ଚୀନ୍ର ଅନ୍ୟତମ ଫୋନ୍ ନିର୍ମାତା ଭିଭୋ କମ୍ପାନି ପକ୍ଷରୁ ତାହାର ସଦ୍ୟତମ ସ୍ମାର୍ଟଫୋନ୍ ‘ଭିଭୋ ଭି୫୦’ର ଭାରତରେ ବଜାରପ୍ରବେଶ କରାଯାଇଛି। ଏହାର ଦୁଇଟି ୫୦ ମେଗାପିକ୍ସେଲ୍ ବିଶିଷ୍ଟ ମୁଖ୍ୟ କ୍ୟାମେରା ସାଙ୍ଗକୁ ୫୦ ମେଗାପିକ୍ସେଲ୍ର ଗୋଟିଏ ସେଲ୍ଫି ମଧ୍ୟ କ୍ୟାମେରା ରହିଛି। ତୃତୀୟ ପିଢ଼ିର ସ୍ମାପଡ୍ରାଗନ୍ ୭ ଚିପ୍ସେଟ୍ ଉପରେ ପର୍ଯ୍ୟବସିତ ତଥା ଆଣ୍ଡ୍ରଏଡ୍-୧୫ ଭିତ୍ତିକ ଅପରେଟିଂ ପ୍ରଣାଳୀ ଦ୍ବାରା ପରିଚାଳିତ ଏହି ଫୋନ୍ର ୯୦ ଵାଟ୍ର ଦ୍ରୁତ ଚାର୍ଜିଂ ସଂପନ୍ନ ଏକ ୬,୦୦୦ ଏମ୍ଏଏଚ୍ର ବ୍ୟାଟେରି ରହିଛି। ରୋଜ୍ ରେଡ୍, ଷ୍ଟାରି ବ୍ଳ୍ୟୁ ଓ ଟିଟାନିଅମ୍ ଗ୍ରେ ପରି ତିନିଟି ରଙ୍ଗରେ ଉପଲବ୍ଧ ଏହି ଫୋନ୍ର ଏକ ୬.୭୭ ଇଞ୍ଚର ଫୁଲ୍ ଏଚ୍ଡି ପ୍ଳସ୍ (୧,୦୮୦ x ୨,୩୯୨ ପିକ୍ସେଲ୍)ର କ୍ବାଡ୍-କର୍ଭଡ ଆମୋଲେଡ୍ ପରଦା ରହିଛି, ଯାହାର ରିଫ୍ରେସ ହାର ହେଉଛି ୧୨୦ ହର୍ଜ।
ଏହାର ‘ସର୍କଲ ଟୁ ସର୍ଚ୍ଚ’, ‘ଟ୍ରାନ୍ସକ୍ରିପ୍ଟ ଆସିଷ୍ଟ୍’ ଓ ‘ଲାଇଭ୍ କଲ୍ ଟ୍ରାନ୍ସଲେସନ୍’ ପରି କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଦକ୍ଷତା ସହ ‘ଇରେଜ୍ ୨.୦’ ଓ ‘ଲାଇଟ୍ ପୋଟ୍ରେଟ୍ ୨.୦’ ପରି ଏଆଇଭିତ୍ତିକ ଫଟୋ ସମ୍ପାଦନା ଦକ୍ଷତା ମଧ୍ୟ ରହିଛି। ଧୂଳିକଣା ଓ ଜଳକଣା ପ୍ରତିରୋଧୀ ଗୁଣ ପାଇଁ ଏହାର ଆଇପି୬୮+ ଆଇପି୬୯ ରେଟିଂ ରହିଥିବା କମ୍ପାନି ଦାବି କରିଛି। ଫ୍ଲିପ୍କାର୍ଟ, ଆମାଜନ୍ ଓ ଭିଭୋ ଇଣ୍ଡିଆ ଇ-ଷ୍ଟୋର୍ରେ ଏହାର ପ୍ରି-ବୁକିଂ ଆରମ୍ଭ ହୋଇଯାଇଥିବା ବେଳେ ଆସନ୍ତା ୨୫ ତାରିଖରୁ ଏହା ଉପଲବ୍ଧ ହେବ। ଏହାର ୮ଜିବି ରାମ୍ ଓ ୧୨୮ ଜିବି ମେମୋରି ସଂସ୍କରଣର ଦାମ୍ ୩୪,୯୯୯ ଟଙ୍କା ଏବଂ ୨୫୬ ଜିବି ମେମୋରି ବିଶିଷ୍ଟ ଫୋନ୍ର ଦାମ୍ ୩୬,୯୯୯ ଟଙ୍କା ରଖାଯାଇଛି। ସେହିପରି ୧୨ ଜିବି ରାମ୍ ଓ ୫୧୨ ଜିବି ମେମୋରି ସଂସ୍କରଣର ମୂଲ୍ୟ ୪୦,୯୯୯ ଟଙ୍କା ରହିଛି। ଏଥି ସହିତ ଭି୫୦ର କ୍ରେତାମାନେ ଭିଭୋର ଟିଡବ୍ଲ୍ୟୁଏସ୍ ୩ଇ ଇଅରଫୋନ୍କୁ ୧,୪୯୯ ଟଙ୍କାରେ କିଣିପାରିବେ ବୋଲି କମ୍ପାନି ଘୋଷଣା କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/02/20/wkc9dbBcYSypuC51gh3a.jpg)