ସ୍ବାଧୀନତାର ମହାନାୟକ କହ୍ନେୟାଲାଲ ମାଣିକଲାଲ ମୁଂଶୀ
କହ୍ନେୟାଲାଲ ମାଣିକଲାଲ ମୁଂଶୀ ଥିଲେ ଆଧୁନିକ ଭାରତର ଅନ୍ୟତମ ନିର୍ମାତା। ନିଜର ସାହିତ୍ୟ ପ୍ରତିଭା ପାଇଁ ସର୍ବାଧିକ ପ୍ରସିଦ୍ଧି ଅର୍ଜନ କରିଥିଲେ ହେଁ ସେ ଓକିଲ, ଶିକ୍ଷାବିତ୍, ରାଜନେତା ଏବଂ ସର୍ବୋପରି ସ୍ବାଧୀନତା ସଂଗ୍ରାମୀ ଭାବେ ଭାରତୀୟ ଇତିହାସରେ ନିଜର ଗଭୀର ଛାପ ଛାଡ଼ିପାରିଥିଲେ। ୧୮୮୭ ଡିସେମ୍ବର ୩୦ରେ ଗୁଜରାଟର ଭରୁଚରେ ସେ ଜନ୍ମଗ୍ରହଣ କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ସ୍କୁଲ୍ ଶିକ୍ଷାରେ ନିଜର ବିଚକ୍ଷଣତା ପ୍ରତିପାଦନ କରିବା ପରେ ସେ ଉଚ୍ଚଶିକ୍ଷା ହାସଲ ପାଇଁ ବରୋଦା କଲେଜରେ ନାମ ଲେଖାଇଥିଲେ। ସେଠାରେ ବିପ୍ଳବୀ ଅରବିନ୍ଦ ଘୋଷ ଥିଲେ ତାଙ୍କର ଅଧ୍ୟାପକ। ଅରବିନ୍ଦଙ୍କ ଦ୍ବାରା ପ୍ରଭାବିତ ହୋଇ କହ୍ନେୟାଲାଲ ସ୍ବାଧୀତନା ସଂଗ୍ରାମରେ ଯୋଗ ଦେବାର ନିଷ୍ପତ୍ତି ନେଇଥିଲେ। ୧୯୦୭ରେ ଆଇନରେ ସ୍ନାତକ ଡିଗ୍ରି ହାସଲ କରିବା ପରେ ସେ ବମ୍ବେ (ଆଜିର ମୁମ୍ବାଇ)କୁ ଓକିଲାତି କରିବା ପାଇଁ ଯାଇଥିଲେ। ତିନି ବର୍ଷ ପରେ ସେ ବମ୍ବେ ହାଇକୋର୍ଟର ଓକିଲ ଭାବେ ସ୍ବୀକୃତି ପାଇଥିଲେ। ଓକିଲାତି କରିବା ସହିତ ସେ ଘନଶ୍ୟାମ ବ୍ୟାସ ଛଦ୍ମନାମ ବ୍ୟବହାର କରି ଲେଖାଲେଖି ଆରମ୍ଭ କରିଥିଲେ। ଇତିମଧ୍ୟରେ ବିଭିନ୍ନ ସାମାଜିକ ପ୍ରସଙ୍ଗ ତାଙ୍କର ଧ୍ୟାନ ଆକର୍ଷଣ କରିଥିଲା। ସେ ‘ଭାର୍ଗବ’ ନାମକ ଏକ ପତ୍ରିକାର ସମ୍ପାଦନା କରି ଜାତି-ଜାତି ମଧ୍ୟରେ ଏକତା, ନାରୀ ଶିକ୍ଷା ଓ ବିଧବା ବିବାହ ସପକ୍ଷରେ ଦୃଢ଼ ଯୁକ୍ତି ଉପସ୍ଥାପନ କରୁଥିଲେ।
ସମାଜରେ ଉଦାହରଣ ସୃଷ୍ଟି କରିବା ପାଇଁ ନିଜେ ଜଣେ ବିଧବାଙ୍କୁ ବିବାହ କରିଥିଲେ। ୧୯୧୬ରେ ସେ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲେ। ଆନି ବେସାନ୍ତଙ୍କ ହୋମ ରୁଲ୍ ଲିଗ୍ରେ ଯୋଗ ଦେଇ ସେ ମହାତ୍ମା ଗାନ୍ଧୀ ଓ ସୁରେନ୍ଦ୍ରନାଥ ବାନାର୍ଜୀଙ୍କ ପରି ଅଗ୍ରଣୀ ସ୍ବାଧୀନତା ସଂଗ୍ରାମୀଙ୍କ ସଂସ୍ପର୍ଶରେ ଆସିଥିଲେ। ବ୍ରିଟିସ୍ ପୁଲିସ ଦ୍ବାରା ଗିରଫ ସ୍ବାଧୀନତା ସଂଗ୍ରାମୀଙ୍କୁ ମୁକ୍ତ କରିବା ପାଇଁ ସେ ଆଇନ ଉପଦେଷ୍ଟାର ଭୂମିକା ନିର୍ବାହ କରୁଥିଲେ। ୧୯୨୭ରେ ସେ ବମ୍ବେ ବିଧାନ ପରିଷଦକୁ ନିର୍ବାଚିତ ହୋଇଥିଲେ, କିନ୍ତୁ ବାରଦୋଲୀ ସତ୍ୟାଗ୍ରହ ପରେ ନିଜ ପଦରୁ ଇସ୍ତଫା ଦେଇଥିଲେ। ୧୯୩୦ରେ ଆଇନ ଅମାନ୍ୟ ଆନ୍ଦୋଳନରେ ଯୋଗ ଦେଇ ପ୍ରଥମ ପର୍ଯ୍ୟାୟରେ ଛଅ ମାସ ଓ ଦ୍ବିତୀୟ ପର୍ଯ୍ୟାୟରେ ଦୁଇ ବର୍ଷ କାରାବରଣ କରିଥିଲେ।
୧୯୩୭ରେ ପୁଣି ଥରେ ବମ୍ବେ ପ୍ରେସିଡେନ୍ସି ନିର୍ବାଚନରେ ଜୟଯୁକ୍ତ ହୋଇ ବମ୍ବେର ଗୃହମନ୍ତ୍ରୀ ହୋଇଥିଲେ। ସେ ଗୃହମନ୍ତ୍ରୀ ଥିବା ବେଳେ ଦଙ୍ଗା ଦମନ ଅଭିଯାନ ଚଳାଇଥିଲେ। ଭାରତୀୟ ସଂସ୍କୃତି, ଶିକ୍ଷା ଓ କଳାର ସଂରକ୍ଷଣର ଲକ୍ଷ୍ୟ ନେଇ ସେ ୧୯୩୮ରେ ‘ଭାରତୀୟ ବିଦ୍ୟା ଭବନ’ ସ୍ଥାପନ କରିଥିଲେ। ୧୯୪୦ରେ ବ୍ୟକ୍ତିଗତ ସତ୍ୟାଗ୍ରହରେ ଭାଗ ନେଇ ସେ ପୁଣି ଥରେ ଗିରଫ ହୋଇଥିଲେ। ପାକିସ୍ତାନ ସୃଷ୍ଟିର ଦାବି ଶକ୍ତିଶାଳୀ ହେବାର ଦେଖି ସେ ଅହିଂସା ନୀତି ତ୍ୟାଗ କରିଥିଲେ ଏବଂ ଗୃହ ଯୁଦ୍ଧ ମାଧ୍ୟମରେ ମୁସଲମାନଙ୍କୁ ବିଭାଜନର ଦାବିରୁ କ୍ଷାନ୍ତ କରିବା ବିଚାରକୁ ସମର୍ଥନ କରିଥିଲେ। ତାଙ୍କର ବିଶ୍ବାସ ଥିଲା ଯେ ‘ଅଖଣ୍ଡ ହିନ୍ଦୁସ୍ଥାନ’ରେ ହିନ୍ଦୁ ଓ ମୁସଲମାନଙ୍କ ଭାଗ୍ୟ-ଭବିଷ୍ୟତ ନିହିତ।
୧୯୪୧ରେ ଅସହମତି ଯୋଗୁଁ ସେ କଂଗ୍ରେସ ଦଳ ଛାଡ଼ିଥିଲେ। ମହାତ୍ମା ଗାନ୍ଧୀଙ୍କ ଆହ୍ବାନରେ କଂଗ୍ରେସକୁ ପ୍ରତ୍ୟାବର୍ତ୍ତନ କରିଥିଲେ। କହ୍ନେୟାଲାଲଙ୍କ ଆଇନ ଡିଗ୍ରି ଦେଶର ସମ୍ବିଧାନ ନିର୍ମାଣ ବେଳେ ଉପଯୋଗୀ ସାବ୍ୟସ୍ତ ହୋଇଥିଲା। ସେ କଂଗ୍ରେସ ଦଳର ଟିକଟରୁ ସମ୍ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ। ୧୬ଟି କମିଟି ଓ ସବ୍-କମିଟିର ସଦସ୍ୟ ରହି ସେ ମୌଳିକ ଅଧିକାର, ନାଗରିକତା ଓ ସଂଖ୍ୟାଲଘୁ ଅଧିକାର ସମ୍ପର୍କିତ ବିତର୍କରେ ଗୁରୁତ୍ବପୂର୍ଣ୍ଣ ହସ୍ତକ୍ଷେପ କରିଥିଲେ। ସ୍ବାଧୀନତା ହାସଲ ପରେ ସେ ୧୯୫୦ରୁ ୧୯୫୩ ମସିହା ଯାଏ କୃଷି ଓ ଖାଦ୍ୟ ମନ୍ତ୍ରୀ ଥିଲେ। କୃଷି ମନ୍ତ୍ରୀ ଥିବା ବେଳେ ସେ ଦେଶରେ ଜଙ୍ଗଲ ଆୟତନ ବୃଦ୍ଧି ପାଇଁ ‘ବନମହୋତ୍ସବ’ ଅଭିଯାନ ଆରମ୍ଭ କରିଥିଲେ। ୧୯୫୩-୫୭ରେ ଉତ୍ତର ପ୍ରଦେଶର ରାଜ୍ୟପାଳ ରହିଥିଲେ। ୧୯୭୧ ଫେବ୍ରୁଆରି ୮ରେ ଏହି ଭାରତୀୟ ମହାନାୟକଙ୍କର ପରଲୋକ ଘଟିଥିଲା।