ଫ୍ୟାସନ୍ ଡିଜାଇନର୍ଙ୍କ କଥା ଉଠିଲେ ସଭିଙ୍କ ମନରେ ସବ୍ୟସାଚୀ, ମନିଷ ମଲହୋତ୍ରା, ଅନୀତା ଡୋଙ୍ଗରେ ଭଳି ନାମ ଉଦ୍ଭାସିତ ହୋଇଉଠେ। ଏହି ନାମୀଦାମୀ ଡିଜାଇନର୍ମାନେ ସେମାନଙ୍କ ପୋଷାକଗୁଡ଼ିକୁ ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି କରନ୍ତି। ସେହି ପୋଷାକଗୁଡ଼ିକର ପ୍ରସ୍ତୁତି ପଛରେ ଥା’ନ୍ତି କେତେଜଣ ଅଦୃଶ୍ୟ ହସ୍ତଶିଳ୍ପୀ ଯେଉଁମାନଙ୍କ ଚମତ୍କାରିତା ଉକ୍ତ ପୋଷାକରେ ପ୍ରତିଫଳିତ ହୋଇଥାଏ। ସେଇଭଳି ଶିଳ୍ପୀଙ୍କୁ ଲୋକଲୋଚନକୁ ଆଣିବାର କାମ କରୁଛନ୍ତି ରାଜସ୍ଥାନର ରୁମା ଦେବୀ। ତାଙ୍କ ସଫଳତାର ଯାତ୍ରା ବିଶେଷ କରି ଗ୍ରାମାଞ୍ଚଳର ମହିଳାମାନଙ୍କୁ ଅନୁପ୍ରାଣିତ କରିବ ବୋଲି ଆଶା।
ରାଜସ୍ଥାନର ବାଡ଼ମେର ନାମକ ଏକ ଛୋଟ ଗାଁରେ ରୁମାଙ୍କର ଜନ୍ମ। ସେ ଅଳ୍ପ ବୟସରେ ନିଜ ମାଆଙ୍କୁ ହରାଇଥିଲେ। ତାଙ୍କ ବାପା ପୁନର୍ବିବାହ କରିବା ପରେ ସେ ଅବହେଳାର ଶିକାର ହୋଇଥିଲେ ଏବଂ ତାଙ୍କ ଦାଦା ତାଙ୍କର ଲାଳନପାଳନ ଦାୟିତ୍ବ ଗ୍ରହଣ କରିଥିଲେ। ତାଙ୍କ ପରିବାର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ହୋଇଥିବାରୁ ଅଷ୍ଟମ ଶ୍ରେଣୀରେ ପଢୁଥିବା ସମୟରେ ରୁମାଙ୍କୁ ପାଠପଢ଼ା ଛାଡ଼ିବାକୁ ପଡ଼ିଥିଲା। ଏହାପରେ ସେ ଘର କାମରେ ନିଜକୁ ସୀମିତ ରଖିବାକୁ ବାଧ୍ୟ ହୋଇଥିଲେ। ମାତ୍ର ୧୭ ବର୍ଷ ବୟସରେ ତାଙ୍କର ବିବାହ ହୋଇଯାଇଥିଲା।
ଘରର ସୀମିତ ସଂସାଧନ ଓ ସୁଯୋଗରେ ଯେ ତାଙ୍କ ଭାଗ୍ୟର ଡୋରି ବନ୍ଧା ତାହା ସ୍ବୀକାର କରିବାକୁ ରୁମା ପ୍ରସ୍ତୁତ ନଥିଲେ। ତେଣୁ ନିଜ ପରିବାରକୁ ଆର୍ଥିକ ସହଯୋଗ ଦେବା ପାଇଁ ସେ ଇଚ୍ଛାବ୍ୟକ୍ତ କଲେ। ସୂଚୀକାମରେ ସେ ପାରଙ୍ଗମ ଥିଲେ ଏବଂ ଫ୍ୟାସନର ସୂକ୍ଷ୍ମଜ୍ଞାନ ସହିତ ମଧ୍ୟ ସୁପରିଚିତ ଥିଲେ। ତେଣୁ ୨୦୦୬ରେ ସେ ଗାଁର ଦଶଜଣ ମହିଳାଙ୍କୁ ନେଇ ଏକ ସ୍ବୟଂ ସହାୟକ ଗୋଷ୍ଠୀ ଆରମ୍ଭ କରିଥିଲେ। ପ୍ରତ୍ୟେକେ ୧୦୦ ଟଙ୍କା ଲେଖାଏଁ ବିନିଯୋଗ କରି କନା ଓ ସୂତା ଆଦି କିଣି ତକିଆ ଓ ବ୍ୟାଗ୍ ପ୍ରସ୍ତୁତ କଲେ। ଏହି ବ୍ୟବସାୟ ବଢ଼ିବା ସହିତ ତାଙ୍କୁ ଏଥିପାଇଁ ସ୍ବୀକୃତି ମିଳିବା ଆରମ୍ଭ ହେଲା। ‘ଗ୍ରାମୀଣ ବିକାଶ ଏବଂ ଚେତନା ସଂସ୍ଥାନ’ ନାମକ ଏକ ସ୍ଥାନୀୟ ସଂସ୍ଥାରେ ତାଙ୍କୁ ସଦସ୍ୟତା ମିଳିଲା ଏବଂ ୨୦୧୦ରେ ସେ ତାହାର ସଭାପତି ନିର୍ବାଚିତ ହେଲେ। ଧୀରେଧୀରେ ସେ ନିଜ ଗୋଷ୍ଠୀର ହସ୍ତକଳା ବିଭିନ୍ନ ପ୍ରଦର୍ଶନୀରେ ଦେଖାଇବା ଆରମ୍ଭ କଲେ। ୨୦୧୬ର ରାଜସ୍ଥାନ ଐତିହ୍ୟ ସପ୍ତାହରେ ତାଙ୍କର ପ୍ରଥମ ଫ୍ୟାସନ୍ ସୋ’ ସଫଳତାର ସହ ଆୟୋଜିତ ହୋଇଥିଲା।
ଇତିମଧ୍ୟରେ ରୁମା ୧୫୦ ଗ୍ରାମର ୩୦,୦୦୦ ମହିଳାଙ୍କୁ ନିଯୁକ୍ତି ସୁଯୋଗ ଦେଇ ସଶକ୍ତ କରିଛନ୍ତି। ହସ୍ତକଳାକୁ ନେଇ ତାଙ୍କର ଉଦ୍ୟମିତା ଲାଗି ସେ ଅନେକ ସମ୍ମାନ ଓ ପୁରସ୍କାର ପାଇସାରିଲେଣି। ସେଥିରେ ଅନ୍ତର୍ଭୁକ୍ତ ୨୦୧୮ର ନାରୀ ଶକ୍ତି ପୁରସ୍କାର, ମହାତ୍ମା ଜ୍ୟୋତିରାଓ ଫୁଲେ ବିଶ୍ବବିଦ୍ୟାଳୟରୁ ସମ୍ମାନଜନକ ପିଏଚ୍ଡି। ଯେଉଁ ରୁମା ଦିନେ ଅଷ୍ଟମ ଶ୍ରେଣୀରୁ ପାଠପଢ଼ା ଛାଡ଼ିବାକୁ ବାଧ୍ୟ ହୋଇଥିଲେ ସେ ହାର୍ଭାର୍ଡ ବିଶ୍ବବିଦ୍ୟାଳୟରେ ଆୟୋଜିତ ଇଣ୍ଡିଆ କନ୍ଫରେନ୍ସକୁ ବକ୍ତା ଭାବେ ଆମନ୍ତ୍ରିତ ହୋଇ ଯାଇଥିଲେ। ସେ ଭାରତୀୟ ହସ୍ତଶିଳ୍ପୀଙ୍କ କାରୁକାର୍ଯ୍ୟର ପ୍ରସାର ଲାଗି ଜର୍ମାନୀ, ୟୁନାଇଟେଡ୍ କିଙ୍ଗଡମ୍, ଯୁକ୍ତରାଷ୍ଟ୍ର ଆମେରିକା, ସିଙ୍ଗାପୁର, ଥାଇଲାଣ୍ଡ ଓ ଶ୍ରୀଲଙ୍କା ଆଦି ଦେଶ ଭ୍ରମଣ କରିସାରିଛନ୍ତି। ସେ ଆଗକୁ ଆଦିବାସୀ ଓ ସଂଖ୍ୟାଲଘୁ ସଂପ୍ରଦାୟର ହସ୍ତଶିଳ୍ପକୁ ସମଗ୍ର ବିଶ୍ବରେ ପ୍ରଚାର କରିବାର ଅଭିଯାନରେ ବ୍ୟାପୃତ ରହିବେ ବୋଲି ସଗର୍ବେ ପ୍ରକାଶ କରନ୍ତି।