ସ୍ୱାମୀଙ୍କ ମୃତ୍ୟୁର ୨୫ବର୍ଷ ପରେ ଶେଷ ନିଶ୍ୱାସ ତ୍ୟାଗ କଲେ ଶୀଲା ଦୀକ୍ଷିତ, ଏଭଳି ଆରମ୍ଭ ହୋଇଥିଲା ଦୁହିଁଙ୍କ ପ୍ରେମ ସଂପର୍କ

ନୂଆଦିଲ୍ଲୀ : ବରିଷ୍ଠ କଂଗ୍ରେସ ନେତ୍ରୀ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତ ୮୧ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଶନିବାର ଅପରାହ୍ନରେ ତାଙ୍କର ଦେହାନ୍ତ ହୋଇଛି । ଆଇଏଏସ୍‌ ଅଫିସର ସ୍ୱାମୀ ବିନୋଦ ଦୀକ୍ଷିତଙ୍କ ମୃତ୍ୟୁର ୨୫ବର୍ଷ ପରେ ସେ ଆର ପାରିକୁ ଚାଲି ଯାଇଛନ୍ତି । ତେବେ ଦୁହିଁଙ୍କ ପ୍ରେମ ଜୀବନ କେତେ ରୋମାଞ୍ଚକର ଥିଲା ତାହା ଖୁବ୍‌ କମ୍ ଲୋକଙ୍କୁ ଜଣା । ବିନୋଦଙ୍କୁ ବିବାହ କରିବା ପାଇଁ ଶୀଲା ଦୀକ୍ଷିତଙ୍କୁ ୨ବର୍ଷ ଅପେକ୍ଷା କରିବାକୁ ପଡ଼ିଥିଲା । ‘ସିଟିଜେନ୍ ଦିଲ୍ଲୀ : ମାଇଁ ଟାଇମ୍ସ ମାଇଁ ଲାଇଫ୍‌’ ବହିରେ ଦୁହିଁଙ୍କ ପ୍ରେମ କାହାଣୀ ବିଷୟରେ ଉଲ୍ଲେଖ ରହିଛି ।

ବହିରେ ଲେଖାଥିବା ତଥ୍ୟ ଅନୁଯାୟୀ, ବିନୋଦ ଏବଂ ଶୀଲା ଦୁହେଁ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ସମୟରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଆରମ୍ଭ ହୋଇଥିଲା । ଶୀଲା କାହା ସହ ବିଶେଷ କଥା ହେଉ ନ ଥିବା ବେଳେ ବିନୋଦ ସମସ୍ତଙ୍କ ସହ ମିଶିବାକୁ ଭଲ ପାଉଥିଲେ । କଲେଜରେ ବିନୋଦଙ୍କୁ ସମସ୍ତେ ପସନ୍ଦ କରୁଥିବା ବେଳେ ବିନୋଦ ମନେ ମନେ ଶୀଲାଙ୍କୁ ପସନ୍ଦ କରୁଥିଲେ । ଦୁହେଁ ପରସ୍ପର ସହ ବିଶେଷ କଥା ହେଉ ନଥିଲେ ମଧ୍ୟ ଅନ୍ୟର ପ୍ରେମ କାହାଣୀକୁ ସଫଳ କରିବା ପାଇଁ ଦୁହେଁ ସବୁବେଳେ ସାଥୀରେ କାମ କରୁଥିଲେ । ତେବେ ଶୀଲାଙ୍କ ମନରେ ବିନୋଦଙ୍କ ପ୍ରତି ପ୍ରେମ ଭାବନା ଆସିବା ପରେ ମନ କଥା ଜଣାଇବା ପାଇଁ ସେ ଡିଟିସି ବସ୍‌ରେ ବିନୋଦଙ୍କ ସହ ଯାତ୍ରା କରିଥିଲେ ।

Yahoo Lifestyle India

ବିନୋଦଙ୍କୁ ନିଜ ମନ କଥା କହିବା ପରେ ବିନୋଦ ଶୀଲାଙ୍କ ପ୍ରସ୍ତାବ ଗ୍ରହଣ କରି ନେଇଥିଲେ । ଏହା ସହ ପାଠ ପଢ଼ା ସରୁ ସରୁ ବିନୋଦ ଶୀଲାଙ୍କୁ ବିବାହ କରିବାର ପ୍ରସ୍ତାବ ଦେଇଥିଲେ । କିନ୍ତୁ ବିନୋଦ ଛାତ୍ର ଥିବାରୁ ପରିବାର ଲୋକେ ରାଜି ହୋଇ ନଥିଲେ । ଏହା ପରେ ଦୁହିଁଙ୍କ ପଥ ଅଲଗା ହୋଇ ଯାଇଥିଲା । କିଛି ବର୍ଷ ଦୁହେଁ ଦେଖା ନ ହେବା ସହ ନିଜ ନିଜ କ୍ୟାରିୟର ଗଢ଼ିବାରେ ଲାଗି ପଡ଼ିଥିଲେ । ୧୯୫୯ରେ ବିନୋଦ ଆଇଏଏସ୍‌ ଅଫିସର ହେବା ପରେ ଜୁଲାଇ ୧୧, ୧୯୬୨ରେ ଦୁହିଁଙ୍କ ବିବାହ ହୋଇଥିଲା ।

ସମ୍ବନ୍ଧିତ ଖବର