ଭାରତର ଅନ୍ୟତମ ସ୍ମାର୍ଟଫୋନ୍ ନିର୍ମାତା ଲାଭା କମ୍ପାନି ପକ୍ଷରୁ ସବୁ ବର୍ଗକୁ ସୁହାଇଲା ପରି ଏକ ଶସ୍ତା ସ୍ମାର୍ଟଫୋନ୍ ବଜାରକୁ ଛଡ଼ାଯାଇଛି। ମାତ୍ର ୬,୦୦୦ ଟଙ୍କାରେ ମିଳୁଥିବା ‘ଲାଭା ଯୁବା ସ୍ମାର୍ଟ’ ନାମକ ଏହି ୪ଜି ଫୋନ୍ର ଅନେକ ବୈଶିଷ୍ଟ୍ୟ ଉପଭୋକ୍ତାମାନଙ୍କୁ ଆକର୍ଷିତ କରିବ ବୋଲି କମ୍ପାନି ଆଶା ରଖିଛି। ଆଣ୍ଡ୍ରଏଡ୍ ୧୪ ଗୋ ଅପରେଟିଂ ସିଷ୍ଟମ୍ ଦ୍ବାରା କାର୍ଯ୍ୟକ୍ଷମ ଏହି ଫୋନ୍ଟି ଯୁନିସୋକ୍ ୯୮୬୩ଏ ଅକ୍ଟାକୋର ପ୍ରୋସେସର୍ ଦ୍ବାରା ପରିଚାଳିତ। ଏହାର ୩ ଜିବି ରାମ୍ ଓ ୬୪ ଜିବି ଷ୍ଟୋରେଜ୍ କ୍ଷମତା ସହ ୩ ଜିବିର ମଧ୍ୟ ଏକ ଆଭାସୀ ରାମ୍ ରହିଛି। ଏପରିକି ଏହାର ଷ୍ଟୋରେଜ୍ କ୍ଷମତା ମଧ୍ୟ ମାଇକ୍ରୋ ଏସ୍ଡି କାର୍ଡ ଦ୍ବାରା ୫୧୨ ଜିବି ଯାଏ ସମ୍ପ୍ରସାରିତ ହୋଇପାରିବ।
ନିଖୁଣ ତଥା ଶାଣିତ ଛବି ପ୍ରଦର୍ଶିତ କରିବା ପାଇଁ ଏହାର ୬୦ ହର୍ଜ ରିଫ୍ରେସ୍ ହାର ଏବଂ ୨୦:୯ ଆସ୍ପେକ୍ଟ ରେସିଓ ସଂପନ୍ନ ଏକ ୬.୭୫ ଇଞ୍ଚର ଏଚ୍ଡି ପ୍ଳସ୍ (୭୨୦x୧୬୦୦ ପିକ୍ସେଲ) ପରଦା ରହିଛି। ସେହିପରି ଏଥିରେ ଖଞ୍ଜାଯାଇଥିବା ଏଲ୍ଇଡି ଫ୍ଳାସ୍ ଯୁକ୍ତ ୧୩ ମେଗାପିକ୍ସେଲ୍ର ଡୁଆଲ୍ କ୍ୟାମେରା ପ୍ରଣାଳୀ ଏଆଇ, ଏଚ୍ଡିଆର୍, ପୋଟ୍ରେଟ୍ ଓ ନାଇଟ୍ ମୋଡ୍ ଆଦି ପ୍ରକ୍ରିୟା ସହ ସୁସଂଗତ। ଏଥିସହିତ ଭିଡିଓ କଲିଂ ଓ ସେଲ୍ଫି ଉଠାଇବା ପାଇଁ ମଧ୍ୟ ଏକ ୫ ମେଗାପିକ୍ସେଲ୍ର କ୍ୟାମେରା ରହିଛି। ଏହାର ୫,୦୦୦ ଏମ୍ଏଏଚ୍ ଶକ୍ତିସଂପନ୍ନ ବ୍ୟାଟେରିଟି ସି-ଟାଇପ୍ ୟୁଏସ୍ବି ପୋର୍ଟ ମାଧ୍ୟମରେ ଚାର୍ଜ ହୋଇପାରିବ। ଏକାନ୍ତ ବ୍ୟକ୍ତିଗତ ବ୍ୟବହାର ପାଇଁ ଏଥିରେ ଫିଙ୍ଗର୍ ପ୍ରିଣ୍ଟ୍ ସେନ୍ସର୍ ଓ ଫେସ୍ ଅନ୍ଲକ୍ ବ୍ୟବସ୍ଥା ରହିଛି। ଗୋଟିଏ ବର୍ଷର ଵାରେଣ୍ଟି ଓ ମାଗଣା ରକ୍ଷଣାବେକ୍ଷଣ ସହ ଗ୍ଲସି ବ୍ଳ୍ୟୁ, ଗ୍ଲସି ଲାଭେଣ୍ଡର୍ ଓ ଗ୍ଲସି ହ୍ବାଇଟ୍ ପରି ତିନିଟି ରଙ୍ଗରେ ଏହି ଫୋନ୍ ଫ୍ଲିପ୍କାର୍ଟ ମଞ୍ଚରେ ଉପଲବ୍ଧ।