ଡାଲିରେ ମିଶୁଛି ବିଷାକ୍ତ କେମିକାଲ : ମୁଗ ଓ ମସୋରି ଡାଲିଠାରୁ ଦୂରେଇ ରହିବା ପାଇଁ ସତର୍କ ସୂଚନା ଜାରି କଲା ଫୁଡ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଅଥରିଟି ଅଫ ଇଣ୍ଡିଆ

ଆମ ଦେଶରେ ଖାଦ୍ୟପଦାର୍ଥରେ ଅପମିଶ୍ରଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ପନିପରିବାଠାରୁ ଆରମ୍ଭ କରି ରାସନ ସାମଗ୍ରୀ ପର୍ଯ୍ୟନ୍ତ ପ୍ରାୟ ସବୁଠୁ ଚାଲିଛି କେମିକାଲର ଅପମିଶ୍ରଣ। ଏସବୁ ସାମଗ୍ରୀ ପରେ ଏବେ ସାମ୍ନାକୁ ଆସିଛି ଡାଲିକୁ ନେଇ ଏକ ଭୟଙ୍କର ତଥ୍ୟ। ଶରୀରକୁ ଆବଶ୍ୟକ ପୁଷ୍ଟିସାର ଯୋଗାଉଥିବା ଡାଲିକୁ ବିଷାକ୍ତ ଘୋଷଣା କରିଛନ୍ତି ଭାରତୀୟ ଖାଦ୍ୟ ସୁରକ୍ଷା ଓ ନିରାପତା କର୍ତୃପକ୍ଷ । ଖାଇବା ଟେବୁଲରେ ପରସା ଯାଉଥିବା ମୁଗ ଓ ମସୋରି ଡାଲିକୁ ବିଷାକ୍ତ ବୋଲି କହିଛି ଏଫଏସଏସଏଆଇ । ବିଶେଷ ଭାବେ କାନାଡା ଓ ଅଷ୍ଟ୍ରେଲିଆରୁ ଆସୁଥିବା ମୁଗ ଓ ମସୋରି ଡାଲିରେ ବିଷାକ୍ତ କେମିକାଲ ଥିବା ରିପୋର୍ଟ ଆସିଛି । ଏହାପରେ ଫୁଡ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଅଥରିଟି ଅଫ ଇଣ୍ଡିଆ ସତର୍କ ସୂଚନା ଜାରି କରିଛନ୍ତି । ଏହା ସହ ପ୍ରତ୍ୟେକ ଦିନ ମୁଗ କିମ୍ବା ମସୋରି ଡାଲି ନ ଖାଇବା ପାଇଁ ପରାମର୍ଶ ଜାରି କରିଛନ୍ତି ।

ବିଶେଷ ଭାବେ ଭାରତକୁ ଅଷ୍ଟ୍ରେଲିଆରୁ ମୁଗ ଡାଲି ଆସୁଥିବା ବେଳେ କାନାଡାରୁ ମସୋରି ଡାଲି ଆସୁଛି । ଆଉ ଏସବୁ ଡାଲିରେ ବିଷାକ୍ତ କେମିକାଲ ମିଶୁଥିବା ନେଇ ଅଭିଯୋଗ ଆଣିଥିଲେ ଜଣାଶୁଣା ସମାଜସେବୀ ଶାନ୍ତନୁ ମିଶ୍ର । ଏହାପରେ ଏଫଏସଏସଏଆଇ ବା ଭାରତୀୟ ଖାଦ୍ୟ ସୁରକ୍ଷା ଓ ନିରାପତା କର୍ତୃପକ୍ଷ ବିଭିନ୍ନ ନମୁନା ସଂଗ୍ରହ କରି ପରୀକ୍ଷା ପାଇଁ ପଠାଇଥିଲେ । ଏହାପରେ ଜଣାପଡିଛି ମୁଗ ଓ ମସୋରି ଡାଲିରେ ଅଧିକ ପରିମାଣର ଗ୍ଲାଇଫୋସେଟ କ୍ୟାମିକାଲ ରହିଛି,ଯାହା ଅତ୍ୟନ୍ତ କ୍ଷତିକାରକ । ଏହାପରେ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଓ ଏଫଏସଏସଏଆଇର ପରାମର୍ଶ କ୍ରମେ ସତର୍କ ସୂଚନା ଜାରି କରାଯାଇଛି । କାରଣ ଗ୍ଲାଇଫୋସେଟ ଅକ୍ନ ବିଷାକ୍ତ ରାସାୟନିକ ପଦାର୍ଥ ।

ପୂର୍ବରୁ ଗ୍ଲାଇଫୋସେଟ କ୍ୟାମିକାଲ ମିଶିଥିବା ଫସଲ ଖାଇ ଶ୍ରୀଲଙ୍କାରେ ବହୁ ଚାଷୀଙ୍କ ମୃତ୍ୟୁ ହୋଇଛି । ଏଣୁ ବର୍ତମାନ ଆମ ଦେଶରେ ମୁଗ ଓ ମସୋରି ଡାଲିରେ ଏହି ବିଷାକ୍ତ କେମିକାଲ ମିଶିଥିବା ଜଣାପଡିବା ପରେ ଏହି ଡାଲି ଖାଇବାରୁ ଦୂରେଇ ରହିବା ପାଇଁ ପରାମର୍ଶ ଜାରି କରିଛନ୍ତି ଫୁଡ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଅଥରିଟି ଅଫ ଇଣ୍ଡିଆ । ଗ୍ଲାଇଫୋସେଟ କ୍ୟାମିକାଲ ଶରୀରର ରୋଗ ପ୍ରତିରୋଧ ଶକ୍ତିକୁ କମାଇ ଦେଇଥାଏ । ଏଭଳି ବିଷାକ୍ତ କେମିକାଲଯୁକ୍ତ ଖାଦ୍ୟ ଖାଇଲେ ଶରୀର ଆବଶ୍ୟକ କରୁଥିବା ଭିଟାମିନ ଓ ପ୍ରୋଟିନ ଶରୀରରୁ କମିଯାଇଥାଏ ।

ଅଧିକ ପରିମାଣରେ ଗ୍ଲାଇଫୋସେଟ ମିଶା ଖାଦ୍ୟ ଶରୀରକୁ ଗଲେ କିଡନି ଓ ଯକୃତ ଅଚଳ ହେବାର ଆଶଙ୍କା ବି ରହିଛି । ୩ ବର୍ଷ ତଳେ ଗ୍ଲାଇଫୋସେଟକୁ ଫସଲରେ ପ୍ରୟୋଗ କରିବାର ସମ୍ପୂର୍ଣ୍ଣ ଅନୁମତି ଥିବା ବେଳେ ୨୦୧୫ରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଏହାକୁ ବିଷାକ୍ତ ବୋଲି ଘୋଷଣା କରିଛି । କେତେ ପରିମାଣ ଗ୍ଲାଇଫୋସେଟ ଫସଲରେ ବ୍ୟବହାର ହୋଇପାରିବ ସେ ନେଇ ନିର୍ଦ୍ଦିଷ୍ଟ ନିୟମ ନଥିବା ବେଳେ ଏହାର ବ୍ୟବହାର କମାଇବା ନେଇ ଚିନ୍ତା କରୁଛି ଏଫଏସଏସଏଆଇ । ସବୁଠାରୁ ବିଚଳିତ କରିବା ଭଳି ତଥ୍ୟ ହେଉଛି ଭାରତରେ ଯେଉଁ ମୁଗ ଓ ମସୋରି ଡାଲିର ନମୁନା ସଂଗ୍ରହ ହୋଇଥିଲା ସେଥିରେ ମାତ୍ରାଧିକ ଗ୍ଲାଇଫୋସେଟ ଥିବା ଜଣାପଡିଛି ।

ସମ୍ବନ୍ଧିତ ଖବର