ମେଟା କମ୍ପାନିର ସ୍ମାର୍ଟ ଚଷମାର ଏକ ନୂଆ ସଂସ୍କରଣ ଉନ୍ମୋଚିତ ହୋଇଛି ଯେଉଁଥିରେ ଏକ ବିଲ୍ଟ-ଇନ୍ ଡିସ୍ପ୍ଲେ ଓ ହ୍ୟାଣ୍ଡ୍ ଜେସ୍ଚର ସପୋର୍ଟ ଫିଚର ଯୋଡ଼ାଯାଇଛି। ଆସନ୍ତା ୩୦ ତାରିଖରୁ ଆମେରିକାରେ ଉପଲବ୍ଧ ହେବାକୁ ଥିବା ‘ମେଟା ରେ’ ବ୍ୟାନ୍ ଡିସ୍ପ୍ଲେ’ ଚଷମାର ମୂଲ୍ୟ ୭୯୯ ଡଲାର ବା ପ୍ରାୟ ପ୍ରାୟ ୭୦,୦୦୦ ଟଙ୍କା। ଏଥିରେ ଉଭୟ ଚଷମା ଓ ରିଷ୍ଟବ୍ୟାଣ୍ଡ ଅନ୍ତର୍ଭୁକ୍ତ। ଏହାର ବିଲ୍ଟ-ଇନ୍ ଡିସ୍ପ୍ଲେ ସାହାଯ୍ୟରେ ମେଟା ଏଆଇ ଆସିଷ୍ଟାଣ୍ଟକୁ ସକ୍ରିୟ କରିବା ସହ ହ୍ୱାଟ୍ସଆପ୍ ଚାଟ୍ ମଧ୍ୟ ପଢ଼ିହେବ। ଫୋନ୍ ପକେଟରେ ଥିଲେ ବି ଏହା ସାହାଯ୍ୟରେ କଲ୍ କରିହେବ।
ଏହାର ଏକ ବିଶେଷତ୍ବ ହେଲା ହାତରେ ପରିଧାନଯୋଗ୍ୟ ମେଟା ନ୍ୟୁରାଲ୍ ବ୍ୟାଣ୍ଡ୍, ଯାହା ସାହାଯ୍ୟରେ ଚଷମାକୁ ନ ଛୁଇଁ ହାତ ଓ ଅଙ୍ଗୁଳିର ସୂକ୍ଷ୍ମ ସଂକେତ ଦ୍ବାରା ଚଷମାକୁ ନିୟନ୍ତ୍ରଣ କରିହେବ। ଏହାର ଏଆଇ ପରିଚାଳିତ ମଡେଲ ଦ୍ବାରା ଚାଟ୍ ପଢ଼ିବା ବ୍ୟତୀତ ଲାଇଭ୍ କ୍ୟାପସନ୍, ଲାଇଭ୍ ଅନୁବାଦ ଭଳି କାର୍ଯ୍ୟ କରିହେବ। ଫଟୋ, ଭିଡିଓ ରେକର୍ଡିଂ ଓ ଭିଡିଓ କଲିଂ ପାଇଁ ଏଥିରେ ଏକ ୧୨ଏମ୍ପି କ୍ୟାମେରା ଲାଗିଛି। ଘର ଭିତର ଓ ବାହାର ବ୍ୟବହାର ପାଇଁ ଭିନ୍ନ ଭିନ୍ନ ଲେନ୍ସର ଚଷମା ଉପଲବ୍ଧ ଏବଂ ବଣ୍ଡଲ୍ ଚାର୍ଜିଂ କେସ୍ ସହିତ ୩୦ ଘଣ୍ଟା ପର୍ଯ୍ୟନ୍ତ ବ୍ୟାଟେରି ଲାଇଫ୍ର ପ୍ରତିଶ୍ରୁତି ଦିଆଯାଇଛି।