ଆଣ୍ଡ୍ରଏଡ୍ ଫୋନ୍ ବ୍ୟବହାରକାରୀ ନିଜ ଜିନିଷପତ୍ର ଉପରେ ନିଘା ରଖିବା ଉଦ୍ଦେଶ୍ୟରେ ମୋଟୋରାଲା କମ୍ପାନି ପକ୍ଷରୁ ‘ମଟୋଟ୍ୟାଗ୍’ ନାମରେ ଏକ ଆଇଟମ୍ ଟ୍ରାକର୍‌ ଶୀଘ୍ର ବଜାରକୁ ଆସିବାକୁ ଯାଉଛି। ଅଲ୍‌ଟ୍ରା ଵାଇଡ୍ ବ୍ୟାଣ୍ଡ୍ (ୟୁଡବ୍‌ଲ୍ୟୁବି) ବୈଷୟିକ ଜ୍ଞାନ ଉପଯୋଗରେ ପ୍ରସ୍ତୁତ ଏହି ଟ୍ରାକର୍‌ ଗୁଗୁଲ୍‌ର ‘ଫାଇଣ୍ଡ୍ ମାଇଁ ଡିଭାଇସ୍’ ନେଟ୍‌ଵର୍କ ଉପରେ ପର୍ଯ୍ୟବସିତ। ଆପଲ୍‌ କମ୍ପାନିର ‘ଏଆର୍‌ଟ୍ୟାଗ୍‌’ ପରି ଏହା ଉଚ୍ଚମାନର ଟ୍ରାକିଂ କରିପାରିବ ବୋଲି କମ୍ପାନି ଦାବି କରିଛି। ତେବେ ମୋଟୋରାଲା ଏଜ୍-୫୦, ସାମ୍‌ସଙ୍ଗ୍‌ ଗାଲାକ୍ସି ଏସ୍୨୪ ଅଲ୍‌ଟ୍ରା, ଗୁଗୁଲ ପିକ୍ସେଲ୍ ୮ ପରି ୟୁଡବ୍‌ଲ୍ୟୁବି ସମର୍ଥିତ ଫୋନ୍ ପାଇଁ ଏହା ଉଚ୍ଚକୋଟୀର ଲୋକେସନ୍‌ ତଥ୍ୟ ଦେଇପାରିବ।

Advertisment

ଏହାର ସବୁଠୁ ଉପଯୋଗୀ ବୈଶିଷ୍ଟ୍ୟ ହେଲା, ଏଥିରେ ଖଚିତ ମଲ୍‌ଟିଫଙ୍କସନାଲ୍ ବଟନ୍, ଯାହା ଜଣେ ବ୍ୟବହାରକାରୀଙ୍କୁ ନିଜ ଫୋନ୍‌ ରିଂ କରିବାର ସୁବିଧା ଯୋଗାଇ ତାହାର ଟ୍ରାକିଂକୁ ଅଧିକ ସୁଗମ ତଥା ଦ୍ରୁତ କରିପାରିବ। ଉକ୍ତ ବଟନ୍ ଫଟୋ ଉଠାଇଲା ବେଳେ ଏକ ରିମୋଟ୍‌ ଭାବେ ମଧ୍ୟ କାମ କରିପାରିବ। କୌଣସି ଅଜଣା ଟ୍ରାକର୍‌ ଆଖପାଖରେ ଥିଲେ ଏହା ଆଣ୍ଡ୍ରଏଡ୍ କି ଆଇଫୋନ୍ ବ୍ୟବହାରକାରୀଙ୍କୁ ସତର୍କ କରାଇଦେବ ଯେ ତାଙ୍କୁ ଟ୍ରାକ୍ କରାଯାଉଛି। ଆଇପି୬୭ ରେଟିଂ ବିଶିଷ୍ଟ ଏହି ସରଞ୍ଜାମଟି ଧୂଳିରୁ ସୁରକ୍ଷିତ ରହିବା ସହ ଏକ ମିଟର ପାଣି ତଳେ ୩୦ ମିନିଟ୍ ରହିପାରିବ। ଏଥିରେ ଖଞ୍ଜାଯାଇଥିବା ବ୍ୟାଟେରିଟି ବର୍ଷକ ଯାଏ କାମ କରିପାରିବ। ଏହାର ବଜାର ଦର ୨୯ ଡଲାର ବା ପ୍ରାୟ ୨,୪୨୩ ଟଙ୍କା ରହିବ ବୋଲି ଅନୁମାନ କରାଯାଉଛି।