ଜେଏନ୍ୟୁର ସେଣ୍ଟର୍ ଫର୍ ରଷିଆନ୍ ଆଣ୍ଡ୍ ସେଣ୍ଟ୍ରାଲ୍ ଏସିଆନ୍ ଷ୍ଟଡିଜ୍ର ପ୍ରାକ୍ତନ ନିର୍ଦ୍ଦେଶକ ତଥା ଜଣାଶୁଣା ବୈଦେଶିକ ବ୍ୟାପାର ବିଶେଷଜ୍ଞ ପ୍ରଫେସର୍ ଅଜୟ ପଟ୍ଟନାୟକ ନିଜର ଭୂରାଜନୈତିକ ବିଶ୍ଳେଷଣ ଓ ରଣନୈତିକ ସମୀକ୍ଷା ଲାଗି ବେଶ୍ ପରିଚିତ। ବାଲେଶ୍ବରର ମୂଳ ବାସିନ୍ଦା ପ୍ରଫେସର୍ ପଟ୍ଟନାୟକଙ୍କୁ ତାଙ୍କର ନୂଆଦିଲ୍ଲୀସ୍ଥିତ ବାସଭବନରେ ସାକ୍ଷାତ କରି ସାଂପ୍ରତିକ ପରିସ୍ଥିତିରେ ଆମେରିକାର ଭାରତ ବିରୋଧୀ ଆଭିମୁଖ୍ୟ, ରୁଷ୍ରୁ ଭାରତର ତୈଳକିଣା ଓ ଦ୍ବିପାକ୍ଷିକ ସଂପର୍କ, ଦୀପାବଳି ପାଳି ଆମେରିକାର ରାଷ୍ଟ୍ରପତି ଭାରତୀୟଙ୍କୁ ଶୁଭେଚ୍ଛା ଜଣାଇବା ଏବଂ ରୁଷ-ୟୁକ୍ରେନ୍ ଯୁଦ୍ଧର ଭବିଷ୍ୟତ ଆଦି ପ୍ରସଙ୍ଗରେ ଆଲୋଚନା କରିଛନ୍ତି ଆମର ବରିଷ୍ଠ ପ୍ରତିନିଧି ବିଭୂତି ପତି
ଖ୍ୟାତିସଂପନ୍ନ ଶିକ୍ଷାବିତ୍, ବିଶିଷ୍ଟ ଅନ୍ତର୍ଜାତୀୟ ବ୍ୟାପାର ବିଶେଷଜ୍ଞ ତଥା ରୁଷ୍ ଓ କେନ୍ଦ୍ରୀୟ ଏସିଆ ରାଜନୀତିର ଧୁରୀଣ ବିଶ୍ଳେଷକ ପ୍ରଫେସର୍ ଅଜୟ କୁମାର ପଟ୍ଟନାୟକଙ୍କ ଜନ୍ମ ବାଲେଶ୍ବର ସହରରେ। ବସ୍ତା ପ୍ରାଥମିକ ବିଦ୍ୟାଳୟ ଓ ବାଲେଶ୍ବର ସରକାରୀ ଉଚ୍ଚ ବିଦ୍ୟାଳୟରୁ ସ୍କୁଲ୍ ଶିକ୍ଷା ଶେଷକରି ସେ ଫକୀରମୋହନ କଲେଜ୍ରୁ ସ୍ନାତକ କରିଥିଲେ। ଉତ୍କଳ ବିଶ୍ବବିଦ୍ୟାଳୟରୁ ଇତିହାସରେ ସ୍ନାତକୋତ୍ତର କରିବା ପରେ ସେ ନୂଆଦିଲ୍ଲୀସ୍ଥିତ ଜବାହରଲାଲ୍ ନେହେରୁ ବିଶ୍ୱବିଦ୍ୟାଳୟରେ ସୋଭିଏତ୍ ଆଣ୍ଡ୍ ଇଷ୍ଟ୍ ୟୁରୋପିଆନ୍ ଷ୍ଟଡିଜ୍ରେ ଏମ୍ଫିଲ୍ ଓ ପରେ ପିଏଚ୍ଡି କରିଥିଲେ। ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ଅଧ୍ୟାପକ ଭାବେ ଚାରିବର୍ଷ କାର୍ଯ୍ୟ କରିବା ପରେ ସେ ୧୯୮୯ରେ ଜେଏନ୍ୟୁର ସ୍କୁଲ୍ ଅଫ୍ ଇଣ୍ଟର୍ନ୍ୟାସନାଲ୍ ଷ୍ଟଡିଜ୍ ଅନ୍ତର୍ଗତ ସୋଭିଏତ୍ ଷ୍ଟଡିଜ୍ରେ ପ୍ରଫେସର୍ ଭାବେ ଅଧ୍ୟାପନା ଆରମ୍ଭ କରିଥିଲେ। ଏହାବାଦ୍ ସେ କେମ୍ବ୍ରିଜ୍ ୟୁନିଭର୍ସିଟି ଓ କାଲିଫର୍ଣ୍ଣିଆ ୟୁନିଭର୍ସିଟିରେ ଭିଜିଟିଂ ପ୍ରଫେସର୍ ଭାବେ କାର୍ଯ୍ୟ କରିଛନ୍ତି। ପ୍ରଫେସର୍ ପଟ୍ଟନାୟକ କେନ୍ଦ୍ରୀୟ ଏସିଆ ଓ ସୋଭିଏତ୍ ରୁଷ୍ ସଂପର୍କିତ ତିନିଟି ପୁସ୍ତକ ରଚନା କରିବା ସହ ଅନ୍ତର୍ଜାତୀୟ ଜର୍ଣ୍ଣାଲ୍ ‘କଣ୍ଟେମ୍ପରାରି ସେଣ୍ଟ୍ରାଲ୍ ଏସିଆ’ର ସଂପାଦନା ମଧ୍ୟ କରିଛନ୍ତି।
ମା’ଙ୍କ ପାଇଁ ତିନି ଭାଇ ଜେଏନ୍ୟୁରେ ପଢ଼ିଲୁ
ଓଡ଼ିଶାରେ କଟିଥିବା ଶୈଶବର ସ୍ମୃତି ଆଜି ବି ତାଙ୍କ ମାନସପଟରେ ସଜୀବ। ପିଲାବେଳ କଥା ମନେପକାଇ ସେ କହନ୍ତି, “ମୋ ବାପା ଅବନୀମୋହନ ପଟ୍ଟନାୟକ ଓ ମା’ ନୟନା ପଟ୍ଟନାୟକ ଆମମାନଙ୍କ ଶିକ୍ଷା ପ୍ରତି ଅତ୍ୟନ୍ତ ଦାୟିତ୍ବବାନ୍ ଥିଲେ। ଆମ ଭାଇଭଉଣୀଙ୍କୁ ବସାଇ ବାପା ପାଠ ପଢ଼ାଉଥିଲେ। ମୋ ବାପାଙ୍କୁ ୧୪/୧୫ ବର୍ଷ ହୋଇଥିବା ବେଳେ ଜେଜେ ଆରପାରିକୁ ଚାଲିଯାଇଥିଲେ। ବାପା ସ୍କୁଲ୍ ପଢ଼ା ଶେଷକରି ବାଲେଶ୍ୱର ଜିଲ୍ଲାପାଳଙ୍କ ଅଫିସ୍ରେ ଚାକିରି କରିଥିଲେ। କିନ୍ତୁ, ପଢ଼ିବା ଆଗ୍ରହ ଥିବାରୁ ନୂଆକରି ଖୋଲିଥିବା ବାଲେଶ୍ବର କଲେଜରୁ ବିଏ ପାସ୍ କଲେ। ମା’ ଥିଲେ ସ୍କୁଲ୍ ଶିକ୍ଷୟିତ୍ରୀ। ଆମେ ସ୍କୁଲ୍ରେ ପଢ଼ିବା ବେଳୁ ସେ ଚାହୁଥିଲେ ଯେ ଆମେ ଯେମିତି ଜେଏନ୍ୟୁରେ ପଢୁ। ଆମ ଭଉଣୀ ଜ୍ୟୋତ୍ସ୍ନା ପଟ୍ଟନାୟକଙ୍କୁ ବିଦେଶରେ ପାଠ ପଢ଼ାଇବା ପାଇଁ ବି ସେ ମନବଳାଇଥିଲେ। ତେଣୁ, ଆମେ ତିନିଭାଇ ଜେଏନ୍ୟୁରେ ପଢ଼ିଲୁ। ଭଉଣୀ ଜାମିୟା ମିଲିୟା ଇସ୍ଲାମିଆରୁ ଏଜୁକେସନ୍ ପାଠ୍ୟକ୍ରମ ଶେଷକରି ଆମେରିକାରେ ଉଚ୍ଚତର ଗବେଷଣା କଲା। ବର୍ତ୍ତମାନ ସେ କାଲିଫର୍ଣ୍ଣିଆ ଷ୍ଟେଟ୍ ୟୁନିଭର୍ସିଟିରେ ଅଧ୍ୟାପିକା। କିନ୍ତୁ, ଏତେସବୁ ସଫଳତା ପଛରେ ଆମ ବଡ଼ଭାଇ ଡକ୍ଟର ଅଶୋକ ପଟ୍ଟନାୟକଙ୍କ ସାହାଯ୍ୟ, ସହଯୋଗ ଓ ପ୍ରେରଣା ଅବିସ୍ମରଣୀୟ।’’
ମା’ଙ୍କ ବସ୍ କିଣା ଓ ସ୍କୁଲ୍ ପ୍ରତିଷ୍ଠା
ନନ୍ଦିନୀ ଶତପଥୀ ମୁଖ୍ୟମନ୍ତ୍ରୀ ଥିବା ବେଳେ ଶିକ୍ଷିତ ବେକାର ଯୁବକଯୁବତୀଙ୍କୁ ବ୍ୟବସାୟ ପାଇଁ ୯୦ ପ୍ରତିଶତ ସବ୍ସିଡି ଥିବା ଋଣ ଦେଉଥିଲେ। ସେହି ଯୋଜନାରେ ମା’ ଦୁଇଟି ବସ୍ କିଣି ଆଲୋଡ଼ନ ସୃଷ୍ଟି କରିଥିଲେ। ସମ୍ଭବତଃ ସେ ଥିଲେ ଓଡ଼ିଶାର ପ୍ରଥମ ମହିଳା ବସ୍ ମାଲିକ। ସେ ବସ୍ରେ ବାଲେଶ୍ୱରରୁ ଭୁବନେଶ୍ୱର ଯାତ୍ରା କଥା ମନେପଡ଼ିଲେ ଖୁବ୍ ଖୁସି ଲାଗେ। ନିଜ ପ୍ରଚେଷ୍ଟାରେ ମା’ ବାଲେଶ୍ୱରରେ ଗୋଟିଏ ହାଇସ୍କୁଲ୍ ବି ସ୍ଥାପନ କରିଥିଲେ। ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରିତ୍ବ କାଳରେ ତାହା ସରକାରଙ୍କ ଅଧୀନକୁ ଯାଇଥିଲା। ଆଜି ବି ସେ ସ୍କୁଲ୍ ନୟନା ପଟ୍ଟନାୟକ ସରକାରୀ ହାଇସ୍କୁଲ୍ ହୋଇରହିଛି ବୋଲି କହନ୍ତି ପ୍ରଫେସର ପଟ୍ଟନାୟକ।
‘ମେରା ନାମ୍ ଜୋକର୍’ରୁ ରୁଷ୍ ପ୍ରେମ
‘‘ପିଲାଦିନେ ଆମ ଘରକୁ ‘ସୋଭିଏତ୍ ଲ୍ୟାଣ୍ଡ୍’ ପତ୍ରିକା ଆସୁଥିଲା। ତାହାକୁ ପଢ଼ି ସୋଭିଏତ୍ ରୁଷ୍ ଓ ଭାରତର ବନ୍ଧୁତ୍ବ କଥା ଜାଣିଥିଲି। ପୁଣି ରୁଷ୍ରେ ‘ମେରା ନାମ୍ ଜୋକର୍’ ଚଳଚ୍ଚିତ୍ର ଯେପରି ଭାବେ ଆଦୃତ ହୋଇଥିଲା ତାହା ଶୁଣି ସୋଭିଏତ୍ ରୁଷ୍ ବିଷୟରେ ଅଧିକ ଜାଣିବା ଲାଗି ଆଗ୍ରହ ବଢ଼ିଲା। ପରେ ଏହି ଆଗ୍ରହ ମୋତେ ସୋଭିଏତ୍ ରୁଷ୍ ଉପରେ ଅଧିକ ଅଧ୍ୟୟନ ଓ ଗବେଷଣା କରିବାକୁ ଅନୁପ୍ରାଣିତ କଲା।
ରୁଷ୍-ୟୁକ୍ରେନ୍ ଯୁଦ୍ଧ ସରିବ କେବେ?
ରୁଷ୍-ୟୁକ୍ରେନ୍ ଯୁଦ୍ଧ ଶେଷ ହେଉନି କାହିଁକି ବୋଲି ଜାଣିବାକୁ ଚାହିଁବାରୁ ପ୍ରଫେସର୍ ପଟ୍ଟନାୟକ କହିଲେ,‘‘ବାସ୍ତବରେ ୟୁକ୍ରେନ୍ ଏହି ଯୁଦ୍ଧ ଲଢୁନାହିଁ। ୟୁକ୍ରେନ୍ କେବଳ ମାଧ୍ୟମ। ସାମରିକ ଭାଷାରେ ଏହାକୁ ‘ପ୍ରକ୍ସି ୱାର୍’ କୁହାଯାଏ। ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଜୋ ବାଇଡେନ୍ ଓ ୟୁରୋପୀୟ ସଂଘ ରୁଷ୍ ବିରୋଧରେ ଏହି ଯୁଦ୍ଧ ଆରମ୍ଭ କରିଥିଲେ। ଆର୍ଥିକ ସହାୟତାରୁ ନେଇ ସାମରିକ ସହଯୋଗ ପର୍ଯ୍ୟନ୍ତ ସବୁକିଛି ନର୍ଥ ଆଟ୍ଲାଣ୍ଟିକ୍ ଟ୍ରିଟି ଅର୍ଗାନାଇଜେସନ୍ (ନାଟୋ) ୟୁକ୍ରେନ୍କୁ ଯୋଗାଇ ଆସୁଛି। ବିଶ୍ବରେ ରୁଷ୍ର ପ୍ରଭାବ ହ୍ରାସକରିବାକୁ ନାଟୋ ନିଜର ସାମରିକ ଅଭିଯାନକୁ ବିସ୍ତାରବାଦୀ ନୀତି ମାଧ୍ୟମରେ ଶକ୍ତିଶାଳୀ କରିବାକୁ ଚାହୁଥିଲା। ନାଟୋ ସହଯୋଗୀ ରାଷ୍ଟ୍ର କଳ୍ପନା କରି ନଥିଲେ ଯେ ସମସ୍ତ ଦୃଢ଼ ଆର୍ଥିକ କଟକଣା ଧୂଳିସାତ୍କରି ରୁଷ୍ ଏକୁଟିଆ ଏତେ ଦିନ ଯୁଦ୍ଧ ଲଢ଼ିପାରିବ। ତେଣୁ ଯୁଦ୍ଧ ଶେଷ ହେବାରେ ବିଳମ୍ବ ହେଉଛି।’’
ଟ୍ରମ୍ପ୍ ଜାଣିଛନ୍ତି ସତ କ’ଣ?
‘‘ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ଓ ରୁଷ୍ ରାଷ୍ଟ୍ରପତି ପୁଟିନ୍ଙ୍କ ମଧ୍ୟରେ ମୁହାଁମୁହିଁ ଆଲୋଚନା ହୋଇଛି। ଟ୍ରମ୍ପ୍ ମଧ୍ୟ ଯଥାଶୀଘ୍ର ଯୁଦ୍ଧ ବନ୍ଦ ପାଇଁ ୟୁକ୍ରେନ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେ ୟୁକ୍ରେନ୍ର ରାଷ୍ଟ୍ରପତି ଜେଲେନ୍ସ୍କିଙ୍କୁ ହ୍ବାଇଟ୍ ହାଉସ୍କୁ ଡାକି ଯୁଦ୍ଧ ବନ୍ଦ ପାଇଁ ତାଗିଦ୍ କରିଥିଲେ। ଟ୍ରମ୍ପ୍ ବି କହିଛନ୍ତି, ଯୁଦ୍ଧର ଭୌଗୋଳିକ ସ୍ଥିତିକୁ ମାନିନେଇ ୟୁକ୍ରେନ୍ ଯୁଦ୍ଧ ବନ୍ଦକରୁ। ଟ୍ରମ୍ପ୍ ଭଲଭାବେ ବୁଝିଛନ୍ତି ଯେ ରୁଷ୍ ଦଖଲ କରିଥିବା ୟୁକ୍ରେନ୍ ଅଞ୍ଚଳରେ ସର୍ବାଧିକ ରୁଷ୍ ଭାଷାଭାଷୀ ଲୋକ ଥିବାରୁ ପୁଟିନ୍ ସେସବୁ ଅଞ୍ଚଳ ଛାଡ଼ିବେ ନାହିଁ। ତେଣୁ ରୁଷ୍-ୟୁକ୍ରେନ୍ ଯୁଦ୍ଧ ସହଜରେ ବନ୍ଦ ହେବନି କି, ଶାନ୍ତି ଫେରିବନି।’’
ୟୁକ୍ରେନ୍ ‘ଟମ୍ ହକ୍’ ପାଇବ?
ୟୁକ୍ରେନ୍କୁ ଅତ୍ୟାଧୁନିକ ଘାତକ କ୍ଷେପଣାସ୍ତ୍ର ‘ଟମ୍ ହକ୍’ ଯୋଗାଇଦେବାକୁ ଟ୍ରମ୍ପ୍ ଘୋଷଣା କରିବା ସଂକ୍ରାନ୍ତରେ ପ୍ରଫେସର୍ ପଟ୍ଟନାୟକ କହନ୍ତି, “ଟ୍ରମ୍ପ୍ ପ୍ରଶାସନ ‘ଟମ୍ ହକ୍’ କ୍ଷେପଣାସ୍ତ୍ର ଦେବାକୁ ମନା କରିସାରିଲାଣି। ଏହା ଆମେରିକାର ଅନ୍ୟ ଏକ ରଣନୈତିକ ଚାଲ୍। ୧୯୮୦ରୁ ‘ଟମ୍ ହକ୍’ ଉଦ୍ଭାବନକରି ଅଦ୍ୟାବଧି ଆମେରିକା ପ୍ରାୟ ୯୦୦୦ କ୍ଷେପଣାସ୍ତ୍ର ପ୍ରସ୍ତୁତ କରିଛି। ଆଫ୍ଗାନିସ୍ତାନ୍, ୟେମେନ୍, ଇରାନ୍ ଓ ଅନ୍ୟ ସାମରିକ ଅଭିଯାନରେ ଆମେରିକା ସେଥିରୁ କିଛି ବ୍ୟବହାର କରିଛି। ଗଚ୍ଛିତ ଥିବା ‘ଟମ୍ ହକ୍’ରୁ ଅନେକ ଏବେ ପୁରୁଣା ହୋଇଗଲାଣି। ତେଣୁ ନିଜ ସାମରିକ ଅଭିଯାନ ଓ ସୁରକ୍ଷା ଦୃଷ୍ଟିରୁ ଏବେ ଆମେରିକା କାହାକୁ ‘ଟମ୍ ହକ୍’ ଦେବ ନାହିଁ।’’
ରୁଷ୍ରୁ ତୈଳ ଆମଦାନି ବନ୍ଦ ହେବନି
ଟ୍ରମ୍ପ୍ ପ୍ରଶାସନ ଭାରତ ଉପରେ ଅତ୍ୟଧିକ ଟାରିଫ୍ ଲଦି ନିଜ ଗୋଡ଼ରେ କୁରାଢ଼ି ମାରୁଛି। ଭାରତରୁ ଆମଦାନି ହେଉଥିବା ୯୦ ପ୍ରତିଶତ ସାମଗ୍ରୀ ଉପରେ ନିର୍ଭରକରି ଆମେରିକୀୟମାନେ ଚଳିଥାନ୍ତି। ଟାରିଫ୍ ବୃଦ୍ଧିହେଲେ ସେମାନେ ତା’ର କୁପରିଣାମ ଭୋଗିବେ। ରୁଷ୍ରୁ ତୈଳ କିଣାଯିବା କଥାରେ ଟ୍ରମ୍ପ୍ଙ୍କ ମନୋଭାବ ଗ୍ରହଣୀୟ ନୁହେଁ। ୟୁରୋପୀୟ ସଂଘ ବିଭିନ୍ନ ଉପାୟରେ ରୁଷ୍ରୁ ତୈଳ ଆମଦାନି କରୁଛନ୍ତି। ରୁଷ୍ରୁ ତୈଳ ଆମଦାନି ନେଇ ଟ୍ରମ୍ପ୍ ଭାରତକୁ ଦେଉଥିବା ଧମକ ବି ପ୍ରଭାବହୀନ ହେବ। ଭାରତ ରୁଷ୍ରୁ ତୈଳ ଆମଦାନି କରୁଛି ଓ କରିବ। କାରଣ, ରୁଷ୍ ତୈଳ ଭାରତ ପାଇଁ ବିକାଶର ମାର୍ଗ ଉନ୍ମୁକ୍ତ କରିବ। ମୋଦୀ ସରକାର ରୁଷ୍ରୁ ତୈଳ କିଣିବେନି ବୋଲି ଟ୍ରମ୍ପ୍ କହୁଥିବା କଥାରେ ଆଦୌ ସତ୍ୟତା ନାହିଁ ବୋଲି କହନ୍ତି ପ୍ରଫେସର ପଟ୍ଟନାୟକ।
ମୋଦୀଙ୍କ ବିଦେଶ ନୀତି ଓ ଟ୍ରମ୍ପ୍ଙ୍କ ଦୀପାବଳି ଭେଟି
ମୋଦୀଙ୍କ ବୈଦେଶିକ ନୀତି ଓ ଟ୍ରମ୍ପ୍ଙ୍କ ଦୀପାବଳି ପାଳନ କୂଟନୀତି ଉପରେ ଅଜୟ ପଟ୍ଟନାୟକ କହିଛନ୍ତି, ଭାରତକୁ ବାଦ୍ ଦେଇ ଆଜିର ବିଶ୍ବରେ ଆମେରିକା ଅଗ୍ରଗତି କରିପାରିବ ନାହିଁ କି, ଚୀନ୍ ସହିତ ମୁକାବିଲା କରିପାରିବ ନାହିଁ। ଭାରତର କଠୋର ଆଭିମୁଖ୍ୟ ଦେଖି ଟ୍ରମ୍ପ୍ ପ୍ରଶାସନ ଦୀପାବଳି ଉତ୍ସବ ପାଳି କୂଟନୈତିକ ସଂପର୍କରେ ଭାରତକୁ ଖୁସି କରିବାକୁ ବନ୍ଧୁତ୍ବର ବାର୍ତ୍ତା ଦେଇଛି। ବର୍ତ୍ତମାନ ନରମିଯାଇ ଟ୍ରମ୍ପ୍ ପ୍ରଶାସନ ଟାରିଫ୍ କମ୍ କରିବାକୁ ପ୍ରସ୍ତାବ ଦେଇଛନ୍ତି। କିନ୍ତୁ, ଭାରତ ପାଇଁ ଆମେରିକା ଭରସାଯୋଗ୍ୟ ନୁହେଁ। ରୁଷ୍ର ଦୀର୍ଘସ୍ଥାୟୀ ବନ୍ଧୁତ୍ବ ଓ ନିରନ୍ତର ସାହାଯ୍ୟ ସହଯୋଗକୁ ଭାରତ ଅଧିକ ସୁଦୃଢ଼ କରିବା ଆବଶ୍ୟକ। ଚୀନ୍ ଓ ପାକିସ୍ତାନ ସହିତ ମୁକାବିଲା କରିବା ପାଇଁ ରୁଷ୍ ବନ୍ଧୁତ୍ବର ବନ୍ଧନ ଭାରତ ପାଇଁ ଏକାନ୍ତ ଅପରିହାର୍ଯ୍ୟ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/26/dagdga32165-2025-10-26-02-50-41.jpg)