ଗ୍ରୀଷ୍ମ ରାତିରେ ଆଶ୍ଚର୍ଯ୍ୟର ପ୍ରତୀକ ହେଉଛି ଜୁଳୁଜୁଳିଆ ପୋକ। ତେବେ ଏହାର ଦପ୍‌ଦପ୍‌ ଆଲୁଅ ଦେଖିବାରେ ଆମେ ହୁଏତ ଶେଷ ପିଢ଼ି ବୋଲି ବୈଜ୍ଞାନିକମାନେ ଆଶଙ୍କା ପ୍ରକଟ କରିଛନ୍ତି। ଜୁଳୁଜୁଳିଆ ପୋକମାନଙ୍କ ଯାଦୁକରୀ ଦୃଶ୍ୟ ଶୀଘ୍ର ଅତୀତର କାହାଣୀ ହୋଇପାରେ। ‘ଲାମ୍ପାଇରିଡେ’ ପରିବାର ଅନ୍ତର୍ଗତ ଜୁଳୁଜୁଳିଆ ପୋକର ୨,୦୦୦ରୁ ଅଧିକ ପ୍ରଜାତି ରହିଛି। ସେମାନଙ୍କ ଭିତରୁ କିଛି ସାଥୀ ଖୋଜିବା ପାଇଁ ନିଜର ଆଲୋକ ବ୍ୟବହାର କରୁଥିବା ବେଳେ କିଛି ଏହାକୁ ପ୍ରତିରକ୍ଷା ଭାବରେ କିମ୍ବା ଶିକାରକୁ ଆକର୍ଷିତ କରିବା ପାଇଁ ବ୍ୟବହାର କରନ୍ତି। ଉଦାହରଣ ସ୍ୱରୂପ, ମାଈ ଫୋଟୁରିସ୍ ଜୁଳୁଜୁଳିଆ ଅନ୍ୟ ଜାତିର ଆଲୋକକୁ ନକଲ କରି ଅଣ୍ଡିରା କୀଟଙ୍କୁ ପ୍ରଲୋଭିତ କରି ସେମାନଙ୍କୁ ଗ୍ରାସ କରିଥା’ନ୍ତି। ପ୍ରତ୍ୟେକ ଜୁଳୁଜୁଳିଆ ଲାର୍ଭା ଆଲୋକିତ ହେଉଥିବା ବେଳେ ସବୁ ବୟସ୍କ ଆଲୋକ ଉତ୍ପନ୍ନ କରନ୍ତି ନାହିଁ।

Advertisment

ଏକ ବର୍ଦ୍ଧିତ ପ୍ରତିକୂଳ ବିଶ୍ୱରେ ବଞ୍ଚିବା ସମସ୍ତ ଜାତି ପାଇଁ ଆହ୍ବାନ ପାଲଟିଛି। ସେମାନଙ୍କ ବିଲୁପ୍ତି ପଛରେ ସହରାଞ୍ଚଳ ବିସ୍ତାର ଓ ଶିଳ୍ପକୃଷି ଜନିତ ବାସସ୍ଥାନ କ୍ଷତି, ଆଲୋକ ପ୍ରଦୂଷଣ, କୀଟନାଶକ ପ୍ରୟୋଗ, ଜଳବାୟୁ ପରିବର୍ତ୍ତନ ଆଦି କାରଣଗୁଡ଼ିକ ରହିଛି। ଏହି କ୍ଷୁଦ୍ର କୀଟଗୁଡ଼ିକ କେବଳ ସୌନ୍ଦର୍ଯ୍ୟର କ୍ଷଣସ୍ଥାୟୀ ବାହକ ନୁହନ୍ତି, ବରଂ ସେମାନେ ପରିବେଶଗତ ସ୍ୱାସ୍ଥ୍ୟର ସୂଚକ ମଧ୍ୟ। ତେଣୁ ସେମାନଙ୍କର ପୁନର୍ବାସ ପାଇଁ ଆର୍ଦ୍ରଭୂମି, ଘାସ ବଣ ଓ ଜଙ୍ଗଲର ପୁନରୁତ୍‌ଥାନ, ଗତି-ସମ୍ବେଦନଶୀଳ କିମ୍ବା କମ୍ ୱାଟେଜ୍ ବିଶିଷ୍ଟ ବାହ୍ୟ ଲାଇଟ୍ ବ୍ୟବହାର, ପ୍ରାକୃତିକ ଅନ୍ଧକାର ବଜାୟ ରଖିବା ପାଇଁ ଅନାବଶ୍ୟକ ଆଲୋକ ବନ୍ଦ, କ୍ଷତିକାରକ କୀଟନାଶକ ଛାଡ଼ି ଜୈବିକ ଏବଂ ସ୍ଥାୟୀ କୃଷିକୁ ସମର୍ଥନ ଭଳି ପଦକ୍ଷେପ ନେବା ଜରୁରି।