ନାଁ ତାଙ୍କର ଜୀତା ମୋନା। ଜନ୍ମ ଓଡ଼ିଶାର ଭୁବନେଶ୍ବରରେ। ହେଲେ ବର୍ତ୍ତମାନର ଠିକଣା ସୁଦୂର ଇଂଲଣ୍ଡ। ସ୍ବାମୀ ଓ ଝିଅଙ୍କୁ ନେଇ ତାଙ୍କର ସୁଖୀ ସଂସାର। ଜାଭିୟର୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମ୍ୟାନେଜ୍‌ମେଣ୍ଟ୍‌ରେ ସ୍ନାତକୋତ୍ତର ସମାପ୍ତି ପରେ ଦିଲ୍ଲୀରେ ମାରୁତି ସୁଜୁକି କମ୍ପାନିରୁ ଜୀତା ତାଙ୍କର କର୍ପୋରେଟ୍‌ କ୍ୟାରିୟର୍‌ ଆରମ୍ଭ କରିଥିଲେ। ସେଠାରେ ସେ  ୱାଗନ୍‌ଆର୍‌ ଓ ଗ୍ରାଣ୍ଡ୍‌ ଭିଟାରା ପରି ଅଗ୍ରଣୀ ବ୍ରାଣ୍ଡ୍‌ର ପାନ୍‌ ଇଣ୍ଡିଆ ଲଞ୍ଚ୍‌ରେ ଜଡ଼ିତ ଥିଲେ। ଏହାପରେ ସେ ବେଙ୍ଗାଲୁରୁର ଏକ ଏଫ୍‌ଏମ୍‌ସିଜି କମ୍ପାନି ଓ ୱିପ୍ରୋରେ ମଧ୍ୟ କାମ କଲେ। ଏମିତି ୬ ବର୍ଷ ପର୍ଯ୍ୟନ୍ତ ଭାରତର ବିଭିନ୍ନ ସ୍ଥାନରେ ନାମୀ ବ୍ରାଣ୍ଡ୍‌ରେ କାମ କରିବ‌ା ପରେ ସେ ବ୍ରିଟେନ୍‌କୁ ନିଜର ନୂତନ କର୍ମସ୍ଥଳୀ ଭାବେ ଚୟନ କଲେ। ସେଠାରେ ସେ ଅନେକ ବିୟୁଟି ବ୍ରାଣ୍ଡ୍‌ ସହିତ କାମ କଲେ, ଯେଉଁଥିରେ ସବୁଠାରୁ ପୁରୁଣା ବ୍ରିଟିସ୍‌ ବ୍ରାଣ୍ଡ୍ ୟାର୍ଡଲେ ଲଣ୍ଡନ ମଧ୍ୟ ସାମିଲ ଥିଲା। 

Advertisment

ଦୀର୍ଘ ୧୫ ବର୍ଷର କର୍ପୋରେଟ୍‌ କ୍ୟାରିୟର୍‌ ପରେ ଜୀତା ୨୦୧୯ ମସିହାରେ ବ୍ରିଟେନ୍‌ରେ ନିଜ ବ୍ୟବସାୟ ତଥା କନ୍‌ସଲ୍‌ଟିଙ୍ଗ୍ ଏଜେନ୍ସି (ପରାମର୍ଶପ୍ରଦାନକାରୀ ସଂସ୍ଥା)‘ଅନ୍‌ଜେ ଲିମିଟେଡ୍‌’ ସ୍ଥାପନ କଲେ। କର୍ପୋରେଟ୍‌ ଜୀବନର ଦୀର୍ଘ ଅଭିଜ୍ଞତା, ମାର୍କେଟିଂ ଓ ସେଲ୍‌ସ୍‌ରୁ ଆରମ୍ଭ କରି ଉତ୍ପାଦ ଡିଜାଇନ୍‌ ଓ ଲଜିଷ୍ଟିକ୍‌ ଆଦି ବ୍ୟବସାୟରେ ଅଭିଜ୍ଞତା ହିଁ ତାଙ୍କୁ ଏଥିରେ ସହାୟକ ହେଲା। ନିଜ କମ୍ପାନି ମାଧ୍ୟମରେ ସେ ବିିଭିନ୍ନ ବ୍ରାଣ୍ଡ୍ ତଥା ସେମାନଙ୍କ ବ୍ୟବସାୟକୁ ଅନ୍ୟ ଦେଶରେ ବିସ୍ତାର ଓ ଲୋକପ୍ରିୟ କରିବାରେ ସାହାଯ୍ୟ କରନ୍ତି। ବ୍ରିଟେନ୍‌, ଆମେରିକା ଓ ଭାରତୀୟ ଉପମହାଦେଶରେ ସେବା ଯୋଗାଉଛି ଜୀତାଙ୍କ କମ୍ପାନି। ନିଜସ୍ବ ବ୍ୟବସାୟ ଆରମ୍ଭ କରିବା ଚିନ୍ତାଧାରା ବିଷୟରେ ଜୀତା କହନ୍ତି, ‘‘ବ୍ୟବସାୟ କରିବା ଚିନ୍ତାଧାରା ମୋର ଥିଲା। ହେଲେ ସ୍ବାମୀ ଓ ଝିଅଙ୍କ ସମର୍ଥନ ଓ ଉତ୍ସାହ ବିନା ଏସବୁ କାର୍ଯ୍ୟକାରୀ କରିବା ଅସମ୍ଭବ ହୋଇଥା’ନ୍ତା। ଗୋଟେ ଲାଭଦାୟକ କର୍ପୋରେଟ୍‌ କ୍ୟାରିୟର୍‌ ଛାଡ଼ି ମୋର ଆବେଗ ଓ ଅନିଶ୍ଚିତତାକୁ ସାଥିରେ ନେଇ ଏତେ ବଡ଼ କମ୍ପାନି ପ୍ରତିଷ୍ଠା କରିବା ଖୁବ୍‌ ଆହ୍ବାନପୂର୍ଣ୍ଣ ଥିଲା। ତେବେ ବିଦେଶରେ ବ୍ୟବସାୟ କରିବା ଆହ୍ବାନପୂର୍ଣ୍ଣ ହେଲେ ମଧ୍ୟ ଲାଭଦାୟକ।’’
ଭାରତ ଓ ବ୍ରିଟେନ୍‌ରେ ବ୍ୟବସାୟ ବିଷୟରେ ସେ କହନ୍ତି, ‘‘ଭାରତ ଓ ବ୍ରିଟେନ୍‌ ମଧ୍ୟରେ ସାଂସ୍କୃତିକ ପାର୍ଥକ୍ୟ ରହିଛି ଏବଂ ଏହା ଲୋକଙ୍କ କାର୍ଯ୍ୟଶୈଳୀରେ ପ୍ରତିଫଳିତ ହୁଏ।

ସମୟାନୁବର୍ତ୍ତିତା ଓ ଅନୁଶାସନ ବ୍ରିଟେନ୍‌ର କାର୍ଯ୍ୟ ସଂସ୍କୃତିରେ ସନ୍ନିବେଶିତ ହୋଇଥିବା ବେଳେ ଭାରତରେ ସମୟସୀମାକୁ ପ୍ରାୟତଃ କମ୍‌ ଗୁରୁତ୍ବ ଦିଆଯାଏ। ବ୍ରିଟେନ୍‌ରେ ବ୍ୟବସାୟୀମାନେ  ମୁଖ୍ୟତଃ ନିୟମ (ରୁଲ୍‌ବୁକ୍‌) ଅନୁସରଣ କରିବାକୁ ପସନ୍ଦ କରନ୍ତି। ମୋ କମ୍ପାନିର ନାମ ହେଉଛି ଅନ୍‌ଜେ ଲିମିଟେଡ୍‌, ଫରାସୀ ଭାଷାରେ ଏହାର ଅର୍ଥ ହେଉଛି ୧୧। ଅର୍ଥାତ୍‌ ଏହାର ଚିନ୍ତାଧାରା ହେଉଛି ଯେ ୧+୧=୧୧; ୨ ନୁହେଁ। ଏହା ନେଟ୍‌ୱର୍କିଂର ଗୁରୁତ୍ବକୁ ଦର୍ଶାଇଥାଏ। ଯାହା ମୋ କମ୍ପାନି ଆରମ୍ଭ କରିବା ଦିନଠୁ ବହୁ ପରିମାଣରେ ବୃଦ୍ଧି ପାଇଛି।’’
ଜୀତାଙ୍କ କମ୍ପାନି ଅନ୍ୟ କମ୍ପାନିମାନଙ୍କ ସହିତ ସହଭାଗିତାରେ କାର୍ଯ୍ୟ କରନ୍ତି ଏବଂ ସେମାନଙ୍କ ବ୍ୟବସାୟ ବଢ଼ାଇବାରେ ଅନ୍‌ଜେ ବିଭିନ୍ନ ସେବା ପ୍ରଦାନ କରିଥାଏ। କମ୍ପାନିର ପ୍ରତିଷ୍ଠାତା ତଥା ସିଇଓ ଭାବରେ ‌ଜୀତା ନିଜେ ଏସବୁ ପରିଚାଳନା କରନ୍ତି। ଜୀତାଙ୍କ କମ୍ପାନି ବର୍ତ୍ତମାନ ଭାରତ, ଶ୍ରୀଲଙ୍କା ଓ ନେପାଳରେ ବ୍ରିଟିସ୍‌ ନିର୍ମିତ ଏକ ପର୍‌ଫ୍ୟୁମ୍‌ ବ୍ରାଣ୍ଡ୍‌ର ପରିଚାଳନା କରୁଛି। ଏହାବ୍ୟତୀତ, ବ୍ରିଟେନ୍‌ ଓ ଆମେରିକାରେ ଲଞ୍ଚ୍‌ ପାଇଁ ସେ କିଛି ସୁପର୍‌ ପ୍ରିମିୟମ୍‌ ଇଟାଲୀୟ, ଫରାସୀ, ମଧ୍ୟପ୍ରାଚ୍ୟ ଓ ଭାରତୀୟ ପର୍‌ଫ୍ୟୁମ୍‌ ତଥା ବିୟୁଟି ବ୍ରାଣ୍ଡ୍‌ମାନଙ୍କୁ ମଧ୍ୟ ସାହାଯ୍ୟ କରୁଛନ୍ତି। ପର୍‌ଫ୍ୟୁମ୍‌ ଓ ବିୟୁଟି ଉତ୍ପାଦ ବ୍ୟତୀତ ବର୍ତ୍ତମାନ ଜୀତା ତାଙ୍କ ପୋର୍ଟଫଲିଓରେ କିଛି ପ୍ରିମିୟମ୍‌ ଓ ସ୍ପେସାଲିଟି ଫୁଡ୍‌ ବ୍ରାଣ୍ଡ୍‌ ‌ସାମିଲ କରିଛନ୍ତି, ଯାହାକି ତାଙ୍କ ବ୍ୟବସାୟ ଅଭିବୃଦ୍ଧିରେ ବଡ଼ ସୁଯୋଗ ସୃଷ୍ଟି କରିବ ବୋଲି ସେ ଆଶାବାଦୀ ଅଛନ୍ତି। ତାଙ୍କ ପୋର୍ଟଫଲିଓରେ ଓଡ଼ିଶାର ଏକ ସ୍ପେସାଲ୍‌ କଫି ବ୍ରାଣ୍ଡ୍‌ ମଧ୍ୟ ରହିଛି, ଯାହାକି ସେ ବ୍ରିଟେନ୍‌ରେ ଲଞ୍ଚ୍‌ କରିବାକୁ ଯୋଜନା କରିଛନ୍ତି। ଅନ୍‌ଜେ ମାଧ୍ୟମରେ ଅନେକ ଯୁବକଯୁବତୀ ଆ‌ତ୍ମନିର୍ଭରଶୀଳ ହୋଇପାରିଛନ୍ତି। ତେବେ ବିଦେଶରେ ନିଜର ବ୍ୟବସାୟ ତଥା ପରିବାର ନେଇ ଚଳୁଥିଲେ ବି ନିଜ ଜନ୍ମଭୂମି ଓଡ଼ିଶାକୁ ‌େ‌କବେ ଭୁଲିଯାଇନାହାନ୍ତି ଜୀତା। ପ୍ରତି ତିନି/ଚାରି ମାସରେ ସେ ଭାରତ ଓ ଓଡ଼ିଶାକୁ ଆସନ୍ତି ଉଭୟ କାମରେ ଓ ବୁଲିବା ପାଇଁ। ଓଡ଼ିଶା ପାଇଁ ହିଁ ତାଙ୍କର ବିଦେଶ ଯାତ୍ରା ତଥା ଉଦ୍ୟୋଗୀ ହେବାର ଯାତ୍ରା ସମ୍ଭବ ହୋଇପାରିଛି ବୋଲି ଜୀତା ସ୍ବୀକାର କରନ୍ତି। ତାଙ୍କ ଜନ୍ମଭୁମି ଓ କର୍ମଭୂମି ମଧ୍ୟରେ ଅତୁଟ ସଂପର୍କ ରଖିବାକୁ ସର୍ବଦା ପ୍ରୟାସ କରନ୍ତି ବୋଲି କହନ୍ତି ସେ।

‘‘ଯୁବପିଢ଼ି ଅଧିକରୁ ଅଧିକ ଭ୍ରମଣ କରନ୍ତୁ। ବିଭିନ୍ନ ଦେଶର ସାଂସ୍କୃତିକ ଅନୁଭୂତି  ସାଉଁଟନ୍ତୁ। ଏହାଦ୍ବାରା ସେମାନେ ଭିନ୍ନ ଭିନ୍ନ ସାଂସ୍କୃତିକ ଧାରାର  ଗୁରୁତ୍ବ ବୁଝିପାରିବେ। ଏହାବାଦ୍‌ ଆଜିର ଯୁବକମାନେ ନେଟ୍‌ୱର୍କିଂକୁ ଜାଣିବା ସହ ଲୋକମାନଙ୍କ ସହିତ ସିଧାସଳଖ ଯୋଗାଯୋଗ ରଖିବା ଉଚିତ, ଯାହା ସେମାନଙ୍କୁ ଭବିଷ୍ୟତରେ କ୍ୟାରିୟର୍‌ ଗଢ଼ିବାରେ ସାହାଯ୍ୟ କରିବ।’’
-ଜୀତା ମୋନା 
ପ୍ରତିଷ୍ଠାତା ତଥା ସିଇଓ, ଅନ୍‌ଜେ ଲିମିଟେଡ୍‌