ଦୋଳଗୋବିନ୍ଦ ପଣ୍ଡା

ନିନିଜ ସ୍ବାମୀଙ୍କଠାରୁ ବହୁଦିନ ଧରି ଦୂରରେ ଥିବା ଜଣେ ମହିଳା ଡାକ୍ତର ସ୍ବପ୍ନରେ ଦେଖିଲେ ସେ ବିଦେଶଯାତ୍ରା କରୁଛନ୍ତି ଏବଂ ବିଦେଶରେ ଭିଡ଼ ଭିତରେ ନିଜର ସ୍ବାମୀଙ୍କୁ ପାଉଛନ୍ତି। ଅନେକ ଦିନ ପରେ ମହିଳା ଜଣକ ବିଦେଶ ଗଲେ ଏବଂ ଭିଡ଼ରେ ନିଜ ସ୍ବାମୀଙ୍କୁ ଦେଖିଲେ। ସ୍ବପ୍ନରେ ତାଙ୍କ ଆକୃତି ଦେଖିଥିବାରୁ ସେ ତାଙ୍କୁ ଚିହ୍ନିପାରିଲେ, ନ ହେଲେ ଏତେ ଦିନର ବ୍ୟବଧାନ ପରେ ସେ ତାଙ୍କୁ ଚିହ୍ନିପାରି ନ ଥାନ୍ତେ। ପରେ ଉଭୟଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥିଲା। ସ୍ବପ୍ନରୁ ଅନେକ ବିଶେଷ ସୂଚନା ମିଳିଥାଏ। ଆରାଧନା ବଳରେ ଏବଂ ସ୍ବପ୍ନସିଦ୍ଧି ମାଧ୍ୟମରେ ଅନେକ ଘଟଣାକୁ ଘଟିବା ପୂର୍ବରୁ ଦେଖିବା ଓ ଜାଣିବା ସମ୍ଭବ ହୋଇଥାଏ। ରାଷ୍ଟ୍ରବିପ୍ଳବ, ବନ୍ୟାବିତ୍ପାତ ଓ ଭୂକମ୍ପ ଆଦି ବିଷୟରେ ମଧ୍ୟ ସ୍ବପ୍ନ ଦ୍ବାରା ଆଗୁଆ ସୂଚନା ମିଳିପାରେ। ବାରମ୍ବାର ପୃଥିବୀ ଫାଟିଯିବା ଦେଖିବା ଏବଂ ସମଗ୍ର ସହର ଲେଲିହାନ ଅଗ୍ନିରେ ଜଳୁଥିବା ଦେଖିବା ସାମୂହିକ ବିପତ୍ତିର ସୂଚକ। ‌ତେବେ ଏ ପ୍ରକାର ଆଗୁଆ ସୂଚନା ସାଧାରଣ ଲୋକ ପାଇପାରନ୍ତି ନାହିଁ। ଯେଉଁମାନଙ୍କର କିଛି ଜପତପ ଓ ସାଧନା ଅଛି, ଯେଉଁମାନେ ସର୍ବଜନହିତକର ଚିନ୍ତା ଓ କର୍ମରେ ନିୟତ ନିୟୋଜିତ ଥାନ୍ତି, ସେମାନେ କେବଳ ଏପରି ସ୍ବପ୍ନ ଦେଖିପାରିବେ, ଯେପରିକି ଜଣେ ପ୍ରଜାହିତୈଷୀ ରାଜର୍ଷି।

Advertisment

ସ୍ବପ୍ନ ମାଧ୍ୟମରେ ପୂର୍ବଜନ୍ମର ମଧ୍ୟ କିଛି କଥା ଜଣାଯାଇଥାଏ। କୌଣସି ବିଶେଷ ସ୍ବପ୍ନ ଦେଖିଲେ ତା’ର ଶୁଭାଶୁଭ ଫଳ ଜାଣିବା ପାଇଁ ନିଜର ଗୁରୁ ବା ଆଚାର୍ଯ୍ୟଙ୍କ ପାଖରେ ନିବେଦନ କରିବା ଉଚିତ। ଯଦି ନିଜର ଗୁରୁ ସ୍ବପ୍ନବେତ୍ତା ବା ଦିବ୍ୟଜ୍ଞାନୀ ହୋଇ ନ ଥାନ୍ତି, ତେବେ ଏପରି ଜ୍ଞାନ ଥିବା ଜ୍ୟୋତିଷ-ପଣ୍ଡିତଙ୍କ ପାଖରେ ନିବେଦନ କରିପାରିବେ। ମାତ୍ର ଅତି ଶୁଭସ୍ବପ୍ନ ହୋଇଥିଲେ ଅନ୍ୟମାନଙ୍କ ଆଗରେ ନ କହିବା ଭଲ। ନୈଷ୍ଠିକ କର୍ମ, ଗୁରୁସେବା, ଦେବସେବା, କାମାଦି ରିପୁ ନିୟନ୍ତ୍ରଣ, ନାମଜପ ମାଧ୍ୟମରେ ବ୍ୟକ୍ତି ଶୁଦ୍ଧଚିତ୍ତ ହୋଇଥାଏ। ଦେବତାଙ୍କ ଉପାସନା ପରେ ଦୈବିକ ସ୍ବପ୍ନର ଭାବୀ ଫଳର ବିଚାରଣା କରିବା ଉଚିତ। ସ୍ନାନାଦି କୃତ୍ୟ ସମ୍ପନ୍ନ କରି ବିଷ୍ଣୁଙ୍କ ପଦାରବିନ୍ଦ ଚିନ୍ତନପୂର୍ବକ କୁଶାସନରେ ଉପବେଶନ କରି ଭଗବାନ୍ ଶିବଙ୍କୁ ପ୍ରାର୍ଥନା କରି ତାଙ୍କର ସ୍ବପ୍ନଫଳ ନିର୍ଦ୍ଦେଶର ମନ୍ତ୍ର ୧୦୮ ଥର ଜପ କରନ୍ତୁ। ସ୍ବପ୍ନପ୍ରଦ ଶିବମନ୍ତ୍ର: ‘ଓଁ ହିଳି ହିଳି ଶୂଳପାଣୟେ ସ୍ବାହା।’- ଏହି ମନ୍ତ୍ର ୧୦୮ ଥର ଜପ କରି ପୁଷ୍ପାଞ୍ଜଳି ନିବେଦନ ପୂର୍ବକ କୃତାଞ୍ଜଳି ପୁଟରେ ପ୍ରାର୍ଥନା କରିବା ଉଚିତ। ହେ ପ୍ରଭୁ ଶୂଳପାଣି! ଶୟନ ଅବସ୍ଥାରେ ସ୍ବପ୍ନରେ ଇଷ୍ଟ-ଅନିଷ୍ଟ ଫଳ କହନ୍ତୁ। ଆପଣଙ୍କୁ ଶତକୋଟି ପ୍ରଣାମ କରୁଛି। ଏହାପରେ ‘‘ଓଁ ନମଃ ସକଳଲୋକାୟ ବିଷ୍ଣବେ ପ୍ରଭବିଷ୍ଣବେ। ବିଶ୍ବାୟ ବିଶ୍ବରୂପାୟ ସ୍ବପ୍ନାଧିପତୟେ ନମଃ।।’
ଏହି ମନ୍ତ୍ର ପଢ଼ି ପୂର୍ବଦିଗକୁ ମୁଣ୍ଡ କରି ଡାହାଣ କଡ଼ ମାଡ଼ି ଶୟନ କରି ସ୍ବପ୍ନର ପରୀକ୍ଷା କରିବା ଉଚିତ। ଏହାଦ୍ବାରା ଦୈବିକ ସ୍ବପ୍ନ ଦେଖିବା ଏବଂ ସ୍ବପ୍ନ ମାଧ୍ୟମରେ ଭବିଷ୍ୟତର ସୂଚନା ମିଳିବା ସମ୍ଭବ ହୋଇଥାଏ ବୋଲି ସ୍ବପ୍ନଶାସ୍ତ୍ରରେ କୁହାଯାଇଛି। ଆଉ କେତେକ ସ୍ବପ୍ନ ସାଧନା ପଦ୍ଧତି ଆମେ ସଂକ୍ଷେପରେ ପରେ ଲେଖିବା।