ମୋନାଲିସା ପରିଡ଼ା

ଦହିବରା ଆଳୁଦମ୍‌...ଓଡ଼ିଶାର ଲୋକପ୍ରିୟ ପାରମ୍ପରିକ ଖାଦ୍ୟଗୁଡ଼ିକ ମଧ୍ୟରେ ଅନ୍ୟତମ। ଯଦିଓ ଏହି ସୁଆଦିଆ ବ୍ୟଞ୍ଜନର ଅନ୍ତୁଡ଼ିଶାଳ କଟକ, ଏବେ କିନ୍ତୁ ଏହା ସମଗ୍ର ବିଶ୍ବକୁ ପ୍ରସାରିତ। ପଖାଳ ଭଳି ଏହା ଓଡ଼ିଶାର ଏକ ମୌଳିକ ତଥା ଲୋକପ୍ରିୟ ଖାଦ୍ୟ। ଦେଶବିଦେଶର ଖାଦ୍ୟସଉକୀ ଏହାର ସ୍ବାଦ, ସ୍ବରୂପ ଓ ମହକକୁ ଖୁବ୍‌ ପସନ୍ଦ କରୁଛନ୍ତି। ସାଧାରଣତଃ ଷ୍ଟ୍ରିଟ୍‌ ଫୁଡ୍‌ ଭାବେ ବିକ୍ରି ହେଉଥିବା ଦହିବରାଆଳୁଦମ୍‌କୁ ଅଧିକ ପରିଚ୍ଛନ୍ନ ତଥା ସ୍ବାସ୍ଥ୍ୟଉପଯୋଗୀ ଶୈଳୀରେ ପରଷିବାକୁ ଆଗେଇ ଆସିଛନ୍ତି ଓଡ଼ିଆପୁଅ ସୌରଭ ଖଣ୍ଡେଲ୍‌ୱାଲ୍‌। ତାଙ୍କର ଟ୍ରାଡିସ୍‌ନାଲ୍‌ ଫୁଡ୍‌ ଷ୍ଟାର୍ଟଅପ୍‌ ‘ଦହିବରା ଏକ୍ସପ୍ରେସ୍‌’ ଏହି ଲକ୍ଷ୍ୟରେ କାର୍ଯ୍ୟ କରୁଛି। ଭାରତୀୟ ପାରମ୍ପରିକ ଖାଦ୍ୟ ପରଷୁଥିବା ଏହି କ୍ବିକ୍‌ ସର୍ଭିସ୍‌ ରେ‌ସ୍ତୋରାଁ (କ୍ୟୁଏସ୍‌ଆର୍‌)ର ମୁଖ୍ୟ ଆକର୍ଷଣ ରହିଛି ଦହିବରାଆଳୁଦମ୍‌। 

Advertisment

ଷ୍ଟାର୍ଟଅପ୍‌ର ବ୍ରାଣ୍ଡନେମ୍‌ ଲାଗି ଦହିବରାକୁ କାହିଁକି ବାଛିଲେ? ଏ ପ୍ରଶ୍ନରେ ଏହାର ପ୍ରତିଷ୍ଠାତା ତଥା ସିଇଓ ସୌରଭ କହନ୍ତି, ‘‘ମୁଁ ଯେତେବେଳେ ଆମ ଓଡ଼ିଆ ଖାଦ୍ୟକୁ ବିଶ୍ବସ୍ତରରେ ମାର୍କେଟିଂ କରିବା କଥା ଭାବିଲି ସେତେବେଳେ ମୋ ମନକୁ ଦହିବରା କଥା ହିଁ ଆସିଲା। ଯଦିଓ ଅନ୍ୟ କେଉଁ ରାଜ୍ୟରେ ଦହିବରା ନାହିଁ, କିନ୍ତୁ ବିଭିନ୍ନ ପ୍ରକାର ବରାର ପ୍ରଚଳନ ଅଛି। ତାହାକୁ ସେମାନେ ‘ବଡ଼ା’ ‌ବୋଲି ଉଚ୍ଚାରଣ କରନ୍ତି। ତେଣୁ ଏହା ଦେଶର ସବୁ ରାଜ୍ୟରେ ଗ୍ରହଣୀୟ ହେବ ବୋଲି ମୁଁ  ଅନୁଭବ କଲି। ଏଥିସହ ଦହିବରାଆଳୁଦମ୍‌ କିମ୍ବା ଭିନ୍ନ ଭିନ୍ନ ଶୈଳୀର ବରା କରିବାକୁ ବଡ଼ ଜାଗା କିମ୍ବା ସେଟ୍‌ଅପ୍‌ ଆବଶ୍ୟକ ନୁହେଁ। ପୁଣି ଅଧିକ ଲୋକବଳ ବି ଦରକାର ନାହିଁ। ଫଳରେ କମ୍‌ ନିବେଶରେ ଜଣେ ‘ଦହିବରା ଏକ୍ସପ୍ରେସ୍‌’ ଖୋଲିପାରିବ।’’ ୨୦୨୩ରେ ଆରମ୍ଭ ହୋଇଥିବା ଏହି କ୍ୟୁଏସ୍‌ଆର୍‌ ଚେନ୍‌ର ଏବେ ୧୫ଟି ଆଉଟ୍‌ଲେଟ୍ ଖୋଲି ସାରିଲାଣି। ଏଠାରେ  ଦହିବରାଆଳୁଦମ୍‌ ବ୍ୟତୀତ ସମ୍ବଲପୁରର ଚାଉଳ ବରା, କେରଳର ପେରିକୁ ବଡ଼ା, ଯୋଧପୁର ମିର୍ଚ୍ଚିବଡ଼ା, ରାଜସ୍ଥାନର କାଞ୍ଚିବଡ଼ା ଓ ସାବୁଦାନା ବଡ଼ା ଓ ଦିଲ୍ଲୀର ପ୍ରସିଦ୍ଧ ଦହିଭଲ୍ଲା ମଧ୍ୟ ଉପଲବ୍ଧ। ତା’ଛଡ଼ା ଅନେକ ଧରଣର ଚାଟ୍‌ ବି ରହିଛି।  

ଓଡ଼ିଶାର ପାରମ୍ପରିକ ଖାଦ୍ୟକୁ ଦେଶବିଦେଶରେ ପହଞ୍ଚାଇବାର ସ୍ବପ୍ନ ଦେଖୁଥିବା ସୌରଭଙ୍କ ଜନ୍ମ ସମ୍ବଲପୁରର ଜିଲ୍ଲା ବାମଡ଼ାରେ। ପ୍ରତିଟି ସଫଳତା ପଛରେ ସଂଘର୍ଷ ଥାଏ। ସୌରଭଙ୍କୁ ମାତ୍ର ୧୮ ବର୍ଷ ହୋଇଥିବା ବେଳେ ସେ ବାପାଙ୍କୁ ହରାଇଲେ। ବାପାଙ୍କ ଅବର୍ତ୍ତମାନରେ ଘର କେମିତି ଚଳିବ, ନିଜର ପାଠପଢ଼ା ଖର୍ଚ୍ଚ କେମିତି ଉଠିବ; ଏସବୁ ଚିନ୍ତା ସୌରଭଙ୍କୁ ଘାରିଲା। ସେ ଛୋଟମୋଟ ବ୍ୟବସାୟ କରି ନିଜ ଖର୍ଚ୍ଚରେ ପଢ଼ିଲେ। ପିଲାଟି ଦିନରୁ ବ୍ୟବସାୟ କରିବାର ଆଗ୍ରହ ଥିବା ହେତୁ ସେ ଭୁବନେଶ୍ବର ଆସି ହୋଟେଲ୍‌ ମ୍ୟାନେଜ୍‌ମେଣ୍ଟ୍‌ ପଢ଼ିଲେ। ଏଥିସହିତ ବିଭିନ୍ନ ହୋଟେଲ୍‌କୁ ଯାଇ ଇଭେଣ୍ଟ୍‌ମାନଙ୍କରେ ସର୍ଭିସ୍‌ ବୟ କାମ ବି କଲେ। ଅନେକ ସଂଘର୍ଷ ପରେ ସେ ପାଠପଢ଼ା ଶେଷକରିି ହୋଟେଲ୍‌ ପରିଚାଳନା ବ୍ୟବସାୟରେ ପଶିଲେ। କିନ୍ତୁ କୋଭିଡ୍‌ ମହାମାରୀ ସମୟରେ ବିପୁଳ କ୍ଷତି ସହିଲେ। ତା’ପରେ ଆରମ୍ଭ କଲେ ଚାକିରି ଜୀବନ। ଦିଲ୍ଲୀରେ ଲକ୍ଷାଧିକ ଟଙ୍କାର ଦରମାରେ ଚାକିରି କଲେ। ଦେଶବିଦେଶ ବୁଲିଲେ। ଆର୍ଥିକ ସମସ୍ୟା ଦୂର ହୋଇଥିଲେ ବି ସନ୍ତୁଷ୍ଟ ନଥିଲେ ସୌରଭ। ନିଜର ଏକ ଅନୁଷ୍ଠାନ ଗଢ଼ିବାର ଇଚ୍ଛା ତାଙ୍କୁ ବାରମ୍ବାର ଅସ୍ଥିର କରୁଥିଲା। ଶେଷରେ ସେ ଚାକିରି ଛାଡ଼ି ଆରମ୍ଭ କଲେ ଦହିବରା ଏକ୍ସପ୍ରେସ୍। ଏଥିଲାଗି ତାଙ୍କୁ ଦୁବାଇର ଜଣେ ଓଡ଼ିଆ ୩୦ ଲକ୍ଷ ଟଙ୍କାର ନିବେଶ ଯୋଗାଇ ଦେଇଥିଲେ। ଏବେ ତାଙ୍କ ସଂସ୍ଥାର ମାସିକ କାରବାର ୧.୮ କୋଟି ଟଙ୍କାରେ ପହଞ୍ଚିଛି। 

ଦହିବରା ଏକ୍ସପ୍ରେସ୍‌ର ସ୍ବକୀୟତା ସଂପର୍କରେ ସୌରଭ କହନ୍ତି, ‘‘ଆମେ ଖାଦ୍ୟ ପ୍ରସ୍ତୁତିରେ ପରିଚ୍ଛନ୍ନତା ଓ ସ୍ବାସ୍ଥ୍ୟ ଅନୁକୂଳ ମାନକୁ ଗୁରୁତ୍ବ ଦଉଛୁ। ଅଧିକ ତେଲମସଲା ବ୍ୟବହାର କରୁନାହୁଁ। ଘର ତିଆରି ଖାଦ୍ୟ ଭଳି ସ୍ବାଦ ବଜାୟ ରଖୁଛୁ। ଏଥିପାଇଁ ସ୍ବତନ୍ତ୍ର ମସଲା ଆମେ ପ୍ରସ୍ତୁତ କରୁଛୁ। ଦହିବାରର ଅନ୍ୟତମ ଆକର୍ଷଣ ଦହିପାଣି ଆମେ ମିନେରାଲ୍‌ ୱାଟର୍‌ରେ ପ୍ରସ୍ତୁତ କରୁଛୁ। ଆଉ ଦର ବି କମ୍‌ ରଖିଛୁ। ମାତ୍ର ୬୫ ଟଙ୍କାରେ ମିଳୁଛି ଏକ ପ୍ଲେଟ୍‌ ଦହିବରାଆଳୁଦମ୍‌। ଆଇଏଚ୍‌ଏମ୍‌ ଭୁବନେଶ୍ବରରେ ଥିବା ଆମର ସେଣ୍ଟ୍ରାଲ୍‌ କିଚେନ୍‌ରେ ଏହା ପ୍ରସ୍ତୁତ ହୋଇଥାଏ।’’ ଆଗକୁ ବ୍ୟବସ‌ାୟ ବଢ଼ାଇବାକୁ ଯୋଜନା କରୁଛନ୍ତି ‌ସୌରଭ। ୨୦୨୬ ସୁଦ୍ଧା ଦହିବରା ଏକ୍ସପ୍ରେସ୍‌ର ୧୦୦ଟି ଆଉଟ୍‌ଲେଟ୍‌ ଖୋଲିବା ତାଙ୍କ ଲକ୍ଷ୍ୟ। ଖୁବ୍‌ଶୀଘ୍ର ନେପାଳ ଓ ଦୁବାଇରେ ବି ଆଉଟ୍‌ଲେଟ୍ ଆରମ୍ଭ ହେଉଛି। ଆଉ ଅଧିକାଂଶ ଆଉଟ୍‌ଲେଟ୍‌ରେ ଓଡ଼ିଆ ଲୋକ ହିଁ ନିଯୁକ୍ତି ପାଇଛନ୍ତି ବୋଲି ଦାବି କରନ୍ତି ସୌରଭ।