ନୂଆଦିଲ୍ଲୀ: କୁହାଯାଏ ଯେ ଯେତେବେଳେ ପ୍ରକୃତି ନିଜର ଭୟଙ୍କର ରୂପ ଧାରଣ କରେ, ସେତେବେଳେ ସେ ଧନୀ କି ଗରିବ ଦେଖେ ନାହିଁ। ସମସ୍ତେ ଏହାର ଶିକାର ହୁଅନ୍ତି। ଏହା ଆପଣମାନେ ବିଗତ ଅତୀତରେ ଘଟିଥିବା ଘଟଣା ସବୁ ଦେଖି ଜାଣି ପାରିଥି‌ବେ। ୨୦୨୧ ମସିହାରେ କିଛି ଏଭଳି ଘଟଣା ଘଟିଛି, ଯେଉଁଠି ପ୍ରକୃତିର କରାଳ ଋପ ଦେଖି ଲୋକ ଭୟଭୀତ ହୋଇଛନ୍ତି। ଭାରତ ସମେତ ଅଷ୍ଟ୍ରେଲିଆ, ଆମେରିକା, ଦକ୍ଷିଣ ସୁଦାନ, ନାଇଜେରିଆ, ଚାଡ, କାମେରୁନରେ ହୋଇଥିବା ପ୍ରକୃତିକ ବିପର୍ଯ୍ୟୟ ଲୋକଙ୍କୁ ଆଗାମୀ ଭବିଷ୍ୟତ ନେଇ ଚେତାଇ ଦେଇଥିବା ବେଳେ ଏବେଠୁ ସତର୍କ ହେବାକୁ ସୂଚାଇ ଦେଇଛି।

Advertisment

ଆନ୍ତର୍ଜାତୀୟ ସଂଗଠନ ଖ୍ରୀଷ୍ଟିଆନ ଏଡ୍ 'କାଉଣ୍ଟିଙ୍ଗ ଦ କାଷ୍ଟ ୨୦୨୧: ଦ ଇୟର ଅଫ୍ କ୍ଲାଇମେଟ ବ୍ରେକଡାଉନ' ଶୀର୍ଷକ ଏକ ରିପୋର୍ଟ ପ୍ରକାଶ କରିଛି। ଏଥିରେ ୨୦୨୧ ମସିହାରେ ହୋଇଥିବା ଜଳବାୟୁ ସମ୍ବନ୍ଧୀୟ ୧୫ଟି ବିପର୍ଯ୍ୟୟ ବିଷୟରେ ଲେଖାଯାଇଛି। ୧୫ରୁ ୧୦ଟି ବିପର୍ଯ୍ୟୟ ଜଳବାୟୁ ପରିବର୍ତ୍ତନ ପାଇଁ ହୋଇଥିବା ବେଳେ ପ୍ରତ୍ୟେକ ବିିପର୍ଯ୍ୟୟ ପାଇଁ ୧୧,୦୦୦ କୋଟି ଟଙ୍କାରୁ ଅଧିକ କ୍ଷତି ହୋଇଥିବା ଲେଖାଯାଇଛି।

ରିପୋର୍ଟ ଅନୁଯାୟୀ, ମେ ୧୪ରୁ ୧୯ମଧ୍ୟରେ ହୋଇଥିବା ବାତ୍ୟା 'ତଉକତେ' ଭାରତ, ଶ୍ରୀଲଙ୍କା ଏବଂ ମାଲଦ୍ୱୀପରେ ବ୍ୟାପକ କ୍ଷତି କରିଥିଲା। ଏହି ବାତ୍ୟା ଯୋଗୁଁ ୧୯୮ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ଲକ୍ଷରୁ ଅଧିକ ଲୋକ ଭୂମିହୀନ ହୋଇପଡିଥିଲେ। କେବଳ ଏତିକି ନୁହେଁ, ଏହି ବାତ୍ୟା ଯୋଗୁଁ ଦକ୍ଷିଣ ଏସିଆ ଦେଶମାନଙ୍କୁ ପ୍ରାୟ ୧୧,୨୪୩ କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଥିଲା। ଏହା ପରେ ପରେ ବାତ୍ୟା ୟାସ ଭାରତ ଓ ବାଙ୍ଗଲାଦେଶକୁ କଲବଲ କରିଥିଲା। ଏହି ବାତ୍ୟା ଯୋଗୁଁ ଦେଶ ମଧ୍ୟ ବହୁ କ୍ଷତି ସହିଥିଲା। ରିପୋର୍ଟ ଅନୁଯାୟୀ, ବାତ୍ୟା 'ୟାସ୍' କାରଣରୁ ପ୍ରାୟ ୧୯ଜଣ ଲୋକ ଉଭୟ ଦେଶରେ ପ୍ରାଣ ହରାଇଥିବାବେଳେ ୧.୨ ମିଲିୟନ ଲୋକଙ୍କୁ ଘରୁ ବାହାରକୁ ଯିବାକୁ ପଡ଼ିଥିଲା। ଏହା ସହ ପ୍ରାୟ ୨୨,୪୮୭ କୋଟି ଟଙ୍କାର କ୍ଷତି ଦୁଇଟି ଦେଶକୁ ସହିବାକୁ ପଡ଼ିଥିଲା।

publive-image downtoearth

ସେହିଭଳି ଚଳିତ ବର୍ଷ ଆମେରିକାରେ ଅଗଷ୍ଟ ୨୮ରୁ ସେପ୍ଟେମ୍ବର ୨ ମଧ୍ୟରେ ଆସିଥିବା ବାତ୍ୟା ଇଡା ସବୁଠୁ ଭୟଙ୍କର ଥିଲା, ଯାହା ଅଧିକ କ୍ଷତି ଘଟଇଥିଲା। ଏଥିରେ ୯୫ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୪,୦୦୦ ଲୋକ ନିଜର ଘର ଛାଡ଼ିଥିଲେ। ଏହା ସହ ଆମେରିକାକୁ ୪୮୭, ୨୧୭କୋଟିର କ୍ଷତି ସହିବାକୁ ପଡ଼ିଥିଲା। ସେହିଭଳି, ୟୁରୋପରେ ୧୨ରୁ ୧୮ ଜୁଲାଇ ୨୦୨୦ମଧ୍ୟରେ ଆସିଥିବା ଭୟଙ୍କର ବନ୍ୟା ଯୋଗୁଁ ୨୪୦ଜଣଙ୍କର ମୃତ୍ୟୁ ହୋଇଥିଲା। ଏହି ବିପର୍ଯ୍ୟୟରେ ଜର୍ମାନୀ, ଫ୍ରାନ୍ସ, ନେଦରଲ୍ୟାଣ୍ଡ, ବେଲଜିୟମ ଏବଂ ଲକ୍ସେମବର୍ଗକୁ ପ୍ରାୟ ୩୨ଲକ୍ଷ କୋଟି ଟଙ୍କାର ଆର୍ଥିକ କ୍ଷତି ସହିବାକୁ ପଡ଼ିଥିଲା।

ତେବେ ଏହି ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି ଯେ ଜଳବାୟୁ ପରିବର୍ତ୍ତନର ପ୍ରଭାବ ବର୍ତ୍ତମାନ ଖୋଲାଖୋଲି ଭାବେ ବିଶ୍ବ ଉପରେ ପଡ଼ିବାରେ ଲାଗିଛି। ଏହି କାରଣରୁ ଦିନକୁ ଦିନ ପାଣିପାଗ ସମ୍ବନ୍ଧୀୟ ବିପର୍ଯ୍ୟୟ ଏକ ଭୟଙ୍କର ରୂପ ନେଉଛି। ଯଦିଓ ସରକାର ସତର୍କ ରହି ବର୍ଷକୁ ବର୍ଷ ମୃତ୍ୟୁ ସଂଖ୍ୟା ହ୍ରାସ କରିବାରେ ସକ୍ଷମ ହୋଇଛନ୍ତି, ହେଲେ ଏହି ବିପର୍ଯ୍ୟୟ ପାଇଁ ଦେଶର ଆର୍ଥିକ ଅବସ୍ଥା ଦୋହଲି ଯାଇଛି।

ଏଭଳି ପରିସ୍ଥିତିରେ ଯଥାଶୀଘ୍ର ସମଗ୍ର ବିଶ୍ୱରେ ବଢ଼ୁଥିବା ନିର୍ଗମନକୁ ସୀମିତ ରଖିବା ଆବଶ୍ୟକ, ଯାହାଦ୍ୱାରା ବଢ଼ୁଥିବା ତାପମାତ୍ରାକୁ ନିୟନ୍ତ୍ରଣ କରାଯାଇପାରିବ। ଏଥି ସହିତ, ବିକଶିତ ତଥା ସମୃଦ୍ଧ ଦେଶଗୁଡିକ ଦୁର୍ବଳ ଦେଶଗୁଡିକୁ ଏହି ବିପର୍ଯ୍ୟୟରୁ ମୁକ୍ତି ପାଇବାରେ ସାହାଯ୍ୟ କରିବା ଉଚିତ, କାରଣ ଏହି ଦେଶଗୁଡ଼ିକ ଏଥିପାଇଁ ଦାୟୀ ନହେବା ସତ୍ତ୍ବେ ଜଳବାୟୁ ପରିବର୍ତ୍ତନର ଭୟଙ୍କର ପ୍ରଭାବର ଶିକାର ହେଉଛନ୍ତି।