ଗର୍ଭବତୀ ପତ୍ନୀଙ୍କୁ ନ ଜଣାଇ ଦ୍ୱିତୀୟ ବିବାହ କରୁଥିବା ସ୍ୱାମୀଙ୍କୁ ଟିଭି ପରଦାରେ ଦେଖି ଚମକି ପଡ଼ିଲେ ପ୍ରୀତି

ପାଞ୍ଚଦିନ ହେଲାଣି କାମରେ ବଣାଇଁଗଡ଼ ଯାଇଛନ୍ତି ସ୍ୱାମୀ। କହିଛନ୍ତି ଫେରିଲେ ତାକୁ ଡାକ୍ତରଙ୍କ ପାଖକୁ ଚେକ୍‌ଅପ୍‌ ପାଇଁ ନେବେ। ଚାରି ମାସ ତଳେ ବିବାହ। ପ୍ରଥମ ଗର୍ଭ, ପ୍ରୀତି ମା’ ହେବେ। ଗୋଡ଼ ତଳେ ଲାଗୁନି, ମନରେ ଅନେକ ଖୁସି। ଆନମନା ହୋଇ ପଡ଼ୁଥିଲେ ସେ। ଏତିକିବେଳେ ଟିଭିର ବ୍ରେକିଂ ନ୍ୟୁଜ୍‌ରେ ପ୍ରୀତିଙ୍କ ଆଖି ପଡ଼ିଲା। ବିବାହ ବେଦୀରେ ମଦୁଆ ବରକୁ ବିବାହ କରିବାକୁ ମନା କରିଦେଲା ମଙ୍ଗୁଳା କନିଆ। ଭଲ ହୋଇଛି ମନକୁମନ କହିଲେ ପ୍ରୀତି। ଭଲକରି ଆଖି ପକାଇଲା ନ୍ୟୁଜ୍‌ରେ। ବରର ଫଟୋ ଦେଖି ଚମକି ପଡ଼ିଲେ। ନିଜ ଆଖି ଧୋକା ଖାଇଲା କି ଆଉ। ଟିଭି ସ୍କ୍ରିନ୍‌କୁ ଭଲକରି ଅନେଇଲେ, ମଦୁଆ ବରର ଫଟୋ ବାରବାର ଆସୁଥିଲା ସ୍କ୍ରିନ୍‌ ଉପରକୁ। ଆଉ ଅବିଶ୍ୱାସ କରିବାର କିଛି ନ ଥିଲା। ପ୍ରୀତିଙ୍କ ମୁଣ୍ଡ ଚକ୍କର ଖାଇଗଲା। ପାଦତଳୁ ମାଟି ଖସିଗଲା ଯେମିତି। ଏବେ କ’ଣ କରିବେ ଭାବି ପାରୁ ନ ଥିଲେ ସେ। ଶେଷକୁ ଥାନାକୁ ଯିବା ଛଡ଼ା ଆଉ କିଛି ବାଟ ନ ଥିଲା। ପ୍ରୀତି ମୁହଁରୁ ଅଭିଯୋଗ ଶୁଣୁ ଶୁଣୁ ଥାନାବାବୁ ବି ହତଚକିତ ହୋଇଗଲେ। ଗତ ଦୁଇଦିନ ଧରି ମଦୁଆ ବରକୁ ନେଇ ଘଟି ଯାଇଥିବା ଚର୍ଚ୍ଚିତ ଘଟଣାକ୍ରମ ତାଙ୍କ ଆଖିରେ ଭାସି ଉଠିଲା। କାଳବିଳମ୍ବ ନ କରି ସେ ପୁଲିସ ଟିମ୍‌ ସହ ବନ୍ଧମୁଣ୍ଡା ଚମ୍ପାଗଡ଼କୁ ଛୁଟିଗଲେ। ଉଠାଇ ଆଣିଲେ ବରକନ୍ୟାକୁ। ବର ଘର ଲୋକେ କିଛି ବୁଝି ପାରି ନ ଥିଲେ। କାଲି ତ ସବୁ କଥା ଫଇସଲା ହୋଇଥିଲା, ପୁଣି କ’ଣ ହେଲା। କନ୍ୟାପିତା ବି ହଡ଼ବଡ଼େଇ ଧାଇଁଲେ ଥାନାକୁ। ହେଲେ ଥାନାରେ ପହଞ୍ଚିବା ପରେ ଯାହା ଶୁଣିଲେ, ତାଙ୍କ ମୁଣ୍ଡ ଉପରେ ଆକାଶ ଛିଣ୍ଡି ପଡ଼ିଲା ଯେମିତି। ଗତକାଲି ତାଙ୍କ ଝିଅର ହାତ ଧରିଥିବା ବର ଚାରି ମାସ ଆଗରୁ ଆଉ କାହା ମଥାରେ ସିନ୍ଦୂର ପିନ୍ଧାଇ ସାରିଛି। ଆଖି ସାମ୍ନାରେ ଠିଆ ହୋଇଥିବା ପ୍ରୀତିକୁ ଦେଖିବା ପରେ ଆଉ କିଛି ଅବିଶ୍ୱାସ କରିବାର ନ ଥିଲା। ଗତବର୍ଷ ନଭେମ୍ବରରେ ସେ ପ୍ରୀତିକୁ ସାମାଜିକ ରୀତିରେ ବିବାହ କରିଥିବା ଓ ଏବେ ପ୍ରୀତି ଗର୍ଭବତୀ ଥିବା ଶୁଣିବା ପରେ ବାପାଙ୍କ ଛାତିରେ ଲୋଟି କଇଁ କଇଁ ହୋଇ କାନ୍ଦୁଥିଲା ନବ ବିବାହିତା ଝିଅ। ମାତ୍ର ଗୋଟିଏ ଦିନରେ ତା’ ମଥା ସିନ୍ଦୂର ଏତେ ବଡ଼ ଧୋକା ଦେବ ସେ ବିଶ୍ୱାସ କରି ପାରୁ ନ ଥିଲା। ଭୁଲ୍‌ ମାନିବାରୁ ମଦୁଆ ବରକୁ ବରଣ କରି ନେଇଥିଲା ସେ, ହେଲେ ସେ ଯେ ଆଉ କାହା ସ୍ୱାମୀ। ଏଇ ଏଇ ଦେଖିଥିବା ସ୍ୱପ୍ନ ତା’ର ଟୁକୁଡ଼ା ଟୁକୁଡ଼ା ହୋଇ ଯାଇଥିଲା। ଦୁଇ ଦୁଇଟି ଯୁବତୀଙ୍କ ଜୀବନ ସହ ଖେଳିଥିବା ବର ହାତରେ ଲାଗି ସାରିଥିଲା ହାତକଡ଼ି।

ଫେବ୍ରୁଆରି ୪ ତାରିଖରେ ବନ୍ଧମୁଣ୍ଡା ଚମ୍ପାଗଡ଼ର ପ୍ରକାଶ ପଣ୍ଡାଙ୍କ ପୁଅ ଶଙ୍କର ପଣ୍ଡାଙ୍କ ସହ ରାଉରକେଲା ସାରନଗରୀ ଲେବର କଲୋନିର ପମିତାଙ୍କ ବିବାହ ଲଗ୍ନ ସ୍ଥିର ହୋଇଥିଲା। ଏଥିପାଇଁ ସାରନଗରୀ ଜଗନ୍ନାଥ ମନ୍ଦିର ପରିସରରେ ସଜ୍ଜିତ ହୋଇଥିଲା ବିବାହ ମଣ୍ଡପ, ଭୋଜିଭାତର ଆୟୋଜନ। ବରକୁ ଅପେକ୍ଷା କରିଥିଲା ମଙ୍ଗୁଳା କନ୍ୟା। ସେପଟେ ବାଣବାଜାରେ ଆସିଥିଲା ବର। ହେଲେ ବେଦୀକୁ ଆସିବା ପରେ ବର ମଦ ନିଶାରେ ଚୁର୍‌ ଥିବା ଦେଖି କନ୍ୟାର ଭାଇ ଅସନ୍ତୋଷ ପ୍ରକାଶ କରିଥିଲେ। ବାସ୍‌ ଏତିକିରେ ବରର ପିତ୍ତ ଚଢ଼ିଗଲା। ବେଦୀରୁ ଉଠିଯାଇ କନ୍ୟା ପିତାମାତା, ଭାଇଙ୍କୁ ଗାଳି ଦେବାକୁ ଲାଗିଲା। ହେଲେ କନ୍ୟାପକ୍ଷ ବୁଝାଇବାକୁ ଚେଷ୍ଟା କରିଥିଲେ। ଏପଟେ କନ୍ୟା କିନ୍ତୁ ଏମିତି ମଦୁଆ ବରକୁ ବିବାହ କରିବ ନାହିଁ ବୋଲି ରୋକଠୋକ୍‌ ଶୁଣାଇ ଦେଇଥିଲା। ଏଥିରେ ଉତ୍‌କ୍ଷିପ୍ତ ହୋଇ ଉଠିଥିଲା ବର, ନିଶାସକ୍ତ ଭାଇ ସୁଦାମ ସହ ମିଶି ପମିତାଙ୍କ ମା’, ଭାଇ ଓ ଭଣଜାଙ୍କୁ ପିଟି ଚାଲିଲା। ସାହାନାଇ ବନ୍ଦ ହୋଇ ଯାଇଥିଲା, ରଣକ୍ଷେତ୍ର ପାଲଟି ଯାଇଥିଲା ବିବାହ ମଣ୍ଡପ। ଶେଷକୁ ପମିତାଙ୍କ ଭାଇ ଟାଙ୍ଗରପାଲି ଥାନାରେ ଅଭିଯୋଗ କରିଥିଲେ। ପୁଲିିସ ମଦ୍ୟପ ବର ଶଙ୍କର ଓ ଭାଇ ସୁଦାମଙ୍କୁ ଉଠାଇ ଆଣି ଥାନାରେ ଅଟକ ରଖିଥିଲା। ୫ ତାରିଖରେ ପୁଲିିସ ଶଙ୍କର ଓ ସୁଦାମଙ୍କୁ କୋର୍ଟ ଚାଲାଣ ପାଇଁ ପ୍ରସ୍ତୁତ ହେଉଥିଲା। ଚେତା ପଶିଥିଲା ବରର। ସେ ନିଜ ଭୁଲ୍‌ ମାନିବା ସହ ମଙ୍ଗୁଳା କନ୍ୟାକୁ ବିବାହ କରିବାକୁ କନ୍ୟା ପିତାମାତାଙ୍କୁ କାକୁତିମିନତି ହୋଇଥିଲା। ମଙ୍ଗୁଳା ଥିବାରୁ କନ୍ୟା ଘର ଲୋକେ ବି ଏଥିରେ ରାଜି ହୋଇଥିଲେ। ସନ୍ଧ୍ୟାରେ ଥାନା ପରିସରରେ ଉଭୟ ବର ଓ କନ୍ୟାପକ୍ଷ ମଧ୍ୟରେ ଏ ସମ୍ପର୍କିତ ଚୁକ୍ତିନାମା ହେବା ପରେ ମାମଲା ପ୍ରତ୍ୟାହାର କରି ନେଇଥିଲେ କନ୍ୟାପକ୍ଷ। ଏହାପରେ ଥାନା ପରିସରରେ ଉଭୟ ପକ୍ଷଙ୍କ ଉପସ୍ଥିତିରେ ବର-କନ୍ୟା ପରସ୍ପରକୁ ବରଣମାଳା ପିନ୍ଧାଇଥିଲେ। ତେବେ ମାମଲା ରୁଜୁ ହୋଇଥିବାରୁ ଉଭୟ ପକ୍ଷଙ୍କ ଚୁକ୍ତିପତ୍ରକୁ କୋର୍ଟରେ ଦାଖଲ କରିବା ପରେ କୋର୍ଟରେ ନୀତିଗତ ଭାବେ ସେମାନଙ୍କ ବିବାହ ହେବ ବୋଲି ପୁଲିସ କହିଥିଲା। ଏହାପରେ ପମିତାଙ୍କୁ ନେଇ ଶଙ୍କର ନିଜ ଘରକୁ ଫେରିଥିଲେ। ୬ ତାରିଖରେ ସେମାନଙ୍କ କୋର୍ଟରେ ବିବାହ ହୋଇଥା’ନ୍ତା। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା। ହେଲେ ସକାଳେ ପ୍ରୀତି ଥାନାରେ ପହଞ୍ଚିବା ପରେ ଦୃଶ୍ୟ ବଦଳି ଯାଇଥିଲା।

ସମ୍ବନ୍ଧିତ ଖବର