ସ୍ବରାଜ ମିଶ୍ର
ବହୁ ପ୍ରାଚୀନ କାଳରୁ ପୂର୍ବଏସିଆର ଦେଶମାନଙ୍କ ସହ ଆମ ରାଜ୍ୟ ଓଡ଼ିଶାର ଘନିଷ୍ଠ ବ୍ୟାବସାୟିକ ଓ ସାଂସ୍କୃତିକ ସଂପର୍କ ସର୍ବଜନବିଦିତ। ସେ ସବୁ ଦେଶରେ ଆଜି ବି ଓଡ଼ିଆ ସଂସ୍କୃତିର ବିରଳ ସନ୍ତକ ସବୁ ଦେଖିବାକୁ ମିଳେ। ତେବେ ସୂର୍ଯ୍ୟୋଦୟର ଦେଶ ଜାପାନର କାହାଣୀ ଓ କିଂବଦନ୍ତି ଭିତରେ ଆମ ସଂସ୍କୃତିର ଛାପ ଦେଖିଲେ ଆଶ୍ଚର୍ଯ୍ୟ ଲାଗେ। ବିଶେଷ କରି ଓଡ଼ିଆ ଜାତିର ପ୍ରାଣର ଦେବତା ଶ୍ରୀଜଗନ୍ନାଥଙ୍କର ବିଗ୍ରହ ନିର୍ମାଣ ଓ ମହୋଦଧିରେ ଭାସମାନ ଦିବ୍ୟଦାରୁକୁ ନେଇ ଯେଉଁ କିଂବଦନ୍ତି ରହିଛି, ତା’ର ଝଲକ ଯେବେ ଆମେ ଜାପାନର ପ୍ରାଚୀନ ରଚନା ଭିତରେ ଦେଖୁ ସେତେବେଳେ ବିଶ୍ବାସ କରିହୁଏ ନାହିଁ।
ଶ୍ରୀଜଗନ୍ନାଥଙ୍କ ବିଗ୍ରହ ନିର୍ମାଣକୁ ନେଇ ପ୍ରଚଳିତ କାହାଣୀ ସହ ଆମେ ସମସ୍ତେ ପରିଚିତ। ରାଜା ଇନ୍ଦ୍ରଦ୍ୟୁମ୍ନ, ବ୍ରାହ୍ମଣ ବିଦ୍ୟାପତି, ଶବରରାଜ ବିଶ୍ବାବସୁ, ତାଙ୍କର କନ୍ୟା ଲଳିତା ଓ ଅରଣ୍ୟ ଗୁମ୍ଫାରେ ପୂଜିତ ନୀଳମାଧବଙ୍କୁ ଠାବ କରିବାର କାହାଣୀ ପରେ ଆରମ୍ଭ ହୁଏ ଇନ୍ଦ୍ରଦ୍ୟୁମ୍ନଙ୍କର ଅଶ୍ବମେଧ ଯଜ୍ଞ। ସ୍ବପ୍ନାଦେଶ ମୁତାବକ ସେ ଯଜ୍ଞରେ ପୂର୍ଣ୍ଣାହୂତି ଦେବା ସମୟରେ ସେବକମାନେ ତାଙ୍କୁ ମହୋଦଧି ଜଳରେ ଭାସମାନ ମହାଦାରୁ ଦର୍ଶନର ସମ୍ବାଦ ଦିଅନ୍ତି। ସ୍କନ୍ଦ ପୁରାଣର ଉତ୍କଳ ଖଣ୍ଡରେ ତାହାର ବିସ୍ତୃତ ବର୍ଣ୍ଣନା ଅଛି- ମହାସମୁଦ୍ରରେ ଦର୍ଶନ ମିଳିଥିବା ଉକ୍ତ ମହାବୃକ୍ଷର ସମସ୍ତ ଅବୟବ ରକ୍ତବର୍ଣ୍ଣ, ଶଙ୍ଖଚକ୍ର ଚିହ୍ନରେ ଚିହ୍ନିତ। ଏହି ଅଦୃଷ୍ଟପୂର୍ବ ବୃକ୍ଷ ନିଜ ତେଜ ଦ୍ବାରା ଉଦିତ ସୂର୍ଯ୍ୟ ସଦୃଶ ସମସ୍ତ ପ୍ରଦେଶକୁ ଆଲୋକିତ କରିବା ସହିତ ତଟଭୂମିକୁ ସ୍ବକୀୟ ସୁଗନ୍ଧ ଦ୍ବାରା ଆମୋଦିତ କରୁଅଛି। ତା'ପରେ ମହାରାଜ ମହୋଦଧିରୁ ମହାଦାରୁଙ୍କୁ ଅଣାଇଲେ ଏବଂ ଶୂନ୍ୟବାଣୀ ନିର୍ଦ୍ଦେଶ ଅନୁସାରେ ପରଦିନ ସକାଳେ ସାମନାରେ ଉପନୀତ ବୃଦ୍ଧ କାରିଗରଙ୍କ ଉପରେ ମହାପ୍ରଭୁଙ୍କ ବିଗ୍ରହ ନିର୍ମାଣ କାର୍ଯ୍ୟ ନ୍ୟସ୍ତ କରାଇଲେ। ତା’ପରେ ରହିଛି ସମୟ ମିଆଦ ପୂରିବା ପୂର୍ବରୁ ମହାରାଣୀ ଗୁଣ୍ଡିଚାଙ୍କ ବ୍ୟସ୍ତତା କାରଣରୁ ଦୁଆର ଖୋଲାଇବା ଘଟଣା ଏବଂ ଠାକୁରଙ୍କୁ ଅଧାଗଢ଼ା ଅବସ୍ଥାରେ ପାଇବାର କାହାଣୀ।
ଜାପାନରେ ଠିକ୍ ଏହିଭଳି ଏକ କାହାଣୀ ରହିଛି ପ୍ରାଚୀନ ‘ନିହୋନ୍ ସୋକି’ ଗ୍ରନ୍ଥରେ। ଆମ ରାଜ୍ୟର ‘ମାଦଳା ପାଞ୍ଜି’ ଭଳି ‘ନିହୋନ୍ ସୋକି’ ଖ୍ରୀଷ୍ଟୀୟ ଅଷ୍ଟମ ଶତାବ୍ଦୀର ପ୍ରଥମ ଭାଗରେ ରଚିତ ଜାପାନର ଅନ୍ୟତମ ପ୍ରାଚୀନତମ ଗ୍ରନ୍ଥ। ଏଥିରେ ଜାପାନୀ ସମ୍ରାଟମାନଙ୍କର ରାଜତ୍ବର ଇତିହାସ ସହ ଅନେକ କିଂବଦନ୍ତି ମଧ୍ୟ ରହିଛି। ଏଥିରେ ଏକ ଘଟଣା ବର୍ଣ୍ଣିତ ଅଛି, ଯାହା ଆମର ମହୋଦଧିରେ ଭାସି ଆସିଥିବା ଦାରୁ ଏବଂ ସେଥିରୁ ଠାକୁର ଗଢ଼ାହେବାର କିଂବଦନ୍ତି ସହ ସାଦୃଶ୍ୟ ରଖେ। ଏହି ବର୍ଣ୍ଣନା ଅନୁସାରେ ଜାପାନର ୨୯ତମ ସମ୍ରାଟ କିମ୍ମେଇଙ୍କର ଚଉଦ ଅଙ୍କରେ (ଖ୍ରୀ.୫୫୩) ଥରେ ଏକ ଖବର ଆସି ପହଞ୍ଚିଲା ଯେ ଇଜୁମିର ସମୁଦ୍ରରେ ଏକ ବିରାଟ ଜିନିଷ ଭାସି ଆସିଛି, ଯାହାକି ସୂର୍ଯ୍ୟ ଭଳି ଉଜ୍ଜ୍ବଳ ଓ ଆଲୋକିତ ଦିଶୁଛି। ସମ୍ରାଟଙ୍କ ଆଦେଶରେ ସେଠାକୁ ଦୂତ ଯାଇ ଦେଖିଲେ ତାହା କର୍ପୂର ବୃକ୍ଷର ଏକ ବିରାଟ କାଠଖଣ୍ଡ। ସେ ଏହି ଦିବ୍ୟକାଠକୁ କୂଳକୁ ଆଣି ସମ୍ରାଟଙ୍କୁ ଦେଲେ। ସମ୍ରାଟଙ୍କ ନିର୍ଦ୍ଦେଶରେ ସେଥିରୁ ଦୁଇଟି ବୁଦ୍ଧମୂର୍ତ୍ତି ନିର୍ମାଣ କରାଯାଇଥିଲା। ସେହିପରି ଅନ୍ୟ ଏକ କାହାଣୀ ରହିଛି ‘ନିହୋନ୍ ରେଇକି’ ଗ୍ରନ୍ଥରେ। ବୌଦ୍ଧ ପରମ୍ପରାର ଅଲୌକିକ କାହାଣୀ ଓ କିଂବଦନ୍ତି ସମ୍ବଳିତ ଏହି ଗ୍ରନ୍ଥଟି ଖ୍ରୀଷ୍ଟୀୟ ଅଷ୍ଟମ ଶତାବ୍ଦୀର ଶେଷଭାଗରେ ରଚିତ। ଏଥିରେ ଠିକ୍ ପୂର୍ବଭଳି ଏକ କାହାଣୀ ରହିଛି। ଜାପାନର ୩୦ତମ ସମ୍ରାଟ ବିଦାତ୍ସୁଙ୍କ ଶାସନକାଳରେ (ଖ୍ରୀ. ୫୭୨-ଖ୍ରୀ. ୫୮୫) ସେହି ଇଜୁମି ସମୁଦ୍ରରେ ଏହି ଘଟଣା ଘଟିଥିଲା। ସମ୍ରାଟଙ୍କ ପାରିଷଦ ସମୁଦ୍ରରେ ଏକ ଦିବ୍ୟ କାଠଖଣ୍ଡ ଭାସି ଆସିଥିବା କଥା ତାଙ୍କୁ ଜଣାଇଛନ୍ତି। ଦିନରେ ସେଥିରୁ ବିଭିନ୍ନ ବାଦ୍ୟଯନ୍ତ୍ରର ମଧୁର ଶବ୍ଦ ଆସୁଥିଲା ଓ ରାତିର ଅନ୍ଧକାରରେ ତାହା ଉଜ୍ଜ୍ବଳ ହୋଇ ଝଟକୁଥିଲା। ଏକଥା ପାରିଷଦଙ୍କ ଠାରୁ ଶୁଣିବା ପରେ ସମ୍ରାଟ ସେହି କାଠଖଣ୍ଡକୁ ଅଣାଇ ସେଥିରେ ତିନୋଟି ବୋଧିସତ୍ତ୍ବ ମୂର୍ତ୍ତି ନିର୍ମାଣ କରାଇବା କଥା କାହାଣୀଟିରେ ବର୍ଣ୍ଣିତ ଅଛି।
କାହାଣୀ ଦୁଇଟିର ସମୟକାଳରେ ତାରତମ୍ୟ ଥିଲେ ମଧ୍ୟ ସେ ଦୁଇଟି ପ୍ରାୟ ଏକାପରି। ଉଭୟ କ୍ଷେତ୍ରରେ ତାହା କର୍ପୂର ବୃକ୍ଷର କାଠ, ଯାହାକୁ ଜାପାନବାସୀ ଖୁବ୍ ପବିତ୍ର ମନେକରନ୍ତି। ଉଭୟ କାଠଖଣ୍ଡ ସୂର୍ଯ୍ୟଙ୍କ ଭଳି ଦିବ୍ୟ ଆଲୋକରେ ଉଦ୍ଭାସିତ। ତା’ସହ ସେଥିରୁ ସୁମଧୁର ଶବ୍ଦ ଓ ସୁଗନ୍ଧ ଆସୁଥିବା କଥା ମଧ୍ୟ କୁହାଯାଇଛି। ଏହି କାହାଣୀର ମହୋଦଧିରେ ଭାସି ଆସିଥିବା ଶ୍ରୀଜଗନ୍ନାଥଙ୍କ ଦିବ୍ୟଦାରୁ କିଂବଦନ୍ତି ସହ ଅନେକ ମେଳ ରହିଛି। ବିଶେଷକରି ଦିବ୍ୟଦାରୁ ବ୍ୟବହାର କରି ଶ୍ରୀକ୍ଷେତ୍ରରେ ଶ୍ରୀଜଗନ୍ନାଥଙ୍କ ସହ ଏକାଧିକ ବିଗ୍ରହ ନିର୍ମିତ ହେବା ପରି ଜାପାନର ସମ୍ରାଟ ମଧ୍ୟ ଦରିଆରେ ଭାସି ଆସିଥିବା ଦିବ୍ୟକାଠରୁ ଏକାଧିକ ମୂର୍ତ୍ତି ନିର୍ମାଣ କରାଇଛନ୍ତି। ଆମ ଠାକୁରଙ୍କ ଦିବ୍ୟଦାରୁ ବୃତ୍ତାନ୍ତ ସ୍କନ୍ଦ ପୁରାଣ ଛଡ଼ା ଅନ୍ୟ କେତେକ ପ୍ରାଚୀନ ଗ୍ରନ୍ଥରେ ବି ଦେଖିବାକୁ ମିଳେ। ରଚନାକାଳ ଦୃଷ୍ଟିରୁ ଦେଖିଲେ ଏହି ପୁରାଣଗୁଡ଼ିକ ବେଶ୍ ପ୍ରାଚୀନ। ଏଣୁ କାହାଣୀଟି ଓଡ଼ିଶାରୁ ଯାଇ ଜାପାନରେ ପହଞ୍ଚିଥାଇପାରେ ବୋଲି କେହି ଯୁକ୍ତି କରିପାରନ୍ତି।
ବିଶେଷକରି କିଛି ବର୍ଷ ତଳେ ଜାପାନର ସିକୋକୁ ଦ୍ବୀପର ତ୍ସୁସିମା ଅଞ୍ଚଳରୁ ସାରଳା ଦାସଙ୍କ ରଚିତ ଓଡ଼ିଆ ମହାଭାରତର ଏକ ପୋଥି ଉଦ୍ଧାର କରାଯାଇଥିବା ଘଟଣାଟି ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ। ଲାଗୁଛି ଯେପରି, ଜାପାନ ସହ ଆମ ରାଜ୍ୟର ସାଂସ୍କୃତିକ ସମ୍ପର୍କ ଯୁଗ ଯୁଗର। ଦରିଆରେ ଭାସୁଥିବା ଦିବ୍ୟଦାରୁରୁ ଦେବ ବିଗ୍ରହ ଗଢ଼ିବାର ଅଲୌକିକ କାହାଣୀ ଅନ୍ତରଙ୍ଗଭାବେ ଯୋଡ଼ିଦେଇଛି ଓଡ଼ିଶା ସହ ଜାପାନକୁ।