ଭୁବନେଶ୍ୱର : ମାତୃକରୁଣା ଓ ମାତୃପ୍ରେରଣା ସାଧାରଣ ମଣିଷକୁ ଅସାଧାରଣ ବ୍ୟକ୍ତିତ୍ୱରେ ପରିଣତ କରେ। ଛତ୍ରପତି ଶିବାଜୀଙ୍କ ବୀରତ୍ୱ ଓ ସ୍ୱାଭିମାନ ପଛରେ ମାଆ ଜିଜାବାଈଙ୍କ ବିଶେଷ ଅବଦାନ ଥିଲା। ମା’ ପୁତଲିବାଇଙ୍କ ପ୍ରେରଣାରେ ମାହାତ୍ମା ଗାନ୍ଧୀ ସାରା ଜୀବନ ସତ୍ୟ ଓ ଅହିଂସାର ମାର୍ଗରେ ଯାତ୍ରା କରିଥିଲେ। ସେହିପରି ମାଆ ପଦ୍ମାବତୀଙ୍କ ଦ୍ୱାରା ପ୍ରେରିତ ହୋଇ ଅତିବଡ଼ି ଜଗନ୍ନାଥ ଦାସ ଓଡ଼ିଆ ଭାଗବତ ରଚନା କରିଥିବା ସମ୍ପର୍କରେ କିଂବଦନ୍ତିରୁ ଜାଣିବାକୁ ମିଳେ ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

Advertisment

ଶୁକ୍ରବାର ପୂର୍ବାହ୍ନରେ ମହାମହିମ ରାଷ୍ଟ୍ରପତି ଭୁବନେଶ୍ବରରେ ପହଞ୍ଚିବା ପରେ ପ୍ରଥମେ ଉତ୍କଳ ମଣ୍ଡପରେ ଆୟୋଜିତ ‘ଜ୍ଞାନପ୍ରଭା ମିସନ’ର ପ୍ରତିଷ୍ଠା ଦିବସ ସମାରୋହରେ ଯୋଗ ଦେଇଥିଲେ। ଏହି ଅବସରରେ ସେ କହିଥିଲେ, ଆଧ୍ୟାତ୍ମିକ ଗୁରୁ ଯୋଗାନନ୍ଦଙ୍କ ଯୋଗ ଜୀବନରେ ମାତା ଜ୍ଞାନପ୍ରଭାଙ୍କ ଆଶୀର୍ବାଦ ଥିଲା। ଶିଶୁ ମୁକୁନ୍ଦ ପରବର୍ତୀ ସମୟରେ ଗୁରୁ ଯୋଗାନନ୍ଦ ଭାବେ ପରିଚିତ ହୋଇଛନ୍ତି। ଭାରତର ମୁନି ଋଷିମାନେ କହିଛନ୍ତି ମାତୃ ଦେବ ଭବଃ, ପିତୃ ଦେବ ଭବଃ ଏବଂ ଆଚାର୍ଯ୍ୟ ଓ ଅତିଥି ଦେବ ଭବଃ। ପିତାମାତାଙ୍କ ବାର୍ଦ୍ଧକ୍ୟରେ ତାଙ୍କ ପୁତ୍ରକନ୍ୟାମାନେ ସେମାନଙ୍କ ଯଥାଚିତ ଯତ୍ନ ନେଉଛନ୍ତି କି? ଅନେକ ସମୟରେ ବୃଦ୍ଧ ପିତାମାତାଙ୍କ କରୁଣ କାହାଣୀ ଖବରକାଗଜରେ ସ୍ଥାନ ପାଉଛି। ପୁଅବୋହୂମାନେ ନିଜ ଶାଶୁଶ୍ବଶୂରଙ୍କ ଯତ୍ନ ନେବାକୁ କୁଣ୍ଠବୋଧ କରୁଛନ୍ତି। ପିତାମାତାଙ୍କୁ ଦେବତା କହି ତାଙ୍କ ଫଟୋଚିତ୍ରକୁ ପୂଜା କରିବା ଆଧ୍ୟାତ୍ମିକତା ନୁହେଁ। ତାଙ୍କର ଯତ୍ନ ନେବାଠାରୁ ବଡ଼ ଧର୍ମ ଆଉ କିଛି ନାହିଁ। ମା’ବାପା ସଦାସର୍ବଦା ତ୍ୟାଗ, ବଳିଦାନ, ସ୍ନେହ, ଶ୍ରଦ୍ଧା ଓ ମମତାର ପ୍ରତୀକ। ବରିଷ୍ଠ ନାଗରିକ, ବୃଦ୍ଧବୃଦ୍ଧାଙ୍କ ସେବା କରିବାକୁ ଉପସ୍ଥିତ ଜନତା ସେମାନଙ୍କର ବ୍ରତଭାବେ ଗ୍ରହଣ କରନ୍ତୁ। ଏହା ହିଁ ମାନବ ଧର୍ମ। ବୈଦିକ ଯୁଗରେ ଆଧ୍ୟାତ୍ମିକତା, ସୃଜନଶୀଳତା ଆଦି କ୍ଷେତ୍ରରେ ମହିଳାମାନେ ପୁରୁଷମାନଙ୍କ ସମକକ୍ଷ ଥିଲେ।

ମା’ବାପା ତ୍ୟାଗ, ବଳିଦାନ ଓ ମମତାର ପ୍ରତୀକ
ସାମାଜିକ, ଆର୍ଥିକ ବିକାଶ ସହିତ ଆଧ୍ୟାତ୍ମିକ ବିକାଶ ଜରୁରୀ

ଆଜି ନାରୀମାନେ ଶାସନ ପ୍ରଶାସନ, ଜ୍ଞାନବିଜ୍ଞାନ, କଳା କାରିଗରୀ ଭଳି କ୍ଷେତ୍ରରେ ଅଗ୍ରଣୀ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି। ଆଧ୍ୟାତ୍ମିକ କ୍ଷେତ୍ରରେ ମଧ୍ୟ ନାରୀମାନଙ୍କ ଯୋଗଦାନ ବୃଦ୍ଧି ପାଉଛି। ମା’ଙ୍କ ନାମରେ ଜ୍ଞାନପ୍ରଭା ମିସନ ନାମିତ ହେବା ନିଶ୍ଚିତଭାବେ ଗୌରବର ବିଷୟ। ଯୋଗ ଭାରତର ଏକ ପ୍ରାଚୀନ ବିଦ୍ୟା ଓ ପଦ୍ଧତି। ଯାହାକି ସୁସ୍ଥ ଜୀବନ ପାଇଁ ଉଦ୍ଦିଷ୍ଟ। ରୋଗର ଚିକିତ୍ସା ଅପେକ୍ଷା ରୋଗର ନିରାକରଣ ଅଧିକ ଆବଶ୍ୟକ। ଯୋଗଯୁକ୍ତ ହେଲେ ରୋଗମୁକ୍ତ ହୋଇପାରିବା ଓ ମାନସିକ ଶାନ୍ତି ପାଇପାରିବା। ଯୋଗଯୁକ୍ତ ହେଲେ ସନ୍ତୁଷ୍ଟି ଆସେ। ସନ୍ତୁଷ୍ଟି କାମନାକୁ ବିନାଶ କରିପାରେ। ମାନସିକ ଶାନ୍ତିର ମାର୍ଗ ହେଉଛି ଯୋଗ। ଯୋଗ ହେଉଛି ଶରୀର ସହିତ ଆତ୍ମାର ଯୋଗ ଓ ଆତ୍ମା ସହିତ ପରାମାତ୍ମାର ଯୋଗ। ସାମାଜିକ ଓ ଆର୍ଥିକ ବିକାଶ ସହିତ ଆତ୍ମିକ ବିକାଶ ବା ଆଧ୍ୟାତ୍ମିକ ବିକାଶ ଜରୁରୀ ବୋଲି ରାଷ୍ଟ୍ରପତି ମତବ୍ୟକ୍ତ କରିଥିଲେ।

publive-image

କାର୍ଯ୍ୟକ୍ରମରେ ଯୋଗଦେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ କହିଥିଲେ, ଜଣେ ବ୍ୟକ୍ତି କିମ୍ବା ଦେଶର ବା ରାଜ୍ୟର ମହାନତା କେବଳ ରାଜନୈତିକ ବିଜୟ କିମ୍ବା ମନ୍ତ୍ରୀ ବା ରାଜ୍ୟପାଳ ପଦ ଉପରେ ନିର୍ଭର କରେନାହିଁ। ଏହା ସଂପୃକ୍ତ ବ୍ୟକ୍ତିଙ୍କ ଚାରିପାଖରେ ଥିବା ଦାୟିତ୍ବପୂର୍ଣ୍ଣ ସତ୍ୟତା ଉପରେ ନିର୍ଭର କରେ। ଏଥିପାଇଁ ମାନବ କୈନ୍ଦ୍ରିକ ଜଗତୀକରଣ ଓ ସଚେତନ କୈନ୍ଦ୍ରିକ ମାନବିକତାର ଆବଶ୍ୟକତା ରହିଛି ବୋଲି ରାଜ୍ୟପାଳ କହିଥିଲେ।

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, ଆଧ୍ୟାତ୍ମିକତା ସହ ମାତୃଶକ୍ତିର ପ୍ରାସଙ୍ଗିକତାକୁ ଯୋଡ଼ା ନ ଗଲେ ସମାଜର ଉତ୍‌ଥାନ ଓ ଅଗ୍ରଗତି ଅସମ୍ଭବ। ସମସ୍ତ ବୈଜ୍ଞାନିକ ପ୍ରୟୋଗର ମୂଳ ପ୍ରୟୋଗଶାଳା ହେଉଛି ମାତୃଶକ୍ତି। ଭାରତ ବିଶ୍ୱରେ ସବୁଠୁ ବଡ଼ ଗଣତନ୍ତ୍ରର ଜନନୀ ଓ ଏହି ଗଣତନ୍ତ୍ରର ଦାୟିତ୍ୱ ନେଇଛନ୍ତି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ। ନିକଟରେ ସଂସଦର ବଜେଟ୍ ଅଧିବେଶନରେ ଶ୍ରୀମତୀ ମୁର୍ମୁ ତାଙ୍କ ଅଭିଭାଷଣରେ ଉତ୍କଳ ଭାରତୀ କୁନ୍ତଳା କୁମାରୀ ସାବତଙ୍କ କବିତାର ପଂକ୍ତିକୁ ଉଲ୍ଲେଖ କରି ଓଡ଼ିଶାକୁ ଗୌରବାନ୍ୱିତ କରିଛନ୍ତି। ରାଷ୍ଟ୍ରପତି ଭାବେ ଶପଥ ନେବା ସମୟରେ ଶ୍ରୀମତୀ ମୁର୍ମୁ ଦେଶବାସୀଙ୍କୁ ସମ୍ବୋଧନ କରିବା ସମୟରେ ସନ୍ଥ କବି ଭୀମ ଭୋଇଙ୍କ ପଂକ୍ତିକୁ ଉଦ୍ଧୃତ କରିବା ଗୌରବର ବିଷୟ ବୋଲି ଶ୍ରୀ ପ୍ରଧାନ କହିଥିଲେ।

ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହି‌ଲେ, ଜାତିର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥ ରଥଯାତ୍ରାରେ ମାତା ସୁଭଦ୍ରାଙ୍କୁ ନେଇ ସାଙ୍ଗରେ ନେଇଥାନ୍ତି। ବ୍ରିଟିଶ ଶାସନ ବିରୋଧରେ ମଧ୍ୟ ମା’ମାନେ ଲଢ଼େଇ କରିଥିଲେ। ଶିକ୍ଷିତା ନାରୀ ନିଶ୍ଚିତଭାବେ କେବଳ ପରିବାର ନୁହେଁ ସମାଜ ପ୍ରତି ଅଶେଷ ଅବଦାନ ଛାଡ଼ିଥାଏ। ମା’ମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ବରେ ମିସନ ଶକ୍ତି କାର୍ଯ୍ୟକ୍ରମ କରାଯାଉଥିବା ଶ୍ରୀ ପଣ୍ଡା କହିଥିଲେ। ମେୟର ସୁଲୋଚନା ଦାସ କହିଥିଲେ, ସଶକ୍ତ ନାରୀ ସମାଜ ପାଇଁ ଚେଷ୍ଟା ଜାରି ରହିଛି। ତଥାପି କୌଣସି ନା କୌଣସି କାରଣରୁ ମହିଳାମାନେ ଅବହେଳିତ ହୋଇ ରହିଛନ୍ତି। ଆଧ୍ୟାତ୍ମିକ କ୍ଷେତ୍ରରେ ମା’ମାନଙ୍କୁ ଆଗକୁ ଆସି ନିଜକୁ ଚିହ୍ନିବାକୁ ପଡ଼ିବ।

ଅନ୍ୟମାନଙ୍କ ମଧ୍ୟରେ ସଂସ୍ଥା ପକ୍ଷରୁ ପରମହଂସ ପ୍ରଜ୍ଞାନନ୍ଦ ମହାରାଜ, ଜ୍ୟୋର୍ତିମୟୀ ମିଶ୍ର, ଜ୍ଞାନ ସ୍ବରୂପାନନ୍ଦ ଗିରି ପ୍ରମୁଖ ଉପସ୍ଥିତ ଥିଲେ। ସ୍ବାମୀ ଗୁରୁ କୃପାନନ୍ଦ ଗିରି ରାଷ୍ଟ୍ରପତିଙ୍କୁ ତାଙ୍କର ଏକ ପ୍ରତିକୃତି ପ୍ରଦାନ କରିଥିଲେ।