ଲୋକପ୍ରିୟ ‘ନୋକିଆ’ ବ୍ରାଣ୍ଡ୍‌ର ଫୋନ୍ ଓ ଟାବ୍‌ଲେଟ୍ ପ୍ରସ୍ତୁତି ଓ ବିକ୍ରୟ କରୁଥିବା ହ୍ୟୁମାନ୍ ମୋବାଇଲ୍ ଡିଭାଇସେସ୍ (ଏଚ୍‌ଏମ୍‌ଡି) ଗ୍ଲୋବାଲ କମ୍ପାନି ପକ୍ଷରୁ ଭାରତୀୟ ବଜାରରେ ‘ବାର୍ବି କଣ୍ଢେଇ’ ଥିମ୍‌ ଆଧାରିତ ଫ୍ଲିପ୍ ଫୋନ୍ ଉନ୍ମୋଚନ କରାଯାଇଛି। ଏଥିରେ ଥିବା  ୨.୮ ଇଞ୍ଚର ପରଦାଟି ପୁରୁଣା ନୋକିଆ ଫ୍ଲିପ୍ ଫୋନ୍‌ କଥା ମନେ ପକାଇଦିଏ। ‘ବାର୍ବି’ ଆଧାରିତ କହିବାର ଅର୍ଥ ହେଲା, ଏହା ବାର୍ବିର ପ୍ରିୟ ଗୋଲାପି ରଙ୍ଗରେ ଉପଲବ୍ଧ ଏବଂ ଏହାର ଚାର୍ଜିଂ ଖୋଳ, ବ୍ୟାଟେରି, ବ୍ୟାକ୍ କଭର, ଷ୍ଟିକର ଓ ଡୋରି ସବୁକିଛି ଗୋଲାପି ରଙ୍ଗର। ଏଚ୍‌ଏମ୍‌ଡିର ଅନ୍‌ଲାଇନ୍‌ ଷ୍ଟୋରରେ ୭,୯୯୯ ଟଙ୍କାରେ ମିଳୁଥିବା ଏହି ଫୋନ୍‌ଟି  ୟୁନିସୋକ୍ ଟି୧୦୭ ଚିପ୍ ଉପରେ ପର୍ଯ୍ୟବସିତ। ୧୨୩.୫ ଗ୍ରାମ୍ ଓଜନ ବିଶିଷ୍ଟ ଫୋନ୍‌ଟିରେ ଏକ ୨.୮ ଇଞ୍ଚର ମୁଖ୍ୟ କ୍ୟୁଭିଜିଏ ଡିସ୍‌ପ୍ଲେ ଏବଂ କଲ୍ ଓ ମେସେଜ୍ ଆଲର୍ଟ ପାଇଁ ୧.୭୭ ଇଞ୍ଚର କ୍ୟୁଭିଜିଏ କଭର ଡିସ୍‌ପ୍ଲେ ରହିଛି।

Advertisment

ଏସ୍୩୦+ ଅପରେଟିଂ ପ୍ରଣାଳୀ ଦ୍ବାରା ପରିଚାଳିତ ଏହି ଫୋନ୍‌ରେ ୬୪ ଏମ୍‌ବି ରାମ୍ ଓ ୧୨୮ ଏମ୍‌ବି ଷ୍ଟୋରେଜ୍ କ୍ଷମତା ରହିଛି। ଏସ୍‌ଡି କାର୍ଡ ମାଧ୍ୟମରେ ଏହାର ମେମୋରିକୁ ୩୨ ଜିବି ଯାଏ ବୃଦ୍ଧି କରାଯାଇପାରିବ। ଫୋନ୍‌ର ଉପରିଭାଗରେ ରହିଥିବା ‘ବାର୍ବି’ ୟୁଜର ଇଣ୍ଟରଫେସ୍‌ରେ ‘ବାର୍ବି ଇଷ୍ଟର ଏଗ୍‌ସ’ ସହିତ ‘ମାଲିବୁ ସ୍ନେକ୍ ଗେମ୍’ ଆଦି ରହିଛି। ତାହାର ଗୋଲାପି ରଙ୍ଗର କି’ପ୍ୟାଡ୍‌ରେ ମଧ୍ୟ ତାଳଗଛ, ହୃତ୍‌ପିଣ୍ଡ ଓ ବଗ ଆଦିର ଚିତ୍ର ଅଙ୍କିତ ହୋଇଛି, ଯାହା ଅନ୍ଧାରରେ ଜାଜୁଲ୍ୟମାନ ହୋଇଥାଏ। ‘ହାଇ ବାର୍ବି’ ସ୍ବାଗତ କଣ୍ଠସ୍ବର ରହିଥିବା ଏହି ଫୋନ୍‌ରେ ୧,୪୫୦ ଏମ୍ଏଏଚ୍ ବ୍ୟାଟେରି ସାଙ୍ଗକୁ ୦.୩ ମେଗାପିକ୍ସେଲର କ୍ୟାମେରା ଓ ଏଲ୍ଇଡି ଫ୍ଳାସ ରହିଛି। ବାହ୍ୟ ସଂଯୋଗ ପାଇଁ ବ୍ଳୁଟୁଥ୍ ୫.୦, ଗୋଟିଏ ୪ଜି ସିମ୍, ୩.୫ ଏମ୍ଏମ୍ ଅଡିଓ ଜ୍ୟାକ୍ ଓ ସି ଟାଇପ୍ ଚାର୍ଜିଂ ପୋର୍ଟ ରହିଛି।