ସ୍ବାଧୀନତାର ମହାନାୟକ ରାଣୀ ଗାଇଦିନ୍‌ଲ୍ୟୁ

ବ୍ରିଟିସ୍ ଶାସନ ବିରୋଧରେ ହୋଇଥିବା ଭାରତୀୟ ସ୍ବାଧୀନତା ସଂଗ୍ରାମର ସଫଳତା ପଛରେ ଅନେକ ଅନାଲୋଚିତ ବ୍ୟକ୍ତିତ୍ବଙ୍କର ବଳିଷ୍ଠ ଅବଦାନ ରହିଛି। ସେହିଭଳି ଜଣେ କମ୍ ଜଣାଶୁଣା ସ୍ବାଧୀତନା ସଂଗ୍ରାମୀ ଥିଲେ ଉତ୍ତର-ପୂର୍ବ ଭାରତର ନାଗା ଆଧ୍ୟାତ୍ମିକ ତଥା ରାଜନୈତିକ ନେତ୍ରୀ ରାଣୀ ଗାଇଦିନ୍‌ଲ୍ୟୁ। ସେ ନିଜ ଅଞ୍ଚଳର ଲୋକଙ୍କ ଅଧିକାର ସୁରକ୍ଷା ପାଇଁ ବ୍ରିଟିସ୍ ସାମ୍ରାଜ୍ୟ ବିରୋଧରେ ସାହସିକ ଲଢ଼େଇ ସଂଗଠିତ କରିଥିଲେ। ଆଜିର ମଣିପୁର ଅନ୍ତର୍ଗତ ତାମେଙ୍ଗଲଙ୍ଗ ଜିଲ୍ଲାରେ ୧୯୧୫ ଜାନୁଆରି ୨୬ ତାରିଖରେ ‘ରଙ୍ଗମେଇ ନାଗା’ ସମ୍ପ୍ରଦାୟର ଏକ ପରିବାରରେ ରାଣୀଙ୍କର ଜନ୍ମ ହୋଇଥିଲା।

ତାଙ୍କୁ ଯେତେବେଳେ ମାତ୍ର ୧୩ ବର୍ଷ ହୋଇଥିଲା ସେ ସ୍ବାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ। ଏହା ପରେ ତିନି ବର୍ଷ ଧରି ସେ ବ୍ରିଟିସ୍‌ମାନଙ୍କୁ ଦେଶରୁ ତଡ଼ିବା ପାଇଁ ଅବିଶ୍ରାନ୍ତ ଲଢ଼େଇ ଜାରି ରଖିଥିଲେ। ବ୍ରିଟିସ୍ ଅଧିକାରୀଙ୍କ ଦ୍ବାରା ସ୍ଥାନୀୟ ଆଦିବାସୀଙ୍କର ଉତ୍ପୀଡ଼ନ ଓ ଖ୍ରୀଷ୍ଟିଆନ୍ ଧର୍ମପ୍ରଚାରକଙ୍କୁ ବିରୋଧ କରି ରାଣୀଙ୍କର ସମ୍ପର୍କୀୟ ଭାଇ ହାଇପୋଉ ଜାଡ଼ୋନାଙ୍ଗ ‘ହେରାକା ଆନ୍ଦୋଳନ’ ଆରମ୍ଭ କରିଥିଲେ। ଏହି ଆନ୍ଦୋଳନ ସ୍ଥାନୀୟ ଲୋକମାନଙ୍କର ବିପୁଳ ସମର୍ଥନ ପାଇବାକୁ ଲାଗିବାରୁ ଏହା ବ୍ରିଟିସ୍ ଶାସକଙ୍କ ପାଇଁ ଏକ ବିପଦ ରୂପେ ଉଭା ହୋଇଥିଲା। ଏହାର ଦମନ ପାଇଁ ହାଇପୋଉଙ୍କୁ ୧୯୩୧ରେ ଗିରଫ କରାଯାଇ ଫାଶୀ ଦିଆଯାଇଥିଲା। ଭାଇଙ୍କ ଦ୍ବାରା ଆରମ୍ଭ ହୋଇଥିବା ଏହି ଆନ୍ଦୋଳନକୁ ଉଜ୍ଜୀବିତ ରଖିବା ପାଇଁ ରାଣୀ ଏହାର ନେତୃତ୍ବ ଭାର ସମ୍ଭାଳିଥିଲେ।

ନାଗା ଆଦିବାସୀଙ୍କୁ ନେଇ ସେ ନିଜସ୍ବ ଢଙ୍ଗରେ ଅସହଯୋଗ ଆନ୍ଦୋଳନ ଚଳାଇଥିଲେ। ଖୋଲାଖୋଲି ବିଦ୍ରୋହ କରି ସେ ନିଜ ଅଞ୍ଚଳର ସବୁ ଲୋକଙ୍କୁ ବ୍ରିଟିସ୍‌ଙ୍କୁ ଟିକସ ନ ଦେବାକୁ ଆହ୍ବାନ କରିଥିଲେ। ଫଳସ୍ବରୂପ ସେଠାରେ ବ୍ରିଟିସ୍ ପ୍ରଶାସନର ପରିଚାଳନା ବିପନ୍ନ ହୋଇପଡ଼ିଲା। ଏହି କାରଣରୁ ମାତ୍ର ୧୬ ବର୍ଷ ବୟସରେ ତାଙ୍କୁ ବ୍ରିଟିସ୍ ପୁଲିସ ଗିରଫ କରିନେଇଥିଲା ଏବଂ କୋର୍ଟରେ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ଏହା ପରେ ଦୀର୍ଘ ୧୪ ବର୍ଷ ଧରି ସେ ଜେଲ୍‌ରେ ରହିଥିଲେ। ୧୯୩୭ରେ ଜବାହରଲାଲ ନେହରୁ ତାଙ୍କୁ ସିଲଙ୍ଗ ଜେଲ୍‌ରେ ଭେଟିଥିଲେ ଏବଂ ତାଙ୍କୁ ଜେଲ୍‌ରୁ ମୁକ୍ତ କରିବାକୁ ଉଦ୍ୟମ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। କିନ୍ତୁ ଜବାହରଲାଲଙ୍କ ଅନୁରୋଧକୁ ଇଂରେଜ ସଂସଦରେ ଅଗ୍ରାହ୍ୟ କରାଯାଇଥିଲା। ତେବେ ୧୯୪୭ ମସିହାରେ ଦେଶ ସ୍ବାଧୀନତା ହାସଲ କରିବା ପରେ ଯାଇ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ରୂପେ ଅଧିଷ୍ଠିତ ଜବାହରଲାଲ ନେହରୁ ରାଣୀଙ୍କୁ ମୁକ୍ତ କରିଥିଲେ। ଜବାହରଲାଲ ତାଙ୍କୁ ‘ପର୍ବତ କନ୍ୟା’ ଏବଂ ‘ରାଣୀ’ ନାମ ଦେଇଥିଲେ। ଦେଶ ପାଇଁ ତାଙ୍କର ଅବଦାନ ଏତିକିରେ ଶେଷ ହୋଇ ନ ଥିଲା। ଦେଶର ସ୍ବାଧୀନତା ପରେ ନାଗା ନେସ୍‌ନାଲ୍‌ କାଉନ୍‌ସିଲ୍‌ ଦାବି କରୁଥିଲା ଯେ ନାଗା ଅଞ୍ଚଳକୁ ଭାରତରୁ ସ୍ବାଧୀନତା ମିଳୁ। ସେ ଏହି ଦାବିକୁ ବିରୋଧ କରିଥିଲେ।

ତାଙ୍କର ଦାବି ଥିଲା ଯେ ଭାରତ ସରକାରଙ୍କ ଅଧୀନରେ ଜେଲିଆଙ୍ଗରୋଙ୍ଗ୍‌ ନାମରେ ଏକ ଭିନ୍ନ ଅଞ୍ଚଳ ରହୁ। ତେବେ ଅନ୍ୟାନ୍ୟ ନାଗା ନେତାଙ୍କ ବିରୋଧ ଯୋଗୁଁ ୧୯୬୦ରେ ତାଙ୍କୁ ଅଜ୍ଞାତବାସରେ ରହିବାକୁ ପଡ଼ିଥିଲା। ପରେ ସେ ଭାରତ ସରକାରଙ୍କ ସହିତ ବୁଝାମଣା କରି ନିଜ ଆନ୍ଦୋଳନକୁ ସମାପ୍ତ କରିଥିଲେ ଏବଂ ଶାନ୍ତିପୂର୍ଣ୍ଣ, ଗଣତାନ୍ତ୍ରିକ ତଥା ଅହିଂସା ମାଧ୍ୟମରେ ନିଜ ଅଞ୍ଚଳବାସୀଙ୍କ ସେବା କରିବାକୁ ପ୍ରତିଜ୍ଞା କରିଥିଲେ। ସ୍ବାଧୀନତା ସଂଗ୍ରାମକୁ ଅସାଧାରଣ ଅବଦାନ ପାଇଁ ତାଙ୍କୁ ୧୯୭୨ରେ ‘ତାମ୍ର ପତ୍ର’ ପ୍ରଦାନ କରାଯାଇଥିଲା ଏବଂ ୧୯୮୨ରେ ତାଙ୍କୁ ‘ପଦ୍ମଭୂଷଣ’ ମିଳିଥିଲା। ୧୯୯୩ ଫେବ୍ରୁଆରି ୧୭ରେ ରାଣୀ ଗାଇଦିନ୍‌ଲ୍ୟୁ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ।

ସମ୍ବନ୍ଧିତ ଖବର