ସ୍ବାଧୀନତାର ମହାନାୟକ: ଅନ୍ନପୂର୍ଣ୍ଣା ମହାରଣା

ମାତୃଭୂମିର ସ୍ବାଧୀତନା ପାଇଁ ବାଲ୍ୟକାଳରୁ ସଂଘର୍ଷ କରିଥିବା ଓଡ଼ିଶାର ଅନ୍ୟତମ ସ୍ବାଧୀନତା ସଂଗ୍ରାମୀ ତଥା ସମାଜ ସଂସ୍କାରକ ଥିଲେ ଅନ୍ନପୂର୍ଣ୍ଣା ମହାରଣା। ତାଙ୍କର ସଂପୂର୍ଣ୍ଣ ଜୀବନ ନିଃସ୍ବାର୍ଥପର ଦେଶପ୍ରେମ ଓ ସମାଜସେବାର ଏକ ବଳିଷ୍ଠ ଉଦାହରଣ। ୧୯୧୭ ନଭେମ୍ବର ୩ ତାରିଖରେ କଟକରେ ସେ ଜନ୍ମଗ୍ରହଣ କରିଥିଲେ। ଅନ୍ନପୂର୍ଣ୍ଣା କୌଣସି ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରି ନ ଥିଲେ କିନ୍ତୁ ଘରୋଇ ଶିକ୍ଷାଲାଭ କରି ଓଡ଼ିଆ, ଇଂରେଜୀ, ହିନ୍ଦୀ, ସଂସ୍କୃତ, ବଙ୍ଗଳା ଓ ଗୁଜୁରାଟୀ ଭାଷାରେ ପାରଙ୍ଗମ ହୋଇଥିଲେ। ପିତା ଗୋପବନ୍ଧୁ ଚୌଧୁରୀ ଓ ମାତା ରମାଦେବୀ ଉଭୟ ସ୍ବାଧୀନତା ସଂଗ୍ରାମୀ ହୋଇଥିବାରୁ ସେ ଅଳ୍ପବୟସରୁ ସ୍ବାଧୀନତା ଆନ୍ଦୋଳନ ସହିତ ଯୋଡ଼ି ହୋଇଥିଲେ। ତାଙ୍କୁ ଜୟପ୍ରକାଶ ନାରାୟଣ, ଆଚାର୍ଯ୍ୟ ବିନୋବା ଭାବେ, ଉତ୍କଳଗୋରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ, ଆଚାର୍ଯ୍ୟ ହରିହରଙ୍କ ଭଳି ମହାନ ଜନନେତାଙ୍କ ସଂସ୍ପର୍ଶରେ ଆସିବାର ସୌଭାଗ୍ୟ ମିଳିଥିଲା। ତାଙ୍କର ପରିବାରର ଅନ୍ୟମାନେ ମଧ୍ୟ ଥିଲେ ସ୍ବାଧୀନତା ସଂଗ୍ରାମର ଲଢୁଆ ସୈନିକ। ସ୍ବାଭାବିକ ଭାବେ କିଶୋରୀ ଅନ୍ନପୂର୍ଣ୍ଣାଙ୍କ ମନରେ ଗଭୀର ଦେଶପ୍ରେମ ଉଦ୍ରେକ ହୋଇଥିଲା। ୧୯୩୦ରେ ଗାନ୍ଧୀଜୀଙ୍କ ଆହ୍ବାନରେ କଟକରେ ଏକ ଘୋଷଣାପତ୍ରରେ ସ୍ବାକ୍ଷର କରିବାର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଅନ୍ନପୂର୍ଣ୍ଣା ତାଙ୍କର ଖୁଡ଼ୀ ମାଳତୀ ଦେବୀଙ୍କ ସହିତ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଘୋଷଣାପତ୍ରରେ ସ୍ବାକ୍ଷର କରିଥିଲେ। ସେହି ଦିନ ଠାରୁ ତାଙ୍କ ସଂଗ୍ରାମୀ ଜୀବନ ଆରମ୍ଭ ହୋଇଥିଲା। ସ୍ବାଧୀନତା ସଂଗ୍ରାମରେ ସଂପୃକ୍ତି ପାଇଁ ତାଙ୍କୁ ମାତ୍ର ୧୪ ବର୍ଷ ବୟସରେ ବ୍ରିଟିସ ପୁଲିସ ଗିରଫ କରିଥିଲା।

ଇନ୍ଦିରା ଗାନ୍ଧୀଙ୍କ ଦ୍ବାରା ଗଠିତ ‘ବାନର ସେନା’ରେ ସେ ଯୋଗ ଦେଇ କଂଗ୍ରେସକୁ ସ୍ବାଧୀନତା ହାସଲ ଦିଗରେ ଯଥାସମ୍ଭବ ସାହାଯ୍ୟ କରିଥିଲେ। ସେ ଘର ଘର ବୁଲି ବିଲାତୀ ଲୁଗା ସଂଗ୍ରହ କରିବା, ଶୋଭାଯାତ୍ରାରେ ଜାତୀୟ ସଂଗୀତ ଗାନ କରିବା, ମଦ ଗଞ୍ଜେଇ ଦୋକାନ ଆଗରେ ଧାରଣା ଦେବା ଇତ୍ୟାଦି କରୁଥିଲେ। ୧୯୩୪ ମସିହାରେ ମହାତ୍ମା ଗାନ୍ଧୀ ଅସ୍ପୃଶ୍ୟତା ନିବାରଣ ଏବଂ ସ୍ବାଧୀନତା ଆନ୍ଦୋଳନ ବାର୍ତ୍ତା ପ୍ରଚାର ପାଇଁ ଓଡ଼ିଶା ଆସିଥିଲେ। ଅନ୍ନପୂର୍ଣ୍ଣା ତାଙ୍କ ସହିତ ପଦଯାତ୍ରାରେ ବୁଲିଥିଲେ। ଗାନ୍ଧୀଜୀ ତାଙ୍କ ନେତୃତ୍ବ ଓ ଦେଶପ୍ରେମକୁ ପ୍ରଶଂସା କରିଥିଲେ। ୧୯୩୮ ମସିହାରେ ସେ ‘ଗାନ୍ଧୀ ସେବା ସଂଘ’ ବୃତ୍ତି ଲାଭ କରି ୱାର୍ଦ୍ଧା ମହିଳା ଆଶ୍ରମ ଯାଇ ସେଠାରେ ମୌଳିକ ଶିକ୍ଷାର ପ୍ରଶିକ୍ଷଣ ନେଇଥିଲେ। ୧୯୪୨ ମସିହାରେ ସମାଜରୁ ଜାତିଭେଦ ବିଲୋପନ ଲକ୍ଷ୍ୟ ନେଇ ସେ ନିଜ ଜାତି ବାହାରେ ବିବାହ କରିଥିଲେ। ସ୍ବାଧୀନତା ସଂଗ୍ରାମୀ ଶରତ ଚନ୍ଦ୍ର ମହାରଣାଙ୍କ ସହିତ ତାଙ୍କର ବିବାହ ସମ୍ପନ୍ନ ହୋଇଥିଲା। ଭାରତଛାଡ଼ ଆନ୍ଦୋଳନ ତୀବ୍ର ରୂପ ଧାରଣ କରିଥିବା ବେଳେ ସେ ସେଥିରେ ଝାସ ଦେଇଥିଲେ। ତାଙ୍କୁ ଗିରଫ କରାଯାଇ ପ୍ରାୟ ଦୁଇ ବର୍ଷ କଟକ କେନ୍ଦ୍ରୀୟ ଜେଲରେ ରଖାଯାଇଥିଲା। ଜେଲରୁ ମୁକ୍ତ ହେବା ସମୟରେ ଯାଜପୁର ଅଞ୍ଚଳରେ ପ୍ରବେଶ ନ କରିବାକୁ ତାଙ୍କୁ ସରକାରୀ ନିର୍ଦ୍ଦେଶ ମିଳିଥିଲା। କିନ୍ତୁ ଅନ୍ନପୂର୍ଣ୍ଣା ତାହାକୁ ଅମାନ୍ୟ କରି ଯାଜପୁର ପ୍ରବେଶ କରିଥିଲେ। ଫଳରେ ତାଙ୍କୁ ପୁଣି ଥରେ ପାଞ୍ଚ ମାସ ଜେଲ୍‌ରେ ରଖାଯାଇଥିଲା। ଏହିପରି ଭାବେ ସେ ଭାରତୀୟ ସ୍ବାଧୀନତା ସଂଗ୍ରାମ ଇତିହାସରେ ନିଜର ସୁବର୍ଣ୍ଣ ପଦଚିହ୍ନ ଛାଡ଼ିଥିଲେ। ୧୯୪୬ ମସିହାରେ ସେ ‘କସ୍ତୁରବା ଗାନ୍ଧୀ ସ୍ମାରକନିଧି’ ଦ୍ବାରା ପରିଚାଳିତ ବରୀ ରାମଚନ୍ଦ୍ରପୁର ତାଲିମ ଶିବିରରେ ଯୋଗ ଦେଇ ସେବାକୁ ଜୀବନର ବ୍ରତ ରୂପେ ଗ୍ରହଣ କରିଥିଲେ। ଦେଶ ସ୍ବାଧୀନ ହେବା ପରେ ସେ ବିନୋବାଙ୍କ ସହିତ ଭୂଦାନ ଆନ୍ଦୋଳନରେ ଯୋଗ ଦେଇଥିଲେ। ସେବା କାର୍ଯ୍ୟ ସହିତ ନାରୀ ସଶକ୍ତୀକରଣ, ସାମ୍ପ୍ରଦାୟିକ ସଦ୍‌ଭାବ ପ୍ରତିଷ୍ଠା, ବନ୍ୟା ଓ ମରୁଡ଼ି ସହୟତା ଆଦି କାର୍ଯ୍ୟରେ ସେ ଆଜୀବନ ସକ୍ରିୟ ରହିଥିଲେ। ସ୍ବାଧୀନତା ସଂଗ୍ରାମ ସମୟର ଅଭିଜ୍ଞତାକୁ ନେଇ ସେ ଏକାଧିକ ପୁସ୍ତକ ରଚନା କରିଥିଲେ। ସେ ମହାତ୍ମା ଗାନ୍ଧୀଙ୍କର ବହୁ ଲେଖର ଓଡ଼ିଆ ଅନୁବାଦ କରିଥିଲେ। ‘ଚୁନୁ ଅପା’ ନାମରେ ସୁପରିଚିତ ଏହି ବିଶିଷ୍ଟ ଓଡ଼ିଆ ୨୦୧୨ ଡିସେମ୍ବର ୩୧ ତାରିଖରେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ।

ସମ୍ବନ୍ଧିତ ଖବର