ୟୁଟ୍ୟୁବ୍‌ରେ ବଗିଚା ସଂପର୍କିତ ଟିପ୍ସ ଦେଇ ପ୍ରଚୁର ଅର୍ଥ ରୋଜଗାର କରୁଛନ୍ତି ଏହି ୟୁଟ୍ୟୁବର୍‌

ଚେନ୍ନାଇ: ଆଜିକାଲି ଅନେକ ବିଷୟବସ୍ତୁକୁ ୟୁଟ୍ୟୁବ୍‌ରେ ଉପସ୍ଥାପନା କରି ରାତାରାତି ଷ୍ଟାର୍‌ ପାଲଟିଥିବା ଲୋକଙ୍କର ଅଭାବ ନାହିଁ। ଚେନ୍ନାଇର ଜଣେ ୟୁଟ୍ୟୁବର୍‌ ତାଙ୍କ ବଗିଚାର ଫଟୋ, ଭିଡିଓକୁ ୟୁଟ୍ୟୁବର୍‌ରେ ଛାଡ଼ି ଷ୍ଟାର୍‌ ପାଲଟିବା ସହ ଭଲ ରକମର ଅର୍ଥ ବି ଉପାର୍ଜନ କରିପାରୁଛନ୍ତି। ଏହି ୟୁଟ୍ୟୁବର୍‌ ମହିଳା ଜଣକ ହେଉଛନ୍ତି ଆନ୍ନି ୟୁଜିନ୍‌ ଷ୍ଟେଫେନ୍‌।

ଆନ୍ନିଙ୍କର ବଗିଚା କାମ କରିବାରେ ଖୁବ୍‌ ସଉକ। ସେ କହିଛନ୍ତି ଯେ ତାଙ୍କ ବଗିଚାର ଭିଡିଓ କରି ତାହାକୁ ୟୁଟ୍ୟୁବ୍‌ରେ ଅପଲୋଡ୍‌ କରିବା କଥା ପ୍ରଥମେ ତାଙ୍କ ଭାଇ ତାଙ୍କୁ କହିଥିଲେ। ସେ ବଗିଚାକୁ ଖୁବ୍‌ ଭଲପାଉଥିବା ହେତୁ ତାହାର ଫଟୋ ଉଠାଇ ରଖୁଥିଲେ। ଆନ୍ନିଙ୍କୁ ତାଙ୍କୁ ଭାଇ ବୁଝାଇଥିଲେ ଯେ ଫଟୋର ଜୀବନକାଳ ଖୁବ୍‌ କମ୍‌। ଫଟୋ କର୍‌ପ୍‌ଟ ଓ ଡିଲିଟ୍‌ ହବାର ସମ୍ଭାବନା ଅଛି। ମାତ୍ର ୟୁଟ୍ୟୁବର୍‌ରେ ଛାଡ଼ିଲେ ସୁରକ୍ଷିତ ରହିବ। ତା’ପରେ ଆନ୍ନି ତାଙ୍କ ବଗିଚାର ଭିଡିଓ କରି ୟୁଟ୍ୟୁବ୍‌ରେ ଛାଡ଼ିବାକୁ ଲାଗିଲେ। ତାହାକୁ ଧୀରେ ଧୀରେ ବହୁ ଗ୍ରହଣୀୟତା ମିଳିଚାଲିଲା। ଗଛ ଗୁଡ଼ିକୁ କିପରି ବଢ଼ାଇବାକୁ ହେବ ଟିପ୍ସ ଦେଇ ଛାଡୁଥିବା ଭିଡିଓଗୁଡ଼ିକୁ ଅନେକ ଲୋକ ଦେଖିଲେ।

ଆନ୍ନିଙ୍କର ଏବେ ଗୋଟିଏ ନୁହେଁ, ଦୁଇଟି ୟୁଟ୍ୟୁବ୍‌ ଚ୍ୟାନେଲ୍‌ ଅଛି। ଗୋଟିଏ ଚ୍ୟାନେଲ୍‌ରେ ସେ ବଗିଚା ସଂପର୍କିତ ଟିପ୍ସ ଦେଉଥିବା ବେଳେ ଅନ୍ୟ ଏକ ଚ୍ୟାନେଲ୍‌ରେ କିପରି ଖୁସି ରହିବାକୁ ହେବ ଟିପ୍ସ ଦେଇ ପ୍ରଚୁର ଟଙ୍କା ରୋଜଗାର କରୁଛନ୍ତି।

ସମ୍ବନ୍ଧିତ ଖବର