ଲଣ୍ଡନ୍ ସ୍ଥିତ ଫୋନ୍ ନିର୍ମାତା କମ୍ପାନି ‘ନଥିଂ’ର ସହଯୋଗୀ କମ୍ପାନି ‘ସିଏମ୍ଏଫ୍’ ପକ୍ଷରୁ ଏକ ନୂତନ ବଜେଟ୍ ସ୍ମାର୍ଟଵାଚ୍ର ବଜାରପ୍ରବେଶ କରାଯାଇଛି। ‘ସିଏମ୍ଏଫ୍ ଵାଚ୍ ପ୍ରୋ ୨’ ନାମକ ଏହି ସ୍ମାର୍ଟଵାଚ୍ ଭାରତୀୟ ବଜାରରେ ୫,୪୯୯ ଟଙ୍କାରେ ମିଳୁଛି। ଏହାର ବୈଶିଷ୍ଟ୍ୟଗୁଡ଼ିକ ବ୍ୟବହାରକାରୀଙ୍କୁ ମୁଗ୍ଧ କରିବ ବୋଲି କମ୍ପାନି ଆଶା ରଖିଛି।
ମିଶ୍ରିତ ଆଲୁମିନିଅମ୍ରେ ନିର୍ମିତ ଏହାର କଳେବର ଅତି ପତଳା। ଏହାର ବେଜେଲ୍ ଓ ଷ୍ଟ୍ରାପ୍ ପରିବର୍ତ୍ତନ କରିବାର ସୁବିଧା ରହିଛି। ବ୍ୟବହାରକାରୀମାନେ ଡାର୍କ ଗ୍ରେ କିମ୍ବା ଆସ୍ ଗ୍ରେ ରଙ୍ଗର ଲିକ୍ବିଡ୍ ସିଲିକନ୍ ଷ୍ଟ୍ରାପ୍ କିମ୍ବା ନୀଳ ଓ କମଳା ରଙ୍ଗର ଚମଡ଼ା ଷ୍ଟ୍ରାପ୍ ବାଛି ପାରିବେ। ଏଥି ସହିତ ମାତ୍ର ୪୪ ଗ୍ରାମ୍ ପରି ଓଜନ ସାଙ୍ଗକୁ ୨୨ ମି.ମି. ଓସାରର ଷ୍ଟ୍ରାପ୍ ଏବଂ ବୃତ୍ତାକାର ବେଜେଲ୍ ସହିତ ବ୍ୟବହାରକ୍ଷମ କ୍ରାଉନ୍ ଆଦିର ସମାହାର ଗ୍ରାହକଙ୍କୁ ବ୍ୟବହାର-ଅନୁକୂଳ ଅନୁଭୂତି ପ୍ରଦାନ କରିବ। ହେଲ୍ଥ ସେନ୍ସର୍ ରହିଥିବା ପଛଭାଗଟି ପ୍ଳାଷ୍ଟିକ୍ରେ ନିର୍ମିତ ହୋଇଥିବା ବେଳେ ତାହାର ସମ୍ମୁଖ ଭାଗରେ କାଚର ପରଦା ରହିଛି।
ଏହାର ୧.୩୨ ଇଞ୍ଚ ଆମୋଲେଡ୍ ପରଦାଟିର ୪୬୬x୪୬୬ ରିଜୋଲ୍ୟୁସନ୍ ଓ ୬୦ ହର୍ଜର ରିଫ୍ରେସ ହାର ରହିଛି। ଏହାର ୧୦୦ଟି ଫେସ୍, ୧୨୦ଟି ସ୍ପୋର୍ଟସ ମୋଡ୍ ରହିଛି। ଉଭୟ ଆଣ୍ଡ୍ରଏଡ୍ ଓ ଆଇଓଏସ୍ ଫୋନ୍ ସହ ସୁସଂଗତ ଏହି ସ୍ମାର୍ଟଵାଚ୍ରେ ବ୍ଳୁଟୁଥ୍ କଲିଂ ପାଇଁ ମାଇକ୍ରୋଫୋନ୍ ଓ ସ୍ପିକର ଆଦି ଲାଗିଛି। ଏହାର ୩୦୫ ଏମ୍ଏଏଚ୍ ଶକ୍ତିସଂପନ୍ନ ବ୍ୟାଟେରିଟି ମାତ୍ର ୧୦୦ ମିନିଟ୍ରେ ଥରେ ସଂପୂର୍ଣ୍ଣ ଚାର୍ଜ ହେଲେ ୧୧ ଦିନ ଯାଏ ଚାଲିପାରିବ।