କଥାରେ କହନ୍ତି ‘ଛୋଟ ସାପର ବିଷ ବେଶୀ’। ଏକ କ୍ଷୁଦ୍ର ବେଙ୍ଗ କ୍ଷେତ୍ରରେ ମଧ୍ୟ ଏହି କଥାଟି ସତ। ‘ଗୋଲ୍‌ଡେନ୍‌ ଡାର୍ଟ ଫ୍ରଗ୍‌’ ନାମରେ ପରିଚିତ ଏହି ଛୋଟିଆ ବେଙ୍ଗଟି ଭୂପୃଷ୍ଠରେ ବସବାସ କରୁଥିବା ଅନ୍ୟତମ ସର୍ବାଧିକ ବିଷାକ୍ତ ପ୍ରାଣୀ କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହା ବିଷଧର ସାପଠାରୁ ବି ଅଧିକ ବିଷାକ୍ତ ବୋଲି ଜଣାପଡ଼ିଛି।

Advertisment

ବିଶେଷ କରି କାଲିଫର୍ଣ୍ଣିଆର ସନ୍ତସନ୍ତିଆ ଜଙ୍ଗଲରେ ଦେଖିବାକୁ ମିଳୁଥିବା ଏହି ବେଙ୍ଗର ସୁନ୍ଦର ସୁବର୍ଣ୍ଣ ଚେହେରା ମଣିଷ ଆଖିକୁ ସାଂଘାତିକ ଭାବେ ଧୋକା ଦେଇପାରେ। ତାହାର ଚର୍ମରୁ ନିର୍ଗତ ବାଟ୍ରାକୋଟକ୍ସିନ୍‌ ନାମକ ଏକ ପ୍ରକାର ସ୍ନାୟୁ-ବିଷ ମଣିଷକୁ ପକ୍ଷାଘାତରେ ଆକ୍ରାନ୍ତ କରିଦେବା ସହ ମୃତ୍ୟୁର କାରଣ ମଧ୍ୟ ହୋଇପାରେ। ଉକ୍ତ ବିଷ ଏତେ ପ୍ରତିକ୍ରିୟାଶୀଳ ଯେ ବେଙ୍ଗକୁ ଛୁଇଁବା ମଧ୍ୟ ବିପଜ୍ଜନକ। ତାହାର ଚର୍ମ ଯଦି ମଣିଷ ଶରୀରର କୌଣସି କଟା ଜାଗା ଦେଇ ରକ୍ତ ସଂସ୍ପର୍ଶରେ ଆସିଲା, ତେବେ ମୃତ୍ୟୁ ସୁନିଶ୍ଚିତ। ଗୋଟିଏ ସୁବର୍ଣ୍ଣ ବେଙ୍ଗ ଶରୀରରୁ ଯେତିକି ପରିମାଣର ବିଷ ଝରେ, ତାହା ୧୦ ଜଣ ପ୍ରାପ୍ତବୟସ୍କ ମଣିଷଙ୍କ ଜୀବନ ନେବା ପାଇଁ ଯଥେଷ୍ଟ।

ଅତୀତରେ କଲମ୍ବିଆର ଆଦିମ ଲୋକେ ଏହି ବିଷକୁ ସେମାନଙ୍କ ତୀର ମୁନରେ ଲଗାଇ ଶିକାର କରୁଥିଲେ। ଏବେ ତାହାର ସୌନ୍ଦର୍ଯ୍ୟ ପାଇଁ ଲୋକେ ଏକ ସୌଖୀନ ଜୀବ ରୂପରେ ଘରେ ପାଳୁଛନ୍ତି। ତେବେ ନିଜର ପ୍ରାକୃତିକ ବାସସ୍ଥଳୀର ଅଭାବ ଯୋଗୁଁ ଏହି ପ୍ରଜାତିର ସଂଖ୍ୟା କମି କମି ଆସିବା ସହ ବେଆଇନ ବେଙ୍ଗ କାରବାର ଯୋଗୁଁ ଏହାର ସ୍ଥିତି ମଧ୍ୟ ସଂକଟରେ।