ରୋମ୍ରୁ ଆରମ୍ଭ ହୋଇ ସାରା ପୃଥିବୀରେ ବେଶ୍ ଲୋକପ୍ରିୟ ହେଲାଣି ଭାଲେଣ୍ଟାଇନ୍ ଡେ’। କେବଳ ପ୍ରେମିକପ୍ରେମିକା ନୁହନ୍ତି, ବୟସ ନିର୍ବିଶେଷରେ ନାରୀପୁରୁଷ ଅତି ଆଗ୍ରହରେ ଫେବ୍ରୁଆରି ମାସର ଦ୍ବିତୀୟ ସପ୍ତାହ ବା ଭାଲେଣ୍ଟାଇନ୍ ଉଇକ୍ ମଧ୍ୟ ପାଳନ କରୁଛନ୍ତି। ଗୋଲାପ ଫୁଲ, ଚକୋଲେଟ୍, ଟେଡି ବିଅର୍, ଭଳିକି ଭଳି ଉପହାର, ପର୍ଯ୍ୟଟନ ଇତ୍ୟାଦିକୁ ନେଇ ଏକ ବିପୁଳ ସମ୍ଭାବନାର ବାଣିଜ୍ୟେକ୍ଷତ୍ର ମଧ୍ୟ ସୃଷ୍ଟି ହେଲାଣି। ତେବେ ଏହି ହଟଚମଟରୁ ଦୂରେଇ ଯାଇ ସୁଶ୍ରୀ ପୃଷ୍ଠାରେ ଆସନ୍ତୁ ଭେଟିବା କେତେଜଣ ବିଦେଶିନୀଙ୍କୁ ଯେଉଁମାନେ ଭାରତୀୟ ପୁରୁଷଙ୍କ ପ୍ରେମରେ ପଡ଼ିଥିଲେ...
ପରିଣତ ବୟସରେ ସୁନୀଲ ଯାହାଙ୍କୁ ଭଲ ପାଇଥିଲେ ସେ ଥିଲେ ଜଣେ ଫରାସୀ ତରୁଣୀ। ନାମ ମାର୍ଗାରିଟ୍ ମ୍ୟାଥିଉ। ୨୭ ବର୍ଷ ବୟସ୍କା ଏହି ତରୁଣୀଙ୍କ ସହିତ ସୁନୀଲଙ୍କର ସାକ୍ଷାତ ହୋଇଥିଲା ଆମେରିକାରେ। ସୁନୀଲ ସେତେବେଳେ ମଧ୍ୟ-ପଶ୍ଚିମ ଆମେରିକାର ଆୟଓୟା ବିଶ୍ବବିଦ୍ୟାଳୟର ଇଂରାଜୀ ସାହିତ୍ୟ ବିଭାଗର ‘କ୍ରିଏଟିଭ୍ ରାଇଟିଂ ପ୍ରୋଗ୍ରାମ୍’ରେ ଅଂଶଗ୍ରହଣ କରିବା ପାଇଁ ଏକବର୍ଷ ସେଠାରେ ଥିଲେ। ମାର୍ଗାରିଟ୍ ଥିଲେ ସେହି ବିଶ୍ବବିଦ୍ୟାଳୟର ଫରାସୀ ବିଭାଗର ଅଧ୍ୟାପିକା। ତାଙ୍କର ଭାରତୀୟ ପୁରାଣ ଓ ସଂସ୍କୃତିରେ ଆଗ୍ରହ ଥିଲା। ଅପରପକ୍ଷରେ ସୁନୀଲଙ୍କର ଗଭୀର ଅନୁରାଗ ଥିଲା ଫରାସୀ ଭାଷା ଓ ସାହିତ୍ୟରେ। ଉଭୟେ ଥିଲେ ଉଭୟଙ୍କର ପରିପୂରକ। ସୁତରାଂ ଖୁବ୍ଶୀଘ୍ର ସେମାନଙ୍କ ଭିତରେ ଅନ୍ତରଙ୍ଗତା ବଢ଼ି ଯାଇଥିଲା। ଏକାଠି ବୁଲିବା, ଖାଇବା ସମେତ ମାସିକ ଖର୍ଚ୍ଚ ମଧ୍ୟ ମିଳିମିଶି କରୁଥିଲେ। ଉଭୟଙ୍କ ଭିତରେ ଅନ୍ତରଙ୍ଗତା ଏତେ ବଢ଼ି ଯାଇଥିଲା ଯେ ଜଣେ ଅନ୍ୟଜଣଙ୍କୁ ଛାଡ଼ି ଦୀର୍ଘ ସମୟ ରହି ପାରୁନଥିଲେ। ସୁନୀଲ ତାଙ୍କ ‘ଛବିର ଦେଶ, କବିତାର ଦେଶେ’ ଶୀର୍ଷକ ଆତ୍ମଜୀବନୀରେ ସେମାନଙ୍କର ସମ୍ପର୍କ ଓ ଘଟଣାପ୍ରବାହର ଯେଉଁ ବର୍ଣ୍ଣନା କରିଛନ୍ତି, ସେଥିରୁ ପରିଷ୍କାର ଜଣାପଡ଼େ ଯେ, ଉଭୟଙ୍କ ସମ୍ପର୍କ କେବଳ ବନ୍ଧୁତା ଭିତରେ ସୀମାବଦ୍ଧ ନଥିଲା; ବରଂ ଉଭୟେ ଗଭୀର ପ୍ରେମରେ ମଧ୍ୟ ପଡ଼ିଥିଲେ। ମାର୍ଗାରିଟ୍ ତାଙ୍କ ଧର୍ମୀୟ ସଂସ୍କାର ଏବଂ ସୁନୀଲ ତାଙ୍କ ବାସ୍ତବ ପରିସ୍ଥିତି ଓ ସ୍ବଦେଶକୁ ଫେରି ଆସିବାର ଆକର୍ଷଣରେ ନିଜ ନିଜର ପ୍ରେମକଥା ସ୍ବୀକାର କରିନଥିଲେ। ଅବଶ୍ୟ ଶେଷଆଡ଼କୁ ମାର୍ଗାରିଟ୍ ପ୍ରେମ ଓ ଧର୍ମୀୟ ବିଶ୍ବାସର ସଂଘର୍ଷରେ ଭାଙ୍ଗି ପଡ଼ିଥିଲେ। ଅପରପକ୍ଷରେ ସୁନୀଲ ନିଜକୁ ସମ୍ଭାଳି ନେଇଥିଲେ ମଧ୍ୟ ମାର୍ଗାରିଟ୍ଙ୍କ ପାଇଁ ତାଙ୍କ ହୃଦୟର ହାହାକାରର କଥା ବହୁଥର ସ୍ବୀକାର କରିଛନ୍ତି ତାଙ୍କ ରଚନାରେ।
ମାର୍ଗାରିଟ୍ ଓ ସୁନୀଲଙ୍କ ବନ୍ଧୁତ୍ବର ସୂତ୍ରପାତର କାହାଣୀ ଖୁବ୍ ରୋଚକ ଥିଲା। ଦିନେ ସୁନୀଲ ତାଙ୍କ କ୍ରିଏଟିଭ୍ ରାଇଟିଂ ପ୍ରୋଗ୍ରାମ୍ରେ ଅଂଶଗ୍ରହଣକାରୀ ବନ୍ଧୁମାନଙ୍କୁ ନିମନ୍ତ୍ରଣ କରିଥିଲେ ନିଜ ଘରକୁ। ସେହି ଦଳରେ ମାର୍ଗାରିଟ୍ ମଧ୍ୟ ଆସିଥିଲେ ତାଙ୍କର ଜଣେ ବାନ୍ଧବୀଙ୍କ ସହିତ। ଫେରିବା ବେଳକୁ ମାର୍ଗାରିଟ୍ ନିଜର ଖଣ୍ଡେ ବହି ଛାଡ଼ି ଯାଇଥିଲେ ସୁନୀଲଙ୍କ ବସାରେ। ପରଦିନ ସେ ବହି ଆଣିବାକୁ ଯାଇ ସେ ଶକୁନ୍ତଳା ଉପାଖ୍ୟାନଟି ବୁଝିବାକୁ ଚାହାନ୍ତି ବୋଲି ସୁନୀଲଙ୍କୁ କହିଲେ। ସୁନୀଲ ତାଙ୍କୁ ଶକୁନ୍ତଳା ଉପାଖ୍ୟାନ ବୁଝାଇବେ ଏବଂ ସେ ତାଙ୍କୁ ଫରାସୀ କବିତା ପଢ଼ି ଶୁଣାଇବେ। ପ୍ରସ୍ତାବରେ ବେଶ୍ ଖୁସି ହୋଇଥିଲେ ସୁନୀଲ। ଏହାପରେ ତାଙ୍କ ସହିତ ଆଉ ସାକ୍ଷାତ ହୋଇନଥିଲା। ସୁନୀଲ ଯଦିଓ ମାର୍ଗାରିଟ୍ଙ୍କୁ ମନେ ମନେ ଖୋଜୁଥିଲେ କିନ୍ତୁ ଲାଜରେ କାହାକୁ ପଚାରି ପାରୁନଥିଲେ। ହଠାତ୍ ଦିନେ ଲାଇବ୍ରେରୀରେ ଉଭୟଙ୍କର ଦେଖାହୁଏ। ସୁନୀଲ ତାଙ୍କୁ କହିଲେ, ‘‘କଥା କ’ଣ? ଶକୁନ୍ତଳା ଉପାଖ୍ୟାନ ବୁଝିବା ପାଇଁ ଆଉ ତୁମେ ଆସିଲନାହିଁ? ଉତ୍ତରରେ ମାର୍ଗାରିଟ୍ କହିଥିଲେ, ‘‘ତୁମେ ତ ମୋତେ ଡାକିନାହଁ। ମୁଁ ତ ଦୁଇଥର ତୁମ ଘରକୁ ଯାଇଛି। ବିନା ଡାକରାରେ ଆଉ କେତେଥର ଯିବି?” ଏହି ଘଟଣା ପରଠାରୁ ସେମାନଙ୍କର ବନ୍ଧୁତା ଆରମ୍ଭ ହୋଇଥିଲା। ପରେ ଉଭୟଙ୍କ ସମ୍ପର୍କ ଗାଢ଼ ହେଲାପରେ ମାର୍ଗାରିଟ୍ ଦିନେ କଥା ପ୍ରସଙ୍ଗରେ କହିଲେ, ସେଦିନ ତାଙ୍କ ବସାରେ ଜାଣି ଜାଣି ସେ ବହି ଛାଡ଼ିଦେଇ ଆସିଥିଲେ। ଉତ୍ତରରେ ସୁନୀଲ କହିଥିଲେ, ଲାଇବ୍ରେରୀରେ ହଠାତ୍ ତାଙ୍କର ସାକ୍ଷାତ ହୋଇନଥିଲା; ତାଙ୍କୁ ଭେଟିବା ପାଇଁ ପ୍ରତିଦିନ ସେ ସେଠାରେ ଅପେକ୍ଷା କରୁଥିଲେ। ମାର୍ଗାରିଟ୍ ଥିଲେ ରକ୍ଷଣଶୀଳ କ୍ୟାଥ୍ଲିକ୍ ପରିବାରର ଝିଅ। ତାଙ୍କର ଦୁଇ ଭଉଣୀ ଥିଲେ ନନ୍। ସୁନୀଲ ଲେଖିଛନ୍ତି, ‘‘ଦିନେ ମୋର ମାର୍ଗାରିଟ୍ଙ୍କ ଘରକୁ ଯିବା କଥା ଶୁଣି ସେ ମୋ ହାତକୁ ଚାପିଧରି କାତର କଣ୍ଠରେ କହିଥିଲେ, ‘‘ସୁନୀଲ, ପ୍ଲିଜ୍, ତୁମେ ମୋତେ ବାହା ହେବାକୁ ଇଚ୍ଛା କରନାହିଁ। ତୁମେ ଚାହିଲେ ବି ମୁଁ ମନା କରି ପାରିବିନାହିଁ। କିନ୍ତୁ ମୋ ବାପାମା’ ଭୀଷଣ କଷ୍ଟ ପାଇବେ। ମୋର ଅସୁସ୍ଥ ମାଆ ଏଭଳି ଆଘାତ ସହି ପାରିବେନାହିଁ।” କିଛିବର୍ଷ ପରେ ସୁନୀଲ ସ୍ବାତୀଙ୍କୁ ବିବାହ କରନ୍ତି। ସ୍ବାତୀଙ୍କୁ ସୁନୀଲ ମାର୍ଗାରିଟ୍ଙ୍କ ସବୁକଥା କହିଥିଲେ। ମାର୍ଗାରିଟ୍ଙ୍କୁ ମଧ୍ୟ ଜଣାଇଥିଲେ ସ୍ବାତୀଙ୍କ ବିଷୟରେ। ସ୍ବାତୀ ମଧ୍ୟ ମାର୍ଗାରିଟ୍ଙ୍କୁ ଚିଠି ଲେଖିଥିଲେ। ସେ ବିବାହ ଶୁଭେଚ୍ଛା ଜଣାଇଥିଲେ ସ୍ବାତୀ ଓ ସୁନୀଲଙ୍କୁ।
ସ୍ବାତୀ ଓ ସୁନୀଲଙ୍କ ବିବାହର କେଇବର୍ଷ ପରେ ମାର୍ଗାରିଟ୍ଙ୍କ ଜୀବନରେ ଘଟେ ଏକ ଦୁଃଖଦ ଘଟଣା। ଶ୍ୱେତାଙ୍ଗ ମାର୍ଗାରିଟ୍ଙ୍କୁ ଦିନେ ଅପହରଣ କରି ନେଇଯାଆନ୍ତି କିଛି କୃଷ୍ଣାଙ୍ଗ ଦୁର୍ବୃତ୍ତ। ତା’ପରେ ଆଉ ତାଙ୍କର କୌଣସି ସନ୍ଧାନ ମିଳେନାହିଁ। ସୁନୀଲ ଲେଖିଛନ୍ତି, ‘‘ମାର୍ଗାରିଟ୍ ପାଖରୁ ମୁଁ ଅନେକ ଦୂରକୁ ଚାଲିଆସିଛି। ମୋର ବୟସ ବଢ଼ିଛି କିନ୍ତୁ ତାଙ୍କ ବୟସ ଆଦୌ ବଢ଼ିନାହିଁ। ମାର୍ଗାରିଟ୍ ବଞ୍ଚି ରହିଥିଲେ ଏତେଦିନ ପରେ ତାଙ୍କ ସହ ମୋ ସମ୍ପର୍କ କ’ଣ ହୋଇଥାନ୍ତା, ମୁଁ ଜାଣିନାହିଁ। ତେବେ ଫରାସୀ ଦେଶର ମାଟିରେ ପାଦଦେବା ମାତ୍ରେ ମୁଁ ଯେମିତି ଶୁଣିପାରେ ତାଙ୍କ ଯୌବନମୟ କଣ୍ଠସ୍ୱର, ତାଙ୍କର ଉଚ୍ଛ୍ବସିତ ହସ।’’
ସୁନୀଲ ଗଙ୍ଗୋପାଧ୍ୟାୟ ଓ ମାର୍ଗାରିଟ୍ ମ୍ୟାଥିଉ
ତଥ୍ୟ ଓ ଉପସ୍ଥାପନା: ପ୍ରଦୀପ କୁମାର ରାୟ