ବହୁ ଯୁଦ୍ଧର ମୁକ-ସାକ୍ଷୀ ‘ଫୋର୍ଟ‌୍‌ ଜିଜସ୍‌’

କେନିୟାର ମୋ˚ବାସା ପୋତାଶ୍ରୟକୁ ଶତ୍ରୁ କବଳରୁ ସୁରକ୍ଷିତ ରଖିବା ଲାଗି ୧୫୯୩-୯୬ ମଧ୍ୟରେ ପର୍ତୁଗିଜ୍‌ମାନେ ‘ଫୋର୍ଟ‌୍‌ ଜିଜସ୍‌’ ନିର୍ମାଣ କରିଥିଲେ। ମୁଖ୍ୟ ସ୍ଥପତି ଓ ନକସାକାର ଥିଲେ, ଜିଓଭାନି ବାତିସ୍ତା କେରାତି। ଏକ ପ୍ରବାଳ ପାହାଡ଼ ଉପରେ ନିର୍ମିତ ଦୁର୍ଗଟି ଏବେ ବି ସୁରକ୍ଷିତ ରହିଛି। ୨.୩୬ ହେକ୍‌ଟର‌୍‌ ଭୂମି ଉପରେ ନିର୍ମିତ ‘ଫୋର୍ଟ‌୍‌ ଜିଜସ୍‌’କୁ ୨୦୧୧ରେ ବିଶ୍ବ ଐତିହ୍ୟ ତାଲିକାଭୁକ୍ତ କରାଯାଇଥିଲା। ଏହି ଦୁର୍ଗର ନିର୍ମାଣ ପରେ ଭାରତ ମହାସାଗରରେ ଚାଲିଥିବା ତତ୍‌କାଳୀନ ନୌ-ବାଣିଜ୍ୟ ଇଉରୋପୀୟଙ୍କ ନିୟନ୍ତ୍ରଣାଧୀନ ହୋଇପାରିଥିଲା। ଏହା ଇଉରୋପ୍‌ ବାହାରେ ଇଉରୋପୀୟ ଶୈଳୀରେ ଗଢ଼ାଯାଇଥିବା ପ୍ରଥମ କମାଣ ଗୋଳା ପ୍ରତିରୋଧୀ ଦୁର୍ଗ।

Shutterstock

ଏହି ଦୁର୍ଗ ବହୁ ଯୁଦ୍ଧର ମୁକ-ସାକ୍ଷୀ। ୧୬୩୧-୧୮୭୫ ମଧ୍ୟରେ କେନିୟାକୁ ନିଜ ନିୟନ୍ତ୍ରଣକୁ ନେବାକୁ ଚାହୁଁଥିବା ବିଭିନ୍ନ ଶକ୍ତି(ପର୍ତୁଗିଜ୍‌, ବ୍ରିଟିସ୍‌, ଓମାନୀ ଅରବ, ତୁର୍କ‌୍‌) ମଧ୍ୟରେ ଏଠାରେ ଅନ୍ୟୂନ ନଅଟି ଯୁଦ୍ଧ ହୋଇଥିଲା। ୧୬୯୮ରେ ଏହା ଓମାନୀ ଅରବମାନଙ୍କ ଦ୍ବାରା ଅଧିକୃତ ହୋଇଥିଲା। ୧୮୯୮ରେ ଏହା ସ˚ପୂର୍ଣ୍ଣ ଭାବେ ବ୍ରିଟିସ୍‌ ଅଧିକାରକୁ ଆସିଥିଲା। ବ୍ରିଟିସ୍‌ ସରକାର ଏହାକୁ ଏକ ବନ୍ଦିଶାଳରେ ପରିଣତ କରିଥିଲେ। ୧୯୫୮ ପର୍ଯ୍ୟନ୍ତ ଏହା ବନ୍ଦିଶାଳ ଥିଲା ଏବ˚ ସେହି ବର୍ଷ ଐତିହାହିକ ସ୍ମାରକ ଘୋଷିତ ହୋଇଥିଲା।

ସମ୍ବନ୍ଧିତ ଖବର