ଫଟୋ ଉଠାଇବା ଓ ଛାପିବା ଜ୍ଞାନକୌଶଳରେ ଉଲ୍ଲେଖନୀୟ ଅବଦାନ ରଖି ଆସିଥିବା ଜାପାନୀ କମ୍ପାନି ‘ଫୁଜିଫିଲ୍ମ’ ଭାରତରେ ‘ଇଣ୍ଟାକ୍ସ ଵାଇଡ୍ ଇଭୋ’ ନାମରେ ଏକ ବିଶେଷ ଧରଣର କ୍ୟାମେରା ବଜାର ପ୍ରବେଶ କରାଇବାକୁ ଯାଉଛି। କମ୍ପାନି ଏଥିରେ ଇନ୍ଷ୍ଟାଣ୍ଟ କ୍ୟାମେରାର ବୈଶିଷ୍ଟ୍ୟ ସହିତ ଆଧୁନିକ ଡିଜିଟାଲ୍ ଜ୍ଞାନକୌଶଳକୁ ଯୋଡ଼ିଦେଇଛି। ‘ଇଣ୍ଟାକ୍ସ ଵାଇଡ୍ ଇଭୋ’ର ଅନ୍ୟତମ ବିଶେଷତ୍ବ ହେଲା, ଡବଲ୍ କାର୍ଡ ଆକାରର ଵାଇଡ୍ ଫର୍ମାଟ୍ ଫିଲ୍ମ ସହ ଏହାର ସାମଞ୍ଜସ୍ୟ। ଏହାର ପଛପଟେ ଥିବା ୩.୫ ଇଞ୍ଚର ଏଲ୍ସିଡି ପରଦାରେ ଛବିକୁ ଦେଖିପାରିବା ସହିତ ବ୍ୟବହାରକାରୀ ତାହାକୁ ତତ୍କାଳ ଛାପିପାରିବେ। ଏଥି ସହିତ କ୍ୟାମେରାଟି ଏକ ସ୍ମାର୍ଟଫୋନ୍ ପ୍ରିଣ୍ଟର ଭାବେ କାମ କରିବ।
ଆଧୁନିକ ଚେହେରା ପାଇଁ କଳା ରଙ୍ଗର ବେସ୍ ସାଙ୍ଗକୁ ମେଟାଲିକ୍ ଏଲିମେଣ୍ଟ୍ସ ସଂପନ୍ନ ଏହି କ୍ୟାମେରା ବଡିକୁ ଏକ ପତଳା ତଥା ରୁଚିପୂର୍ଣ୍ଣ ଶୈଳୀରେ ନିର୍ମିତ କରାଯାଇଛି। ଏଥିରେ ମାଜେଣ୍ଟା ଓ ମନୋକ୍ରୋମ୍ ପରି ଦଶଟି ଲେନ୍ସ ଇଫେକ୍ଟ୍ ସହିତ ଲାଇଟ୍ ଲିକ୍ ଓ କଲର୍ ଗ୍ରାଡିଆଣ୍ଟ୍ ପରି ଦଶଟି ଫିଲ୍ମ ଇଫେକ୍ଟ ରହିଛି। ବ୍ୟବହାରକାରୀମାନେ ଏଥିରେ ଵାଇଡ୍ ଫର୍ମାଟ୍ ଇଣ୍ଟାକ୍ସ ପ୍ରିଣ୍ଟ୍ ତିଆରି କରିବାରେ ଆନାଲଗ୍ କ୍ୟାମେରାର ଅଭିଜ୍ଞତା ଉପଭୋଗ କରିପାରିବେ। ସେହିପରି ଫଟୋ ଛାପିବା ପାଇଁ ମାନୁଆଲି ଟ୍ବିଷ୍ଟେବଲ ପ୍ରିଣ୍ଟ କ୍ରାଙ୍କ ସାଙ୍ଗକୁ ଇଫେକ୍ଟ୍ ଚୟନ ପାଇଁ ଏକ ସ୍ବତନ୍ତ୍ର ନବ୍ର ସୁବିଧା ମଧ୍ୟ ରହିଛି। ଏହାର ବ୍ୟାଟେରିଟି ଥରେ ଚାର୍ଜ ହେଲେ ୧୦୦ଟି ଛବି ଛାପିବାକୁ ସମର୍ଥ। ଏଥିରେ ମାଇକ୍ରୋ ଏସ୍ଡି କାର୍ଡ ଖଞ୍ଜିବାର ମଧ୍ୟ ସୁବିଧା ରହିଛି। ଭାରତୀୟ ବଜାରରେ ଆସନ୍ତା ୨୦ ତାରିଖରୁ ଉପଲବ୍ଧ ହେବାକୁ ଥିବା ‘ଇଣ୍ଟାକ୍ସ ଵାଇଡ୍ ଇଭୋ’ ପାଇଁ ଆଗୁଆ ଅର୍ଡର୍ ଆରମ୍ଭ ହୋଇଗଲାଣି। ଏହି କ୍ୟାମେରାର ଦାମ୍ ୪୭,୯୯୯ ଟଙ୍କା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/02/13/mTeturVaBSqIaB9We87F.jpg)