଥିଲେ। ଫଳତଃ କରିମ୍ ହେଉଛି ଅସଲରେ ଜଣେ ଗୁପ୍ତଚର, ମୁସ୍ଲିମ୍ ପେଟ୍ରିୟାଟିକ୍ ଲିଗ୍ ସହିତ ସମ୍ପୃକ୍ତ ବ୍ରିଟିସ୍ ବିରୋଧୀ ଭଳି ନାନା ମିଛପ୍ରଚାର ତାଙ୍କ ବିରୋଧରେ ଆରମ୍ଭ ହେଲା। କରିମ୍ ଜଣେ ଚୋର ବୋଲି ସାବ୍ୟସ୍ତ କରିବା ପାଇଁ ଅସଫଳ ପ୍ରୟାସ ମଧ୍ୟ ହୋଇଥିଲା।
କୌଣସି ଭାବରେ ସଫଳ ନହେବା ପରେ ରାଜପ୍ରାସାଦର ସମସ୍ତ କର୍ମଚାରୀ ସାମୂହିକ ପଦତ୍ୟାଗ କରିବା ପାଇଁ ରାଣୀଙ୍କୁ ଜଣାଇଥିଲେ। କିନ୍ତୁ ଆଶ୍ଚର୍ଯ୍ୟର କଥା, ରାଣୀ ପ୍ରାସାଦର କର୍ମଚାରୀଙ୍କ ଉଦ୍ଦେଶ୍ୟରେ ଏକ କଡ଼ା ନୋଟିସ୍ ପଠାଇ ‘ମୁନ୍ସୀ କରିମ୍’ଙ୍କୁ ସମ୍ମାନ ଜଣାଇବାକୁ ଆଦେଶ ଦେଲେ। ବିରୋଧୀଙ୍କୁ ଜବାବ ଦେବାପାଇଁ ରାଣୀ କରିମ୍ଙ୍କୁ ‘ନାଇଟ୍ହୁଡ୍’ ଉପାଧି ଦେବାକୁ ଚିନ୍ତା କରିଥିଲେ। ଅବଶ୍ୟ ପରେ ମତ ପରିବର୍ତ୍ତନ କରି କରିମ୍ଙ୍କୁ ଏମ୍ଭିଓ (ମେମ୍ବର୍ ଅଫ୍ ଭିକ୍ଟୋରିଆନ୍ ଅର୍ଡର୍) ଉପାଧି ପ୍ରଦାନ କରିଥିଲେ। କରିମ୍ ବିରୋଧରେ ଅଭିଯୋଗ ନିରର୍ଥକ ବୋଲି ସମସ୍ତେ ବୁଝି ପାରିଥିଲେ। ଏହାପରେ ରାଣୀଙ୍କର ସ୍ବାସ୍ଥ୍ୟ ଖରାପ ହେବାକୁ ଲାଗିଲା। ସେ ବୁଝି ପାରିଥିଲେ, ତାଙ୍କ ମୃତ୍ୟୁ ପରେ ରାଜପ୍ରାସାଦରେ କରିମ୍ଙ୍କ ଅବସ୍ଥା ଶୋଚନୀୟ ହୋଇଯିବ। ତେଣୁ ଆଗ୍ରା ସହରରେ କରିମ୍ଙ୍କ ନାମରେ ଗୋଟିଏ ବିରାଟ ଘର କିଣି ଦେଇଥିଲେ। କେଉଁ ଦୃଷ୍ଟିରେ କରିମ୍ଙ୍କୁ ଦେଖୁଥିଲେ ରାଣୀ ଭିକ୍ଟୋରିଆ? ସେହି ସମ୍ପର୍କ ପ୍ରେମର ନା ଖାଲି ବନ୍ଧୁତାର ସମ୍ପର୍କ ଥିଲା? ସମ୍ପର୍କ ଯାହା ହେଉନା କାହିଁକି, ଦୁଇ ଅସମ ବୟସର ନାରୀ ଓ ପୁରୁଷଙ୍କ ନୈକଟ୍ୟକୁ ମାନି ନଥିଲା ଇଂଲଣ୍ଡ ରାଜପରିବାର। ୧୮୯୯ ମସିହା ନଭେମ୍ବର ମାସରେ ରାଣୀଙ୍କର ମୃତ୍ୟୁ ହେଲା। କଫିନ୍ ବନ୍ଦ କରାଯିବା ପୂର୍ବରୁ, ଶେଷରେ ଯେଉଁ ବ୍ୟକ୍ତିଜଣକ ତାଙ୍କୁ ଶ୍ରଦ୍ଧା ଜଣାଇବା ପାଇଁ ଆସିଥିଲେ, ସେ ହେଉଛନ୍ତି ଅବଦୁଲ୍ କରିମ୍। କରିମ୍ଙ୍କ ଆଖି ଲୁହ ଛଳଛଳ ଏବଂ ଓଠ ଥରୁଥିଲା ନିଃଶବ୍ଦରେ।
୧୯୦୧ ମସିହାରେ ଭଗ୍ନ ହୃଦୟରେ କରିମ୍ ଆଗ୍ରାକୁ ଫେରିଆସନ୍ତି। ୧୯୦୯ ମସିହାରେ ମାତ୍ର ୪୬ ବର୍ଷ ବୟସରେ କରିମ୍ଙ୍କର ମୃତ୍ୟୁ ହୁଏ। ରାଣୀ ଭିକ୍ଟୋରିଆଙ୍କ ପ୍ରିୟ କରିମ୍ ମୃତ୍ୟୁ ଯାଏ ସତେ ଯେମିତି ନିର୍ବାସିତ ଜୀବନ ଜିଇ ରହିଥିଲେ। ସମ୍ପ୍ରତି କେବଳ ଅବଶେଷ ଭାବେ ରହିଛି କବରସ୍ଥାନରେ ତାଙ୍କର ହତଶ୍ରୀ ସମାଧି। କରିମ୍ଙ୍କୁ ଇତିହାସ ପୃଷ୍ଠାରୁ ଏକାବେଳକେ ପୋଛି ଦେବାପାଇଁ ସପ୍ତମ ଏଡ୍ୱାର୍ଡ ଚେଷ୍ଟା କରିଥିଲେ ମଧ୍ୟ, କରିମ୍ଙ୍କ ଡାଏରୀ ନଷ୍ଟ କରିପାରି ନଥିଲେ। ଆନନ୍ଦବଜାର ପତ୍ରିକାର ସାମ୍ବାଦିକ ଶ୍ରାବଣୀ ବସୁ ଦୀର୍ଘଦିନ ଧରି ଉକ୍ତ ଡାଏରୀରେ ବର୍ଣ୍ଣିତ ଘଟଣାସବୁ ଏକତ୍ରିତ କରିବାକୁ ସମର୍ଥ ହୋଇଥିଲେ। ତାଙ୍କର ଅକ୍ଳାନ୍ତ ପରିଶ୍ରମର ଫଳସ୍ୱରୂପ ପ୍ରକାଶ ପାଇଛି ‘ଭିକ୍ଟୋରିଆ ଆଣ୍ଡ୍ ଅବଦୁଲ୍’ ନାମକ ପୁସ୍ତକ ଏବଂ ସେହି ପୁସ୍ତକ ଆଧାରରେ ନିର୍ମିତ ହୋଇଛି ‘ଭିକ୍ଟୋରିଆ ଆଣ୍ଡ୍ ଅବଦୁଲ୍’ ଚଳଚ୍ଚିତ୍ର। କରିମ୍ଙ୍କ ଘରର କାନ୍ଥରେ ଝୁଲୁଥିବା ଗୋଟିଏ ପୋଟ୍ରେଟ୍ରୁ ସେହି ଅକଳ୍ପନୀୟ କାହାଣୀର ଆରମ୍ଭ ହୋଇ ଶେଷ ହୋଇଛି ଗୋଟିଏ ଭଙ୍ଗା କବରରେ। (କ୍ରମଶଃ)