ଜର୍ମାନୀ ସରକାର ଯୁବଗୋଷ୍ଠୀଙ୍କୁ ବହି, ଥିଏଟର, ସଂଗୀତ, ସଂଗ୍ରହାଳୟ ଓ ସିନେମା ଆଦିରେ ଖର୍ଚ୍ଚ କରିବା ପାଇଁ ୨୦୦ ୟୁରୋ ପ୍ରଦାନ କରିବା ଚର୍ଚ୍ଚାର ବିଷୟ ହୋଇଛି। ୨୦୨୩ରେ ୧୮ ବର୍ଷ ପୂରୁଥିବା ପ୍ରାୟ ସାଢ଼େ ୭ ଲକ୍ଷ ଜର୍ମାନ୍ ନାଗରିକ ୨୦୦ ୟୁରୋ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ସେମାନେ ଏହି ଟଙ୍କାକୁ ଦୁଇ ବର୍ଷ ଭିତରେ ନିର୍ଦ୍ଧାରିତ ଆପ୍ ବା ୱେବ୍ସାଇଟ୍ ମାଧ୍ୟମରେ ଖର୍ଚ୍ଚ କରିପାରିବେ।
ସରକାର ଯୁବବର୍ଗଙ୍କୁ ସାଂସ୍କୃତିକ କ୍ଷେତ୍ରରେ ଖର୍ଚ୍ଚ ପାଇଁ ୨୦୦ ୟୁରୋ ଦେବାର ଦୁଇଟି ଉଦ୍ଦେଶ୍ୟ ରହିଛି। ପ୍ରଥମତଃ ସେମାନେ କୋଭିଡ୍ ପରର ଘରେ ବସି ରହିବା ଅବସ୍ଥାରୁ ନିଜକୁ ମୁକୁଳାଇ ଦେଶର ସଂସ୍କୃତି ପ୍ରତି ଆକର୍ଷିତ ହେବେ ଏବଂ ଦ୍ବିତୀୟରେ ବାରମ୍ବାର ଲକ୍ଡାଉନ୍ ଯୋଗୁଁ ଫିକା ପଡ଼ିଯାଇଥିବା ଦେଶର କଳା ଓ ସାହିତ୍ୟ କ୍ଷେତ୍ରକୁ ଚଳଚଞ୍ଚଳ କରିବ। ଯଦି ସରକାରଙ୍କ ଏହି ଯୋଜନା ସଫଳ ହୁଏ, ତେବେ ଅନ୍ୟ ବୟସର ନାଗରିକମାନଙ୍କୁ ମଧ୍ୟ ଅନୁରୂପ ପ୍ରବେଶପତ୍ର ଯୋଗାଇ ଦିଆଯିବ ବୋଲି ସଂସ୍କୃତି ମନ୍ତ୍ରୀ କ୍ଲୋଡିଆ ରଥ୍ ଘୋଷଣା କରିଛନ୍ତି।
ଅବଶ୍ୟ ଏପରି ପ୍ରୋତ୍ସାହନ ଘୋଷଣା କରିବାରେ ଜର୍ମାନୀ ପ୍ରଥମ ୟୁରୋପୀୟ ରାଷ୍ଟ୍ର ନୁହେଁ। ପୂର୍ବରୁ ଗତ ମାର୍ଚ୍ଚ ମାସରେ ସ୍ପେନ୍ ମଧ୍ୟ ୧୮ ବର୍ଷୀୟମାନଙ୍କୁ ୪୦୦ ୟୁରୋ ଲେଖାଏଁ ଦେବାର ଘୋଷଣା କରିଥିଲା। ସେହିପରି ଫ୍ରାନ୍ସ ମଧ୍ୟ ଯୁବପିଢ଼ିଙ୍କୁ ୩୦୦ ୟୁରୋ ପ୍ରଦାନ କରିଥିଲା।