କୌତୁକିଆ ହାତୀ ଛୁଆ

ଏମିତି ତ ହାତୀ ଛୁଆଟିଏ ଦେଖିବାକୁ ଭାରୀ ନିରୀହ ଓ କୌତୁକିଆ। ତାହାର ଢଳିପଡ଼ିଲା ଭଳି ଚାଲି ଓ ମା’ ହାତୀ ପାଖରେ ଲୋଟିପଡ଼ିବାର ଶୈଳୀ ବେଶ୍‌ ଆମୋଦିତ କରିଥାଏ। ତେବେ ଛୁଆହାତୀ ସମ୍ପର୍କରେ ଆହୁରି ଅନେକ ରୋଚକ ତଥ୍ୟ ତାହାକୁ ଅଧିକ ମଜାଦାର କରିଥାଏ। ମଣିଷଛୁଆ ଯେପରି ଆଙ୍ଗୁଠି ଚୁଚୁମିଥାଏ, ହାତୀଛୁଆ ମଧ୍ୟ ନିଜର ଶୁଣ୍ଢ ଚୁଚୁମି ଆନନ୍ଦିତ ହୋଇଥାଏ। ଏହାଦ୍ବାରା ପରୋକ୍ଷରେ ସେ ଶୁଣ୍ଢର ମାଂଶପେଶୀକୁ ଶକ୍ତ ଓ ନିୟନ୍ତ୍ରଣଶୀଳ କରିଥାଏ। ସେହିପରି ପାଣି ଓ ଧୂଳିରେ ଖେଳି ସେ ଶୁଣ୍ଢକୁ ଅଧିକ କ୍ରିୟାଶୀଳ କରିଥାଏ। ହାତୀ ତ ସମ୍ପ୍ରତି ବିଶ୍ବର ସବୁଠୁ ଓଜନିଆ ସ୍ଥଳଚର ପ୍ରାଣୀର ମାନ୍ୟତା ରଖିଛି। ତେବେ ଗୋଟିଏ ହାତୀଛୁଆ ଜନ୍ମ ବେଳେ ୯୦ କେଜିରୁ ୧୫୦ କେଜି ଓଜନ ବିଶିଷ୍ଟ ହୋଇଥାଏ ଯେଉଁଠି ଜଣେ ପ୍ରାପ୍ତବୟସ୍କ ସୁସ୍ଥ ମଣିଷର ହାରାହାରି ଓଜନ ହେଉଛି ୬୨ କେଜି। ଏଥିରୁ ହାତୀ ଶରୀରର ବିଶାଳତା(ପ୍ରାପ୍ତ ବୟସ୍କ ହାତୀର ଓଜନ ୭,୦୦୦ କେଜି) ସହଜରେ ଅନୁମେୟ। ମଣିଷ ପାଇଁ ଗର୍ଭଧାରଣ ସମୟ ୯ ମାସ ୧୦ ଦିନ ହୋଇଥିବା ବେଳେ ଗୋଟିଏ ହାତୀ ୨୨ ମାସ କାଳ ଧରି ଗର୍ଭବତୀ ହୋଇଥାଏ। ସେହିପରି ହାତୀଛୁଆ ଜନ୍ମ ହେବାର ମାତ୍ର ୨୦ ମିନିଟ୍‌ ଭିତରେ ନିଜେ ଛିଡ଼ା ହୋଇପାରିଥାଏ।

ଅବଶ୍ୟ ସେତେବେଳକୁ କିଛି ସମୟ ପାଇଁ ସେ କିଛି ଦେଖିପାରିନଥାଏ, ତେବେ ଶ୍ରବଣ ଓ ଘ୍ରାଣ ଶକ୍ତି ବଳରେ ମାଆହାତୀର ଅବସ୍ଥିତିକୁ ଠଉରେଇ ପାରିଥାଏ। ଆମେ ପିଲାବେଳେ ଡେଇଁ କୁଦି ଖେଳିବାକୁ ଭଲ ପାଇଥା’ନ୍ତି, ମାତ୍ର ଛୁଆହାତୀ ଆଦୌ ଡେଇଁପାରେନାହିଁ। ଅବଶ୍ୟ ହାତୀ ଶରୀରର ଗଢ଼ଣ ଯୋଗୁଁ ସେ ଜୀବନ କାଳ ଭିତରେ ଆଦୌ ଡେଇଁବାକୁ ସମର୍ଥ ହୋଇନଥାଏ। ଛୁଆହାତୀର ମଧ୍ୟ ମଣିଷ ପରି ପ୍ରଥମ ଦାନ୍ତଗୁଡ଼ିକ ଝଡ଼ି ନୂଆ ଦାନ୍ତ ଉଠିଥାଏ। ଜନ୍ମ ବେଳେ ଅନ୍ଧ ଥିଲେ ହେଁ ନବଜାତ ହାତୀର ମସ୍ତିଷ୍କ ପ୍ରାୟ ପୂର୍ଣ୍ଣବିକଶିତ ହୋଇ ସାରିଥାଏ। ଅଧିକାଂଶ ହାତୀ ରାତିରେ ହିଁ ଜନ୍ମ ନେଇଥା’ନ୍ତି, କାରଣ ବିବର୍ତ୍ତନ ପ୍ରତିକ୍ରିୟା ଯୋଗୁଁ ମା’ ହାତୀ ନିଜ ଛୁଆକୁ ଅନ୍ୟ ଶିକାରୀ ଜନ୍ତୁ କବଳରୁ ରକ୍ଷା କରିବା ପାଇଁ ନିଜର ପ୍ରସବକୁ ଅନ୍ଧାର ସମୟକୁ ଗଡ଼େଇ ଦେଇଥାଏ। ସେହିପରି ସୂର୍ଯ୍ୟତାପରୁ ଛୁଆକୁ ବଞ୍ଚାଇବା ପାଇଁ ମା’ ହାତୀ ଛୁଆ ଦେହରେ ଧୂଳି ବୋଳି ଦେଇଥାଏ।

ସମ୍ବନ୍ଧିତ ଖବର