ମୁମ୍ବାଇର ଫୁଟ୍ପାଥ୍ରେ କିମ୍ବା କାହା ଘର ବାରଣ୍ଡାରେ ରାତି କଟୁଥିଲା, ହୋଟେଲ୍ କି ଘର ଗୋଟେ ନେଇ ରହିବାକୁ ସମ୍ବଳ ନଥିଲା। ପକେଟ୍ରେ ଟଙ୍କାଟିଏ ନଥିଲା କିଛି କିଣି ଖାଇବାକୁ। ଦି’ପଇସା ରୋଜଗାର ପାଇଁ ଅଫିସ୍ ବୟ ହୋଇ ବାବୁମାନଙ୍କୁ ଚା କଫି ତିଆରି କରି ପରଷିବାକୁ ପଡ଼ିଲା। ପୁଣି ଝାଡୁପୋଛା ମାରିବାକୁ ଓ ପାଇଖାନା ସଫା କରିବାକୁ ବି ହେଲା। ହେଲେ ଏସବୁ ସତ୍ତ୍ବେ ସେ ଭାଙ୍ଗି ପଡ଼ି ନଥିଲେ। ଗଭୀର ଆତ୍ମବିଶ୍ବାସ ଓ ଦୃଢ଼ ମନୋବଳକୁ ପାଥେୟ କରି ନିଜ ସ୍ବପ୍ନକୁ ସାକାର କରିବାର ରାସ୍ତା ଖୋଜୁଥିଲେ। ଶେଷରେ ସେ ସଫଳ ହେଲେ। ଆଜି ସେ କୋଟିକୋଟି ଟଙ୍କାର
ବ୍ୟାବସାୟିକ ସାମ୍ରାଜ୍ୟ ଛିଡ଼ା କରିଛନ୍ତି।
ପ୍ରଜ୍ଞା ନିବେଦିତା ନାୟକ
ନାଁ ତାଙ୍କର ରଂଜନ କୁମାର ମାହାଳି। ଜନ୍ମ ରାଉରକେଲା, ହେଲେ ପୈତୃକ ଭିଟାମାଟି ହେଉଛି କଟକ ଜିଲ୍ଲା ଦଶପଡ଼ା ଗ୍ରାମପଞ୍ଚାୟତର ଧରିଣା ଗାଁ। ବାପା ତାଙ୍କର ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ୍ରେ ଚାକିରି କରୁଥିଲେ। କଟକ ଜେକେବିକେ କଲେଜରୁ ଯୁକ୍ତ ତିନି ଏବଂ ଖ୍ରୀଷ୍ଟ କଲେଜରୁ ଏମ୍.ଏ. କଲାପରେ କାମ ସନ୍ଧାନରେ ଭୁବନେଶ୍ବର ଆସିଲେ। ଭୁବନେଶ୍ବରର ଏକ ଇଂଜିନିୟରିଂ କଲେଜରେ ମେରାଇନ୍ ରେଡିଓ ଅଫିସର୍ସ କୋର୍ସ କଲେ। କଲେଜଟି ଅଧାରୁ ବନ୍ଦ ହୋଇଗଲା। ଏହାପରେ ଚେନ୍ନାଇରେ ଥିବା ସେଣ୍ଟ୍ରାଲ୍ ଇନ୍ଷ୍ଟିଚ୍ୟୁସନ୍ ଅଫ୍ ମେରାଇନ୍ କମ୍ୟୁନିକେସନ୍ରେ ସାର୍ଟିଫିକେଟ୍ ଅଫ୍ ପ୍ରୋଫିସିଏନ୍ସି (ସିଓପି) ହାସଲ ପାଇଁ ନାମ ଲେଖାଇଲେ ଓ ପାଠ ପଢ଼ିଲେ। କିନ୍ତୁ ଆଗକୁ ପଢ଼ିବା ପାଇଁ ତାଙ୍କ ବାପା ଟଙ୍କା ଦେବାକୁ ମନା କରିଦେଲେ ଏବଂ କାମ କରି ନିଜ ରୋଜଗାରରେ ପଢ଼ିବାକୁ କହିଲେ। ଏହା ସମ୍ଭବ ନ ହେବାରୁ ସେ ପାଠପଢ଼ା ଛାଡ଼ି ୧୯୯୦ରେ ବମ୍ବେ ଚାଲିଆସିଲେ। ବମ୍ବେରେ ପହଞ୍ଚିଲା ବେଳକୁ ସେ କପର୍ଦ୍ଦକ ଶୂନ୍ୟ। ନା ଖାଇବାକୁ ପଇସା ଥିଲା, ନା ରହିବାକୁ ଘର। ପୁଣି ଫୁଟ୍ପାଥ୍ରେ ରାତି କାଟିଲା ବେଳେ ପୁଲିସ ପାହାର ମଧ୍ୟ ପିଠିରେ ବାଜିଲା। କିଛି ମାସ ପରେ ବମ୍ବେରେ ଏକ ଛୋଟ କମ୍ପାନିରେ ଅଫିସ୍ ବୟ ଚାକିରି ମିଳିଲା। ସ୍ବଳ୍ପ ଦରମାରେ ଯାବତୀୟ କାମ କରିବାକୁ ପଡୁଥିଲା ତାଙ୍କୁ। ଏଇ ସଂଘର୍ଷ ଭିତରେ ଆଗକୁ ବଢ଼ିବାର ସୁଯୋଗ ଖୋଜି ଚାଲିଲେ ଏବଂ ଶେଷରେ ସଫଳ ହେଲେ।
ପାଞ୍ଚ ବର୍ଷର ସଂଘର୍ଷ ପରେ ୧୯୯୫ ମସିହାରେ ସେ ସାଇ ସିପିଂ ଲିମିଟେଡ୍ରେ ୧୦ ହଜାର ଟଙ୍କାର ଚାକିରିଟିଏ ପାଇଲେ। ଏହାପରେ ବହୁ ଆଶାୟୀଙ୍କୁ ପଛରେ ପକାଇ ଜାପାନ୍ର ନାମୀ ଲଜିଷ୍ଟିକ୍ କମ୍ପାନି ନିପନ୍ ଏକ୍ସପ୍ରେସ୍ରେ ଟେକ୍ନିକାଲ୍ ଆଡ୍ଭାଇଜର୍ ଭାବେ ଦେଢ଼ଲକ୍ଷ ଟଙ୍କା ଦରମାରେ ଯୋଗଦେଲେ। ଏହାପରେ ସେ ନିପନ୍ ଏକ୍ସପ୍ରେସ୍ର ଏଜେଣ୍ଟଙ୍କ ସହିତ କାମ କରିବାକୁ ଇଣ୍ଡୋନେସିଆ ଆସିଲେ ଏବଂ ସେଇଠୁ ବଦଳିଗଲା ତାଙ୍କ ଜୀବନର ଯାତ୍ରାପଥ। ଏବେ ଏକାଧିକ କମ୍ପାନିର ମାଲିକ ହେଉଛନ୍ତି ରଂଜନ। ତାଙ୍କ ସଫଳତା ପାଇଁ ନିଜକୁ ଶ୍ରେୟ ଦିଅନ୍ତି ସେ। ନିଜ ଶିଙ୍ଗରେ ମାଟି ତାଡ଼ିବା ସୂତ୍ରରେ ନିଜ ଗୋଡ଼ରେ ନିଜେ ଛିଡ଼ା ହୋଇଛନ୍ତି ରଂଜନ। ସଫଳତା ପଛରେ କଠିନ ପରିଶ୍ରମ, ଧୈର୍ଯ୍ୟ ଓ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ରହିଛି ବୋଲି ସେ ସ୍ବୀକାର କରନ୍ତି। ସେ ଏେବ ପୃଥିବୀର ୩୫ଟି ଦେଶରେ ଶାଖା ଥିବା ପିଟି ଦାହନେ ଲଜିଷ୍ଟିକ୍ର ଇଣ୍ଡୋନେସିଆ ଶାଖାର ପ୍ରେସିଡେଣ୍ଟ୍ ଡାଇରେକ୍ଟର୍ ଅଛନ୍ତି। ଏହାସହିତ ନିଜସ୍ବ କମ୍ପାନି ମାହାଳି ଟୋଟାଲ୍ ଲଜିଷ୍ଟିକ୍ସ୍ ପ୍ରତିଷ୍ଠା କରିଛନ୍ତି। ଏହାକୁ ତାଙ୍କ ପତ୍ନୀ ପରିଚାଳନା କରୁଛନ୍ତି। ଖାଲି ସେତିିକି ନୁହେଁ, କିଙ୍ଗସ୍ ରିଲୋ, ତୁର୍କୀସ୍ କମ୍ପାନି ବାର୍ସନ୍ ଗ୍ଲୋବାଲ୍ ଲଜିଷ୍ଟିକ୍ସ୍ ଏବଂ ମାଲେସିଆ, ଶ୍ରୀଲଙ୍କା, ଆଫ୍ରିକା ଓ ଆମେରିକାର ଅନେକ ଆନ୍ତର୍ଜାତିକ ବ୍ୟାବସାୟିକ ସଂସ୍ଥା ସହିତ କାମ କରୁଛନ୍ତି ରଂଜନ। ନିଜ କମ୍ପାନି ବ୍ୟତୀତ ସେ ଆହୁରି ୨/୩ଟି କମ୍ପାନିର ପ୍ରେସିଡେଣ୍ଟ୍ ଡାଇରେକ୍ଟର୍ ଅଛନ୍ତି। ବିଦେଶରେ ଚାକିରି କରିବାରେ କିଛି ବାଧା ନାହିଁ। କିନ୍ତୁ ଉପଯୁକ୍ତ ସୁଯୋଗ ମିଳିଲେ ଏହା ସହଜ ହୋଇଥାଏ ବୋଲି କହନ୍ତି ସେ।
ଓଡ଼ିଶା ପାଇଁ କ’ଣ କରିବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ପଚାରିବାରୁ ରଞ୍ଜନ ମାହାଳି କହନ୍ତି, ‘‘ଇଣ୍ଡୋନେସିଆର ନାଗରିକତ୍ବ ଗ୍ରହଣ କରିଥିବାରୁ ମୁଁ ଓଡ଼ିଶା ପାଇଁ ବେଶୀ କିଛି କରିପାରିବିନି। କିନ୍ତୁ ଓଡ଼ିଶାର ଉଦ୍ୟୋଗୀ ଏଠାକୁ ଆସି ବ୍ୟବସାୟ କରିବାକୁ ଚାହିଲେ ମୁଁ ସହଯୋଗ କରିବି। ଓଡ଼ିଶାରେ ବହୁ ପ୍ରତିଭାବାନ୍ ଲୋକ ଅଛନ୍ତି। ସେମାନେ ଏଠାରେ ନିଜର ପାରଦର୍ଶିତା ଦେଖାଇପାରିବେ। କାରଣ ମୁଁ ଯେତେବେଳେ ଇଣ୍ଡୋନେସିଆ ଆସିଥିଲି ସେତେବେଳେ ମାତ୍ର ୩ଟି ଓଡ଼ିଆ ପରିବାର ଥିଲେ। କିନ୍ତୁ ବର୍ତ୍ତମାନ ୩୦/୪୦ ପରିବାର ରହୁଛନ୍ତି। ଖାସ୍ କରି ଆଇଟି, ଫାଇନାନ୍ସ ଓ ଲଜିଷ୍ଟିକ୍ ବିଭାଗରେ ବେଶୀ ଲୋକ କାମ କରୁଛନ୍ତି। ଇଣ୍ଡୋନେସିଆ ଓଡ଼ିଆ ସମାଜର ଉନ୍ନତି ଦିଗରେ ଆମେ କାମ କରୁଛୁ ଏବଂ ଆହୁରି ଅଧିକ ଓଡ଼ିଆ ଲୋକଙ୍କୁ ଯୋଡ଼ିବାକୁ ପ୍ରୟାସ କରୁଛୁ।’’ ଯୁବପିଢ଼ି ଚାକିରି ପଛରେ ନ ଗୋଡ଼ାଇ ନିଜେ କିଛି ବ୍ୟବସାୟ ଆରମ୍ଭ କରନ୍ତୁ। ହଜାରେ ଭିତରୁ ଜଣେ ହୋଇ ବାହାରିବାକୁ ଚେଷ୍ଟା କରନ୍ତୁ। ଧୈର୍ଯ୍ୟହରା ନହୋଇ ନିଜ ପରିଶ୍ରମ ଉପରେ ଭରସା ରଖି ଆଗେଇ ଯାଆନ୍ତୁ। ସଫଳତା ନିଶ୍ଚୟ ମିଳିବ ବୋଲି କହନ୍ତି ରଞ୍ଜନ।