ଯେତେବେଳେ କୌଣସି ନୂଆ ଔଷଧ ଉଦ୍ଭାବିତ ହୁଏ, ତାହା ପ୍ରଥମେ ମଣିଷ ବ୍ୟବହାର ଉପଯୋଗୀ କି ନାହିଁ ପରୀକ୍ଷା କରାଯାଏ। ଆଉ ଏହି ପରୀକ୍ଷା ପ୍ରଥମେ ମୂଷାମାନଙ୍କ ଠାରେ କରାଯାଏ। େତବେ ମୂଷା କାହିଁକି? ଜୈବିକ ଭାବେ ମଣିଷ ଓ ମୂଷା ମଧ୍ୟରେ କୌଣସି ସମାନତା ନଥିଲେ ହେଁ ଡିଏନ୍ଏଗତ ସାମଞ୍ଜସ୍ୟ ରହିଛି। ମୂଷା ଜିନ୍ର ପ୍ରାୟ ୮୦% ମଣିଷ ଜିନ୍ ସହ ମିଶେ। ଆମେରିକାର ଫାଉଣ୍ଡେସନ୍ ଫର୍ ବାୟୋମେଡିକାଲ୍ ରିସର୍ଚ୍ଚ ଅନୁଯାୟୀ, ମଣିଷ ଓ ପରୀକ୍ଷାଗାରରେ ବ୍ୟବହୃତ ହେଉଥିବା ମୂଷାଙ୍କ ଜିନ୍ ପ୍ରାୟତଃ ଏକାପରି। ମୂଷା ଓ ମଣିଷର ଅନେକ ଜୈବିକ ପ୍ରକ୍ରିୟା ପ୍ରାୟତଃ ସମାନ। ରୋଗପ୍ରତିରୋଧକ ଶକ୍ତି, ମସ୍ତିଷ୍କର ଗଠନ, ହର୍ମୋନାଲ୍ ସିଷ୍ଟମ୍ ଓ ଅଙ୍ଗପ୍ରତ୍ୟଙ୍ଗର କାର୍ଯ୍ୟକାରିତା ପ୍ରାୟତଃ ଏକାଭଳି ହୋଇଥାଏ।
ମଣିଷର ସ୍ବାର୍ଥ ପାଇଁ ପ୍ରାଣୀଙ୍କୁ ବ୍ୟବହାର କରିବା ନିନ୍ଦନୀୟ
ସଂପ୍ରତି ଭିନ୍ନ ଭିନ୍ନ ଔଷଧ ଓ ପ୍ରସାଧନ ସାମଗ୍ରୀର ଉପଯୋଗିତା ପରୀକ୍ଷାନିରୀକ୍ଷା କରିବାକୁ ଗବେଷଣାଗାରରେ ମୂଷା, ଠେକୁଆ, ମାଙ୍କଡ଼ ଓ ସିମ୍ପାଞ୍ଜିମାନଙ୍କ ଭଳି ପ୍ରାଣୀଙ୍କ ଶରୀରରେ ଏହା ପ୍ରଥମେ ପ୍ରୟୋଗ କରାଯାଉଛି। ଏହି ସମୟରେ ସେମାନେ ଯନ୍ତ୍ରଣାର ଶିକାର ହେବା ସହ ବିକଳାଙ୍ଗ ବି ହୋଇପଡ଼ନ୍ତି। ଅଧିକାଂଶ ସମୟରେ ମୃତ୍ୟୁକୁ ଆଲିଙ୍ଗନ କରନ୍ତି। ନିଜକୁ ସଭ୍ୟ ବୋଲାଉଥିବା ମଣିଷ କିନ୍ତୁ ପ୍ରାଣୀମାନଙ୍କ ପ୍ରତି ଦୟା ପ୍ରଦର୍ଶନ ନକରି ପରୀକ୍ଷାନିରୀକ୍ଷା ଜାରିରଖିଛି। ଏହାଦ୍ୱାରା ପ୍ରାଣୀମାନଙ୍କର ବଞ୍ଚିବା ଅଧିକାର ଉଲ୍ଲଂଘନ ହେଉଛି। ଏଭଳି ପରୀକ୍ଷା ପ୍ରାଣୀମାନଙ୍କର କ୍ଷତିସାଧନ କରିବା ସହିତ ବିଭିନ୍ନ ସମୟରେ ଅନୁପଯୋଗୀ ବୋଲି ଆଧୁନିକ ପରୀକ୍ଷାରେ ସାବ୍ୟସ୍ତ ହେଲାଣି। ତେଣୁ ଆଜିର ଦିନରେ ଆମେ ଏଭଳି ପରୀକ୍ଷାନିରୀକ୍ଷାରୁ ନିବୃତ ରହିବା ଆବଶ୍ୟକ। ଏହା ପ୍ରାଣୀହିଂସା ଆଇନ ଅନୁଯାୟୀ ଦଣ୍ଡନୀୟ ଅପରାଧ।
-ତୀର୍ଥ କୁମାର ସାହୁ
ପ୍ରାଣୀ ଅଧିକାର କର୍ମୀ ଓ ଆଇନଜୀବୀ, ଭୁବନେଶ୍ବର
ମୂଷାଠାରେ ଔଷଧର ପରୀକ୍ଷାମୂଳକ ପ୍ରୟୋଗ ମଣିଷ ଉପରେ ଏହାର ପ୍ରଭାବ ସଂପର୍କରେ ସଙ୍କେତ ଦେଇଥାଏ। ଗବେଷଣାରୁ ଜଣାଯାଇଛି, ଏଥିଲାଗି ମୂଷା ହେଉଛି ସର୍ବଶ୍ରେଷ୍ଠ ବିକଳ୍ପ। ମୂଷା କ୍ଷେତ୍ରରେ ପ୍ରୟୋଗର ଫଳାଫଳ ଖୁବ୍ଶୀଘ୍ର ମିଳିଥାଏ। ଉଦାହରଣସ୍ବରୂପ, କରୋନା ଟିକାର ପରୀକ୍ଷାମୂଳକ ପ୍ରୟୋଗ ପ୍ରଥମେ କ୍ଷୁଦ୍ର ଜୀବ ଓ ମୂଷାଙ୍କ ଉପରେ କରାଯାଇଥିଲା। ଏଥିରୁ ଏହାର ନିରାପତ୍ତା ଓ ପ୍ରତିଷେଧକ ଶକ୍ତି ଜଣାପଡ଼ିଥିଲା। ପୁଣି ଏହି ଟିକାକୁ ବାନର ଜାତୀୟ ପ୍ରାଣୀଙ୍କ ଉପରେ ପରୀକ୍ଷା କରାଯିବା ପରେ ସଫଳତା ମିଳିଥିଲା। ତେବେ ଦୁଃଖର କଥା ହେଲା, ଏହିପରି କିଛି ପରୀକ୍ଷାମୂଳକ ଔଷଧ ବା ଟିକାର ପାର୍ଶ୍ବ ପ୍ରଭାବ ଘାତକ ସାବ୍ୟସ୍ତ ହୋଇଥାଏ। ଫଳରେ ମୂଷା ଭଳି ପ୍ରାଣୀ ବଳି ପଡ଼ିଥାଆନ୍ତି। ଏହାକୁ ପ୍ରାଣୀପ୍ରେମୀମାନେ ବିରୋଧ କରିବା ଆରମ୍ଭ କରିଛନ୍ତି। ଏ ପ୍ରସଙ୍ଗରେ ବେଙ୍ଗାଲୁରୁରେ ଅବସ୍ଥାପିତ ଔଷଧ ବିଜ୍ଞାନୀ ପ୍ରିତୋଷ ପଟ୍ଟନାୟକ କହନ୍ତି,‘‘ଜୀବଜଗତ୍ରେ ଗୋଟିଏ ଜାତିର ପ୍ରାଣୀକୁ ବଞ୍ଚାଇବା ଲାଗି ଅନ୍ୟ ଜାତିର ପ୍ରାଣୀଙ୍କୁ ବ୍ୟବହାର କରିବା ନୂଆ କଥା ନୁହେଁ। ଆମେ କ୍ଷୁଧା ନିବାରଣ ଲାଗି ତ ପୁଣି ଛେଳି, କୁକୁଡ଼ା ଓ ମାଛ ଖାଉଛୁ? ମାନବ ସମାଜର ମଙ୍ଗଳ ଲାଗି ମୂଷାଙ୍କ ଦେହରେ ଔଷଧର ପରୀକ୍ଷାମୂଳକ ପ୍ରଯୋଗ କରାଯାଉଛି। ଏ କ୍ଷେତ୍ରରେ ସେମାନେ ଯେଭଳି କ୍ଷତିଗ୍ରସ୍ତ ହେବେନାହିଁ କିମ୍ବା କ୍ଷତିର ପରିମାଣ ନଗଣ୍ୟ ହେବ ତା’ଉପରେ ଧ୍ୟାନ ଦିଆଯାଉଛି।’’
ଲଣ୍ତନ୍ରେ କାର୍ଯ୍ୟରତ ପ୍ରାଣୀ ଅଧିକାର ସୁରକ୍ଷା ସଂସ୍ଥା ‘ନ୍ୟାସ୍ନାଲ୍ ଆଣ୍ଟି-ଭିଭିସେକ୍ସନ୍ ସୋସାଇଟି’ ଆନୁକୂଲ୍ୟରେ ‘ବିଶ୍ବ ପରୀକ୍ଷାଗାର ପ୍ରାଣୀ ଦିବସ’ ବା ‘ଵାର୍ଲ୍ଡ ଡେ ଫର୍ ଆନିମଲ୍ସ୍ ଇନ୍ ଲାବରେଟରିଜ୍’ ପାଳନ କରାଯାଉଛି। ୧୯୮୦ରେ ‘ପିପୁଲ୍ ଫର୍ ଦ ଏଥିକାଲ୍ ଟ୍ରିଟ୍ମେଣ୍ଟ୍ ଅଫ୍ ଆନିମଲ୍ସ’(ପେଟା)ର ପ୍ରତିଷ୍ଠାତା ଇନ୍ଗ୍ରିଡ୍ ନିଉକିର୍କ୍ ଏହି ଦିବସ ପାଳନ ଆରମ୍ଭ କରିଥିଲେ। ପରୀକ୍ଷାଗାରରେ ଗବେଷଣା କାର୍ଯ୍ୟରେ ବ୍ୟବହୃତ ହେଉଥିବା ପ୍ରାଣୀଙ୍କ ସୁରକ୍ଷା ବାବଦରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଏହି ଦିବସ ପାଳନ କରାଯାଉଛି।