୨୨୧-ବି, ବେକର୍ ଷ୍ଟ୍ରିଟ୍, ଲଣ୍ଡନ୍/ ୨୧, ରଜନୀ ସେନ୍ ରୋଡ୍, ବାଲିଗଂଜ, କଲିକତା- ଏ ଠିକଣା ଆପଣଙ୍କୁ ଚିହ୍ନା ଚିହ୍ନା ଲାଗୁଛି କି? ଯଦି ଲାଗୁନି ତେବେ ମନେପକାନ୍ତୁ ସେର୍ଲକ୍ ହୋମ୍ସ କିମ୍ବା ଫେଲୁ ଦା’ଙ୍କୁ; ମନେପକାନ୍ତୁ ଜେମ୍ସ ବଣ୍ଡ୍, ବ୍ୟୋମକେଶ ବକ୍ସିଙ୍କୁ। ଏ ଚରିତ୍ରମାନେ ଯଦି ଚିହ୍ନା ଲାଗୁଛନ୍ତି, ତେବେ ମନେପକାନ୍ତୁ ସତ୍ୟବ୍ରତ ମହାପାତ୍ର, ରବୀନ୍ ଓ ରତନଙ୍କୁ, ଦସ୍ୟୁ ଦୀପକ ଓ ରୂପକଙ୍କୁ; ମନେପକାନ୍ତୁ ବିକାଶ ଚୌଧୁରୀ, ସୁଭାଷ ସେନ୍, ଦସ୍ୟୁ ନାୟିକା ମୀରା, ଚାଣକ୍ୟ ଦାସଙ୍କୁ। ଏ ଚରିତ୍ରମାନେ ଅତୀତରେ ଆଚ୍ଛନ୍ନ କରି ରଖିଥିଲେ ଡିଟେକ୍ଟିଭ୍ ଉପନ୍ୟାସର ପାଠକମାନଙ୍କୁ। ବହିର ପୃଷ୍ଠାରୁ ବାହାରି ଏମାନେ ନିଜର କାରନାମାରେ ଜୀବନ୍ତ ହୋଇଉଠିଥିଲେ। ଓଡ଼ିଆ ରହସ୍ୟ ସାହିତ୍ୟର ଜୀବନ୍ତ ଚରିତ୍ରମାନଙ୍କ କଥାକୁ ପୁଣିଥରେ ସ୍ମରଣକୁ ଆଣିବା ପାଇଁ ଏଥରର
ପ୍ରଚ୍ଛଦ ପ୍ରସଙ୍ଗ।
ଉପସ୍ଥାପନା:ଅକ୍ଷୟ ସ୍ବାଇଁ
ପର୍ଦ୍ଦା ଆଢୁଆଳରେ ରହିଥିବା ରହସ୍ୟକୁ ପର୍ଦ୍ଦାଫାଶ କରିବା ହିଁ ଡିଟେକ୍ଟିଭ୍ କାହାଣୀର ବିଶେଷତ୍ୱ। ପ୍ରତି ପୃଷ୍ଠାରେ ରହିଥିବା ରହସ୍ୟର ସାନ୍ଦ୍ରତା ପାଠକଙ୍କୁ ଯେତେ ଉତ୍କଣ୍ଠିତ କରେ, ସେତିକି ରୋମାଂଚିତ ବି କରିଥାଏ। ଜଣେ ସଫଳ ଡିଟେକ୍ଟିଭ୍ ଲେଖକ ନିଜ ବର୍ଣ୍ଣନା କରିବାର ଶୈଳୀରେ ପାଠକକୁ ବାନ୍ଧି ରଖିବାରେ ସମର୍ଥ ହୋଇଥାଏ। କେବଳ ଶୈଳୀ ନୁହେଁ, କାହାଣୀର ପ୍ରମୁଖ ଚରିତ୍ରଙ୍କୁ ଏପରି ଭାବେ ଉପସ୍ଥାପିତ କରାଯାଇଥାଏ ଯେ ସେମାନେ ଜୀବନ୍ତ ମନେହୁଅନ୍ତି ଏବଂ ପାଠକଙ୍କ ମନରେ ଘର କରି ବସନ୍ତି। ପାଠକ/ପାଠିକାଙ୍କ ମନରେ ଛାପ ଛାଡ଼ି ଯାଇଥିବା ରହସ୍ୟ ଉପନ୍ୟାସର ଚରିତ୍ରଙ୍କୁ ଆସନ୍ତୁ ମନେପକେଇବା।
ଗୁଇନ୍ଦା ସତ୍ୟବ୍ରତ ମହାପାତ୍ର
ଓଡ଼ିଆ ରହସ୍ୟ ସାହିତ୍ୟର କିଂବଦନ୍ତି ପୁରୁଷ କଣ୍ଡୁରି ଚରଣ ଦାସ ସୃଷ୍ଟି କରିଥିଲେ ଗୁଇନ୍ଦା ଚରିତ୍ର ସତ୍ୟବ୍ରତ ମହାପାତ୍ର। ଜୀବନର ପରମ କର୍ତ୍ତବ୍ୟ ଭାବେ ସତ୍ୟବ୍ରତ ବାଛି ନେଇଥିଲେ ସତ୍ୟର ସନ୍ଧାନ। କେବଳ ଅପରାଧର ସୂତ୍ର ଧରି ଅପରାଧୀକୁ ଖୋଜିବା ଅପେକ୍ଷା ସତ୍ୟବ୍ରତ ସ୍ଥାନ ବିଶେଷରେ ପଢ଼ିପାରନ୍ତି ଆଖି ବା ମୁହଁ ଦେଖି ବ୍ୟକ୍ତି ମନର ଗହନ ଭାଷା। ସତ୍ୟବ୍ରତଙ୍କ ଠିକଣା ନୁହେଁ, ବରଂ ତାଙ୍କ ବ୍ୟକ୍ତିତ୍ୱ ହିଁ ତାଙ୍କୁ ଦେଇଛି ସ୍ୱତନ୍ତ୍ର ପରିଚୟ। ଓଡ଼ିଆ ସାହିତ୍ୟରେ ନିଜେ ବାଲିଗଂଜର ଓଡ଼ିଆ ଫେଲୁ ଦା’ ଭାବରେ ପରିଚିତ କଣ୍ଡୁରି ଚରଣ ଦାସ ସତ୍ୟବ୍ରତ ଦାସ ଚରିତ୍ର ମାଧ୍ୟମରେ ଏକ ସୁନ୍ଦର ବାର୍ତ୍ତା ମଧ୍ୟ ଦେଇଛନ୍ତି, ଯାହା ତାଙ୍କ ଓଡ଼ିଆପଣର କଥା କହେ। ଅପରାଧୀ ନୁହେଁ, ବରଂ ଅପରାଧ ହିଁ ଦଣ୍ଡାବହ। ଏହି ନ୍ୟାୟରେ ଅପରାଧୀକୁ ସମାଜର ମୂଳସ୍ରୋତରେ ସାମିଲ କରି ନିଜ ଜୀବନ ପରିବର୍ତ୍ତନ କରିବାର ସୁଯୋଗ ଦେବାର ପରିକଳ୍ପନା ଓଡ଼ିଆ ଲେଖକଟିଏ ହିଁ କରିପାରେ। ତେବେ କଣ୍ଡୁରି ଚରଣ ଦାସଙ୍କ ପ୍ରତ୍ୟେକ ଗପ ଓ ଉପନ୍ୟାସରେ ସତ୍ୟବ୍ରତ ପ୍ରମୁଖ ଚରିତ୍ର ନ ଥିଲେ। ଅନ୍ୟ ଚରିତ୍ରମାନଙ୍କୁ ନେଇ ମଧ୍ୟ ସେ ରହସ୍ୟ କାହାଣୀ ପାଠକଙ୍କୁ ଭେଟି ଦେଇଛନ୍ତି। ତାଙ୍କର ଅନ୍ୟଏକ ସଫଳ ଚରିତ୍ର ଗୁଇନ୍ଦା ସବ୍ୟସାଚୀ।
ରବୀନ୍ ଓ ରତନ
ଷାଠିଏ ଦଶକର ସବୁଠାରୁ ମନଛୁଅଁା ଓ ଆକର୍ଷଣୀୟ ସୃଷ୍ଟି ଥିଲା ଦ୍ବାରିକାନାଥ ଦାସଙ୍କର ରବୀନ୍ ସିରିଜ୍ ଓ ରତନ ସିରିଜ୍। ସମାଜର ଠକ, ଚୋର, ଅପରାଧୀମାନଙ୍କୁ ଆଇନ ହାତରେ ଧରାଇ ଦେବାର ନୂତନ କୌଶଳ ଓ ପୁଲିସର ଅନୁସନ୍ଧାନ ସରିବା ପୂର୍ବରୁ ଅପରାଧୀ ହାତରେ ଲୌହ ଶୃଙ୍ଖଳ ପିନ୍ଧାଇବାର ଯେଉଁ ପାରିବାପଣିଆ ରବୀନ୍ ଓ ରତନଙ୍କ ନିକଟରେ ଥିଲା ତାହା ସେମାନଙ୍କୁ ଦୀର୍ଘଦିନ ପର୍ଯ୍ୟନ୍ତ ବଞ୍ଚାଇ ରଖିଥିଲା, ପାଠକମାନଙ୍କ ମନ ଭିତରେ। ଏହି ସିରିଜ୍ ଅଶୀ ଦଶକ ପର୍ଯ୍ୟନ୍ତ ପାଠକପ୍ରିୟତା ବଜାୟ ରଖିଥିଲା।
ବିକାଶ ଚୌଧୁରୀ ଓ ସୁଭାଷ ସେନ୍
ଲୋକପ୍ରିୟ ରହସ୍ୟକାର ଭୂପେନ୍ ଗୋସ୍ବାମୀଙ୍କର ଶତାଧିକ ଉପନ୍ୟାସ ପ୍ରକାଶିତ। ତେବେ ତା’ ମଧ୍ୟରୁ ଶନିଚକ୍ର, ବିଫଳ ପ୍ରତିଶୋଧ, ସ୍ବପ୍ନସଂହାର, ଅଭାଗିନୀ ପ୍ରେମିକା, ଅଦୃଶ୍ୟ ସଙ୍କେତ ଓ ସୀମାନ୍ତର ସଇତାନ ଇତ୍ୟାଦିକୁ ସଫଳ କୃତି ହିସାବରେ ଗ୍ରହଣ କରାଯାଇପାରେ। ଏ ସବୁଥିରେ ଗୁଇନ୍ଦା ବିକାଶ ଚୌଧୁରୀ ଓ ପୁଲିସ ଇନ୍ସପେକ୍ଟର୍ ସୁଭାଷ ସେନ୍ଙ୍କ ଯୋଡ଼ି ଖୁବ୍ ଲୋକପ୍ରିୟ। କାହାଣୀ ଗତିଶୀଳ ହେବା ସହ ଅପରାଧୀକୁ ଚିହ୍ନଟ କରିବାରେ ପାଠକ ମନରେ ଯେଉଁ ଉତ୍କଣ୍ଠା ସୃଷ୍ଟି କରିଚାଲିଥାଏ ଏଇ ଦୁଇ ଚରିତ୍ରର ଦକ୍ଷତା ପାଠକ ମନରେ ସେତିକି ଭରସା ସୃଷ୍ଟି କରିଥାଏ।
ଦସ୍ୟୁ ନାୟିକା ମୀରା
ଯୋଗେନ୍ଦ୍ର କୁମାର ମହାନ୍ତିଙ୍କ ଦ୍ବାରା ରଚିତ ମହାକାଳର ଆଖି, ବନ୍ଦୀ ଶିବିର, ନାରୀ ନରଭକ୍ଷୀ, ନୀଳଦାନବ, ପିଶାଚର ସୁଖସ୍ବପ୍ନ ଇତ୍ୟାଦି ଉପନ୍ୟାସଗୁଡ଼ିକ ସଫଳତା ଆଣିଦେଇଥିଲେ ମଧ୍ୟ ‘ମୀରା ସିରିଜ୍’ ତାଙ୍କୁ ଦେଇଥିଲା ପ୍ରସିଦ୍ଧି। ମୀରା ସିରଜ୍ର ପ୍ରଥମ ଉପନ୍ୟାସଟି ଥିଲା ‘ଦସ୍ୟୁ ନାୟିକା ମୀରା’। ପରେ ପରେ ଏହି ସିରିଜ୍ରେ ‘କଂକାଳର ଅଭିଯାନ’, ‘ଜଳଦସ୍ୟୁ’, ‘ରହସ୍ୟମୟୀ ମୀରା’ ଆଦି ପ୍ରକାଶ ପାଇ ମୀରାଙ୍କର ମୃତ୍ୟୁ ପର୍ଯ୍ୟନ୍ତ ଏଗାର ଖଣ୍ଡ ରହସ୍ୟ ଉପନ୍ୟାସ ପ୍ରକାଶ ପାଇଥିଲା। ଧନୀଙ୍କୁ ଲୁଟି ଗରିବଙ୍କୁ ସାହାଯ୍ୟ କରୁଥିବା ଏହି ନାରୀ ଚରିତ୍ରଟି ବେଶ୍ ପାଠକପ୍ରିୟ ହୋଇପାରିଥିଲା। କେବଳ ରହସ୍ୟ ନୁହେଁ ଏଥିରେ ମୀରା ଓ ଅନ୍ୟତମ ଦସ୍ୟୁ ନାରଣର ପ୍ରେମ କାହାଣୀ ବି ପାଠକମନରେ ରୋମାଞ୍ଚ ସୃଷ୍ଟି କରୁଥିଲା। ଯୋଗେନ୍ଦ୍ରଙ୍କର ବର୍ଣ୍ଣନାଶୈଳୀର ମାଧୁର୍ଯ୍ୟ ଓ ନାରୀ ଚରିତ୍ର ଅଧ୍ୟୟନର ଦକ୍ଷତା ରହସ୍ୟ ସାହିତ୍ୟର ପାଠକମାନଙ୍କ ପାଇଁ ସୃଷ୍ଟି କରିଥିଲା ଏକ ନୂତନ ସ୍ବାଦ।
ଅକ୍ଷୟ କୁମାର
ଜଣେ ଅପରାଧୀ ଘରର ଅତିଥି ଭାବେ ରହିଛି। ତା’ର ଅପରାଧକୁ କୌଶଳକ୍ରମେ ସାମ୍ନାକୁ ଆଣିଛନ୍ତି ଗୁଇନ୍ଦା ଅକ୍ଷୟ କୁମାର। ‘ବିଖଣ୍ଡିତ ଉଲ୍କା’ ଉପନ୍ୟାସରେ ଜଣେ ସିରିଏଲ୍ କିଲର୍, ଯିଏକି ନିଜ ଖବରକାଗଜକୁ ବଢ଼ାଇବା ପାଇଁ ଗୋଟେ ପରେ ଗୋଟେ ହତ୍ୟା କରିଚାଲିଛି, ତାକୁ ଶେଷରେ ଧରିଛନ୍ତି ଅକ୍ଷୟ କୁମାର। ସେଇଭଳି ଆଉ ଏକ ହତ୍ୟାକାଣ୍ଡ ଓ ପ୍ରେତ ରହସ୍ୟକୁ ନେଇ ଉପନ୍ୟାସ ‘ନିଶୀଥର ସ୍ବପ୍ନ’ରେ ଅକ୍ଷୟ କୁମାର ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି। ରହସ୍ୟ ଉପନ୍ୟାସର ଲେଖକ ଜୀବନକୃଷ୍ଣ ମହାପାତ୍ରଙ୍କର ଏହି ତିନିଟି ଉପନ୍ୟାସ ବ୍ୟତୀତ ନଅଟି ରହସ୍ୟ ଗଳ୍ପକୁ ନେଇ ଏକ ଗଳ୍ପ ସଂକଳନ ‘ନିର୍ମମ ଅରଣ୍ୟ’ ପ୍ରକାଶ ପାଇବାକୁ ଯାଉଛି। ଏ ସମସ୍ତ ଗଳ୍ପରେ ଡିଟେକ୍ଟିଭ ଅକ୍ଷୟ କୁମାର ପ୍ରମୁଖ ଚରିିତ୍ର। ତାଙ୍କର ସହକାରୀ ଭାବେ ସାରଦା ପ୍ରସାଦ ମଧ୍ୟ ବେଶ୍ ପରିଚିତ ଚରିତ୍ର।
ସେନାପତିବାବୁ ଓ ସୁଜିତ ମିଶ୍ର
ସତୁରି ଓ ଅଶୀ ଦଶକର ଜଣାଶୁଣା ରହସ୍ୟ ଉପନ୍ୟାସ ଲେଖକ ଚକ୍ରପାଣି ପରିଚ୍ଛା। ତାଙ୍କ ସୃଷ୍ଟିର ଦୁଇଟି ମୁଖ୍ୟ ଚରିତ୍ର ଥିଲେ ପୁଲିସ ଅଫିସର୍ ସେନାପତିବାବୁ ଓ ଗୁଇନ୍ଦା ସୁଜିତ ମିଶ୍ର। ଘଟିଯାଇଥିବା ଅପରାଧର ସୂକ୍ଷ୍ମ ଅନୁଧ୍ୟାନ ପାଇଁ ସେନାପତିବାବୁ ଗୁଇନ୍ଦା ସୁଜିତ ମିଶ୍ରଙ୍କ ସହଯୋଗ ଲୋଡୁଥିଲେ। ଘଟିଯାଇଥିବା ଅପରାଧକୁ କେନ୍ଦ୍ର କରି ଚାରିପାଖେ ଘୂରି ବୁଲୁଥିବା ୫ଟି ବା ୭ଟି ଚରିତ୍ରକୁ ସୁଜିତ ମିଶ୍ର କିଭଳି ଭାବେ ଚତୁରତାର ସହ ଏବଂ ପରବର୍ତ୍ତୀ ସମୟରେ ପ୍ରକୃତ ଅପରାଧୀକୁ ଚିହ୍ନଟ କରିବାରେ ପୁଲିସର ସହଯୋଗ କରୁଥିଲେ ତାହା ହିଁ ଥିଲା ତାଙ୍କର ବିଶେଷତ୍ୱ। ସତୁରି ଦଶକ ପୂର୍ବରୁ ପ୍ରାୟତଃ ଅଧିକାଂଶ କାହାଣୀରେ ପାଠକଙ୍କୁ ରୋମାଞ୍ଚିତ କରିବା ପାଇଁ ଆବଶ୍ୟକତାଠାରୁ ଅତ୍ୟଧିକ ଭୟ ଉଦ୍ରେକକାରୀ ବର୍ଣ୍ଣନା ରହୁଥିବାବେଳେ ଚକ୍ରପାଣିଙ୍କ ଲେଖାରେ କେବଳ ସସ୍ପେନ୍ସ୍ ହିଁ ରହୁଥିଲା। ଗୁଇନ୍ଦା ସୁଜିତ ମିଶ୍ର କ୍ରମଶଃ ପାଠକମାନଙ୍କ ନିକଟରେ ଏକ ପରିଚିତ ନଁା ହୋଇ ରହିଯାଇଥିବା ଏବଂ ଭିନ୍ନ ଭିନ୍ନ ସମୟରେ ଭିନ୍ନ ଭିନ୍ନ ଭାବରେ ତଦନ୍ତର କୌଶଳ ଓ ରହସ୍ୟର ପର୍ଦ୍ଦାଫାଶ କରିବା ପାଠକଙ୍କୁ ବିଶେଷ ଭାବେ ଆକର୍ଷିତ କରିପାରିଥିଲା।
ସିକ୍ରେଟ୍ ଏଜେଣ୍ଟ୍ ‘ଡନ୍’
ଅଶୀ ଦଶକରେ ପାଠକମାନଙ୍କ ମନରେ ଅଜବ ପ୍ରକାରର ଆଗ୍ରହ ଓ ଉତ୍ତେଜନା ଭରିଦେଇ ଆନନ୍ଦ ଓ ଉତ୍କଣ୍ଠା ବାଣ୍ଟିବାରେ ଅପାର ସଫଳତା ଅର୍ଜନ କରିଥିଲା ‘ଡନ୍’। କୋକିଶିଆଳି ଭଳି ଧୂର୍ତ୍ତ ଓ ଚିତାବାଘ ଭଳି ଫନ୍ଦିବାଜ୍ ଭାରତୀୟ ସିକ୍ରେଟ୍ ସର୍ଭିସ୍ର ଦକ୍ଷ ଏଜେଣ୍ଟ ଥିଲା ଡନ୍। ଦୁର୍ଦ୍ଦାନ୍ତ ଅପରାଧୀମାନଙ୍କ ମନରେ ଆତଙ୍କ ସୃଷ୍ଟିକରି ନିଜର ଅପୂର୍ବ ବୁଦ୍ଧି ଓ କଳ୍ପନାଶକ୍ତି ଖଟାଇ ସେମାନଙ୍କୁ ଆଇନ ହାତରେ ଟେକି ଦେଶର ଧନ, ଜୀବନ ରକ୍ଷା କରିବା ସହିତ ଶତ୍ରୁର ଚକ୍ରାନ୍ତ ଭେଦକରି ମାତୃଭୂମିର ସୁରକ୍ଷା ଓ ସମ୍ମାନକୁ ଫେରାଇ ଆଣିବା ନିମନ୍ତେ ବିପଦ ସହିତ ଖେଳିବା ଏବଂ ମୃତ୍ୟୁ ସହିତ ସଂଗ୍ରାମ କରି ନିଜେ ବଞ୍ଚି ଅନ୍ୟକୁ ବଞ୍ଚାଇବା ଭଳି ଚରମ ନିଷ୍ପତ୍ତି ନେଇଥିଲା କରିତ୍କର୍ମା ଯୁବକ ଡନ୍। ସିକ୍ରେଟ୍ ଏଜେଣ୍ଟ୍ ଡନ୍, ଡନ୍ ଇନ୍ ଖଲିସ୍ଥାନ, ଡନ୍ ଓ ଜେମ୍ସ ବଣ୍ଡ୍-୦୦୭, ଅପରେସନ୍ ଲିବିୟା, ଡନ୍ ଇନ୍ ବ୍ଲାକ୍ ଫୋର୍ଟ, ଫାଇଲ୍ ନଂ ୩୧୭, ଅପରେସନ୍ ରେଡ୍ ବୁଲେଟ୍, ଡନ୍ ଇନ୍ କାନାଡା, ଡନ୍ ଇନ୍ ପ୍ୟାରିସ୍, ମିଶନ୍ ଟୁ ଡେଥ୍ଭ୍ୟାଲି, ମୃତ୍ୟୁ ମଲ୍ଲିକା, ସ୍ପାଇ କିଲର୍ ଇତ୍ୟାଦି ଦୁର୍ଦ୍ଦାନ୍ତ ଅଭିଯାନରେ ସେ ପ୍ରମାଣ କରିପାରିଥିଲା ନିଜର ଅଦ୍ଭୁତ ପ୍ରତିଭା ଓ ଦୁଃସାହସକୁ। ଡନ୍ ଭଳି ଏକ ଚରିତ୍ର ସୃଷ୍ଟିକରି ପାଠକମାନଙ୍କୁ ବାନ୍ଧି ରଖିଥିଲେ ରହସ୍ୟ ଉପନ୍ୟାସର ଲେଖକ ତରୁଣ ତପନ ମହାନ୍ତି।
ଚାଣକ୍ୟ ଦାସ
ସେ େକୗଣସି ପୁଲିସ ଅଫିସର୍ ନୁହେଁ କି ଗୁଇନ୍ଦା ଏଜେଣ୍ଟ ନୁହେଁ। ତଥାପି କିଛି ଦୁର୍ଘଟଣା ଘଟିବାକୁ ଗଲାବେଳେ, ସେ ବୁଦ୍ଧି ଖଟାଇ ନିଜକୁ ବଞ୍ଚାଇବା ସହିତ ନିଜ ସମସ୍ୟାର ସମାଧାନ ଅକ୍ଳେଶରେ ବାହାର କରିନେଇପାରେ। ଅବଶ୍ୟ ସେ ନିଜର ପରିଚୟ ଦେବାକୁ ଯାଇ ଅନ୍ୟମାନଙ୍କୁ ବୀମା କଂପାନିର ଅଫିସର୍, ପୁଲିସ ଇନ୍ସ୍ପେକ୍ଟର୍, ଆଷ୍ଟ୍ରୋଲଜର୍ କି ଡାକ୍ତର ବୋଲି କହିଥାଏ। ତେଣୁ ପାଠକମାନେ ତାକୁ ବିଭିନ୍ନ ନାମରେ ଜାଣିବାର ସୁଯୋଗ ପାଇଥାଆନ୍ତି। ପ୍ରକୃତରେ ସେ ଗୋଟିଏ ସମ୍ବାଦ ପରିବେଷଣ ସଂସ୍ଥାର ଅନୁସନ୍ଧାନକାରୀ ସାମ୍ବାଦିକ ଭାବରେ କାର୍ଯ୍ୟ କରେ। ଅବଶ୍ୟ ତା’ର ଏଇ ଦୁଃସାହସକୁ ତା’ର ପୁଲିସବନ୍ଧୁ ଓ ଓକିଲବନ୍ଧୁମାନେ ମଧ୍ୟ ପସନ୍ଦ କରି ବିପଦ ଆପଦରେ ସାହାଯ୍ୟ କରିଥାନ୍ତି। ସେଇଥିପାଇଁ ତ ‘ବିପଦ ସୁନ୍ଦରୀ’, ‘ନକଲି ନାୟିକା’, ‘ସାରାରାତି ଖୁନ୍’, ଘରସାରା ଲାସ୍’ ଇତ୍ୟାଦି ଉପନ୍ୟାସମାନଙ୍କରେ ତାକୁ ଇନ୍ସପେକ୍ଟର୍ ଦୀପକ ଦାସ, ଚାଣକ୍ୟ ଚୌଧୁରୀ, କୁମାର, ଚାଣକ୍ୟ ଦାସଙ୍କ ଛଦ୍ମବେଶରେ ପାଠକମାନେ ପାଇବା ପରେ ବିସ୍ମିତ ହୁଅନ୍ତି। ସେମାନଙ୍କ ପାଟିରୁ ବାହାରି ପଡ଼େ, ସାମ୍ବାଦିକ ବି ଗୁଇନ୍ଦା ହୋଇପାରେ, ବାଃ! ଚାଣକ୍ୟ ବାଃ! ଲେଖକ ତରୁଣ ତପନ ମହାନ୍ତିଙ୍କର ଏହି ଚରିତ୍ରଟି ମଧ୍ୟ ବେଶ୍ ପାଠକପ୍ରିୟ ଥିଲା।
ଗୋଇନ୍ଦା ଗଦାଧର
ଗୋବିନ୍ଦ ତ୍ରିପାଠୀଙ୍କ ‘ଗୋଇନ୍ଦା ଗଦାଧର’ ଓ ‘ଚତୁର ଗଦାଧର’ ଦୁଇଟି ପର୍ଯ୍ୟାୟକ୍ରମିକ ଉପନ୍ୟାସ। ଉଭୟ ଉପନ୍ୟାସରେ ଅନୁସନ୍ଧାନକାରୀ ଚରିତ୍ର ହେଉଛନ୍ତି ଗଦାଧର। ଚୋରି ଓ ହତ୍ୟାକୁ କେନ୍ଦ୍ରକରି କଥାବସ୍ତୁ ପରିକଳ୍ପିତ ହୋଇଥିଲେ ହେଁ ଗଦାଧରଙ୍କ କଳ୍ପନା ପ୍ରବଣତା ଓ ଆନୁମାନିକତା ପାଠକଙ୍କୁ ବେଶ୍ ଚମତ୍କୃତ କରେ। ତେଣୁ ଗଦାଧରଙ୍କ ନାମ ଅନୁସାରେ ଉପନ୍ୟାସ ଦ୍ବୟର ନାମକରଣ କରାଯାଇଛି।
ରହସ୍ୟ କାହାଣୀର ନୂଆ ନାୟକ
ସ୍ୱରୂପ କୁମାର
ଓଡ଼ିଆ ରହସ୍ୟ କାହାଣୀ ଦୁନିଆରେ ସାମିଲ୍ ହୋଇଥିବା ସଦ୍ୟତମ ଚରିତ୍ର ସ୍ୱରୂପ କୁମାର। ତେବେ ସ୍ୱରୂପ କୁମାର ବୃତ୍ତିରେ ଗୁଇନ୍ଦା ନୁହେଁ ବରଂ ଭୁବନେଶ୍ୱର କମିସନରେଟ୍ ପୁଲିସର ଜଣେ ଯୁବ ଦକ୍ଷ ଅଫିସର୍। ସାଥିରେ ସବ ଇନ୍ସ୍ପେକ୍ଟର୍ ପାର୍ଥଙ୍କୁ ନେଇ ସେ ସମାଧାନ କରନ୍ତି ଓଡ଼ିଶାର ବିଭିନ୍ନ ଜଘନ୍ୟ ଅପରାଧର ଗୋଲକଧନ୍ଦା। ଲେଖକ ସ୍ୱରୂପ କୁମାର ନାୟକ ‘କିଶୋରୀ ଅସ୍ମିତାର ଆତ୍ମହତ୍ୟା’ ଓ ‘ଡାକ୍ତର ଦମ୍ପତି ଡବଲ୍ ମର୍ଡର୍’ ରହସ୍ୟ ଉପନ୍ୟାସରେ କେବେ ଚରିତ୍ର ସ୍ୱରୂପ କୁମାରଙ୍କୁ ହୋମ୍ସ୍ ପରି ବିଚକ୍ଷଣ, ବିଦ୍ରୂପାତ୍ମକ, ଅହଙ୍କାରୀ ସଜେଇ ଦିଅନ୍ତି ତ କେବେ ହର୍କୁଲ ପୋଇର ଭଳି ସ୍ଥିର, ସ୍ଥିତପ୍ରଜ୍ଞ।
କିଛି ପଡ଼ୋଶୀ ଓ ବିଦେଶୀ ପ୍ରସିଦ୍ଧ ଚରିତ୍ର
ସେର୍ଲକ୍ ହୋମ୍ସ୍: ଲଣ୍ଡନ୍ର ୨୨୧ବି ବେକର୍ ଷ୍ଟ୍ରିଟ୍ ଏକ କାଳ୍ପନିକ, ମନଗଢ଼ା ଠିକଣାଟିଏ ବୋଲି ବୁଝେନା ଲଣ୍ଡନ୍ ସହର। ଅନେକ ଚିଠି ଲେଖାହୁଏ ଏଇ ଠିକଣାରେ। କେତେ ଗୁହାରି, କେତେ ଭଲପାଇବା, କେତେ ଅଭିଯୋଗର ଚିଠା ବଢ଼ାହୁଏ ଏହି ଠିକଣାରେ। ପୂରା ସହର ଜାଣେ ଏଠି ରହନ୍ତି ସେରଲକ୍ ହୋମ୍ସ୍ ଓ ତାଙ୍କ ସହଯୋଗୀ ଜନ୍ ୱାଟ୍ସନ୍। ଜୀବନରେ ଅତି ବେଖିଆଲି ହୋମ୍ସ୍ ନିଜର ଅସାଧାରଣ ଧୀଶକ୍ତି ବଳରେ ଏପରି କେଶ୍ ସବୁ ସମାଧାନ କରନ୍ତି ଯେ, ସେ କେବଳ ଏକ କଳ୍ପନାପ୍ରସୂତ ଚରିତ୍ର ବୋଲି ଲୋେକ ଗ୍ରହଣ କରିପାରନ୍ତିନି। ଏପରି ବି ସମୟ ଆସେ ଯେବେ ନିଜେ ଲେଖକ ଆର୍ଥର୍ କୋନନ୍ ଡୟଲ୍ ଏ କାହାଣୀ ଲେଖିବେନି ବୋଲି ନିଷ୍ପତ୍ତି ନେଇ କାହାଣୀରେ ହୋମ୍ସ୍ଙ୍କ ମୃତ୍ୟୁ ଘଟାନ୍ତି। ଏ ଘଟଣା ପୂରା ଲଣ୍ଡନ୍ ସହରକୁ ବିଚଳିତ କରିଦିଏ। ଲୋକ ଏହାର ଘୋର ବିରୋଧ କରନ୍ତି। ପ୍ରତିବାଦର ଅନେକ ଚିଠି ଆସେ। ଏପରିକି ଆର୍ଥର୍ କୋନନ୍ଙ୍କୁ ହୋମ୍ସ୍ଙ୍କ ହତ୍ୟାକାରୀ କହି ଗାଳିଗୁଲଜ ପୂର୍ଣ୍ଣ ଚିଠି ବି ପାଠକ ଦିଅନ୍ତି। ପାଠକମାନଙ୍କ ଭଲପାଇବା ଆଗରେ ହାର୍ ମାନି କୋନନ୍ ହୋମ୍ସ୍ଙ୍କୁ ପୁନର୍ଜୀବିତ କରାନ୍ତି ଏବଂ ଶେଷ ଜୀବନ ପର୍ଯ୍ୟନ୍ତ ହୋମ୍ସ୍ଙ୍କୁ ନେଇ କାହାଣୀ ଲେଖନ୍ତି।
ହର୍କୁଲ୍ ପୋଇର: ତିରିଶରୁ ଅଧିକ ଉପନ୍ୟାସ ଓ ପଚାଶରୁ ଅଧିକ ଗଳ୍ପର ଏହି ନାୟକ ସମ୍ଭବତଃ ଗୁଇନ୍ଦା ଦୁନିଆର ସବୁଠାରୁ ଅଧିକ ପୁସ୍ତକରେ ପ୍ରକାଶିତ ଚରିତ୍ର। ରହସ୍ୟର ରାଣୀ ଅାଗାଥା କ୍ରିଷ୍ଟିଙ୍କ ମାନସସନ୍ତାନ ହର୍କୁଲ୍ ପୋଇର ଚରିତ୍ର ହୋମ୍ସ୍ଙ୍କ ପରି ଖିଆଲି, ମନମୋଟିଆ କି ଅହଂକାରୀ ନୁହନ୍ତି। ଧୀରସ୍ଥିର, ନମ୍ର କିନ୍ତୁ ନିଜ କଥାରେ ଦୃଢ଼ ଏହି ଚରିତ୍ର। ଯେଉଁଠି ହୋମ୍ସ୍ ପ୍ରତ୍ୟକ୍ଷ ତଥ୍ୟ, ଉପାଦାନ ଓ ଗୁପ୍ତ ନିରୀକ୍ଷଣ ଉପରେ ବିଶ୍ୱାସ ରଖନ୍ତି ସେଇଠି ହର୍କୁଲ୍ ପୋଇର ମନୋବିଜ୍ଞାନ ଓ ତର୍କ ଉପରେ ଭରସା କରନ୍ତି। ମସ୍ତିଷ୍କର ‘ଗ୍ରେ ସେଲ୍’ ବ୍ୟବହାର କରିବା ଉପରେ ଗୁରୁତ୍ୱ ଦିଅନ୍ତି ପୋଇର। ଯେଉଁ ସମୟରେ ପାଠକ ଗୁଇନ୍ଦାର ଚେହେରା ଭାବେ ହୋମ୍ସ୍ଙ୍କୁ ଚିତ୍ରଣ କରି ସାରିଥିଲେ ତା’ର ପରବର୍ତ୍ତୀ ସମୟରେ ହର୍କୁଲ୍ ପୋଇର ସମ୍ପୂର୍ଣ୍ଣ ଭିନ୍ନ ଏକ ବ୍ୟକ୍ତିତ୍ୱର ଚରିତ୍ର ସାଜି ମଧ୍ୟ ପାଠକଙ୍କୁ ଚମକେଇ ପାରିଥିଲେ।
ଫେଲୁ ଦା’: ଭାରତର ସର୍ବାଧିକ ଲୋକପ୍ରିୟ ଗୁଇନ୍ଦା ଚରିତ୍ର କଥା ଉଠିଲେ ନିର୍ଦ୍ୱନ୍ଦ୍ବରେ ଫେଲୁ ଦା’ ନଁା ନିଆଯାଇପାରେ। ୨୧, ରଜନୀ ସେନ୍ ରୋଡ୍, ବାଲିଂଗଜ, କଲିକତାରେ ଫେଲୁ ଦା’ ରହନ୍ତି! ଗୋଟିଏ କାଳ୍ପନିକ ଚରିତ୍ର ନିଜର ନଁାରେ ନୁହେଁ ବରଂ ଡକା ହକା ନଁାରେ ପରିଚିତ ହେବାର ଏକ ବଡ଼ ଉଦାହରଣ ଫେଲୁ ଦା’। ହୁଏତ ଚରିତ୍ରକୁ ନିଜର ନଁା ପ୍ରଦୋଷ ମିତ୍ର ନୁହେଁ ବରଂ ଏଇ ଡକା ହକା ନଁାରେ ପ୍ରସିଦ୍ଧ କରିବାର କଳାରେ ମାହିର ଲେଖକ ସତ୍ୟଜିତ ରାୟ। ଚାର୍ମିନାର୍ ସିଗାରେଟ୍ ସହ ଖାଦ୍ୟ, ସଂଗୀତ, ଚଳଚ୍ଚିତ୍ର ଓ ବହିର ସୌକ ରଖିଥିବା ଫେଲୁ ଦା’ ନିଜର ବୁଦ୍ଧିମତା, ସୂକ୍ଷ୍ମାବଲୋକନ, ଅନୁଶୀଳନରେ ଘଟଣାର ସମାଧାନ ଖୋଜନ୍ତି।
ବ୍ୟୋମକେଶ ବକ୍ସି: ସତ୍ୟର ଅନ୍ୱେଷଣ କରୁ କରୁ ପାଠକମାନଙ୍କ ଭଲପାଇବା ସାଉଁଟନ୍ତି ବ୍ୟୋମକେଶ ବକ୍ସି। କଲିକତାର ହାରିସନ୍ ରୋଡ୍, ଚାଇନା ବଜାରରେ ରହୁଥିବା ଏହି ଗୁଇନ୍ଦା ନିଜ ସହଯୋଗୀ ଅଜିତଙ୍କ ସହ ମିଶି ଅନେକ ରହସ୍ୟର ଉନ୍ମୋଚନ କରନ୍ତି। ବ୍ୟୋମକେଶ ପାରମ୍ପରିକ ପୋଷାକ କୁର୍ତ୍ତା, ଧଳାଧୋତି ସହ ଦେହରେ ସାଲ୍ ଘୋଡ଼େଇ ନଜରକୁ ଆସନ୍ତି। ବକ୍ସି ମିଷ୍ଟଭାଷୀ, ସରଳ ସାଧାରଣ ଜୀବନଯାପନରେ ବିଶ୍ୱାସ ରଖନ୍ତି। ଶରଦିନ୍ଦୁ ବନ୍ଦୋପାଧ୍ୟାୟ ଏହି ଚରିତ୍ରକୁ ମଧ୍ୟ ଅସାଧାରଣ ମାନସିକ ଶକ୍ତିସମ୍ପନ୍ନ କରି ଗଢ଼ିତୋଳି ନାହାନ୍ତି ଯାହା ସାଧାରଣତଃ ଗୁଇନ୍ଦାମାନଙ୍କ ଚରିତ୍ରରେ ଦେଖାଯାଏ। ସେହିପରି ବ୍ୟୋମକେଶ ତର୍କସମ୍ମତ ଯୁକ୍ତିଭିତ୍ତିକ ସମାଧାନରେ ବିଶ୍ୱାସ ରଖନ୍ତି।