ଅତୀତରେ ଲୋକପ୍ରିୟ ‘ନୋକିଆ ଫୋନ୍‌’ ନିର୍ମାଣ କରୁଥିବା କମ୍ପାନି ପକ୍ଷରୁ ପ୍ରଥମ କରି ଭାରତରେ ଏଚ୍‌ଏମ୍‌ଡି ବ୍ରାଣ୍ଡ୍‌ର ୫ଜି ସ୍ମାର୍ଟଫୋନ୍‌ ବଜାରକୁ ଛଡ଼ାଯାଇଛି। ଏହି ଫୋନ୍‌ ବିଶେଷ କରି ବ୍ୟବହାର ପରବର୍ତ୍ତୀ ମରାମତି ଓ ଉଚ୍ଚକୋଟୀର କ୍ୟାମେରା ଉପରେ ଗୁରୁତ୍ବାରୋପ କରିଛି। ‘ଏଚ୍‌ଏମ୍‌ଡି କ୍ରେଷ୍ଟ’ ନାମକ ଏହାର ୬ ଜିବି ରାମ୍‌ ଓ ୧୨୮ ଜିବି ମେମୋରି ବିଶିଷ୍ଟ ଫୋନ୍‌ଟିର ଦାମ ୧୪,୪୯୯ ଟଙ୍କା ରହିଛି। ଏହା ଲସ୍‌ ଲିଲାକ୍‌, ମିଡ୍‌ନାଇଟ୍‌ ବ୍ଲୁ ଓ ରୟାଲ୍‌ ପିଙ୍କ୍‌ ଭଳି ତିନିଟି ରଙ୍ଗରେ ଉପଲବ୍‌ଧ। ଏହାର ଏକ ୫୦ ମେଗାପିକ୍ସେଲ ଏଆଇ ଆଧାରିତ ଡୁଆଲ୍‌ କ୍ୟାମେରା ସିଷ୍ଟମ୍ ରହିଛି।

Advertisment

ସେହିପରି ‘ଏଚ୍‌ଏମ୍‌ଡି କ୍ରେଷ୍ଟ ମାକ୍ସ’ ନାମକ ଏହାର ଅନ୍ୟତମ ସଂସ୍କରଣଟି ୮ ଜିବି ରାମ୍‌ ଓ ୨୫୬ ଜିବି ମେମୋରି ବିଶିଷ୍ଟ ହୋଇଥିବା ବେଳେ ତାହାର ମୂଲ୍ୟ ୧୬,୪୯୯ ଟଙ୍କା ରଖାଯାଇଛି। ଏହି ମଡେଲ୍‌ଟି ଡିପ୍‌ ପର୍ପଲ୍‌, ଆକ୍ବା ଗ୍ରିନ୍‌ ଓ ରୟାଲ୍‌ ପିଙ୍କ୍‌ ପରି ତିନିଟି ରଙ୍ଗରେ ଆତ୍ମପ୍ରକାଶ କରିଛି। ଏଥିରେ ୬୪ ମେଗାପିକ୍ସେଲ୍‌ ପ୍ରାଇମେରି କ୍ୟାମେରା ସାଙ୍ଗକୁ ୫ ମେଗାପିକ୍ସେଲ୍‌ ଅଲ୍‌ଟ୍ରା-ଵାଇଡ୍‌ କ୍ୟାମେରା ଓ ୨ ମେଗାପିକ୍ସେଲ୍‌ ମାକ୍ରୋ ସେନ୍‌ସର୍‌ ରହିଛି। ଉଭୟ ମଡେଲ୍‌ରେ ୫୦ ମେଗାପିକ୍ସେଲ୍‌ ସେଲ୍‌ଫି କ୍ୟାମେରା ରହିଛି। ସେହିପରି ଉଭୟ ଫୋନ୍‌ରେ କର୍ଣ୍ଣିଂ ଗରିଲା ଗ୍ଲାସ୍‌ ସୁରକ୍ଷା ସମ୍ବଳିତ ୬.୬୭ ଇଞ୍ଚର ଫୁଲ୍‌ଏଚ୍‌ଡି ପ୍ଲସ୍‌ ଓଲେଡ୍‌ ପରଦା ଲାଗିଛି। ୟୁନିସୋକ୍‌ ଟି୭୬୦ ୫ଜି ଏସ୍‌ଓସି ଚିପ୍‌ସେଟ୍‌ ଦ୍ବାରା କାର୍ଯ୍ୟକ୍ଷମ ତଥା ଆଣ୍ଡ୍ରଏଡ୍‌ ୧୪ ଦ୍ବାରା ପରିଚାଳିତ ଏହି ଫୋନ୍‌ଟିକୁ ଦୁଇବର୍ଷ ଯାଏ ସିକ୍ୟୁରିଟି ଅପ୍‌ଡେଟ୍‌ ମିଳିବ। ଏହାର ଅନ୍ୟତମ ବୈଶିଷ୍ଟ୍ୟ ଭିତରେ ‘ହାଣ୍ଡସ୍‌-ଫ୍ରି ସେଲ୍‌ଫି’ ମୋଡ୍‌ ଓ ଚଳନ୍ତି ବସ୍ତୁର ଫଟୋ ଉଠାଇବା ଲାଗି ‘ଫ୍ଲାସ୍‌ ସଟ୍‌’ ଫିଚର ସାଙ୍ଗକୁ ଏକ ଏଆଇ ସୁପର ପୋଟ୍ରେଟ୍‌ ମୋଡ୍‌ ରହିଛି। ଇ-ବର୍ଜ୍ୟ ପରିମାଣ କମାଇବା ସହ ଗ୍ରାହକଙ୍କୁ ଉନ୍ନତ ସେବା ଯୋଗାଇବା ପାଇଁ କମ୍ପାନି ‘ରିପେୟାରେବିଲିଟି ୧.୦’ ନାମରେ ଏକ ସ୍ବତନ୍ତ୍ର ଫିଚର ଯୋଡ଼ିଛି, ଯଦ୍ଦ୍ବାରା ଫୋନ୍‌ର ପଛ ପ୍ୟାନେଲ୍‌, ବ୍ୟାଟେରି, ପରଦା ଓ ଚାର୍ଜିଂ ପୋର୍ଟ ଆଦି ସୁବିଧାରେ ବଦଳାଯାଇପାରିବ।