କୁମ୍ଭୀର ଏକ ଛଳନାକାରୀ ଜୀବ ଭାବେ କୁଖ୍ୟାତ। ତେବେ ଇଣ୍ଡୋନେସିଆର ଜଣେ ମତ୍ସ୍ୟଜୀବୀଙ୍କ ସହିତ ଏକ ଲୁଣୀ ପାଣି କୁମ୍ଭୀର ୨୬ ବର୍ଷ ଧରି ବନ୍ଧୁତ୍ବପୂର୍ଣ୍ଣ ସଂପର୍କ ବଜାୟ ରଖିବା ଘଟଣା କୁମ୍ଭୀରକୁ ଉକ୍ତ ଅପବାଦରୁ ସାମାନ୍ୟ ମୁକ୍ତ କରିଛି। କୁମ୍ଭୀର ସହିତ ବନ୍ଧୁତା କରିଥିବା ୫୯ ବର୍ଷୀୟ ମତ୍ସ୍ୟଜୀବୀଙ୍କର ନାମ ଆମ୍ବୋ। ୨୬ ବର୍ଷ ତଳେ ସେ ଉକ୍ତ ମାଈ କୁମ୍ଭୀରକୁ ମାଛ ଧରିବା ବେଳେ ଭେଟିଥିଲେ। ସେତେବେଳେ ତାହା ମାତ୍ର ଏକ ମିଟର ଲମ୍ବା ଥିଲା। କୁମ୍ଭୀରଟି ତାଙ୍କ ଡଙ୍ଗା ପଛରେ ପହଁରିବାକୁ ଲାଗିଲା ଏବଂ ତାକୁ ସେ କିଛି ଖାଇବା ଦେବା ପରେ ସେମାନଙ୍କ ମଧ୍ୟରେ ଏକ ବିରଳ ସମ୍ପର୍କ ଗଢ଼ିଉଠିଥିଲା।

Advertisment

ଆମ୍ବୋ କୁମ୍ଭୀରଟିକୁ ‘ରିଜ୍‌କା’ ନାମ ଦେଇଛନ୍ତି। ତାହା ଏବେ ବଡ଼ ହୋଇ ଚାରି ମିଟର୍ ଲମ୍ବା ହୋଇଯାଇଛି। ତାକୁ ଆମ୍ବୋ ନିୟମିତ ବ୍ୟବଧାନରେ ତିନିଟି ଲେଖାଏ କୁକୁଡ଼ା ଖାଇବାକୁ ଦିଅନ୍ତି। ଭୋକ ହେଲେ ସେ ବେଳେ ବେଳେ ତାଙ୍କ ଘର ଆଗରେ ଆସି ହାଜର ହୋଇଯାଏ। ତାଙ୍କ ଗାଁର ଲୋକମାନେ ମଧ୍ୟ ରିଜ୍‌କାକୁ ପରିବାରର ସଦସ୍ୟ ଭଳି ବ୍ୟବହାର କରନ୍ତି। କୁମ୍ଭୀର ସହିତ ବନ୍ଧୁତା କରି ଆମ୍ବୋ ଇଣ୍ଡୋନେସିଆର ଜଣେ ସେଲିବ୍ରିଟି ପାଲଟିଯାଇଛନ୍ତି। ତାଙ୍କ ୟୁଟ୍ୟୁବ୍‌ ଚ୍ୟାନେଲ୍‌ରେ ସେ ରିଜ୍‌କା ସହିତ ମିିଳାମିଶା କରୁଥିବା ଭିଡିଓ ନିୟମିତ ଛାଡ଼ିଥାନ୍ତି।