ଶ୍ରୀବିଷ୍ଣୁଙ୍କର ଅନ୍ୟତମ ଆୟୁଧ- ଗଦା। ତାହାର ନାମ ‘କୌମୋଦକୀ’। ଏହି ଶବ୍ଦର ଉତ୍ପତ୍ତି କୁମୁଦ-କୌମୁଦୀରୁ ହୋଇଛି। କୁମୁଦ କଇଁଫୁଲକୁ ବୁଝାଏ। ଆକାଶରେ ଚନ୍ଦ୍ର ଉଦିତ ହେଲେ ପୃଥିବୀରେ କୁମୁଦ ବିକଶିତ ହୁଏ। ଏଥିପାଇଁ ଚନ୍ଦ୍ରକିରଣକୁ କୌମୁଦୀ କୁହାଯାଏ। ଏହାର ଅର୍ଥ ପୃଥିବୀର ଆନନ୍ଦ। ସାଧାରଣ ଭାବରେ ଗଦା ଶକ୍ତିର ପ୍ରତୀକ ଭାବରେ ଗଣନୀୟ। ତେଣୁ ଏହାକୁ ଭୀମ, ଦୁର୍ଯୋଧନ, ବଳରାମ, ଦେବୀ ଏବଂ ରାକ୍ଷସ ଓ ହନୁମାନ ଧାରଣ କରିଥିବା ଦେଖାଯାଏ। ଅଥଚ ବିଷ୍ଣୁଙ୍କ ଗଦା ଆନନ୍ଦର ପ୍ରତୀକ। ବୈଷ୍ଣବମାନେ ଏହାକୁ ଜ୍ଞାନଶକ୍ତି ଭାବରେ ବର୍ଣ୍ଣନା କଲାବେଳେ, ‘ବିଷ୍ଣୁଧର୍ମୋତ୍ତର ପୁରାଣ’ ଏହାକୁ ଧନ ଓ ସୌନ୍ଦର୍ଯ୍ୟର ପ୍ରତୀକ ଭାବରେ ଏବଂ ‘ବିଷ୍ଣୁପୁରାଣ’ ମହାକାଳୀ ଭାବରେ ଉଲ୍ଲେଖ କରିଛନ୍ତି; ଯାହା ଅଧର୍ମର ବିନାଶ ନିମିତ୍ତ ଉଦ୍ଦିଷ୍ଟ। ଏହାର ପୁଷ୍ଟୀକରଣ ସ୍ୱରୂପ, ଭାରତୀୟ ଭାସ୍କର୍ଯ୍ୟରେ କେତେକ ଦଣ୍ଡାୟମାନ ବିଷ୍ଣୁମୂର୍ତ୍ତିରେ ଦେଖାଯାଏ- ଗଦା ଏକ ନାରୀମୂର୍ତ୍ତି; ଯାହାଙ୍କୁ ଗଦାଦେବୀ କୁହାଯାଏ।

Advertisment

ଗଦାର ଜନ୍ମ ସଂପର୍କରେ ଏକ କାହାଣୀ ଅଛି। ପ୍ରାଚୀନ କାଳରେ ଏକ ରାକ୍ଷସ ଥିଲା, ଯାହାର ନାମ ଗଦା। ସେ ପ୍ରାଣୀମାନଙ୍କର ବହୁତ କ୍ଷତି କରୁଥିଲା। କିନ୍ତୁ ତାର ଏକ ଭଲ ଗୁଣ ଥିଲା। କେହି ଯଦି ତାକୁ କିଛି ଅନୁରୋଧ କରୁଥିଲେ, ଯେତେ ଅସାଧ୍ୟ ବା ଅସମ୍ମାନଜନକ ହେଉପଛେ, ସେ ତାହା ରକ୍ଷା କରୁଥିଲା। ସେହି ରାକ୍ଷସର ଅନ୍ତ ଘଟାଇବା ପାଇଁ ବିଷ୍ଣୁ ଏକ ବ୍ରାହ୍ମଣ ବେଶରେ ତା ପାଖକୁ ଯାଇ ତାକୁ ତାର ଅସ୍ଥି ମାଗିଲେ। ରାକ୍ଷସ ଖୁସିରେ, ଯୋଗ ବଳରେ, ତାର ଶରୀରର ସମସ୍ତ ମାଂସକୁ ଅସ୍ଥିରୁ ଅଲଗା କରି ବ୍ରାହ୍ମଣଙ୍କୁ ଅସ୍ଥି ଦାନ କଲା। ବିଷ୍ଣୁ ସେହି ଅସ୍ଥିରୁ ବିଶ୍ୱକର୍ମାଙ୍କ ଦ୍ୱାରା ଗଦା ନିର୍ମାଣ କଲେ। ସେହି ରାକ୍ଷସ ଅତ୍ୟାଚାରୀ ଥିଲେ ହେଁ, ନିଜର ମୃତ୍ୟୁ ଜାଣି ମଧ୍ୟ, ସତ୍ୟର ଅନାଦର କରି ନଥିଲା। ତେଣୁ ସେହି ଗଦା ସର୍ବଦା ସତ୍ୟ ଓ ସଦ୍‌ଜ୍ଞାନର ପ୍ରତୀକ ଭାବରେ ବିଷ୍ଣୁଙ୍କର କରକମଳ ମଣ୍ଡନ କରିଥାଏ। ଆପାତତଃ ଗଦାର ଆକାର ଏକ ମନ୍ଥନୀ ବା ଖୁଆଦଣ୍ଡ ସଦୃଶ। ମନ୍ଥନୀ ଯେପରି ଦଧି ମନ୍ଥନ କରି ଲହୁଣୀ ବାହାର କରେ, ଠିକ୍ ସେହିପରି ଗଦାଧାରୀ ତାର ଶରୀରକୁ ମନ୍ଥନ କରି ବଳବୀର୍ଯ୍ୟର ବୃଦ୍ଧି କରିଥାଏ। କିନ୍ତୁ ବିଷ୍ଣୁଙ୍କ ଗଦା ପ୍ରାଣୀର ଅବିଦ୍ୟା ଅନ୍ଧକାରକୁ ମନ୍ଥନ କରି ଜ୍ଞାନର ଆଲୋକ ପ୍ରଦାନ କରିଥାଏ। ତେଣୁ ଗଦାଦେବୀ କୌମୋଦକୀ, କଳ୍ମଷନାଶିନୀ ମହାକାଳୀ ଅଟନ୍ତି। ସେଇଥିପାଇଁ ତ ଦେବୀ ବିରଜାଙ୍କର କ୍ଷେତ୍ର ଗଦାକ୍ଷେତ୍ର ଭାବରେ ନାମିତ।
-ଡକ୍ଟର ତୁଳସୀ ଓଝା