ନିଶା ହେଉଛି ଫ୍ୟାସନ୍ ଡିଜାଇନିଂ, ହେଲେ ପେସା ହେଉଛି ଇଂଜିନିୟରିଂ। ଏ ଦୁଇଟି ଭିତରେ ସେ କାହାକୁ ବାଛିବେ ଭାବି ଦିନେ ଚିନ୍ତାରେ ଥିଲେ। ଶେଷରେ ନିଜର ଇଚ୍ଛାକୁ ସମ୍ମାନ ଜଣାଇ ଇଂଜିନିୟର୍ ଚାକିରି ଛାଡ଼ି ଫ୍ୟାସନ୍ ଡିଜାଇନିଂ କଲେ ଏବଂ ସଫଳ ହୋଇ ‘ଲିଭା’ ମିସ୍ ଡିଭା ଫ୍ୟାସନ୍ ଡିଜାଇନର୍ ୨୦୨୪ର ଫାଇନାଲ୍ ରାଉଣ୍ଡକୁ ଉନ୍ନୀତ େହଲେ। ଏବେ ସେ ଜଣେ ସଫଳ ଫ୍ୟାସନ୍ ଡିଜାଇନର୍ ତଥା ଉଦ୍ୟୋଗୀ। ଏ କାହାଣୀ ହେଉଛି ୩୯ ବର୍ଷୀୟ କମ୍ପ୍ୟୁଟର ସାଇନ୍ସ ଇଂଜିନିୟର୍ ସୁପ୍ରିୟା ସିମ୍ପିଙ୍କର।
ସୁପ୍ରିୟା ପିଲାଟି ଦିନରୁ କଳା, ସଂସ୍କୃତି ଓ ହସ୍ତଶିଳ୍ପ ପ୍ରତି ଆଗ୍ରହୀ ଥିଲେ। କେଉଁ ଲୋକ କେଉଁ ପୋଷାକ କିମ୍ବା କେଉଁ ଗହଣା ପିନ୍ଧିଲେ ଅଧିକ ଆକର୍ଷଣୀୟ ଲାଗିବେ ସେ ନେଇ ତାଙ୍କର ବିଶେଷ ରୁଚି ଥିଲା। କିନ୍ତୁ କ୍ୟାରିୟର୍ ଦିଗରେ ଅଗ୍ରସର ହୋଇ ସେ ଇଂଜିନିୟରିଂ ପାଠ୍ୟକ୍ରମରେ ନାମ ଲେଖାଇଲେ। ଏହାପରେ ସେ ଏମ୍ବିଏ କୋର୍ସ କରି ଏକ କର୍ପୋରେଟ୍ ସେକ୍ଟର୍ରେ ପ୍ରଥମେ ମ୍ୟାନେଜ୍ମେଣ୍ଟ ଟ୍ରେନି ଏବଂ ପରେ ମ୍ୟାନେଜର୍ ଭାବେ ତିନି ବର୍ଷ ଚାକିରି କଲେ। ଚାକିରି କାଳରେ ତାଙ୍କୁ ଲାଗିଲା, େଯପରି ଏହି କର୍ପୋରେଟ୍ ଜଗତ ହିଁ ତାଙ୍କ ଶେଷ ଜୀବନ ପର୍ଯ୍ୟନ୍ତ କର୍ମକ୍ଷେତ୍ର ଭାବେ ରହିଯିବ! କିନ୍ତୁ ଏହା ଭିତରୁ ବାହାରି ନିଜ ସ୍ବପ୍ନ ତଥା ଇଚ୍ଛା ଅନୁସାରେ କିଛି କରିବାକୁ ଚାହୁଥିଲେ। ହେଲେ ଇଂଜିନିୟରିଂ ବୃତ୍ତିରୁ ଫ୍ୟାସନ୍ ଜଗତକୁ ଆସିବା ଏତେଟା ସହଜ ନୁହେଁ। ଖାସ୍ କରି ଏହି ପରିବର୍ତ୍ତନକୁ ପରିବାର ଲୋକ ଗ୍ରହଣ ନକରିବା ସବୁଠୁ ବେଶୀ କଷ୍ଟକର ବୋଲି କହନ୍ତି ସୁପ୍ରିୟା। ‘‘ମୋର ଅବଶିଷ୍ଟ ଜୀବନରେ ମୁଁ ମୋ ମନପସନ୍ଦର କାମ କରିବାକୁ ଚାହୁଥିଲି। ହେଲେ ମୋର ମାଆ ମୋ ନିଷ୍ପତ୍ତିକୁ ଘୋର ବିରୋଧ କରୁଥିଲେ। କାରଣ ଆମର ଏତେ ସ୍ବଚ୍ଛଳ ପରିବାର ନଥିଲା। ମାଆ ଭାବୁଥିଲେ ଏହା ବହୁତ କଠିନ ପଥ। ଚାକିରି ଛାଡ଼ି ଏ କାମକୁ ଆପଣାଇଲେ ଆମ ଆର୍ଥିକ ଅବସ୍ଥା ସେତିକି ସ୍ବଚ୍ଛଳ ରହିବ ନାହିଁ। କିନ୍ତୁ ମୁଁ ବି ଜାଣିଥିଲି ମୁଁ ଯେଉଁଠି ଅଛି ସେଠି ମଧ୍ୟ ମୋତେ ଆତ୍ମସନ୍ତୋଷ ମିଳିବ ନାହିଁ।’’ ଏଣୁ ଏ ଦିଗରେ ତାଙ୍କ ସ୍ବାମୀ ତାଙ୍କୁ ସଂପୂର୍ଣ୍ଣ ସହଯୋଗ କରିଥିଲେ। ପ୍ରଥମ ଦିନରୁ ହିଁ ସେ ତାଙ୍କ ପାଖେ ପାଖେ ରହି ତାଙ୍କ ପ୍ରତିଟି କାମରେ ସାଥ୍ ଦେଇ ତାଙ୍କୁ ସଫଳ କରିଥିଲେ ବୋଲି କହନ୍ତି ସୁପ୍ରିୟା।
ବର୍ତ୍ତମାନ ସୁପ୍ରିୟା ସଫଳତାର ସହିତ ନିଜ ଫ୍ୟାସନ୍ ବ୍ରାଣ୍ଡ୍ ‘ଅରୁଲ’ର ପ୍ରତିଷ୍ଠାତା ହୋଇପାରିଛନ୍ତି। ସେ ତାଙ୍କ ସ୍ବପ୍ନକୁ ବାସ୍ତବ ରୂପ ଦେବା ସହିତ ନିଶାକୁ ପେସାରେ ବଦଳାଇବାରେ ସକ୍ଷମ ହୋଇପାରିଛନ୍ତି। ଲିଭା ମିସ୍ ଡିଭା ଫ୍ୟାସନ୍ ଡିଜାଇନର୍ ୨୦୨୪ ପ୍ରତିଯୋଗିତାରେ ଶୀର୍ଷ ୨୦ଜଣଙ୍କ ଭିତରେ ସ୍ଥାନ ପାଇବା ନିହାତି ତାଙ୍କ ପାଇଁ ସଫଳତାର ଏକ ମାଇଲ୍ଖୁଣ୍ଟ ବୋଲି କହନ୍ତି ସୁପ୍ରିୟା। ଏହି ସଫଳତା ମାଧ୍ୟମରେ ସେ ଏକ ବଡ଼ ପ୍ଲାଟ୍ଫର୍ମ ପାଇଛନ୍ତି। ଲୋକଙ୍କ ପାଖରେ ନିଜର ଦକ୍ଷତା ଦେଖାଇବାର ସୁଯୋଗ ପାଇବା ସହିତ ଫ୍ୟାସନ୍ ଶିଳ୍ପରେ ନିଜ ବ୍ରାଣ୍ଡ୍ର ପରିଚିତି ସୃଷ୍ଟି କରିବା ଏବଂ ନିଜର ଏକ ସ୍ବତନ୍ତ୍ର ଛାପ ଛାଡ଼ିବାର ଆଶା ରଖିଛନ୍ତି ସେ। ସୁପ୍ରିୟାଙ୍କ ଏହି ଯାତ୍ରା ଅନ୍ୟମାନଙ୍କ ସ୍ବପ୍ନକୁ ଡେଣା ଦେବାପାଇଁ ଏକ ପ୍ରକୃଷ୍ଟ ଉଦାହରଣ କହିଲେ କିଛି ଭୁଲ୍ ହେବନାହିଁ। କାରଣ କମ୍ପ୍ୟୁଟର୍ର ଆକ୍ଷରିକ କୋଡିଂ ଭାଷାକୁ ଛାଡ଼ି ଡିଜାଇନ୍ ତଥା ଫ୍ୟାସନ୍ମନସ୍କ ହେବା ଏତେ ସହଜ କଥା ନୁହେଁ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/02/24/W9XC3jrxJu6lV4tq08fU.jpg)