ଓଟାଇଟିସ୍ ମିଡିଆ (ମଧ୍ୟକର୍ଣ୍ଣ ପ୍ରଦାହ) କ’ଣ?
ଓଟାଇଟିସ୍ ମିଡିଆ ବା ମଧ୍ୟକର୍ଣ୍ଣ ପ୍ରଦାହ ହେଉଛି ମଧ୍ୟକର୍ଣ୍ଣରେ ଦେଖାଯାଉଥିବା ଏକ ସଂକ୍ରମଣ। ଓଟାଇଟିସ୍ ମିଡିଆ ଦୁଇ ପ୍ରକାରର ଯଥା: ଆକ୍ୟୁଟ୍ ଓଟାଇଟିସ୍ ମିଡିଆ ଓ କ୍ରନିକ ଓଟାଇଟିସ୍ ମିଡିଆ। କାନର ସଂକ୍ରମଣ ୪ ସପ୍ତାହରୁ କମ୍ ରହିଲେ ଏହାକୁ ଆମେ ଆକ୍ୟୁଟ୍ ଓଟାଇଟିସ୍ ମିଡିଆ କହିଥାଉ। ଓଟାଇଟିସ୍ ମିଡିଆ ଶିଶୁମାନଙ୍କଠାରେ ସାଧାରଣ ଭାବେ ଅଧିକ ଦେଖାଯାଏ। ବୟସ୍କଙ୍କ ମଧ୍ୟରେ ବି ଏହା ଦେଖାଯାଇପାରେ। ସ୍କୁଲ ଯିବା ବୟସ ପୂର୍ବରୁ ଅଧିକାଂଶ ଛୁଆଙ୍କଠାରେ ଅତି କମ୍ରେ ଥରେ ଏହି ସଂକ୍ରମଣ ହୋଇଥାଏ।
 ଏହି ସଂକ୍ରମଣର ଲକ୍ଷଣ କ’ଣ?
ସାଧାରଣତଃ ପିଲାମାନଙ୍କଠାରେ ଥଣ୍ଡା ହେବାରୁ ଏହି ସଂକ୍ରମଣ ଆରମ୍ଭ ହୋଇଥାଏ। ତଣ୍ଟି ଦରଜ ଓ ନାକରୁ ପାଣି ବୋହିବା ସହ ଏହି ସଂକ୍ରମଣ କାନ ପର୍ଯ୍ୟନ୍ତ ବ୍ୟାପିଥାଏ। ଫଳରେ କାନରେ ଯନ୍ତ୍ରଣା ହେବା, ଜ୍ବର ଆସିବା, କମ୍ ଶୁଣାଯିବା ଓ ମୁଣ୍ଡବିନ୍ଧା ଆଦି ସମସ୍ୟା ଦେଖାଯାଏ। ଏଥିସହ କାନରୁ ପୂଯ ବି ନିର୍ଗତ ହୋଇଥାଏ। 
 ଏହି ସଂକ୍ରମଣ କାହିଁକି ହୁଏ?
ଓଟାଇଟିସ୍ ମିଡିଆ ଜୀବାଣୁ କିମ୍ବା ଭୂତାଣୁ ଦ୍ୱାରା ହୋଇପାରେ। ପ୍ରଥମେ ଏହା ଭୂତାଣୁଜନିତ ହେଉଥିବା ବେଳେ ଜୀବାଣୁ ସଂକ୍ରମଣ ଯୋଗୁଁ କାନରୁ ପୂଯ ନିର୍ଗତ ହୋଇଥାଏ। ମଝିକର୍ଣ୍ଣ ୟୁଷ୍ଟାଚିଆନ୍ ଟ୍ୟୁବ୍ ନାମକ ଏକ ନଳୀ ଦ୍ୱାରା ଗଳା ସହିତ ସଂଯୁକ୍ତ ହୋଇଥାଏ। ଥଣ୍ଡା ହେଲେ ସଂକ୍ରମଣ ଏହି ନଳୀ ମାଧ୍ୟମରେ ହିଁ ଗଳା ପଛପଟୁ ମଝି କାନ ପର୍ଯ୍ୟନ୍ତ ବ୍ୟାପିଥାଏ। ଛୋଟ ପିଲାଙ୍କର ୟୁଷ୍ଟାଚିଆନ୍ ଟ୍ୟୁବ୍ ଛୋଟ ହୋଇଥିବାରୁ ସେମାନଙ୍କଠାରେ ଏହି ସଂକ୍ରମଣ ଅଧିକ ଦେଖାଯାଇଥାଏ। ଔଷଧ ସେବନ ଦ୍ବାରା ଏହା ଭଲ ହୋଇଯାଏ। 
 କ୍ରନିକ ଓଟାଇଟିସ୍ ମିଡିଆ କ’ଣ?
ସଂକ୍ରମଣ ୪ ସପ୍ତାହରୁ ଅଧିକ ରହିଲେ ଆକ୍ୟୁଟ୍ ଓଟାଇଟିସ୍ ମିଡିଆଟି କ୍ରନିକ୍ ଓଟାଇଟିସ୍ ମିଡିଆରେ ପରିଣତ ହୋଇଥାଏ। ଏଥିରେ କାନରେ ଥିବା ଟିମ୍ପାନିକ୍ ମେମ୍ବ୍ରେନ୍ ବା କାନ ପରଦାରେ ଛିଦ୍ର ହୋଇଯାଏ। ଫଳରେ ଶରୀର ଭିତରୁ ୟୁଷ୍ଟାଚିଆନ୍ ଟ୍ୟୁବ୍ ଦ୍ବାରା ଓ ବାହାର ବାୟୁମଣ୍ଡଳର ପ୍ରଭାବରେ ଆସିବା ଦ୍ବାରା ରୋଗୀଠାରେ ବାରମ୍ବାର ସଂକ୍ରମଣ ଦେଖାଯାଇଥାଏ। ଏଣୁ ରୋଗୀକୁ ସାମାନ୍ୟ ଥଣ୍ଡା ହେଲେ ବା ମୁଣ୍ଡ ସଫା କରି ଗାଧୋଇଲେ କାନରୁ ପାଣି ବା ପୂଯ ବାହାରେ। ଏହି ସମୟରେ ରୋଗୀଙ୍କୁ ଟିକେ କମ୍ ଶୁଣାଯାଏ। କାନ ଡ୍ରପ୍ ପକାଇେଲ ବା ଆଣ୍ଟିବାୟୋଟିକ୍ ଖାଇଲେ ଏହା ଭଲ ହୋଇଯାଏ। 
 ଏଥିରେ ଶ୍ରବଣ ଶକ୍ତି ହରାଇବାର ଆଶଙ୍କା ଥାଏ କି?
ଆକ୍ୟୁଟ୍ ଓଟାଇଟିସ୍ ମିଡିଆ ଦ୍ବାରା ଶ୍ରବଣ ଶକ୍ତି ହ୍ରାସ ପାଇଥାଏ। କିନ୍ତୁ ଏହାର ଅତି ସରଳ ଚିକିତ୍ସା ମଧ୍ୟ ଉପଲବ୍ଧ। ସଂକ୍ରମଣର ଉତ୍ସକୁ ଲକ୍ଷ୍ୟ କରି ଡାକ୍ତର ରୋଗୀଙ୍କୁ ଔଷଧ ଦେଇଥା’ନ୍ତି। ଯଦି ସଂକ୍ରମଣ ଯୋଗୁଁ କାନ ପରଦାରେ ଛିଦ୍ର ହୋଇଯାଇଥାଏ, ତେବେ ସଂକ୍ରମଣ ବାରମ୍ବାର ହୁଏ। ଏହାର ସ୍ଥାୟୀ ସମାଧାନସ୍ବରୂପ ଟିମ୍ପାନୋପ୍ଲାଷ୍ଟି ସର୍ଜରି ମାଧ୍ୟମରେ କାନ ପରଦାରେ ହୋଇଥିବା ଛିଦ୍ର ମରାମତି କରାଯାଇଥାଏ। ଫଳରେ ରୋଗୀଠାରେ ଏହି ସଂକ୍ରମଣ ଦେଖାଯାଏ ନାହିଁ ଓ ଶ୍ରବଣ ଶକ୍ତିକୁ ଅକ୍ଷୁଣ୍ଣ ରଖିହୁଏ।
ଶ୍ରବଣ ଶକ୍ତି କମାଇପାରେ ବାରମ୍ବାର ସଂକ୍ରମଣ
ଓଟାଇଟିସ୍ ମିଡିଆ ବା ମଧ୍ୟକର୍ଣ୍ଣ ପ୍ରଦାହ ହେଉଛି ମଧ୍ୟକର୍ଣ୍ଣରେ ଦେଖାଯାଉଥିବା ଏକ ସଂକ୍ରମଣ। ଓଟାଇଟିସ୍ ମିଡିଆ ଦୁଇ ପ୍ରକାରର ଯଥା: ଆକ୍ୟୁଟ୍ ଓଟାଇଟିସ୍ ମିଡିଆ ଓ କ୍ରନିକ ଓଟାଇଟିସ୍ ମିଡିଆ। କାନର ସଂକ୍ରମଣ ୪ ସପ୍ତାହରୁ କମ୍ ରହିଲେ ଏହାକୁ ଆମେ ଆକ୍ୟୁଟ୍ ଓଟାଇଟିସ୍ ମିଡିଆ କହିଥାଉ।
/sambad/media/media_files/2025/03/19/IT6c53gCgQLuSjgYTpit.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)