ସ୍ମାର୍ଟ ଫୋନ୍‌ ନିର୍ମାତା ଟେକ୍ନୋ ପକ୍ଷରୁ ଭାରତ ବଜାରରେ ତାହାର ସଦ୍ୟତମ ଉତ୍ପାଦ ‘ପପ୍‌ ୯ ୫ଜି’ର ବଜାର ପ୍ରବେଶ କରାଯାଇଛି। ଦଶ ହଜାର ଟଙ୍କା ଭିତରେ ଏହା ସବୁଠୁ ଆକର୍ଷଣୀୟ ତଥା ବୈଶିଷ୍ଟ୍ୟବହୁଳ ଡୁଆଲ୍‌ ସିମ୍‌ ସ୍ମାର୍ଟଫୋନ୍‌ ବୋଲି କମ୍ପାନି ଦାବି କରିଛି। ଏହି ଫୋନ୍‌ର ଦୁଇଟି ସଂସ୍କରଣ ମଧ୍ୟରୁ ୪ ଜିବି ରାମ୍‌ ଓ ୬୪ ଜିବି ମେମୋରି ଭାରିଆଣ୍ଟର ଦାମ୍‌ ୯,୪୯୯ ଟଙ୍କା; ୪ ଜିବି ରାମ୍‌ ଓ ୧୨୮ ଜିବି ମେମୋରି ବିଶିଷ୍ଟ ଫୋନ୍‌ର ଦାମ୍‌ ୯,୯୯୯ ଟଙ୍କା ରହିଛି। ସାଧାରଣତଃ ବ୍ୟୟବହୁଳ ଫୋନ୍‌ରେ ଅତ୍ୟାଧୁନିକ ଏନ୍‌ଏଫ୍‌ସି ଫିଚର୍‌ ମିଳୁଥିବା ବେଳେ ଏହି ଫୋନ୍‌ଟି ସର୍ବନିମ୍ନ ମୂଲ୍ୟରେ ଏହି ଫିଚର୍‌ ଦେଇ ଏକ ନୂଆ ଧାରା ଆରମ୍ଭ କରିଛି। ବର୍ତ୍ତମାନ ଏ ଫୋନ୍‌ଟି ଆଗୁଆ ବରାଦ ପାଇଁ ଉପଲବ୍‌ଧ, ତେବେ ଅକ୍‌ଟୋବର ୭ରୁ ତାହା ଗ୍ରାହକଙ୍କ ପାଖରେ ପହଞ୍ଚିବ। 

Advertisment

ଅରୋରା କ୍ଲାଉଡ୍‌, ଆଜ୍ୟୁର୍‌ ସ୍କାଏ ଓ ମିଡ୍‌ନାଇଟ୍‌ ସାଡୋ ପରି ତିନିଟି ରଙ୍ଗରେ ମିଳୁଥିବା ଏହି ଫୋନ୍‌ର ଓଜନ ୧୮୯ ଗ୍ରାମ୍‌। ଆଣ୍ଡ୍ରଏଡ୍‌ ୧୪ ଅପରେଟିଂ ସିଷ୍ଟମ୍ ଦ୍ବାରା ପରିଚାଳିତ ଏହି ଫୋନ୍‌ ମିଡିଆଟେକ୍‌ ଡିମେନ୍‌ସିଟି ୬୩୦୦ ଏସ୍‌ଓସି ଚିପ୍‌ ଦ୍ବାରା କାର୍ଯ୍ୟକ୍ଷମ। ଧୂଳି ଓ ଜଳକଣା ପ୍ରତିରୋଧ ପାଇଁ ଆଇପି୫୪ ରେଟିଂପ୍ରାପ୍ତ ଏହି ଫୋନ୍‌ରେ ୧୨୦ ହର୍ଜ ରିଫ୍ରେସ୍‌ ରେଟ୍‌ ବିଶିଷ୍ଟ ଏଲ୍‌ସିଡି ପରଦା ରହିଛି। ଏଥିରେ ୪୮ ମେଗାପିକ୍ସେଲର ସୋନି ଆଇଏମ୍‌ଏକ୍ସ୫୮୨ କ୍ୟାମେରା ଖଚିତ। ସେହିପରି ସେଲ୍‌ଫି ଉଠାଇବା ପାଇଁ ଏକ ୮ ମେଗାପିକ୍ସେଲର କ୍ୟାମେରା ଖଞ୍ଚାଯାଇଛି। ଏହାର ୫,୦୦୦ ଏମ୍‌ଏଏଚ୍‌ ଶକ୍ତି ବିଶିଷ୍ଟ ବ୍ୟାଟେରିଟି ୧୮ ଵାଟ୍‌ର ଚାର୍ଜର ଦ୍ବାରା ଚାର୍ଜ ହୋଇପାରିବ। ୪ ବର୍ଷ ୱାରେଣ୍ଟି ଥିବା ଏହି ଫୋନ୍‌ରେ ବାହ୍ୟ ସଂଯୋଗ ପାଇଁ ଏକ ୩.୫ ମି.ମି. ହେଡ୍‌ଫୋନ୍‌ ଜ୍ୟାକ୍‌, ୟୁଏସ୍‌ବି ଟାଇପ୍‌-ସି, ଵାଇ-ଫାଇ, ବ୍ଲୁଟୁଥ୍‌ ଓ ଏନ୍‌ଏଫ୍‌ସି ଆଦି ବ୍ୟବସ୍ଥା ରହିଛି।