ଶୂନରୁ ଶହେ: କୌଳିକ ବୃତ୍ତି ସାକାର କଲା ସୂର୍ଯ୍ୟଙ୍କ ସ୍ବପ୍ନ

ପ୍ରଜ୍ଞା ନିବେଦିତା ନାୟକ

ପିଲାବେଳୁ ଖୁବ୍‌ ଦୁଃଖକଷ୍ଟରେ ବିତିଥିଲା ତାଙ୍କ ଜୀବନ। ନିଆଳିର କଣ୍ଟାପଡ଼ାରେ ଜନ୍ମ, ଗାଁ ସ୍କୁଲ୍‌ରେ ମାଟ୍ରିକ୍‌ଯାଏ ପାଠପଢ଼ା। କିନ୍ତୁ ବାପାଙ୍କ ଇଚ୍ଛା ଥିଲା ମୋ ପୁଅ ଜଣେ ବଡ଼ ପଣ୍ଡିତ ହେଉ। ସେଥିପାଇଁ ବାପା ତାଙ୍କୁ ଦିଲ୍ଲୀ ପଠାଇବାକୁ ଚାହୁଁଥିଲେ। ଶେଷରେ ତାହା ହିଁ ହେଲା। ଯୁବକ ସୂର୍ଯ୍ୟକାନ୍ତ ଦିଲ୍ଲୀ ଯାଇ ମହର୍ଷି ବେଦବିଜ୍ଞାନ ବିଶ୍ବବିଦ୍ୟାପୀଠରେ ବୈଦିକ କର୍ମକାଣ୍ଡ ଉପରେ ଶିକ୍ଷାଗ୍ରହଣ କଲେ। ଦୁର୍ଭାଗ୍ୟକୁ ବିଦ୍ୟାପୀଠରେ ଭର୍ତ୍ତି ହେବାର କିଛିଦିନ ଭିତରେ ବାପାଙ୍କ ଦେହାନ୍ତ ହେଲା। ସବୁ ଦୁଃଖକଷ୍ଟକୁ ଭୁଲି ବାପାଙ୍କ ଇଚ୍ଛାକୁ ସମ୍ମାନ ଦେଇ ଜୀବନରେ ଜଣେ ସଫଳ ପଣ୍ଡିତ ହୋଇ ବାହାରିବାକୁ ସ୍ଥିର କଲେ ସେ। ନିଷ୍ଠାପର ଉଦ୍ୟମ ବଳରେ ଶେଷରେ ଲକ୍ଷ୍ୟ ପୂରଣ କରିପାରିଛନ୍ତି ପଣ୍ଡିତ ସୂର୍ଯ୍ୟକାନ୍ତ ପଣ୍ଡା। ଖାଲି ସେତିକି ନୁହେଁ, ଓଡ଼ିଶା ଫେରି ସେ ଉତ୍କଳୀୟ କର୍ମକାଣ୍ଡ ଶିଖିବା ସହିତ ଏବେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ‘ଓଡ଼ିଶା ବୈଦିକ କର୍ମକାଣ୍ଡ ଅନୁଷ୍ଠାନ’ ଖୋଲି ବ୍ରାହ୍ମଣ ପିଲାମାନଙ୍କୁ ବୈଦିକ ଶିକ୍ଷା ଦେବା ସହିତ ବିବାହ ବ୍ରତାଦି ସମ୍ବନ୍ଧୀୟ କର୍ମକାଣ୍ଡ ଶିକ୍ଷା ଦେଉଛନ୍ତି। ତାଙ୍କ ଅନୁଷ୍ଠାନରେ ରାଜ୍ୟ ତଥା ରାଜ୍ୟ ବାହାରର ପଣ୍ଡିତମାନେ ଆସି ଶିକ୍ଷାଦାନ କରୁଛନ୍ତି।

କେବଳ ବ୍ରାହ୍ମଣ ପିଲା ନୁହେଁ, ଅନ୍ୟ ସମସ୍ତ ବର୍ଗର ପିଲା ନିଜ କୌଳିକ ବୃତ୍ତିକୁ ଆପଣାଇ ପେଟ ପୋଷିବା ସହିତ ସ୍ବାବଲମ୍ବୀ ହୋଇପାରିବେ- ଏହି ବାର୍ତ୍ତା ଦେବାକୁ ଚାହୁଛନ୍ତି ସୂର୍ଯ୍ୟକାନ୍ତ। କିନ୍ତୁ ବର୍ତ୍ତମାନର ଯୁବପିଢ଼ି ନିଜ କୌଳିକ ବୃତ୍ତିକୁ ଆପଣାଇବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି। ଚାକିରି କିମ୍ବା ଅନ୍ୟ ବ୍ୟବସାୟ ପ୍ରତି ମନବଳାଉଛନ୍ତି। ସେହି କ୍ରମରେ କିଛି କୌଳିକ ବୃତ୍ତି ଓ ପରମ୍ପରା କ୍ରମଶଃ ଲୋପ ପାଇଯିବାକୁ ବସିଛି। ଏଣୁ ସେହି ଧାରାକୁ ପରପିଢ଼ି ପାଖରେ ପହଞ୍ଚାଇବା ଲକ୍ଷ୍ୟ ନେଇ ନିଜ ଅନୁଷ୍ଠାନ ମାଧ୍ୟମରେ ଅଧିକରୁ ଅଧିକ ପିଲାଙ୍କୁ ଶିକ୍ଷା ଦେବାର ପ୍ରଚେଷ୍ଟା ଜାରି ରଖିଛନ୍ତି ପଣ୍ଡିତ ସୂର୍ଯ୍ୟକାନ୍ତ। ବର୍ତ୍ତମାନ ତାଙ୍କ ପାଖରେ ପନ୍ଦର ଜଣ ପିଲା ଶିକ୍ଷା ନେଉଛନ୍ତି। ଶାଖା ଅନୁଷ୍ଠାନରେ ମଧ୍ୟ ଅନେକ ପିଲା ଶିକ୍ଷାଗ୍ରହଣ କରୁଛନ୍ତି। ଆଗକୁ ଆହୁରି ପିଲାଙ୍କୁ ପୁରୋହିତ କର୍ମକାଣ୍ଡ, ବୈଦିକ ଶିକ୍ଷା ଆଦି ବିଷୟରେ ପ୍ରାଜ୍ଞ କରି ସେମାନଙ୍କୁ ସ୍ବାବଲମ୍ବୀ କରିବାକୁ ଲକ୍ଷ୍ୟ ରଖିଛନ୍ତି ସେ।
ବାପାମାଆ ଓ ଭଗବାନଙ୍କ ଉପରେ ଆସ୍ଥା ରଖି ଜୀବନରେ ଏକ ଲକ୍ଷ୍ୟ ପଥ ସ୍ଥିର କରି, କୌଣସି ଫଳକୁ ଆଶା ନରଖି କର୍ମ କରିବା ଦରକାର ବୋଲି କହନ୍ତି ପଣ୍ଡିତ ସୂର୍ଯ୍ୟକାନ୍ତ ପଣ୍ଡା।

ସମ୍ବନ୍ଧିତ ଖବର