ପ୍ରଖ୍ୟାତ ଜୋତା ନିର୍ମାତା ‘ନାଇକି’ ପକ୍ଷରୁ ସମ୍ପ୍ରତି ‘ପ୍ରୋଜେକ୍ଟ ଆମ୍ପ୍ଲିଫାଏ’ ନାମରେ ଏକ ନୂତନ ରୋବଟ୍ ଜୋତା ଉନ୍ମୋଚନ କରାଯାଇଛି, ଯାହା ଦୌଡ଼ିବା ଓ ଚାଲିବା କ୍ରିୟାକୁ ଉତ୍ପ୍ରେରିତ କରିବ ବୋଲି କୁହାଯାଉଛି। କମ୍ ପ୍ରୟାସରେ ଦ୍ରୁତ ବେଗରେ ଅଧିକ ଦୂରକୁ ଯିବା ପାଇଁ ଏହି ଜୋତାକୁ ଡିଜାଇନ୍ କରାଯାଇଛି। ବିଶେଷ କରି ଘଣ୍ଟାପ୍ରତି ୫ରୁ ୬ ମାଇଲ୍ ବେଗରେ ଯାଉଥିବା ବ୍ୟକ୍ତିଙ୍କ ଚାଲିକୁ ସହଜ ତଥା ଅଧିକ ଉପଭୋଗ୍ୟ କରିବା ପାଇଁ ଏହାକୁ ଡିଜାଇନ୍ କରାଯାଇଛି।
କମ୍ ଶକ୍ତି ଖଟାଇ ଅଧିକ ଆନନ୍ଦର ସହ ଚାଲିବା ଓ ଦୌଡ଼ିବାରେ ସାହାଯ୍ୟ କରିବା ଲାଗି ଏକ ଉପାୟ ଖୋଜିବାର ଫଳସ୍ବରୂପ ‘ପ୍ରୋଜେକ୍ଟ ଆମ୍ପ୍ଲିଫାଏ’ ଜନ୍ମ ନେଇଛି ବୋଲି କମ୍ପାନି ପକ୍ଷରୁ କୁହାଯାଇଛି। ନାନା ପରୀକ୍ଷାନିରୀକ୍ଷା ପରେ ନିମ୍ନ ଗୋଡ଼ ଓ ଗୋଇଠିର ପ୍ରାକୃତିକ ଗତିକୁ ବଢ଼ାଇବା ପାଇଁ ଏହାକୁ ଅଭିନବ ଜ୍ଞାନକୌଶଳରେ ପ୍ରସ୍ତୁତ କରାଯାଇଛି।
ଏହି ପ୍ରଣାଳୀକୁ ବିକଶିତ କରିବା ପାଇଁ କମ୍ପାନି ୪୦୦ରୁ ଅଧିକ କ୍ରୀଡ଼ାବିତ୍ଙ୍କୁ ସାମିଲ କରି ବର୍ଷ ବର୍ଷ ଧରି କାର୍ଯ୍ୟ କରିଛି। କମ୍ପାନିର ଏକ ୨୦୦ ମିଟର ଟ୍ରାକ୍ରେ ସେମାନେ ନଅଟି ଭିନ୍ନ ହାର୍ଡୱେର୍ ସଂସ୍କରଣରେ ୨୪ ଲକ୍ଷରୁ ଅଧିକ ପାହୁଣ୍ଡ(ପ୍ରାୟ ୧୨,୦୦୦ ଘେରା) ସଂପୂର୍ଣ୍ଣ କରିବା ପରେ ପ୍ରଯୁକ୍ତିର ନିର୍ଦ୍ଦିଷ୍ଟ ଦିଗଗୁଡ଼ିକୁ ସୁଧାରିବା ପାଇଁ ଡିଜାଇନ୍ କରାଯାଇଛି। ଏହି ପ୍ରଣାଳୀର ପ୍ରଥମ ସଂସ୍କରଣରେ ଏକ ହାଲୁକା ମୋଟର, ଏକ ଡ୍ରାଇଭ୍ ବେଲ୍ଟ ଏବଂ ଏକ ରିଚାର୍ଜେବଲ୍ ବ୍ୟାଟେରି ରହିଛି। ଏହି ଉପାଦାନଗୁଡ଼ିକୁ ଏକ କାର୍ବନ ଫାଇବର-ପ୍ଲେଟ୍ ଜୋତା ସହିତ ସମନ୍ବିତ କରାଯାଇଛି, ଯାହାକୁ ରୋବୋଟିକ୍ସ ପ୍ରଣାଳୀକୁ ବାଦ୍ ଦେଇ ମଧ୍ୟ ସ୍ୱାଧୀନ ଭାବରେ ପିନ୍ଧାଯାଇପାରିବ। ସାଇକେଲ ଚାଳକମାନଙ୍କୁ ବିଦ୍ୟୁତ୍ ଚାଳିତ ବାଇକ୍ ସହାୟତା କଲା ପରି, ଏହା ଦୈନନ୍ଦିନ ଗତିବିଧି ପାଇଁ ଅତିରିକ୍ତ ଶକ୍ତି ପ୍ରଦାନ କରିବାକୁ ଡିଜାଇନ୍ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/30/robo-shoes-2025-10-30-01-57-41.jpg)