କିମ୍ବଦନ୍ତୀ ସ୍ପିନର ସେନ ଓ୍ବାର୍ଣ୍ଣଙ୍କୁ ବଞ୍ଚାଇବା ପାଇଁ ୨୦ମିନିଟ ପର୍ଯ୍ୟନ୍ତ ଉଦ୍ୟମ କରିଥିଲେ ବନ୍ଧୁ

ନୂଆଦିଲ୍ଲୀ: ବିଶ୍ବରେ ରୁଷୁ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ କ୍ରିକେଟପ୍ରେମୀଙ୍କ ପାଇଁ ଗତକାଲି ଆସିଥିଲା ଏକ ଦୁଃଖଦ ଖବର। ପୂର୍ବତନ ଅଷ୍ଟ୍ରେଲୀୟ କ୍ରିକେଟର ତଥା କ୍ରିକେଟ ଇତିହାସର ମହାନତମ ସ୍ପିନରଙ୍କ ମଧ୍ୟରେ ଅନ୍ୟତମ ସେନ ଓ୍ବର୍ଣ୍ଣଙ୍କ ପରଲୋକ ହେବା ଖବର କ୍ରିକେଟପ୍ରେମୀଙ୍କ ମଧ୍ୟରେ ଶୋକର ଛାୟା ଖେଳାଇ ଦେଇଥିଲା। ହୃଦଘାତ କାରଣରୁ ତାଙ୍କର ମୃତ୍ୟୁହୋଇଥିବା ନେଇ କୁହାଯାଉଥିବା ବେଳେ ତାଙ୍କୁ ବଞ୍ଚାଇବା ପାଇଁ ତାଙ୍କ ବନ୍ଧୁ ୨୦ମିନିଟ ଧରି ପ୍ରୟାସ କରିଥିଲେ ବୋଲି ଜଣାପଡ଼ିଛି।

ଥାଇ ପୁଲିସର କହିବା ମୁତାବକ, ୱର୍ଣ୍ଣ ଏବଂ ଅନ୍ୟ ତିନିଜଣ ବନ୍ଧୁ କୋହ ସାମୁଇରେ ଥିବା ଏକ ଘରେ ରହୁଥିଲେ। ପୂର୍ବତନ କ୍ରିକେଟର ରାତ୍ରିଭୋଜନ କରିବା ପାଇଁ ନଆସିବାରୁ ୩ଜଣଙ୍କ ମଧ୍ୟରୁ ଜଣେ ୱର୍ଣ୍ଣଙ୍କୁ ଡାକିବାକୁ ଯାଇଥିଲେ। ହେଲେ ସେଠାରେ ତାଙ୍କୁ ଅଚେତ ପଡ଼ିଥିବା ଦେଖି ବଞ୍ଚାଇବା ପାଇଁ ସେ ସିପିଆର କରିବା ସହ ଆମ୍ବୁଲାନ୍ସ ଡାକିଥିଲେ। ଏହା ପରେ ଆମ୍ବୁଲାନ୍ସ ପହଞ୍ଚିବା ସହ ଜରୁରୀକାଳୀନ ପ୍ରତିକ୍ରିୟା ୟୁନିଟ୍ ଆସି ୧୦-୨୦ ମିନିଟ୍ ପର୍ଯ୍ୟନ୍ତ ଆଉ ଏକ ସିପିଆର କରିଥିଲେ। ସବୁ ପରେ ବି ତାଙ୍କର ଚେତା ନଫେରିବାରୁ ଏହା ପରେ ତାଙ୍କୁ ଥାଇ ଇଣ୍ଟରନ୍ୟାସନାଲ ହସ୍ପିଟାଲକୁ ନିଆଯିବା ପରେ ସେଠାରେ ମଧ୍ୟ ଆଉ ଏକ ସିପିଆର କରାଯାଇଥିଲା। ହେଲେ ତାଙ୍କୁ ବଞ୍ଚାଯାଇପାରିନଥିଲା।

୧୯୬୯ରେ ଜନ୍ମ ଗ୍ରହଣ କରିଥିବା ସେନ ଓ୍ବାର୍ଣ୍ଣ ଅଷ୍ଟ୍ରେଲିଆ ପାଇଁ ୧୪୫ଟି  ଟେଷ୍ଟ, ୧୯୪ଟି ଦିନିକିଆ ମ୍ୟାଚ ଖେଳିଛନ୍ତି । ସେ ଟେଷ୍ଟରେ ୭୦୮ଟି ଓ୍ବିକେଟ ନେବା ସହ ୩୧୫୪ରନ ବି କରିଛନ୍ତି । ୩୭ ଥର ସେ ୫ ଓ୍ବିକେଟ ସଫଳତା ପାଇଛନ୍ତି । ଗୋଟିଏ ଇନିଂସରେ ସେ ୭୧ ରନ ଦେଇ ୮ଟି ଓ୍ବିକେଟ ନେଇଥିଲେ । ସେହିପରି ଦିନିକିଆରେ ସେ ୨୯୩ଟି ଓ୍ବିକେଟ ନେଇଛନ୍ତି ଓ ଥରେ ୫-ଓ୍ବିକେଟ ସଫଳତା ପାଇଛନ୍ତି । ଦିନିକିଆରେ ସେ ୧୦୧୮ ରନ ମଧ୍ୟ କରିଛନ୍ତି ।

ସମ୍ବନ୍ଧିତ ଖବର