ଭାରତରେ ରହିଛି ଏମିତି ଏକ ସ୍କୁଲ, ଯେଉଁଠି ବାଳିକାମାନଙ୍କୁ ମାଗଣାରେ ପାଠପଢ଼ା ସହ ପ୍ରତିଦିନ ମିଳିଥାଏ ୧୦ ଟଙ୍କା!

ବାଳିକାମାନଙ୍କୁ ଶିକ୍ଷା ପ୍ରତି ଆକୃଷ୍ଟ କରିବା ନିମନ୍ତେ ଦେଶରେ ବିଭିନ୍ନ କାର୍ଯ୍ୟକ୍ରମ କରାଯାଉଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏହାର ସୁଫଳ ମିଳିପାରି ନାହିଁ। ଏବେ ମଧ୍ୟ ଭାରତରେ ୩୦ ଲକ୍ଷ ବାଳିକା ଏମିତି ଅଛନ୍ତି ଯେଉଁମାନେ ସ୍କୁଲ ଶିକ୍ଷାରୁ ବଞ୍ଚିତ ହୋଇଛନ୍ତି। ଆଉ ଗ୍ରାମାଞ୍ଚଳ କଥା ନ କହିବା ତ ଭଲ। କାରଣ ଗ୍ରାମାଞ୍ଚଳରେ ପ୍ରତି ୧୦୦ ଜଣ ଯୁବତୀଙ୍କ ମଧ୍ୟରୁ ମାତ୍ର ଜଣେ ଯୁବତୀ ଦ୍ୱାଦଶ ଶେଣ୍ରୀ ପର୍ଯ୍ୟନ୍ତ ପଢି ପାରୁଛନ୍ତି। ଅଧିକାଂଶ ଯୁବତୀମାନେ ଅର୍ଥ ଅଭାବ ଯୋଗୁଁ ସ୍କୁଲ ଯାଇପାରୁନାହାନ୍ତି । କିନ୍ତୁ ଉତ୍ତର ପ୍ରଦେଶରେ ଏମିତି ଏକ ସ୍କୁଲ ଅଛି ଯେଉଁଠାରେ ଏହିସବୁ ଅସୁବିଧାକୁ ଦେଖି ଯୁବତୀମାନଙ୍କୁ ଶିକ୍ଷିତ କରିବାକୁ ନୂଆ ଉପାୟ ଆପଣା ଯାଇଛି।

ଏହି ସ୍କୁଲରେ ନା କେବଳ ଝିଅମାନଙ୍କୁ ମାଗଣାରେ ପାଠପଢା ହୁଏ ବରଂ ସ୍କୁଲରେ ପାଠ ପଢୁଥିବା ପ୍ରତି ଝିଅଙ୍କ ନାଁରେ ପ୍ରତିଦିନ ୧୦ ଟଙ୍କା ଲେଖାଏଁ ବ୍ୟାଙ୍କରେ ଜମା କରାଯାଉଛି। ଏହାଛଡା ଝିଅମାନଙ୍କ ସ୍କୁଲ ଯିବା ଆସିବା ଠାରୁ ଆରମ୍ଭ କରି ମଧ୍ୟାହ୍ନ ଭୋଜନ ଓ ଡ୍ରେସ, ବ୍ୟାଗ ମଧ୍ୟ ମାଗଣାରେ ଦିଆଯାଇଥାଏ। ଉତ୍ତର ପ୍ରଦେଶର ବୁଲନ୍ଦସହରରେ ଥିବା ଏହି ସ୍କୁଲର ନାଁ ହେଉଛି ପରଦାଦା ପରଦାଦୀ ଏଜୁକେସନ ସୋସାଇଟି।

ଏହି ସୋସାଇଟି ୨୦୦୦ ମସିହାର ଆରମ୍ଭ ହୋଇଥିଲା। ଯାହାର ଆରମ୍ଭ କରିଥିଲେ ବିରେନ୍ଦ୍ର ସିଂହ ନାମକ ଜଣେ ବ୍ୟକ୍ତି। ଏବେ ସେ ସ୍କୁଲ ମାଧ୍ୟମରେ ଝିଅମାନଙ୍କୁ ଶିକ୍ଷା ପ୍ରଦାନ କରୁଛନ୍ତି। ସାଧାରଣ ପରିବାରରେ ଜନ୍ମ ନେଇଥିବା ବିରେନ୍ଦ୍ର ପରବର୍ତ୍ତୀ ସମୟରେ କ୍ୟାରିଅର ପାଇଁ ଆମେରିକା ଚାଲି ଯାଇଥିଲେ ସେଠାରେ କିଛି ବର୍ଷ କାମ କରିବା ପରେ ପୁଣିଥରେ ଭାରତ ଫେରି ଆସିଥିଲେ। ଆଉ ଭାରତକୁ ଆସିବା ପରେ ଆରମ୍ଭ କରିଥିଲେ ସ୍କୁଲ। ଏହି ସ୍କୁଲ ଝିଅମାନଙ୍କୁ ଶିକ୍ଷାଦାନ ବ୍ୟତୀତ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ବିଭିନ୍ନ କାର୍ଯ୍ୟ ଶିଖାଇଥାନ୍ତି ।

ଏଠାରେ ଝିଅମାନଙ୍କୁ ତିନି ଥର ଖାଇବାକୁ ଦିଆଯିବା ସହ ପ୍ରତିଦିନ ବ୍ୟାଙ୍କ ଆକାଉଣ୍ଟରେ ୧୦ ଟଙ୍କା ଲେଖାଏଁ ଜମା କରାଯାଇଥାଏ। ଝିଅମାନେ ଦ୍ୱାଦଶ ଶ୍ରେଣୀ ପାସ କରିବା ପରେ ଏହି ଟଙ୍କା ତାଙ୍କୁ ଦିଆଯାଇଥାଏ। ଯାହା ପାଖାପାଖି ୪୦ ହଜାର ଟଙ୍କା ହୋଇ ଯାଇଥାଏ। ପ୍ରଥମେ ୪୧ ଜଣ ଝିଅଙ୍କୁ ନେଇ ଏହି ସ୍କୁଲ ଆରମ୍ଭ କରାଯାଇଥିଲା କିନ୍ତୁ ଗୋଟିଏ ସପ୍ତାହ ପରେ ଏଠାରେ ମାତ୍ର ୧୩ଜଣ ଛାତ୍ରୀ ହିଁ ରହିଥିଲେ। କାରଣ ଅନ୍ୟ ଝିଅମାନଙ୍କ ପରିବାର ଲୋକ ନୂଆ ସାଇକେଲ, ପାଠ୍ୟ ପୁସ୍ତକ ଓ ପୋଷାକକୁ କମ ଦାମରେ ବିକ୍ରି କରି ଦେଇଥିଲେ। କିନ୍ତୁ ଏଥିରେ ହାର ମାନି ନଥିଲେ ବିରେନ୍ଦ୍ର। ଲଗାତାର କଠିନ ପରିଶ୍ରମ ବଳରେ ଏବେ ଏହି ସ୍କୁଲରେ ଛାତ୍ରୀଙ୍କ ସଂଖ୍ୟା ୧୩୫୦ରେ ପହଞ୍ଚିଛି।

ଯେଉଁ ଛାତ୍ରୀମାନେ ସ୍କୁଲ ଠାରୁ ୫ କିଲୋମିଟର ଦୂରରୁ ଆସୁଥାନ୍ତି ତାଙ୍କୁ ସାଇକେଲ, ପାଠ୍ୟପୁସ୍ତକ ଓ ପୋଷାକ ମାଗଣରେ ଦିଆଯାଇଥାଏ। ୫ କିଲୋମିଟରରୁ ଦୂରରୁ ଆସୁଥିବା ଛାତ୍ରୀମାନଙ୍କ ପାଇଁ ବସ ରହିଛି। ଯେଉଁଥିରେ ସେମାନେ ସ୍କୁଲକୁ ଆସିଥାନ୍ତି। ଏହି ସ୍କୁଲ ବର୍ଷରେ ୧୨ ମାସ ଖୋଲା ରହିଥାଏ । ଏପରିକି ବର୍ଷର ୮ ମାସ ପର୍ଯ୍ୟନ୍ତ ଏହା ୧୦ ଘଣ୍ଟା ଧରି ଚାଲିଥାଏ। କିନ୍ତୁ ଶୀତଦିନ ୪ ମାସ ଏହା ୮ ଘଣ୍ଟା ଧରି ଚାଲିଥାଏ। ସ୍କୁଲରେ କେବଳ ପଢା ଯାଇଥାଏ ତାହା ନୁହେଁ ବରଂ ଖେଳକୁଦ ସହ କମ୍ପୁଟର ଶିକ୍ଷା ମଧ୍ୟ ଦିଆ ଯାଇଥାଏ। ଏହି ସ୍କୁଲରେ ଭଲ ପଢୁଥିବା ଖାସକରି ଇଂରାଜୀରେ ଭଲ କରି କଥା ହେଉଥିବା ଛାତ୍ରୀମାନଙ୍କ ପାଇଁ କଲ ସେଣ୍ଟର ମଧ୍ୟ ଖୋଲାଯାଇଛି। ଯାହା ଗୁଡଗାଓଁର ଏକ କମ୍ପାନି ପାଇଁ କାମ କରୁଛି। ଏବେ ଏହି କଲ ସେଣ୍ଟରରେ ୨୧ ଜଣ ଝିଅ କାମ କରୁଛନ୍ତି। ଦେଶ ଓ ବିଦେଶରୁ ମିଳୁଥିବା ଦାନ ଟଙ୍କାରେ ଏହି ସ୍କୁଲରେ ଖର୍ଚ୍ଚ କରାଯାଇଥାଏ।

ସମ୍ବନ୍ଧିତ ଖବର