ଦେଶରେ କରୋନା ମହାମାରୀ ବ୍ୟାପିଥିବା ବେଳେ ମାଆଝିଅ ଜୟା ଓ ପାର୍ବତୀ ଅବନୂରଙ୍କ ମୁଣ୍ଡକୁ ଏକ ନିଆରା ଚିନ୍ତାଧାରା ଆସିଲା। ପୂରା ଘରୋଇ ତରିକାରେ ତିଆରି ରନ୍ଧା ବା ମରା ନଡ଼ିଆ ‌ତେଲ ପ୍ରସ୍ତୁତ କରି ବିକ୍ରି କରିବାକୁ ଯୋଜନା କଲେ ଦୁହେଁ। ସେତେବେଳେ ସେମାନଙ୍କ ପାଖରେ ଯଥେଷ୍ଟ ସମୟ ବି ଥିଲା। ଝିଅ ପାର୍ବତୀଙ୍କର  ଡିଜିଟାଲ୍‌ ମାର୍କେଟିଂରେ ଅଭିଜ୍ଞତା ଥିଲା। ଏହି ଯୋଜନାକୁ କାର୍ଯ୍ୟକାରୀ କଲେ ଜୟା ଓ ପାର୍ବତୀ ଏବଂ ‘ପୂର୍ବିଣା’ ନାମରେ ବ୍ୟାବସାୟିକ ସଂସ୍ଥା ଗଠନ କଲେ। ପରିମାଣ ଯେତେ କମ୍‌ ହେଉ ପଛକେ ରନ୍ଧା ନଡ଼ିଆ ତେଲ ତିଆରି ପ୍ରଣାଳୀ ଖୁବ୍‌ ସମୟସାପେକ୍ଷ ଓ କଷ୍ଟସାଧ୍ୟ। ତେଲର ଗୁଣମାନ ପ୍ରତି ପ୍ରାଧାନ୍ୟ ଦେଇ ଦୁହେଁ ବଜାରକୁ ଛାଡ଼ିଲେ ‘ପୂର୍ବିଣା’ ବ୍ରାଣ୍ଡ୍ ନଡ଼ିଆ ତେଲ। ୨୦୨୦ ମସିହାରେ ଆରମ୍ଭ ହୋଇଥିବା ଏହି ଉଦ୍ୟୋଗ ଏବେ ମାସକୁ ୨୫୦ ଲିଟର୍‌ରୁ ଅଧିକ ରନ୍ଧା ନଡ଼ିଆ ତେଲ ବିକ୍ରି କରୁଛି। ତା’ଛଡ଼ା ମାଆ ଜୟା ଜୈବିକ ପଦ୍ଧତିରେ ଚାଷ ହୋଇଥିବା ମସଲା ବ୍ୟବସାୟ ଆରମ୍ଭ କରିବା ସହ ରନ୍ଧା ନଡ଼ିଆ ତେଲକୁ ବି ସେ ମସଲା ତାଲିକାଭୁକ୍ତ କରିଛନ୍ତି।

Advertisment

ରନ୍ଧା ନଡ଼ିଆ ତେଲ ପ୍ରସ୍ତୁତି ସମ୍ବନ୍ଧରେ ଆଲୋଚନା କରିବା ବେଳେ ୫୬ ବର୍ଷୀୟା ଜୟା କହିଛନ୍ତି, ‘‘ଏହାର ପ୍ରସ୍ତୁତି ପ୍ରଣାଳୀ ଆଦୌ ସହଜ ନୁହେଁ। ପ୍ରଥମେ ନଡ଼ିଆ ଫଟାଇ କୋରି ସେଥିରୁ କ୍ଷୀର ବାହାର କରାଯାଏ। ତାହାକୁ ଉରୁଲି କୁହାଯାଉଥିବା ବଡ଼ ପାତ୍ରରେ ପକାଇ ତେଲ ମରାଯାଏ। ପ୍ରାୟ ୨୫୦ଟି ନଡ଼ିଆରୁ ମାତ୍ର ୧୦ ଲିଟର୍‌ ତେଲ ବାହାର କରାଯାଇଥାଏ।’’ ‘ପୂର୍ବିଣା’ ନଡ଼ିଆ ତେଲ କେବଳ ଜୈବିକ ଉପାୟରେ ଚାଷ ହୋଇଥିବା ଗଛର ନଡ଼ିଆରୁ ପ୍ରସ୍ତୁତ ହୁଏ। ତେଲ ମାରିବା ପାଇଁ ଆବଶ୍ୟକ ନଡ଼ିଆ ସେମାନଙ୍କ ନିଜସ୍ବ ବଗିଚାରେ ଚାଷ କରାଯାଇଛି ଏବଂ ଆଉ କିଛି ଆଖପାଖ ବଗିଚାରୁ ଖରିଦ କରାଯାଉଛି। ସେ ସବୁ ଜୈବିକ ପଦ୍ଧତିରେ ଚାଷ କରାଯାଇଛି କି ନାହିଁ, ଖରିଦ କରିବା ଆଗରୁ ଆମେ ନିଶ୍ଚିତ ହୋଇଥାଉ ବୋଲି ଜୟା କହନ୍ତି।

ଗୋଟିଏ ବର୍ଷ ପର୍ଯ୍ୟନ୍ତ ଭଲ ରହିପାରୁଥିବା ଏହି ନଡ଼ିଆ ତେଲର ଲିଟର ପିଛା ଦର ୪୪୫ ଟଙ୍କା। ଏ ତେଲର ବିଭିନ୍ନ ଉପକାରିତା ବିଷୟରେ ପାର୍ବତୀ କହନ୍ତି, ‘‘ମୋ ସ୍ବର୍ଗତ ଜେଜେଙ୍କର ଅଲ୍‌ଝାଇମର୍‌ ରୋଗ ଥିଲା। ଜଣେ ଆୟୁର୍ବେଦୀୟ ଡାକ୍ତର କହିଲେ ତାଙ୍କୁ ଦିନକୁ ଦୁଇଥର ପ୍ରାଚୀନ ପଦ୍ଧତିରେ ପ୍ରସ୍ତୁତ ମରା ନଡ଼ିଆତେଲ ଦିଅ ଉପଶମ ମିଳିବ ଏବଂ ତେଲ ଭଲ କାମ ଦେଲା। ଏ ବେମାରୀ ଆନୁବଂଶିକ ‌େହାଇଥିବାରୁ ମୁଁ ଓ ମୋ ବାପା ମଧ୍ୟ ଦୈନିକ ୧୫ ମିଲିଗ୍ରାମ୍‌ ଲେଖାଏଁ ଖାଇଲୁ। ଜନ୍ମହେବାର ଅଷ୍ଟମ ଦିନରୁ ମୁଁ ମୋ କୁନିପିଲାକୁ ତେଲ ଖୁଆଉଛି। ଏହାକୁ ସାଲାଡ୍‌ରେ ମଧ୍ୟ ପକାଇ ହେବ। ହଜମ ଓ ପେଟ ଘା’ ସମସ୍ୟା ଏଡ଼ାଇବା ଲାଗି ଏହାକୁ କଞ୍ଚା ମଧ୍ୟ ଖିଆଯାଇପାରିବ।’’ ‘ପୂର୍ବିଣା’ର ମାଲାପ୍ପୁରମ୍‌ର ଅନମଙ୍ଗଡ଼ରେ ଥିବା କାରଖାନାରେ ଏହା ପ୍ରସ୍ତୁତ ହେଉଛି ଏବଂ ୯୦ ପ୍ରତିଶତ କର୍ମଚାରୀ ହେଉଛନ୍ତି ମହିଳା।

ତୈଳ ବିକ୍ରୟ କରିବା ବ୍ୟତୀତ ତାଙ୍କ କମ୍ପାନି ହଳଦୀଗୁଣ୍ଡ, ତେନ୍ତୁଳି ରସ, କଳା ଗୋଲମରିଚ ଓ କଦଳୀ ହାଲୁଆ ମିଶ୍ରଣ ମଧ୍ୟ ବିକ୍ରୟ କରୁଛି। ଏ ସବୁ ଉତ୍ପାଦ ଆମାଜନ୍‌ ଭଳି ଇ-କମର୍ସ ପ୍ଲାଟ୍‌ଫର୍ମ ଓ ବେବିକେୟାର୍‌ ଓ ବେବିବଟନ୍‌ ଭଳି ବେବି ପ୍ରଡକ୍ଟ ପ୍ଲାଟ୍‌ଫର୍ମରେ ଉପଲବ୍ଧ। ପାର୍ବତୀ କହନ୍ତି, ‘‘ଆମ ଉତ୍ପାଦ ଲୋକଙ୍କୁ ମହଙ୍ଗା ମନେହୋଇପାରେ, କିନ୍ତୁ ବାସ୍ତବରେ ଏହା ମହଙ୍ଗା ନୁହେଁ। ଅନେକ ପ୍ରକ୍ରିୟା ଦେଇ ପ୍ରସ୍ତୁତି କରାଯାଉଥିବାରୁ ଏହା ବ୍ୟୟବହୁଳ ହୋଇଯାଉଛି। ଆମେ ଅତି ସ୍ବଳ୍ପ ଲାଭ ରଖୁଛୁ। ଏପର୍ଯ୍ୟନ୍ତ ଆମ ବ୍ୟୟ ଓ ଆୟ ମଧ୍ୟ ସମାନ ହୋଇନାହିଁ। କିନ୍ତୁ, ବିକ୍ରୟ ବଢ଼ିବା ସହିତ ଆମ ଆଶା ବି ବଢ଼ିଚାଲିଛି।’’ ଜମ୍ମୁ ଓ କଶ୍ମୀର, ତେଲେଙ୍ଗାନା, ପଶ୍ଚିମବଙ୍ଗ ଓ ଉତ୍ତରପୂର୍ବର କେତେକ ପ୍ରାନ୍ତ ସମେତ ସମଗ୍ର ଦେଶରେ ସେମାନେ ଗ୍ରାହକମାନଙ୍କୁ ଏହି ତୈଳ ଯୋଗାଇ ଦେଉଛନ୍ତି। ବଜାରରେ ଏହି ଉତ୍ପାଦର ଚାହିଦା ବୃଦ୍ଧି ପାଉଥିବାରୁ ରନ୍ଧା ନଡ଼ିଆତେଲର ଉପକାରିତା ବିଷୟରେ ଅଧିକ ଲୋକଙ୍କୁ ଶିଖାଇବା ଲକ୍ଷ୍ୟ ରଖିଛନ୍ତି ପାର୍ବତୀ।