୧୯୮୮ ମସିହା ଜୁଲାଇ ୭ ତାରିଖ। ତାମିଲନାଡୁର ତିରୁବନମିୟୁର ଅନ୍ତର୍ଗତ ପେରିୟାର ନଗରରେ ଗୋଟାଏ ନିର୍ମାଣାଧୀନ ଗୃହର ମେଜିଆ ଖୋଳି ମାଟି ଭିତରୁ ପୁଲିସ ଗୋଟାଏ ପରେ ଗୋଟାଏ କରି ୪ଟି ଗଳିତ ଶବ ବାହାର କରିବା ପରେ ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ଖେଳିଯାଇଥିଲା। ଏ ଘଟଣା ପଛରେ କିଏ, ତାହାକୁ ନେଇ ଆରମ୍ଭ ହୋଇଗଲା ଖୋଳତାଡ଼।
କିଏ ସେହି ଆତତାୟୀ?
ସମ୍ପତ, ମୋହନ, ଗୋବିନ୍ଦରାଜ ଓ ରବି ନାମକ ଜେଣ ଅଟୋରିକ୍ସା ଚାଳକଙ୍କୁ ହତ୍ୟା କରାଯାଇଥିଲା। ସମସ୍ତଙ୍କର ବୟସ ଥିଲା ୨୫ରୁ ୩୦ ଭିତରେ ଏବଂ ସଭିଏଁ ମନ୍ଦାବେଲୀନିବାସୀ। ମେ ୨୯ ତାରିଖରୁ ସମ୍ପତ ନିରୁଦ୍ଦିଷ୍ଟ ହୋଇଯାଇଛନ୍ତି ବୋଲି ତାଙ୍କ ଭାଇ ଅଭିରାମପୁରମ୍ ଥାନାରେ ଏତଲା ଦେଇଥିଲେ। ତା’ଛଡ଼ା ସେ ଅଞ୍ଚଳରୁ ଅତି ରହସ୍ୟମୟ ଭାବେ ୯ଜଣ ଯୁବତୀ ବି ନିଖୋଜ ହୋଇଯାଇଥିଲେ। ଏଥିରେ ଶଙ୍କର ଓ ତା’ର ସାଥୀମାନଙ୍କ ହାତ ଅଛି ବୋଲି ସନ୍ଦେହକରି ସେମାନଙ୍କ ଅଭିଭାବକମାନେ ବି ଥାନାରେ ଅଭିଯୋଗ କରିଥିଲେ। ମାତ୍ର ପୁଲିସ ତଦନ୍ତରେ ବିଶେଷ ଅଗ୍ରଗତି ଘଟୁ ନ ଥିଲା। ୧୯୮୭ରେ ରାଜ୍ୟର ତତ୍କାଳୀନ ମୁଖ୍ୟମନ୍ତ୍ରୀ ଏମ୍. ଜି. ରାମଚନ୍ଦ୍ରନ୍ଙ୍କର ଦେହାନ୍ତ ହୋଇଯାଇଥିଲା। ତେଣୁ ସେଠାରେ ରାଜ୍ୟପାଳ ଶାସନ ଚାଲିଥାଏ। ନିରୁଦ୍ଦିଷ୍ଟ ସ୍ବାମୀଙ୍କ ସନ୍ଧାନ ନେବାପାଇଁ ସମ୍ପତଙ୍କ ସ୍ତ୍ରୀ ବିଜୟା ତାମିଲନାଡୁର ରାଜ୍ୟପାଳ ପି. ସି. ଆଲେକ୍ଜାଣ୍ଡର୍ଙ୍କୁ ନିବେଦନ କରିବା ପରେ ଯାଇ ପୁଲିସ ଗୁରୁତ୍ବ ଦେଇ ଘଟଣାର ତଦନ୍ତ ଆରମ୍ଭ କଲା। ଆଗ ପୁଲିସ ହାବୁଡ଼ରେ ପଡ଼ିଲା ଅଟୋରିକ୍ସା ଡ୍ରାଇଭର୍ ଶେଖର। ମେ ୨୯ ତାରିଖ ଦିନ ମୃତ୍ୟୁ ପୂର୍ବରୁ ତା’ରି ଅଟୋରେ ବସି ୩ଜଣ ଲେଟିସ୍ ବ୍ରିଜ୍ସ୍ଥିତ ଗୋଟାଏ ଲଜ୍କୁ ଯାଇଥିଲେ। ଏଥିରେ ‘ଅଟୋଶଙ୍କର’ର ସଂପୃକ୍ତି ଅଛି ବୋଲି ତା’ଠାରୁ ଓ ଅନ୍ୟାନ୍ୟ ସୂତ୍ରରୁ ତଦନ୍ତକାରୀ ପୁଲିସ ସୂଚନା ପାଇଲା।
ଗୌରୀଶଙ୍କରରୁ ଅଟୋଶଙ୍କର
‘ଅଟୋଶଙ୍କର’ର ପ୍ରକୃତ ନାଁ ଥିଲା ଗୌରୀଶଙ୍କର। ୧୯୫୪ ଜାନୁଆରି ୨୧ରେ ଭେଲୋର୍ ଅନ୍ତର୍ଗତ କଙ୍ଗେୟାନାଲ୍ଲୁର୍ରେ ଜନ୍ମିତ ଶଙ୍କରର ପିଲାଦିନରୁ ତାମିଲ୍ ସିନେମା ପ୍ରତି ଥିଲା ଭାରି ଝୁଙ୍କ୍। ସେ ତା’ ମା’ ବାକ୍ସରୁ ଟଙ୍କା ଚୋରାଇ ଫିଲ୍ମ ଦେଖିବାକୁ ଯାଉଥିଲା। କୁହାଯାଏ, ସେ କଲେଜରେ ପଢୁଥିବା ବେଳେ ତା’ର ବାପା ପରିବାର ଛାଡ଼ି ଓଡ଼ିଶା ଚାଲିଆସିଲେ। ଆଦ୍ୟ ୧୯୭୦ ଦଶକରେ ଗୌରୀଶଙ୍କର ବି ଘରୁ ଚେନ୍ନାଇ ଚାଲିଯାଇ ସହର ଉପକଣ୍ଠବର୍ତ୍ତୀ ତିରୁବନମିୟୁରରେ ରହିଲା। ଆଗ ସେ ରିକ୍ସାଟାଣି ଚଳିଲା। ତା’ପରେ ଅଟୋରିକ୍ସା ଚଳାଇଲା। କ୍ରମେ ତା’ର ଡାକ ନାଁ ହେଲା ‘ଅଟୋଶଙ୍କର’।
ମଦ ଆଉ ଗଣିକା ଚାଲାଣ
ସେତେବେଳେ ତିରୁବନମିୟୁର ଥିଲା ଅପରାଧୀଙ୍କ ଆଡ୍ଡା। ନିଷିଦ୍ଧ ହୋଇଥିଲେ ବି ଟଙ୍କା ଲୋଭରେ ଗୌରୀଶଙ୍କର ଅଟୋରେ ଚୋରାମଦ ପରିବହନ କଲା। ତା’ର ଲୋଭ ବଢ଼ିଲା। ସେ ଅଟୋରିକ୍ସାରେ ଗଣିକାଙ୍କୁ ନବାଆଣିବା କଲା। ଏଥର ସେ ଜାଣିଲା ଯେ ଗଣିକା ବ୍ୟବସାୟରେ ଅଧିକ ଲାଭ, ବିପଦ କମ୍। ତେଣୁ କିଛି ଭରସାଯୋଗ୍ୟ ସାଙ୍ଗସାଥୀଙ୍କୁ ଏକଜୁଟ କରି ନିଜେ ଗଣିକାଳୟ ଚଳାଇଲା। ସତକୁ ସତ ତା’ର ବ୍ୟବସାୟ ବଢ଼ିଚାଲିଲା। ଦେହ ବ୍ୟବସାୟ ହେତୁ କ୍ରମେ ତା’ର ପୁଲିସ ଓ ଅନ୍ୟାନ୍ୟ ସରକାରୀ ଅଧିକାରୀଙ୍କ ସହିତ ମଧ୍ୟ ସୁସମ୍ପର୍କ ଗଢ଼ିଉଠିଲା। ମୋଟା ରୋଜଗାର ହେବାରୁ ସେ ବିଳାସମୟ ଜୀବନ ବିତାଇଲା। ଏକାଧିକ ମହିଳାଙ୍କୁ ବିବାହ ବି କଲା।
ଏକାଧିକ ବିବାହ ଓ ଅତ୍ୟାଚାର
ଶଙ୍କର ତିନିଚାରି ଥର ବିବାହ କରିଥିଲା। ଆଦ୍ୟ ଆପରାଧିକ ଜୀବନରେ ସେ ପ୍ରଥମେ ଜଗଦୀଶ୍ବରୀ ନାମ୍ନୀ ଜଣେ ଯୁବତୀଙ୍କୁ ବିବାହ କରିଥିଲା। ତାଙ୍କଠାରୁ ତା’ର ୪ଜଣ ପିଲା ହୋଇଥିଲେ। କୌଣସି କାରଣରୁ ଜଗଦୀଶ୍ବରୀ ଆତ୍ମଦାହ କରି ଜୀବନ ହାରିଲେ। ପରେ ମଧୁ ନାମ୍ନୀ ଜଣେ ମହିଳାଙ୍କୁ ଶଙ୍କର ଦ୍ବିତୀୟ ବିବାହ କଲା। ଏହାର କିଛିଦିନ ପରେ ସେ ପୁଣି ଲଳିତା ନାମ୍ନୀ ବାର୍ଗାର୍ଲଙ୍କୁ ବିବାହ କଲା। ନିଷ୍ଠୁର ଶଙ୍କର ଲଳିତାଙ୍କ ବେକକୁ କାମୁଡ଼ି ଓ ତାଙ୍କ ପିଠିରେ ସିଗାରେଟ୍ ଚେଙ୍କଦେଇ ଆମୋଦିତ ହେଉଥିଲା।
ଗଣିକା ପାଇଁ ନରହତ୍ୟା
ଅତ୍ୟାଚାର ସହି ନପାରି ଦିନେ ଲଳିତା ଶଙ୍କରର ମିତ୍ର ସୁଦାଲାଇମୁତ୍ତୂଙ୍କ ସହିତ ଖସି ପଳାଇଗଲେ। ଉତ୍କ୍ଷିପ୍ତ ଶଙ୍କର ଦୁହିଁଙ୍କୁ ଲୋକ ଲଗାଇ ଧରିଲା ଏବଂ ସହଯୋଗୀଙ୍କ ସହିତ ମିଶି ହତ୍ୟାକଲା। ଲଳିତାଙ୍କ ଶବ ପୋତି ଦିଆଗଲା, କିନ୍ତୁ ସୁଦାଲାଇମୁତ୍ତୂଙ୍କ ଶବକୁ ପୋଡ଼ି ତା’ ଭସ୍ମ ନେଇ ବଙ୍ଗୋପସାଗରରେ ନିକ୍ଷେପ କରାଗଲା। ଏମିତି ଥରେ ଜଣେ ଗଣିକା ପାଇଁ ଶଙ୍କରର ତିନିଜଣଙ୍କ ମଧ୍ୟରେ ବିବାଦ ହେଲା। ସେ ତିନିଜଣଙ୍କୁ ହତ୍ୟାକରି ଗୋଟାଏ ନିର୍ମାଣାଧୀନ ଘରର ମେଜିଆ ଖୋଳି ପୋତି ଦେଇଥିଲା। ୧୯୮୮ ମସିହା ଜୁଲାଇ ୭ରେ ପୁଲିସ ୩ଜଣଙ୍କ ଶବ ଉଦ୍ଧାରକରି ଶଙ୍କରକୁ ଗିରଫ କଲା। ତା’ ଘର ତଲାସ ବେଳେ ଗୋଟାଏ ଡାଏରି ମିଳିଲା। ସେଥିରେ ବିଭିନ୍ନ ବର୍ଗର ପୁଲିସ ଓ ସରକାରୀ ଅଧିକାରୀମାନଙ୍କ ସହିତ ଶଙ୍କର ଉଠାଇଥିବା ଫଟୋ ମିଳିବା ପରେ ତା’ର ବ୍ୟବସାୟ ସାମ୍ରାଜ୍ୟ ବଢ଼ିବା ରହସ୍ୟ ଉନ୍ମୋଚିତ ହେଲା।
ଜେଲ୍ରୁ ଚମ୍ପଟ୍
ଶଙ୍କର ଓ ତା’ର ୫ଜଣ ସହଯୋଗୀମାନଙ୍କ ଅପରାଧ ସଂପର୍କରେ ତଦନ୍ତ କରାଯାଇ ଜଣାପଡ଼ିଲା କି, ସେ ୬ଜଣଙ୍କୁ ହତ୍ୟାକରିଛି। ମାମଲା ବିଚାର ବେଳେ ସେ ମଧ୍ୟ ଏ କଥା ସ୍ବୀକାର କଲା। ତା’ପରେ ସେମାନଙ୍କୁ ସାଲେମ୍ କେନ୍ଦ୍ରୀୟ ଜେଲ୍ରେ ରଖାଗଲା। ସେଠାରେ ଆପଣା ପତିଆରା ଦେଖାଇ ଶଙ୍କର ଇଚ୍ଛାମତେ ଜୀବନଯାପନ କଲା। ଜେଲ୍ରେ ହ୍ବିସ୍କି, ସିଗାରେଟ୍, ଚିକେନ୍ ଯାହା ସେ ବରାଦ ଦେଉଥିଲା, ତାହା ତାକୁ ଯୋଗାଇ ଦିଆଯାଉଥିଲା। ୧୯୯୦ ଅଗଷ୍ଟ ୨୧ରେ ଜଣେ ମହିଳାଙ୍କ ସହାୟତାରେ ଶଙ୍କର ଓ ତା’ର ସହଯୋଗୀ ଜେଲ୍ରୁ ଖସି ପଳାଇଗଲେ।
ରାଉରକେଲାରୁ ଧରାପଡ଼ିବା ପରେ ଫାଶୀ
ପରିଶେଷରେ ଓଡ଼ିଶାର ରାଉରକେଲାରୁ ଶଙ୍କର ଓ ତା’ର ସାଥୀଙ୍କୁ ତାମିଲନାଡୁ ପୁଲିସ ଗିରଫ କଲା। ଚେଙ୍ଗାଲ୍ପଟ୍ଟୁ ସେସନ୍ସ୍ କୋର୍ଟରେ ସେମାନଙ୍କର ବିଚାର ଚାଲିଲା। ଶଙ୍କର ଓ ତା’ର ଦୁଇସାଥୀ ଏଲ୍ଡିନ୍ ଓ ଶିବାଜୀଙ୍କୁ ମୃତ୍ୟୁଦଣ୍ଡାଦେଶ ଦିଆଗଲା। ୧୯୯୧ ମେ ୩୧ ତାରିଖରେ ତିନିଜଣଙ୍କୁ ସାଲେମ୍ କାରାଗାରରେ ଫାଶୀଖୁଣ୍ଟରେ ଝୁଲାଇ ଦିଆଗଲା। ଖସି ପଳାଇଯିବାରେ ଶଙ୍କରକୁ ସହଯୋଗ କରିଥିବା ତିନିଜଣ ଜେଲ୍ ୱାର୍ଡେନ୍ଙ୍କ ପ୍ରତି ବି ବିହିତ ଶାସ୍ତି ବିଧାନ କରାଗଲା।